ଲୋପ ପାଇବାରେ ଲାଗିଛି ଲାଞ୍ଜିଆ ସଉରା ଜନଜାତି ଓ ଏମାନଙ୍କ ନାଚ, ଗୀତ
Advertisement
Article Detail0/zeeodisha/odisha612318

ଲୋପ ପାଇବାରେ ଲାଗିଛି ଲାଞ୍ଜିଆ ସଉରା ଜନଜାତି ଓ ଏମାନଙ୍କ ନାଚ, ଗୀତ

ସେମାନେ ସରଳ, ନୀରିହ ଆଉ ଈଶ୍ୱର ବିଶ୍ୱାସୀ ।

ଲୋପ ପାଇବାରେ ଲାଗିଛି ଲାଞ୍ଜିଆ ସଉରା ଜନଜାତି ଓ ଏମାନଙ୍କ ନାଚ, ଗୀତ

ମୋହନା: ସେମାନେ ସରଳ, ନୀରିହ ଆଉ ଈଶ୍ୱର ବିଶ୍ୱାସୀ । ପଛୁଆବର୍ଗ ଭାବେ ଅହରହ ଜିଇଁଥାନ୍ତି ଏ ସମାଜରେ । ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ସଂରକ୍ଷିତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ଏହି ଜନଜାତିକୁ ସାମିଲ କରିବା ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ । ଆଧୁନିକ ଯୁଗ ବଦଳିବା ସହ ଜାତିର ଭାଷା ଓ ଢାଞ୍ଚା ବଦଳିବା ସଙ୍ଗେ ସଙ୍ଗେ ଲୋପ ପାଇବାରେ ଲାଗିଛି ଲାଞ୍ଜିଆ ସଉରା ଜନଜାତି ଓ ଏମାନଙ୍କ ନାଚ, ଗୀତ । ଏହି ଜାତି ଏବେ କେବଳ କାଁ ଭାଁ କେତେକ ପର୍ବ ପର୍ବାଣୀରେ ବଞ୍ଚି ରହିଛି ।

ଲାଞ୍ଜିଆ ସଉରା ଜନଜାତିର ପୁରୁଷମାନଙ୍କ ଲୁଗା ଖଣ୍ଡର ପଛଭାଗ ଲାଞ୍ଜ ପରି ଓହଳିଥିବାରୁ ସେମାନେ ଲାଞ୍ଜିଆ ନାମରେ ପରିଚିତ । ଏମାନେ ସାଧାରଣତଃ ଯୌଥ ପରିବାରରେ ବାସ କରିଥାନ୍ତି । ପୂର୍ବରୁ ଜଙ୍ଗଲରେ ଚାଳ, ଛପର ଘରେ ଏମାନେ ବାସ କରୁଥିଲେ ଏବଂ ପୋଡ଼ୁଚାଷ ଓ ବଗଡ଼ ମାରି ବିଭିନ୍ନ ଡାଲି ଜାତୀୟ ଫସଲ କରି ଜିଉଁଥିଲେ । ଏମାନଙ୍କ ଘରକୁ ସଉରା ଭାଷାରେ 'ସିହିଂ' ବୋଲି କୁହାଯାଏ । ବହୁ ପୂରାତନ କାଳରୁ ଏମାନ ହିନ୍ଦୁ ଧର୍ମ ବିଶ୍ୱାସୀ ଭାବେ ପଦ୍ମ ଫୁଲ ଓ ସ୍ୱସ୍ତିକ ଝୋଟି ଆଙ୍କି ପୂଜା କରିଆସୁଥିବା ବେଳେ କ୍ରମଶଃ କିଛି ଅଞ୍ଚଳରେ ଅଲଗା ଧର୍ମ ଗ୍ରହଣ କରି ଜୀବନଯାପନ କରୁଛନ୍ତି । ଲାଞ୍ଜିଆ ସଉରା ମାନେ ଖୁବ୍ ସରଳ ଓ ଠାକୁର ବିଶ୍ୱାସୀ । ବିଶେଷତଃ ହିନ୍ଦୁ ଧର୍ମୀମାନେ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କୁ ଆରାଧ୍ୟ ଦେବତା ଭାବେ ଫୋଟ ରଖି ପୂଜା କରିଥାନ୍ତି । ଲାଞ୍ଜିଆ ସମାଜର ପୁରୁଷମାନେ ଏକ ଝିନ ଲୁଗା ପରିଧାନ କରିଥାନ୍ତି, ଯାହାର ଦୁଇ ଚିତ୍ରିତ ମୁଣ୍ଡ ଦେହର ଆଗ ଓ ପଛଭାଗକୁ ଆବୃତ କରି ଓହଳିଥାଏ । ପଛଭାଗର ଲୁଗା ଲାଞ୍ଜ ଭଳି ଦିଶୁଥିବାରୁ ଏମାନେ ଲାଞ୍ଜିଆ ନାମରେ ପରିଚିତ । ସେମାନେ ଏକ ପଗଡ଼ି ମଧ୍ୟ ପରିଧାନ କରିଥାନ୍ତି । ମହିଳାମାନଙ୍କ ଲୁଗା କେବଳ ସେମାନଙ୍କ ଅଣ୍ଟା ତଳଭାଗଠାରୁ ଆଣ୍ଠୁ ଉପର ଯାଏଁ ଆବୃତ କରିଥାଏ । ନାରୀମାନେ ଭାରି ଅଳଙ୍କାର ପ୍ରିୟ ଏବଂ ବିଶେଷ କରି କଳା ରଙ୍ଗର ଲୁଗା ପରିଧାନ କରିବାକୁ ଭଲ ପା'ନ୍ତି । ସୁନା, ରୁପା ବଦଳରେ ଆର୍ଥିକ ସ୍ୱଚ୍ଛଳ ଅଭାବରୁ ସର୍ବଦା ରସ, ତମ୍ବା, କଂସା ଆଦି ବ୍ୟବହାର କରିଥାନ୍ତି । ଆଦିମ ଜନଜାତି ମଧ୍ୟରୁ ଓଡ଼ିଶାର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି । ଗଜପତି ଜିଲ୍ଲାର ବିଶେଷ କରି ଆର. ଉଦୟଗିରି, ନୂଆଗଡ଼, ରାମଗିରି, ସେରଙ୍ଗ ଓ ମୋହନା ଅଞ୍ଚଳରେ ବାସ କରିଥାନ୍ତି । 

ବହୁ ପୂରାତନ କାଳରୁ ଏମାନେ ଅଶିକ୍ଷିତ ଭାବେ ମଇଁଷି, ପୋଢ଼ ଭଳି ବନ୍ୟ ଜନ୍ତୁଙ୍କୁ ଶିକାର କରି ମାଂସ ଭୋଜନ କରିଆସୁଥିଲେ । କ୍ରମଶଃ ଏହି ଜାତି ଲୋପ ପାଇବାରେ ଲାଗିବାରୁ ୧୯୮୮ ମସିହାରେ ଶବରପଲ୍ଲୀ ଗ୍ରାମରେ ଶବର ସମାଜ ଗଠନ କରିଥିଲେ ସ୍ୱର୍ଗତ ପ୍ରଧାନୀ ଗମାଙ୍ଗ । ଏହି ସମାଜ ଗଠନ ହେବା ପରେ ସଉରାମାନଙ୍କୁ ହିନ୍ଦୁ ଧର୍ମକୁ ନେଇ ସଚେତନତା କରାଯିବା ସହ ସତସଙ୍ଗ, ସଂସ୍କାର ଓ ନିତ୍ୟ ପୂଜାବିଧିରେ ପରିବର୍ତ୍ତନ ଆସିଥିଲା । ସେହି ଦିନ ଠାରୁ ଆଜି ବି ସ୍ପର୍ଗତ ପ୍ରଧାନୀ ଗମାଙ୍ଗଙ୍କୁ ଗୁରୁ ଭାବେ ପୂଜା କରି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚଳୁଛନ୍ତି । ଏବେ ଏମାନେ ବହୁ ନିଷ୍ଠାପର ପୂଜା କରିବା ସହ କୌଣସି ବନ୍ୟଜୀବଜନ୍ତୁ ମାରିବା ବଦଳରେ ସୁରକ୍ଷା କରିବା ଧର୍ମ କାମ କରୁଛନ୍ତି ।

fallbackଲାଞ୍ଜିଆ ସଉରାର ଘରର ବାହାର କାନ୍ଥରେ ନାଲି ମାଟିରେ ପାଢି ବନା ହୋଇଥାଏ । ସାଧାରଣତଃ ଲାଞ୍ଜିଆ ସଉରା ଜନଜାତିର ଆଦିବାସୀମାନେ ଘରର ବାଡିକୁ ଯିବା ପାଇଁ ଘରର ପଛ ପଟେ କବାଟ ରଖନ୍ତି ନାହିଁ । ଯଦି କବାଟ ରହିବ, ତାହା ମୁଖ୍ୟ ଦ୍ୱାରର ପୂରା ସିଧାରେ ରହିବ ।  ପ୍ରତି ଘରର ମୁଖ୍ୟ ଦ୍ୱାର ପାଖରେ ଛୋଟ ଆଇନା ମଧ୍ୟ ରହିଥାଏ । ଏହି ଆଇନା ସଉରା ନାରୀମାନେ ପ୍ରସାଧାନ ପାଇଁ ବ୍ୟବହାର କରନ୍ତି ।  ସଉରା ଘର ଭିତରେ ୨/୩ଟି ବଖରା ଓ ରୋଷେଇ ଶାଳ ଅଲଗା ଥାଏ । ଘରର ଭିତର ପାର୍ଶ୍ୱରେ ମାଟିର ଛାତ ତିଆରି ହୋଇଥାଏ ଯାହାକୁ "ମେର୍ଦା" କୁହାଯାଏ । ଏହାକୁ ସେମାନେ ହାଣ୍ଡି, ମାଣ୍ଡିଆ,ଧାନ ଆଦି ସାଇତି ରଖିବା ପାଇଁ ବ୍ୟବ ହାର କରିଥାନ୍ତି  । ରୋଷେଇ ଶାଳ ଭିତରେ କାଠ ପଟାରେ ଭାଡି ନିର୍ମାଣ କରାଯାଇଥାଏ,ଏହାକୁ "ଆଟୁ" ବୋଲି କୁହାଯାଏ  । ଏହି "ଆଟୁ"ରେ ସେମାନେ ଶୁଖିଲା ମକା, ଶୁଖିଲା ମାଂସ,ଶୁଖୁଆ ଆଦି ବହୁତ ଦିନ ଯାଏ ସାଇତି ରଖନ୍ତି  । ସଉରାମାନେ ମାଟି ଚୁଲି ବ୍ୟବ ହାର କରନ୍ତି ଓ ତାଙ୍କ ଚୁଲିକୁ "ହିଣ୍ଡା" ବା "କୋଡା" ବୋଲି କୁହାଯାଏ  । ପ୍ରତି ସଉରା ଘରେ ଏକ ଢିଙ୍କି ଓ ଚକି ନିଶ୍ଚିତ ଭାବରେ ରହିଥାଏ । ଏହା ବିରି,କାନ୍ଦୁଲ,ମାଣ୍ଡିଆ, କୋଳଥ ଆଦି ଚୁରିବା ପାଇଁ ବ୍ୟବ ହୃତ ହୋଇଥାଏ  । ଆହୁରି ମଧ୍ୟ ପିଣ୍ଡାରେ ବଡ ଗାତ କରି କାଠର ଆବରଣ ଦିଆଯାଇଥାଏ  ।  ତା' ଭିତରେ ଏକ ମଜବୁତ୍ କାଠଗଣ୍ଡି ସାହାଯ୍ୟରେ ଧାନ କୁଟାଯାଏ  । ଏହି କାଠଗଣ୍ଡିକୁ "ପାରେଳି" ବୋଲି କୁହାଯାଏ  । ଯଦିଓ ଦୁଇଟି ଘର ଗୋଟିଏ କାନ୍ଥର ଦୁଇ ପାଖରେ ହିଁ ତିଆରି ହୋଇଥାଏ, କିନ୍ତୁ ବାହାର ପିଣ୍ଡା ମଝିରେ କୌଣସି କାନ୍ଥ ନ  ଥାଏ । କେବଳ ସାହିର ଆରମ୍ଭ ଓ ଶେଷ ପିଣ୍ଡାରେ ଦୁଇଟି କାନ୍ଥ ରହିଥାଏ ।  ସେହିପରି ଲାଞ୍ଜିଆ ସଉରାଙ୍କ ଘର ସେମାନଙ୍କୁ ଖରା, ବର୍ଷା ଓ ଶୀତରୁ ରକ୍ଷା କରିଥାଏ । 

ସେହିପରି ଏମାନଙ୍କ ନାଚ, ଗୀତ ବି ବେଶ୍ ନିଆରା । ଲାଞ୍ଜିଆ ସଉରା ସଉରା ଭାଷାରେ ଗୀତ ଗାଇ ନାଚ କରିଥାନ୍ତି । କତ୍ରିତ ଭାବେ ନାଚ କରିବା ବେଳେ ମହିଳା ମାନେ କାନ୍ଧ କୁ କାନ୍ଧ ଧରି ନାଚିଥାନ୍ତି । ଏହି ସମୟରେ ନାଗରା, ତୁରୀ, ଚାଙ୍ଗୁ ବାଜା ବଜେଇ ତାଳରେ ନାଚ କରିଥାନ୍ତି । ଏହି ନାଚ ସମୟରେ ପାରମ୍ପରିକ ଅସ୍ତ୍ର , ଶସ୍ତ୍ର କୁ ମଧ୍ୟ ହାତରେ ଧରି ନାଚ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ଭାରି ମଜା ଲାଗିଥାଏ । ନିଆରା ପରମ୍ପରା ଓ ଲୋକ ସଂସ୍କୃତିକୁ ନେଇ ଲାଞ୍ଜିଆ ସଉରା ମାନେ ସମାଜରେ ଜୀବନଯାପନ କରୁଥିବା ବେଳେ ଏହି ସଂସ୍କୃତି ଓ କଳାକୁ ନେଇ ଗଜପତି ଜିଲ୍ଲା ବେଶ୍ ଗର୍ବିତ ।