ଟିକଟ ବିକୁଛି ଆପ୍ ! ଦଳୀୟ ବିଧାୟକ ଆଣିଲେ ଅଭିଯୋଗ
Advertisement
Article Detail0/zeeodisha/odisha624867

ଟିକଟ ବିକୁଛି ଆପ୍ ! ଦଳୀୟ ବିଧାୟକ ଆଣିଲେ ଅଭିଯୋଗ

୧୦ କୋଟି ଦିଅ, ଟିକଟ ନିଅ !

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମାହୋଲ ସରଗରମ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ଶାସକ ଦଳ ଆମ ଆଦମୀ ପାର୍ଟି । ଆଉ ଏହା ପରେ ହିଁ ଆରମ୍ଭ ହୋଇଯାଇଛି ଦଳୀୟ ଅନ୍ତଃକନ୍ଦଳ । ଏଥର ୧୫ ଜଣ ଷ୍ଟାଣ୍ଡିଂ ଏମଏଲଏଙ୍କୁ ଟିକଟ ମିଳିନି । ଯାହାକୁ ନେଇ ଅସନ୍ତୋଷ ଆଉ ବିଦ୍ରୋହ ଦେଖାଦେଇଛି । ଏପରିକି ଦଳ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଟିକଟରୁ ବଞ୍ଚିତ ହୋଇଥିବା ବିଧାୟକ । 

ଟିକଟ ବିକୁଛି ଆପ୍ ! ଗୋଟିଏ ଟିକଟକୁ ୨୦ କୋଟି ! ଏକଥା ଆମେ କହୁନୁ, କହିଛନ୍ତି ଖୋଦ ଦଳର ବିଧାୟକ । ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଖୋଦ ଏହି କାରବାର କରୁଛନ୍ତି ! ବଦରପୁର ଆପ୍ ବିଧାୟକ ଏନଡି ଶର୍ମା ଆଣିଛନ୍ତି ଏପରି ସାଙ୍ଘାତିକ ଅଭିଯୋଗ । ଗତକାଲି ଆପ୍ ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା, ସେଥିରୁ ସେ ବାଦ୍ ପଡ଼ିଛନ୍ତି । ଆଉ ଏହା ପରେ ଦଳ ଭିତରୁ ହିଁ ବିଦ୍ରୋହର ସ୍ୱର ଆରମ୍ଭ ହୋଇଯାଇଛି । ଇସ୍ତଫା ଦେଇଛନ୍ତି ଏନଡି ଶର୍ମା । ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ସମୟରେ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ବେଶ ସାଙ୍ଘାତିକ । ଶ୍ରୀ ଶର୍ମାଙ୍କ କହିବା ଅନୁସାରେ, ''ମନୀଷ ସିଶୋଦିଆ ତାଙ୍କୁ ଘରକୁ ଡାକିଥିଲେ । ଟିକଟ ପାଇବା ପାଇଁ ରାମ ସିଂହ(ଯିଏ ବଦରପୁରରୁ ଏଥର ଟିକଟ ପାଇଛନ୍ତି) ଆପରୁ ଲବି କରୁଥିବା କଥା ଜଣାଇଥିଲେ । ଟିକଟ ପାଇଁ ୨୦/୨୧ କୋଟି ଟଙ୍କା ମଧ୍ୟ ରାମ ସିଂହ ଯାଚୁଥିବା ସିଶୋଦିଆ ଜଣାଇଥିଲେ । ଏପରିକି ତୁମେ ଯଦି ଟିକେଟ ଚାହୁଁଛ, ୧୦ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ସିଶୋଦିଆ କହିଲେ । ହେଲେ ମୁଁ ମନା କରିଦେଇଥିଲି । ''

ତେବେ ଆଜି ଏନଡି ଶର୍ମା ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ଟିକଟରୁ ବଞ୍ଚିତ ହୋଇଥିବା ଅନ୍ୟ କିଛି ବିଧାୟକ ମଧ୍ୟ ବିଦ୍ରୋହ କରିବେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ, ନିର୍ବାଚନ ବୈତରଣୀ ପାରି ହେବା ଆପ୍ ପାଇଁ କାଠିକର ପାଠ ହୋଇଯିବ । 

ଆହୁରି ପଢ଼ନ୍ତୁ; ମାଗଣା ସ୍କିମ୍ ବନାମ ଆତ୍ମସମ୍ମାନ କାର୍ଡ