ଖାରଜ ହୋଇଛି ରିଭ୍ୟୁ ପିଟିସନ, କଣ ରହିଛି ପରବର୍ତ୍ତି ପ୍ରକ୍ରିୟା...
Advertisement
Article Detail0/zeeodisha/odisha611914

ଖାରଜ ହୋଇଛି ରିଭ୍ୟୁ ପିଟିସନ, କଣ ରହିଛି ପରବର୍ତ୍ତି ପ୍ରକ୍ରିୟା...

ରିଭ୍ୟୁ ପିଟିସନ ଖାରଜ ହେବାପରେ କଣ ରହିଛି ଦୋଷୀମାନଙ୍କ ନିକଟରେ ବିକଳ୍ପ ?

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ସୁପ୍ରିମକୋର୍ଟ ଦୋଷୀ ଅକ୍ଷୟର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ଏହା ଫଳରେ ଦୋଷୀମାନେ ଫାଶୀଖୁଣ୍ଟରେ ଝୁଲିବା ଏକ ପ୍ରକାର ସୁନିଶ୍ଚିତ ହୋଇ ଯାଇଛି । ଏହି ନିଷ୍ପତ୍ତି ଶୁଣାଇବା ସହିତ ସୁପ୍ରିମକୋର୍ଟ କହିଛନ୍ତି କି ଧାର୍ଯ୍ୟ ସମୟ ମଧ୍ୟରେ ଦୋଷୀମାନେ ସେମାନଙ୍କର ବିକଳ୍ପକୁ ମଧ୍ୟ ଆପଣାଇପାରିବେ । ରିଭ୍ୟୁ ପିଟିସନ ଖାରଜ ହେବାର ଅର୍ଥ ଏହା ନୁହେଁ ଯେ, ସେମାନଙ୍କୁ ତୁରନ୍ତ ଫାଶୀରେ ଝୁଲାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି । ତେବେ ଦୋଷୀମାନଙ୍କ ନିକଟରେ କଣ ରହିଛି ବିକଳ୍ପ ଆସନ୍ତୁ ବିସ୍ତୃତ ଭାବେ ଆଲୋଚନା କରିବା ।

ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି କି, ରିଭ୍ୟୁ କରିବା ପାଇଁ ଦୋଷୀମାନଙ୍କ ନିକଟରେ ଏକ ସପ୍ତାହ ସମୟ ରହିଛି । ଏହା ସହିତ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ପାଇଁ ମଧ୍ୟ ଏକ ସପ୍ତାହ ସମୟ ମଧ୍ୟ ରହିଛି । ତେବେ ଏହା ପୂର୍ବରୁ ମଧ୍ୟ ଦୋଷୀ ବିନୟ ରାଜକ୍ଷମା ଆବେଦନ କରି ସାରିଛି । ଯାହା ରାଷ୍ଟ୍ରପତିଙ୍କ ନିକଟରେ ପଡ଼ି ରହିଛି ।

ଶୁଣାଣି ଘୁଞ୍ଚାଇବାର ରହିଛି ସମ୍ଭାବନା
ସେପଟେ ଦୋଷୀ ଅକ୍ଷୟଙ୍କ ଓକିଲଙ୍କ ଅନୁଯାଯୀ ଦୋଷୀମାନଙ୍କ ଫାଶୀର ତାରିଖକୁ ଘୁଞ୍ଚାଇବାକୁ ପ୍ରୟାସ କରାଯିବ । ନିର୍ଭୟାଙ୍କ ପୁରୁଷ ବନ୍ଧୁଙ୍କ ଦ୍ୱାରା ଗଣମାଧ୍ୟମରେ ବୟାନ ଦେବା, ପ୍ୟାନେଲ ବସାଇବା ଏବଂ ବିଭିନ୍ନ ଉପାୟରେ ଅର୍ଥ କାରବାର କରି ଏହାକୁ ଘୁଞ୍ଚାଇବାକୁ ପ୍ରୟାସ କରାଯିବାର ସମ୍ଭାବନା ମଧ୍ୟ ରହିଛି । ଅକ୍ଷୟଙ୍କ ଓକିଲ ଏପି ସିଂ କହିଛନ୍ତି କି, କୋର୍ଟରେ ନିର୍ଭୟାଙ୍କ ପୁରୁଷ ବନ୍ଧୁ ଅର୍ଥ ନେଇ ଗଣମାଧ୍ୟମରେ ବୟାନ ଦେଇଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି କି, ଅକ୍ଷୟଙ୍କ ବ୍ୟତୀତ 
ଅନ୍ୟ 3 ଜଣ ଦୋଷୀ ଏ ପର୍ଯ୍ୟନ୍ତ ରିଭ୍ୟୁ ପିଟିସନ ଦାଖଲ କରିନାହାନ୍ତି । ତେବେ ଏହି ପିଟିସନ ଜରିଆରେ ମଧ୍ୟ ଦୋଷୀ ପକ୍ଷ ଓକିଲ ଏହି ମାମଲାକୁ ଘୁଞ୍ଚାଇବାକୁ ପ୍ରୟାସ କରିପାରନ୍ତି । 

ଏବେ ବି ରହିଛି ଫାଶୀରୁ ରକ୍ଷା ପାଇବାର ସମ୍ଭାବନା: ବିପକ୍ଷ ଓକିଲ
ରିଭ୍ୟୁ ପିଟିସନ ଖାରଜ ହୋଇଯିବା ପରେ ନିର୍ଭୟା ଘଟଣାର ଦୋଷୀମାନେ ଫାଶୀ ପାଇବା ସୁନିଶ୍ଚିତ ହୋଇଯାଇଛି । ତେବେ ବର୍ତ୍ତମାନ ଦୋଷୀମାନଙ୍କର ଆଶା ସେହି 17ଟି ମାମଲା ନିକଟରେ ରହିଛି, ଯାହାର ଦଣ୍ଡ ସ୍ୱରୂପ ମିଳିଥିବା ଫାଶୀକୁ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଦେଇଥିଲେ । ଏନେଇ ଦୋଷୀଙ୍କ ପକ୍ଷରୁ ଓକିଲାତି କରୁଥିବା ଏପି ସିଂ କହିଛନ୍ତି କି, ଏହାକୁ ବିରୋଧ କରି ଆମେମାନେ କ୍ୟୁରେଟିଭ ପିଟିସନ ଦାଖଲ କରିବୁ । ସୁପ୍ରିମକୋର୍ଟଙ୍କ ନିକଟରେ 2017 ପରେ ଉକ୍ତ 17ଟି ମାମଲାର ଫଳାଫଳକୁ ଉପସ୍ଥାପିତ କରିବୁ । ଯାହାର ଫଳାଫଳକୁ ଫାଶୀରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ବୋଲି ସେ କହିଥିଲେ ।

ପ୍ରଥମେ ରାଜକ୍ଷମା ନା କ୍ୟୁରେଟିଭ ପିଟିସନ
ଏପି ସିଂ କହିଛନ୍ତି କି, ଏହି ଦୁଇଟିରେ ସେ ପିଟିସନ ଦାଖଲ କରିବେ । ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିବେ ଏବଂ ପରେ ରାଜକ୍ଷମା ପିଟିସନ ଦାଖଲ କରିବେ । ସେ କହିଛନ୍ତି କି, କ୍ୟୁରେଟିଭ ପିଟିସନରେ ମଧ୍ୟ ବିଶ୍ୱାସ ରଖୁ । ଆମମାନଙ୍କର ଯୁକ୍ତି ଠିକ ରହିଛି । ଆମମାନଙ୍କର କେସ ମଧ୍ୟ ଠିକ ରହିଛି ବୋଲି ସେ କହିଛନ୍ତି ।  

ରାଜକ୍ଷମା ଯାଚିକା
ରିଭ୍ୟୁ ପିଟିସନ ଖାରଜ ହେବା ପରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବାର ବ୍ୟବସ୍ଥା ଭାରତୀୟ ସମ୍ବିଧାନରେ ରହିଛି । ସମ୍ବିଧାନର ଅନୁଛେଦ-72 ଏବଂ ଅନୁଛେଦ-161 ଅନୁସାରେ ଯଥାକ୍ରମେ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ଏହି ରାଜକ୍ଷମା ଆବେଦନର ଶୁଣାଣି କରିଥାନ୍ତି ।  ଏହି ଶୁଣାଣି ସମୟରେ ରାଷ୍ଟ୍ରପତି ଗୃହ ମନ୍ତ୍ରଣାଳୟ ନିକଟରୁ ଘଟଣାର ସମସ୍ତ ତଥ୍ୟ ମାଗିଥାନ୍ତି । ମନ୍ତ୍ରଣାଳୟ ଘଟଣାର ସବିଶେଷ ତଥ୍ୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥାନ୍ତି ଏବଂ ରାଷ୍ଟ୍ରପତି ସମସ୍ତ ତଥ୍ୟକୁ ତର୍ଜମା କରି ନିଷ୍ପତ୍ତି ନେଇଥାନ୍ତି । ଯଦି ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦିଅନ୍ତି, ତେବେ ଦୋଷୀ ଫାଶୀ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥାଏ । 

ଡେଥ ଓ୍ୱାରେଣ୍ଟ ଏବଂ ଶେଷ ଇଚ୍ଛା
ସମସ୍ତ ପ୍ରକ୍ରିୟାରେ ବିଫଳ ହେବା ପରେ ଦୋଷୀମାନଙ୍କୁ ଶେଷରେ ଫାଶୀ ଖୁଣ୍ଟରେ ଝୁଲିବାକୁ  ବାଧ୍ୟ ହୋଇଥାନ୍ତି । ତେବେ ଫାଶି ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନଙ୍କ ଏକ ଡେଥ ଓ୍ୱାରେଣ୍ଟ ଜାରି କରାଯାଇଥାଏ । ଏହା ସହିତ ସେମାନଙ୍କର ଶେଷ ଇଚ୍ଛା ମଧ୍ୟ ପଚରାଯାଇଥାଏ । ଡେଥ ଓ୍ୱାରେଣ୍ଟରେ ସରକାରଙ୍କ ତରଫରୁ ନିମ୍ନ ଅଦାଲତ ସେମାନଙ୍କୁ ଫାଶିର ତାରିଖ ସମ୍ପର୍କରେ ପଚାରିଥାନ୍ତି । ସେମାନଙ୍କ ନିକଟରୁ ଉତ୍ତର ଆସିବା ପରେ ଉକ୍ତ ଓ୍ୱାରେଣ୍ଟରେ ଦୋଷୀମାନଙ୍କର ଫାଶୀର ସମୟ 
ଏବଂ ତାରିଖ ଉଲ୍ଲେଖ ଥାଏ । ଯାହାକୁ ଜେଲ ଅଧିକ୍ଷକଙ୍କ ନିକଟରୁ ପଠାଇଯାଇଥାଏ । ପରେ ଜିଲ୍ଲାପାଳ ସେମାନଙ୍କର ଶେଷ ଇଚ୍ଛା ପଚାରିଥାନ୍ତି । ଏହା ସହିତ ସେମାନଙ୍କର ସମ୍ପତ୍ତି କାହାକୁ ଦିଆଯିବ ସେ ନେଇ ମଧ୍ୟ ଯଥେଷ୍ଟ ତଥ୍ୟ ହାସଲ କରିଥାନ୍ତି । ଡାକ୍ତର, ଜେଲ ସୁପରିଣ୍ଟେଣ୍ଡେଣ୍ଚ ଙ୍କ ଉପସ୍ଥିତିରେ ଜହ୍ଲାଦ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେଇଥାଏ ।