ବନ୍ଦ ହୋଇପାରେ ପୁରୁଣା ଗାଡ଼ି !
Advertisement
Article Detail0/zeeodisha/odisha599695

ବନ୍ଦ ହୋଇପାରେ ପୁରୁଣା ଗାଡ଼ି !

ଏହା ଲାଗୁ ହେଲେ ରାଜ୍ୟର ପ୍ରାୟ ୨୦ ଲକ୍ଷରୁ ଅଧିକ ଗାଡ଼ି ପଡ଼ି ରହିବ । ଆଉ ଚାଲିବ ନାହିଁ ଏସବୁ ଗାଡ଼ି । ସେପଟେ, ନିୟମ ପ୍ରଣୟନ କରାଯିବ କି ନାହିଁ ତାକୁ ନେଇ ବିଚାର ବିମର୍ଷ ଜାରି ରହିଛି ।

ବନ୍ଦ ହୋଇପାରେ ପୁରୁଣା ଗାଡ଼ି !

ଦେବେଶ ନାୟକ, ନୂଆଦିଲ୍ଲୀ: ରାଜ୍ୟରେ ପୁରୁଣା ଗାଡ଼ି ଚାଲିବ ନା ବନ୍ଦ ହେବ । ୧୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଗାଡ଼ି ଆଉ ରାସ୍ତାରେ ଚାଲି ନପାରେ । ଏନେଇ ନୂଆ ନିୟମକୁ ଅପେକ୍ଷା । ଏହା ଲାଗୁ ହେଲେ ରାଜ୍ୟର ପ୍ରାୟ ୨୦ ଲକ୍ଷରୁ ଅଧିକ ଗାଡ଼ି ପଡ଼ି ରହିବ । ଆଉ ଚାଲିବ ନାହିଁ ଏସବୁ ଗାଡ଼ି । ସେପଟେ, ନିୟମ ପ୍ରଣୟନ କରାଯିବ କି ନାହିଁ ତାକୁ ନେଇ ବିଚାର ବିମର୍ଷ ଜାରି ରହିଛି ।

ରାଜ୍ୟରୁ ଉଭାନ ହୋଇପାରେ ପ୍ରାୟ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି । କେନ୍ଦ୍ର ସରକାର ଚାହିଁଲେ ଏସବୁ ଗାଡ଼ି ସମ୍ପୂର୍ଣ୍ଣ ବନ୍ଦ ହେବ । ରାସ୍ତାରେ ଗଡ଼ିପାରିବନି ପୁରୁଣା ଗାଡ଼ି । ୧୫ ବର୍ଷରୁ ଅଧିକ ସମୟ ବ୍ୟବାହାର କରାଯାଇଥିବା ଗାଡିକୁ କରିହେବନି ପୁନଃ ପଞ୍ଜିକରଣ । ସେପ୍ଟମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ୍ ଅନୁସାରେ ଏଭଳି ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରଣୟନ କରାଯିବ କି ନାହିଁ ବିଚାର ବିମର୍ଷ ଜାରି ରହିଛି । ରାଜ୍ୟ ସରକାର ଗୃହରେ ଦେଇଥିବା ତଥ୍ୟ ଅନୁସାରେ ୨୨ ଲକ୍ଷ ୯ ହଜାର ୫୭୩ଟି ପୁରୁଣା ଗାଡ଼ି ରହିଛି ଯେଉଁସବୁ ଗାଡ଼ି ୧୫ ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ ୨୦୧୯କୁ ସରକାର କଡ଼ିକଡ଼ି ଲାଗୁ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ଦୁର୍ଘଟଣାଜନିତ ମୃତ୍ୟୁର ପରିସଂଖ୍ୟାନ ସରକାରଙ୍କ ପାଇଁ ଟେନସନ୍ ହୋଇଛି । ବର୍ଷକୁ ବର୍ଷ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୧୬ରେ ୧୦ ହଜାର ୫୩୨ ଦୁର୍ଘଟଣା ଘଟିଥିବା ବେଳେ ୪ ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି, ୨୦୧୭ରେ ୧୦ ହଜାର ୮୫୫ ଦୁର୍ଘଟଣା ଘଟିଥିବା ବେଳେ ପ୍ରାଣ ହରାଇଛନ୍ତି ୪ ହଜାର  ୭୯୦ ଜଣ । ୨୦୧୮ରେ ୧୧ ହଜାର ୨୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି, ଚଳିତବର୍ଷରେ ଏଯାଏ  ୮ହଜାର ୨୦୩ଟି ଦୁର୍ଘଟଣା ଘଟିଲାଣି ଯେଉଁଥିରେ ୪ ହଜାର ୧୧୫ ଜଣଙ୍କ ମୃତ୍ୟୁ ହୋଇଛି ।  ସେପଟେ, ସଡ଼କ ଦୁର୍ଘଟଣାକୁ ନେଇ ସରକାରଙ୍କ ଭିତ୍ତିଭୂମିର ଅଭାବ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।