କୋରୋନା ଶିଖାଉଛି 'ବସୁଧୈବ କୁଟୁମ୍ବକମ୍'
Advertisement
Article Detail0/zeeodisha/odisha653796

କୋରୋନା ଶିଖାଉଛି 'ବସୁଧୈବ କୁଟୁମ୍ବକମ୍'

ସାର୍କ ଦେଶର ନେତାଙ୍କ ସହ ଆଲୋଚନା ପାଇଁ ମୋଦି ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଅନ୍ୟ ସାର୍କ ଦେଶଗୁଡ଼ିକ ସମେତ ପାକିସ୍ତାନ ମଧ୍ୟ ହଁ କହିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସମ୍ପର୍କ ଯୋଡ଼ୁଛି 'କୋରୋନା' । ଦିନେ ପରସ୍ପରର ଛାଇ ଦେଖିଲେ ନାକ ଡେଉଁଥିବା ଦୁଇ ଦେଶ ମଧ୍ୟ କୋରୋନା ମୁକାବିଲା ପାଇଁ ଏକାଠି ହେବାକୁ ସମ୍ମତି ପ୍ରକାଶ କରିଛନ୍ତି । ବିଶ୍ୱରେ କାୟାବିସ୍ତାର କରି ଚାଲିଥିବା କୋରୋନାର ମୁକାବିଲା ପାଇଁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସ୍ୱୀକାର କରିନେଇଛି ପାକିସ୍ତାନ । ସାର୍କ ଦେଶର ନେତାଙ୍କ ସହ ଆଲୋଚନା ପାଇଁ ମୋଦି ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଅନ୍ୟ ସାର୍କ ଦେଶଗୁଡ଼ିକ ସମେତ ପାକିସ୍ତାନ ମଧ୍ୟ ହଁ କହିଛି । 

ମିଶନ କୋରୋନା ମୁକାବିଲା । ଡାକିଲେ ମୋଦି, ଶୁଣିଲେ ଇମରାନ । ପରସ୍ପର ମନୋମାଳିନ୍ୟ, ରାଗଋଷା  ସବୁକିଛି ଭୁଲି ଏବେ ଏକାଠି ହେବେ ଭାରତ-ପାକିସ୍ତାନ । ନିଜକୁ ଗ୍ଲୋବାଲ ଲିଡର ଭାବେ ପ୍ରତିନିଧିତ୍ୱ କରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବକୁ ଗତକାଲି ପାକିସ୍ତାନ ବ୍ୟତୀତ ଅନ୍ୟ ସମସ୍ତ ସାର୍କ ଦେଶ ଗ୍ରହଣ କରି ନେଇଥିଲେ । ଏମାନଙ୍କ ମଧ୍ୟରେ ଆଫଗାନିସ୍ତାନ ମଧ୍ୟ ରହିଥିଲା । ତେବେ ଆଜି ପାକିସ୍ତାନ ମଧ୍ୟ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ୨୦୧୬ରୁ ଏପର୍ଯ୍ୟନ୍ତ, ଦୀର୍ଘ ୪ ବର୍ଷ ହେଲା ଉଭୟ ଦେଶ ମଧ୍ୟରେ ଯେଉଁପ୍ରକାର ତିକ୍ତ ସମ୍ପର୍କ ରହିଥିଲା, ତାକୁ ଭୁଲାଇଦେବ କୋରୋନା !

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଆଜି ଟ୍ୱିଟ୍ କରି କହିଛନ୍ତି, ''କୋରୋନା ଭାଇରସର ବିପଦରୁ ରକ୍ଷା ପାଇବା ପାଇଁ ବିଶ୍ୱସ୍ତରରେ ଏବଂ କ୍ଷେତ୍ରୀୟ ସ୍ତରରେ ଏକାଠି ମିଶି କାମ କରିବାକୁ ହେବ । ତେଣୁ  ଆମେ ସୂଚନା ଦେଉଛୁ ଯେ, ସ୍ୱାସ୍ଥ୍ୟ ସମ୍ପର୍କରେ ସାର୍କ ଦେଶଗୁଡ଼ିକ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ପାକିସ୍ତାନ ଅଂଶଗ୍ରହଣ କରିବ । ଭିଡିଓ କନଫରେସିଂ ଆଲୋଚନାରେ ପାକିସ୍ତାନ ମଧ୍ୟ ସାମିଲ ହେବ ।''

ସାର୍କ ଦେଶଗୁଡ଼ିକୁ କ'ଣ ଆହ୍ୱାନ କରିଥିଲେ ମୋଦି ?  

କୋରୋନା ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସାର୍କ ଦେଶଗୁଡ଼ିକୁ (ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ଆଫଗାନିସ୍ତାନ)  ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆହ୍ୱାନ କରିଥିଲେ ମୋଦି । ଏହି ପ୍ରସଙ୍ଗରେ ସାର୍କ ଦେଶଗୁଡ଼ିକର ମୁଖିଆଙ୍କୁ ଭିଡିଓ କନଫେରନସିଂ ଜରିଆରେ ଏକଜୁଟ ହୋଇ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ସମଗ୍ର ବିଶ୍ୱକୁ କୋରୋନା ପ୍ରସଙ୍ଗରେ ସାର୍କ ଦେଶଗୁଡ଼ିକ ନୂଆ ଏକ ବାର୍ତ୍ତା ଦେଇପାରିବେ ବୋଲି ମୋଦି ନିଜ ଟ୍ୱିଟରେ ଉଲ୍ଲେଖ କରିଥିଲେ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନ ସହ ଗତ ୨୦୧୬ ମସିହା ପଠାନକୋଟ ଆକ୍ରମଣ ପରଠୁ ଭାରତର ସମ୍ପର୍କ ଛିନ୍ନ ଅଛି । ଏହା ପରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକିସ୍ତାନ ସହ କୌଣସି ପ୍ରସଙ୍ଗରେ ଆଲୋଚନା  କରିନାହାନ୍ତି ।  ଯଦିଓ ଏହି ସମୟ ମଧ୍ୟରେ ମୋଦି ଓ ଇମରାନ କିଛି ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ନଜର ଆସିଛନ୍ତି, ତେବେ ନାକ ଡିଆଁ ସମ୍ପର୍କ ଦେଖିବାକୁ ମିଳିଥିଲା । ହେଲେ କୋରୋନା ଭାଇରସ୍ ଏବେ ଉଭୟ ଦେଶକୁ ଏକାଠି କରୁଛି । 

ଯେତେବେଳେ କୋରୋନାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି, ସେତେବେଳେ ମୋଦିଙ୍କ ଏହି ଆହ୍ୱାନ ବେଶ ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ । କେବଳେ ଏତିକି ନୁହେଁ, କୋରୋନା ଯୋଗୁ ବିଶ୍ୱର ଅର୍ଥନୀତି ଗୋଟିଏ ପ୍ରକାର ଦୋହଲି ଯାଇଛି । ହେଲେ କିଛି ଦେଶ ଏହି ଦୁର୍ବଳତାର ସୁଯୋଗ ନେଇ ନିଜ ନିଜ ଫାଇଦା ଖୋଜୁଛନ୍ତି । ଠିକ୍ ଏହି ସମୟରେ ଭାରତ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେବାକୁ ଚେଷ୍ଠା କରିଛି । ଯାହା କେବଳ ସାର୍କ ଦେଶଗୁଡ଼ିକ ମଧ୍ୟରେ ନୁହେଁ, ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଉଛି ।   

ଆହୁରି ପଢ଼ନ୍ତୁ: ମଣିଷ ଶରୀରରେ ସର୍ବାଧିକ କେତେ ଦିନ ବଞ୍ଚିରହେ କରୋନା ଭାଇରସ୍ ?