ପାଲଘର: ୨ ସାଧୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କୋରୋନା ପଜିଟିଭ୍
Advertisement
Article Detail0/zeeodisha/odisha675570

ପାଲଘର: ୨ ସାଧୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କୋରୋନା ପଜିଟିଭ୍

ଗୁରୁବାର ପାଲଘର ହିଂସାକାଣ୍ଡରେ ସମ୍ପୃକ୍ତ ୧୦୧ ଅଭିଯୁକ୍ତଙ୍କୁ ଡହାଣୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସମସ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ଅଦାଲତ ।

ପ୍ରତୀକାତ୍ମକ ଫଟୋ

ମୁମ୍ବାଇ: ନିକଟରେ ପାଲଘରରେ ୨ ସାଧୁଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଥିଲା । ଏ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । କାହିଁକିନା ପୋଲିସର ଉପସ୍ଥିତିରେ ଭିଡ଼ହିଂସାର ଶିକାର ହୋଇଥିଲେ ୨ ସାଧୁ । ତେବେ ଏହି ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ଏବେ କୋରୋନା ଦ୍ୱାରା ଆକ୍ରାନ୍ତ । ଉକ୍ତ ଅଭିଯୁକ୍ତକୁ ପାଲଘର ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ହତ୍ୟାକାଣ୍ଡ ପରେ ୱାଡା ପୋଲିସ କଷ୍ଟଡିରେ ଥିଲା ବୋଲି ଜଣାପଡ଼ିଛି । ଏଠାରେ କହିରଖୁଛୁ, ପାଲଘର ହିଂସାକାଣ୍ଡରେ ସମ୍ପୃକ୍ତ ୧୦୧ ଅଭିଯୁକ୍ତ ୧୪ ଦିନିଆ ପୋଲିସ ହେପାଜତରେ ଅଛନ୍ତି । 

ଗୁରୁବାର ପାଲଘର ହିଂସାକାଣ୍ଡରେ ସମ୍ପୃକ୍ତ ୧୦୧ ଅଭିଯୁକ୍ତଙ୍କୁ ଡହାଣୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସମସ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ଅଦାଲତ । ତେବେ ଏହି ଅଭିୟୁକ୍ତଙ୍କ ମଧ୍ୟରୁ ଜଣଙ୍କ ଦେହରେ ଆଜି କୋରୋନା ଭାଇରସ୍ ଠାବ ହୋଇଛି । ଫଳରେ ପୋଲିସର ଚିନ୍ତା ବଢ଼ିଛି । ଆକ୍ରାନ୍ତ ଯୁବକକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉକ୍ତ ଆକ୍ରାନ୍ତ ଯୁବକର ସଂସ୍ପର୍ଶରେ ଆସିଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ କ୍ୱାରେଣ୍ଟାଇନରେ ରଖିବ ବୋଲି ଜଣାପଡ଼ିଛି । କେବଳ ଏତିକି ନୁହେଁ, ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପଚରାଉଚରା କରୁଥିବା ପୋଲିସ କର୍ମଚାରୀମାନେ ମଧ୍ୟ କ୍ୱାରେଣ୍ଟାଇନରେ ରହିବେ । ତେବେ କୋରୋନା ମାମଲା ସାମ୍ନାକୁ ଆସିଥିବାରୁ ତଦନ୍ତ ଆହୁରି ବିଳମ୍ବ ହେବା ଏକ ପ୍ରକାର ସ୍ପଷ୍ଟ ହେଉଛି । 

ଆପଣଙ୍କୁ କହିରଖୁଛୁ, ଗତ ଏପ୍ରିଲ ୧୯ ତାରିଖରେ ପାଲଘରରେ ଏହି ହିଂସାକାଣ୍ଡ ଘଟିଥିଲା । ନିଜ ଗୁରୁଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଯାଉଥିବା ୨ ସାଧୁ ଅଧାବାଟରେ ଭିଡ଼ହିଂସାର ସମ୍ମୁଖୀନ ହୋଇଥିଲେ ।