ସଂସଦରେ ଅ(ନ)ର୍ଥନୀତିକୁ କବର୍
Advertisement
Article Detail0/zeeodisha/odisha609507

ସଂସଦରେ ଅ(ନ)ର୍ଥନୀତିକୁ କବର୍

ଇତିହାସ ଗାହାଣରେ ସରିଗଲା ଶୀତ ଅଧିବେଶନ

ସଂସଦରେ ଅ(ନ)ର୍ଥନୀତିକୁ କବର୍

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫୋର୍ବସ ତାଲିକାରେ ବିଶ୍ୱର ଶ୍ରେଷ୍ଠ ଶହେ ଜଣ ମହିଳାଙ୍କ ଭିତରେ ସ୍ଥାନ ପାଇଛନ୍ତି ।ଏହା ଭାରତ ପାଇଁ ଏକ ଗର୍ବର ବିଷୟ । ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣ ଯେତିକି ପ୍ରସିଦ୍ଧ, ଦେଶର ଅର୍ଥନୈତିକ ସ୍ଥିତି ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ । କାରଣ ସରକାରଙ୍କ ହିସାବରେ ଦେଶରେ ଏବେ ଅଚ୍ଛେଦିନ୍ ଚାଲିଛି । ନହେଲେ ଦେଶର ଅର୍ଥନୀତି ଏପରି ସ୍ତରକୁ ଯାଇ ସାରା ବିଶ୍ୱରେ ଉଦବେଗର କାରଣ ପାଲଟିଥିବା ବେଳେ, ଇଏ କିପରି ଅଚ୍ଛେଦିନ୍ ତାହା କେହି ବୁଝି ପାରୁନାହାନ୍ତି । ନିକଟରେ ପ୍ରକାଶିତ ଦ୍ୱିତୀୟ ତ୍ରୈମାସିକ ଅର୍ଥନୈତିକ ଅଭିବୃଦ୍ଧି ୪.୫ ପ୍ରତିଶତ ରହିଛି । ମୋଟ ଘରୋଇ ଉତ୍ପାଦ ୪.୫ ପ୍ରତିଶତ ରହିବା ଦେଶ ପାଇଁ ଶୁଭଙ୍କର ନୁହେଁ, ଏକଥା ବଡ଼ ବଡ଼ ଅର୍ଥନୀତିଜ୍ଞମାନେ କହିଛନ୍ତି । ଚଳିତ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟରରେ ଅର୍ଥନୈତିକ ବିକାଶ ହାର ୪.୩ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଉଛି । ଯଦି ଏହା ହୁଏ, ତେବେ ଦ୍ୱିତୀୟ କ୍ୱାର୍ଟର ତୁଳନାରେ ଦେଶର ଜିଡିପି ଅଭିବୃଦ୍ଧି  ଆହୁରି ଖସିଯିବ । ସେହିପରି ଆସନ୍ତା ଫେବ୍ରୁଆରୀରେ ହେବାକୁ ଥିବା ମୁଦ୍ରାନୀତି କମିଟି ବୈଠକରେ ଆରବିଆଇ ସୁଧହାର କମାଇବା ସମ୍ଭାବନା ନାହିଁ । ଏପ୍ରିଲରେ ଯାଇ ରେପୋ ରେଟ୍ ହ୍ରାସ ପାଇପାରେ । ତେଣୁ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥାଗୁଡ଼ିକ ନିଜର ସ୍ଥିତି ନେଇ ଏବେଠାରୁ ଚିନ୍ତାପ୍ରକଟ କରିବା ଆରମ୍ଭ କଲେଣି ।

fallback

ଅନ୍ୟପଟେ ଦେଶ ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଥିବା ବେଳେ କଳକାରଖାନା ଉତ୍ପାଦନ ହ୍ରାସ ପାଇଛି । ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଏହା ୫.୫୪ ପ୍ରତିଶତକୁ ବଢ଼ିଯାଇଛି । ତେବେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହେଲେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ହୋଇଥାଏ । ଆଉ ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିଲେ ଏହା ଖୁଚୁରା ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିଥାଏ ।

ଦେଶର ପରିସଂଖ୍ୟାନ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଦେଶର ଖାଦ୍ୟ ମୁଦ୍ରାସ୍ଫୀତି ୧୦.୧୨ ପ୍ରତିଶତ ରହିଛି । ଅକ୍ଟୋବରରେ ଏହା ୭.୮୯ ପ୍ରତିଶତ ଥିଲା । ପିଆଜ ଦରବୃଦ୍ଧି ଏହାର ଏକ ମୁଖ୍ୟ କାରଣ । ସେହିପରି ବିଦ୍ୟୁତ୍, ଖଣି ଏବଂ ନିର୍ମାଣ କ୍ଷେତ୍ରରେ ଦେଶ ଖରାପ ପ୍ରଦର୍ଶନ କରିଛି ବୋଲି ଶିଳ୍ପ ଉତ୍ପାଦନ ସୂଚୀ ପ୍ରକାଶ କରିଛି । ବିଦେଶୀ ପୁଞ୍ଜି ନିବେଶ ଗତ କିଛି ମାସ ଧରି କମି ଯାଇଛି । ରିୟଲ ଇଷ୍ଚେଟ୍ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି ।

ଶୁକ୍ରବାର ଶେଷ ହୋଇଛି ସଂସଦର ଶୀତ ଅଧିବେଶନ । ନଭେମ୍ୱର ୧୮ରୁ ଆରମ୍ଭ ହୋଇଥିବା ଅଧିବେଶନରେ ପ୍ରାୟ ଏକ ମାସ ଧରି ସମ୍ୱିଧାନର ଏହି ଗୃହରେ ନାନା ପ୍ରସ୍ତାବ ଆଗତ ହୋଇଛି । କିଛି ବିଲ୍ ପାସ ବି ହେଲା, ଆଉ କିଛି ବିଲ୍ ଆଗାମୀ ଅଧିବେଶନ ପାଇଁ ରହିଗଲା । ହେଲେ ମାସକର ଏହି ଅଧିବେଶନରେ ହୋଇଥିବା ତର୍କ ବିତର୍କରୁ ବାଦ୍ ପଡ଼ିଯାଇଥିଲା ଦେଶର କେତେକ ପ୍ରମୁଖ ପ୍ରସଙ୍ଗ, ଯାହା ବର୍ତ୍ତମାନ ସ୍ଥିତିରେ ବହୁତ୍ ଜରୁରୀ । ବିଶେଷ କରି ଖସି ଚାଲିଥିବା ଦେଶର ଜିଡିପି ଆଉ ବୁଡ଼ି ଯାଉଥିବା ଅର୍ଥନୀତି । ହେଲେ ଏ ପ୍ରସଙ୍ଗରେ ଦିନେ କାଳେ ଗୃହରେ ଆଲୋଚନା ହେଲାନି । ତର୍କ ହେଲା ତ କେବଳ କଂଗ୍ରେସ ଓ ତାର ଇତିହାସକୁ ନେଇ ଏବଂ ବିତର୍କ ହେଲା ତ କେବଳ ହିନ୍ଦୁ, ମୁସଲିମ ଓ ଅନ୍ୟ ସମ୍ପ୍ରଦାୟର କଥାକୁ ନେଇ । ଅବଶ୍ୟ ଦେଶର ଗୋଟିଏ ବଡ଼ ପ୍ରସଙ୍ଗ ଉଠିଲା, ତାହା ହେଲା ବଢ଼ି ଚାଲିଥିବା ଦୁଷ୍କର୍ମ । କିନ୍ତୁ ଯାହା ବି ତର୍କ ବିତର୍କ ହେଲା ସେଥିରେ ହିତ ଅପେକ୍ଷା ଦଳୀୟ ଆଜେଣ୍ଡା ହିଁ ବେଶୀ ଦିଶୁଥିଲା । ଉଦାହରଣ ଭାବେ ରାହୁଲ ଗାନ୍ଧିଙ୍କ ଏକ ବୟାନ 'ରେପ୍ ଇନ୍ ଇଣ୍ଡିଆ'କୁ ନିଆଯାଇପାରେ । ରାହୁଲଙ୍କ ବୟାନକୁ ନେଇ ପାର୍ଲାମେଣ୍ଟରେ ପ୍ରବଳ ତମ୍ୱିତୋଫାନ ହେଲା, ବିଜେପି ଏମପିମାନେ ରାହୁଲଙ୍କୁ ଘେରିବାକୁ ଚେଷ୍ଟା କଲେ ସତ, କିନ୍ତୁ ଇତିହାସକୁ ନେଇ ବେଶ୍ ସମାଲୋଚନା କରୁଥିବା ବିଜେପି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ 'ରେପ୍ କ୍ୟାପିଟାଲ୍'କୁ ଭୁଲିଗଲା । ଏସବୁ ଆଲୋଚନା ମଧ୍ୟରେ ଦେଶର ଅର୍ଥନୀତି କଥା ହଜିଗଲା । ଆଉ ଯିଏ ବି ଅର୍ଥନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ହମଲା କଲା, ତାକୁ ପାକିସ୍ତାନୀ ଭାଷା କହି ସମ୍ୱାଧାନର ମନ୍ଦିରରେ କବର ଦେଇ ଦିଆଗଲା । ତେଣୁ ଦେଶ ଜନସାଧାରଣ ହିଁ ବିଚାର କରିବା କଥା ଯେ, ଆମ ପାଇଁ ରୋଟି, କପଡ଼ା ଔର୍ ମକାନ୍ ଦରକାର ନା ମନୋରଞ୍ଜନ ପାଇଁ ରାଜନୀତି !