ଆରମ୍ଭରୁ କେମିତି ଥିଲା ଆମ ଡାକ ବ୍ୟବସ୍ଥା ? ଏଥର କହିବ ରାଜ୍ୟ ସଂଗ୍ରହାଳୟ
Advertisement
Article Detail0/zeeodisha/odisha616438

ଆରମ୍ଭରୁ କେମିତି ଥିଲା ଆମ ଡାକ ବ୍ୟବସ୍ଥା ? ଏଥର କହିବ ରାଜ୍ୟ ସଂଗ୍ରହାଳୟ

ଆରମ୍ଭରେ କେମିତି ଥିଲା ଆମ ଡାକ ବ୍ୟବସ୍ଥା...ପୂର୍ବରୁ ଡାକ ଅଫିସରେ କେଉଁସବୁ ଯନ୍ତ୍ରପତିର ବ୍ୟବହାର ହେଉଥିଲା...ବହୁ ପୂର୍ବରୁ ପ୍ରଚଳିତ ଡାକ ବ୍ୟବସ୍ଥା ଉପରେ ଆପଣଙ୍କୁ ଏଥର ବହୁ ଧାରଣା ମିଳିପାରିବ...କାହିଁକିନା ରାଜ୍ୟ ସଂଗ୍ରହାଳୟରେ ଖୋଲୁଛି ଡାକ ଗ୍ୟାଲେରୀ...

ଫଟୋ ସୌଜନ୍ୟ: ଜୀ ମିଡିଆ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଏଥର ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳିବ ଡାକ ଐତିହ । ବହୁ ପୂର୍ବରୁ ଆମ ଡାକ ବ୍ୟବସ୍ଥା କେମିତି ଥିଲା, ଡାକ କର୍ମଚାରୀଙ୍କ ପୋଷାକ କ'ଣ ଥିଲା, ଏ ତମାମ ବିଷୟବସ୍ତୁ ଉପରେ ଆପଣ ଜାଣିପାରିବେ । କାହିଁକିନା ବହୁ ଦିନରୁ ପ୍ରଚଳିତ ଡାକସେବା ଏବଂ ତାର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ପଦକ୍ଷେପ ନେଇଛି ଡାକ ବିଭାଗ । ରାଜ୍ୟ ସଂଗ୍ରହାଳୟରେ ଏନେଇ ସ୍ୱତନ୍ତ୍ର ପୋଷ୍ଟାଲ ଗ୍ୟାଲେରୀର ଉଦଘାଟନ ହେବାକୁ ଯାଉଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ମହା ଡାକପାଳ । 

ଆସନ୍ତା ୨୯ ତାରିଖରେ ପଡୁଛି ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ । ଆଉ ଏହି ଅବସରରେ ପୋଷ୍ଟାଲ ମ୍ୟୁଜିୟମର ଉଦଘାଟନ ହେବ । ରାଜ୍ୟପାଳ ଗଣେଶୀ ଲାଲ ଏହାର ଉଦଘାଟନ କରିବେ । ଦୁଇ ବର୍ଷ ପୂର୍ବରୁ ଡାକ ମ୍ୟୁଜିୟମ ନେଇ ଏକ ପରିକଳ୍ପନା କରାଯାଇଥିବା ବେଳେ ଏବେ ଏହା ବାସ୍ତବ ରୂପ ନେବାକୁ ଯାଉଥିବା କହିଛନ୍ତି ରାଜ୍ୟ ମୁଖ୍ୟ ମହା ଡାକପାଳ । 

ଡାକ ଗ୍ୟାଲେରୀରେ କ'ଣ ରହିବ ? 

ପୂର୍ବରୁ ଆମ ଡାକ ବ୍ୟବସ୍ଥାରେ ଯେଉଁ ଯନ୍ତ୍ରପତି ଏବଂ ସାମଗ୍ରୀରେ ବ୍ୟବହାର ହେଉଥିଲା, ଏବେ ତାହା ହଜିବାକୁ ବସିଲାଣି । କାହିଁକିନା ଏବେ ଡାକସେବାରେ ମଧ୍ୟ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ହେଉଛି । ତେବେ ବହୁ ପୂର୍ବରୁ ଡାକ ବ୍ୟବସ୍ଥାରେ ଯେଉଁସବୁ ଯନ୍ତ୍ରପତି ଏବଂ ସାମଗ୍ରୀର ବ୍ୟବହାର ହେଉଥିଲା, ତାହା ଏହି ଗ୍ୟାଲେରୀରେ ସ୍ଥାନ ପାଇବ । ବହୁ ପୂର୍ବର ଡାକଟିକେଟ, ଆସବାବପତ୍ର ଏବଂ ନଥିପତ୍ର ଇତ୍ୟାଦିକୁ ମଧ୍ୟ ସ୍ଥାନିତ କରାଯିବ । ଓଡିଶା ଉପରେ ପ୍ରସ୍ତୁତ ଯେତେ ପୋଷ୍ଟାଲ ଷ୍ଟାମ୍ପଠାରୁ ଆରମ୍ଭ କରି ବ୍ରିଟିଶ ସମୟର ଭିକ୍ଟୋରିଆ କ୍ରାଉନ ଥିବା ଲେଟରବକ୍ସ, ପୁରୁଣା ଷ୍ଟାମ୍ପ, ସିଲ, ପୁରୁଣା କାଳରେ ପୋଷ୍ଟମ୍ୟାନଙ୍କ ପୋଷାକ, ମୋର୍ସ ମେସିନ ଆଦି ସ୍ଥାନିତ ହେବ । ଫଳରେ ପୂର୍ବରୁ ଆମ ଡାକ ବ୍ୟବସ୍ଥା କେମିତି ଥିଲେ, ସେ ସମ୍ପର୍କରେ ସାଧାରଣ ଲୋକ ବହୁ କଥା ଜାଣିପାରିବେ । 

ସ୍ଥାନ ପାଇବ ଗାନ୍ଧୀଜୀଙ୍କ ଡାକ ଟିକେଟ 

ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଅବସରରେ ଗାନ୍ଧୀଙ୍କ ଉପରେ ପର୍ଯ୍ୟବେସିତ ଡାକଟିକଟ ମଧ୍ୟ ଏଠାରେ ସ୍ଥାନ ପାଇବ । ଏହା ଛଡା ଗାନ୍ଧୀଜୀଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକଟିକଟ ପ୍ରଦର୍ଶନୀ ମଧ୍ୟ କରାଯିବ । ଏପରିକି ସହିଦ ବାଜି ରାଉତ ଏବଂ ବକ୍ସି ଜଗବନ୍ଧୁଙ୍କ ଉଦ୍ଦେଶ୍ୟରେ ଡାକ ବିଭାଗ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର କପ୍ ଉନ୍ମୋଚିତ ହେବ । 

ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ