ମାଆର ଦୁଃଖ
Advertisement
Article Detail0/zeeodisha/odisha615987

ମାଆର ଦୁଃଖ

ପଞ୍ଚମ ଥର ପାଇଁ ସରକାରର ଡୋର ଧରିଥିବା ବିଜେଡି ପାଳିଛି ୨୨ତମ ପ୍ରତିଷ୍ଠା ଦିବସ । ଥରକୁ ଥର ଦଳର ଭୋଟ ପ୍ରତିଶତ ବଢିବଢି ଚାଲିଛି । କିନ୍ତୁ କିଛି ସମସ୍ୟା ଏବେ ବି ରାଜ୍ୟର ଗ୍ରାମୀଣ ଅଞ୍ଚଳର କୋଣ ଅନୁକୋଣରେ ଲୋକଙ୍କୁ ଜର୍ଜରିତ କରୁଛି । 

ଫଟୋ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

ନୂଆପଡା: ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ ଜନ୍ମଠୁ ମୃତ୍ୟୁ ଯାଏ ଅନେକ ଯୋଜନା ପ୍ରଣୟନ କରି ଜନତାଙ୍କ ଆସ୍ଥାଭାଜନ ହୋଇପାରିଛି । ପଞ୍ଚମ ଥର ପାଇଁ ସରକାରର ଡୋର ଧରିଥିବା ବିଜେଡି ପାଳିଛି ୨୨ତମ ପ୍ରତିଷ୍ଠା ଦିବସ । ଥରକୁ ଥର ଦଳର ଭୋଟ ପ୍ରତିଶତ ବଢିବଢି ଚାଲିଛି । କିନ୍ତୁ କିଛି ସମସ୍ୟା ଏବେ ବି ରାଜ୍ୟର ଗ୍ରାମୀଣ ଅଞ୍ଚଳର କୋଣ ଅନୁକୋଣରେ ଲୋକଙ୍କୁ ଜର୍ଜରିତ କରୁଛି । ଯାହାର ବାରମ୍ବାର ପୁନରାବୃତ୍ତି ହେଉଛି ଆଉ ବିଚରା ଜନତା ଅପେକ୍ଷା କରିଛି କେବେ ହେବ ସମସ୍ୟାର ସମାଧାନ । ନୂଆପଡାରୁ ଆଜି ଆସିଛି ସେହିଭଳି ଏକ ଖବର । 

ଜିଲ୍ଲାରେ ଥମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ବାଧ୍ୟ ହୋଇ ଷ୍ଟ୍ରେଚରରେ ଦୀର୍ଘ ୩ କିଲୋମିଟର ପାହାଡ଼ିଆ ରାସ୍ତାରେ ବୁହାହେଲେ ଗର୍ଭବତୀ । ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଗଲା । ଏଭଳି ଘଟଣା ଘଟିଲା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କପରଗଡ଼ ଗାଁରେ । 

ଗୁରୁବାର କପରଗଡ଼ ଗାଁର ଘରମଣୀ ମାଝିଙ୍କୁ ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରେ ସ୍ଥାନୀୟ ଏଏନଏମ ସହ ଆଶା ଦିଦି ପହଞ୍ଚି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଥିଲେ ସୁଦ୍ଧା ଜଙ୍ଗଲ ରାସ୍ତା ଖରାପ ଥିବାରୁ ୩ କିଲୋମିଟର ଦୂରରେ ଅଟକି ଥିଲା । ପରେ ଗାଁ ଲୋକଙ୍କ ସାହାଯ୍ୟରେ ଏଏନଏମ ଓ ଆଶା ଦିଦି ଷ୍ଟ୍ରେଚର ଯୋଗେ ଗର୍ଭବତୀଙ୍କୁ ବୋହି ଆଣିଥିଲେ । ଗର୍ଭବତୀଙ୍କୁ ଖଡ଼ିଆଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ଲେଖାଯିବା ସୁଦ୍ଧା ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି । ସେପଟେ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଶା କରୁଛୁ ପ୍ରଶାସନ ଏହି ଘଟଣା ପରେ ଯତ୍ନବାନ ହେବ ଏବଂ ପୁନଃ ଏଭଳି ଘଟଣା ଆଉ ଦେଖିବାକୁ ମିଳିବ ନାହିଁ ।

ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ