କେମିତି ଭରିବ ଏତେ ବଡ଼ କ୍ଷତ ?
Advertisement
Article Detail0/zeeodisha/odisha674928

କେମିତି ଭରିବ ଏତେ ବଡ଼ କ୍ଷତ ?

ବର୍ଷିୟାନ ଅଭିନେତାଙ୍କ କ୍ଷତି ଭରିବ କିଏ...

କେମିତି ଭରିବ ଏତେ ବଡ଼ କ୍ଷତ ?

ଚାରୁ ଚନ୍ଦନ ଦାଶ,ନୂଆଦିଲ୍ଲୀ: ବୁଧବାର, ୨୦୨୦ ଏପ୍ରିଲ ୨୯ ତାରିଖ ସିନେ ଜଗତରେ ଯେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି କରିବ ତାହା କେହି କଳନା କରିନଥିଲେ। ଦିନର ମଧ୍ୟାହ୍ନରେ ବଲିଉଡ ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ ଖବର ଆସିଥିଲା । ଦିନକ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ. ପୂର୍ବଦିନ ଅଫିସରେ ଥିଲାବେଳେ ତାଙ୍କ ଦେହ ଅସୁସ୍ଥ ହେବା ଖବର ଆସିଥିଲା । ମୃତ୍ୟୁ ଖବର ଶୁଣି କିଛି ସମୟ ପାଇଁ ବିଶ୍ୱାସ କରି ହେଲାନି । ସେଇ ଲୋକଟା ସେମିତି ହିଁ ଥିଲେ । ରୂପେଲି ପରଦା ଉପରେ ସେ ତ ଅଭିନୟ କରୁ ନ ଥିଲେ, ପ୍ରତିଟି କାହାଣୀକୁ ଜୀବନ୍ତ କରୁଥିଲେ । ପ୍ରତିଟି ଚରିତ୍ରକୁ ଦେଉଥିଲେ ଜୀବନ୍ୟାସ । ବିଶାଲ ଭାରଦ୍ୱାଜଙ୍କ 'ମକବୁଲ୍' ହେଉ ଅବା ନିଶିକାନ୍ତ କାମାତଙ୍କ 'ମଦ୍ଦାରୀ' ଅବା ସୁଜିତ ସିରକାରଙ୍କ 'ପିକୁ' । ପ୍ରତିଟି ଫିଲ୍ମରେ ସେ ନିଜ ଚରିତ୍ରକୁ ଜୀବନ୍ତ କରିଥାନ୍ତି । ତାଙ୍କର ଆଖି ଓ କଥା ସଂଳାପ କହିବାର ଶୈଳୀ ଥିଲା ସବୁଠୁ ନିଆରା । ମାତ୍ର ୫୩ ବର୍ଷ ବୟସରେ ପରପାରିକୁ ଚାଲିଯିବା, ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୂରଣୀୟ କ୍ଷତି ।

fallback

ସେହିପରି ଅଶୀ ଦଶକର ରୋମାନ୍ସ ରାଜକୁମାର ଋଷି କପୁରଙ୍କ ଦେହାନ୍ତ ବି ଭାରତୀୟ ଚଳଚ୍ଚିତ୍ର ଦୁନିଆ ପାଇଁ ଆଉ ଏକ ଦୁଃଖଦ ଖବର । ତାଙ୍କ ରକ୍ତରେ ତ କଳା ଭରପୁର ଥିଲା । ରାଜ କପୁରଙ୍କ ପରି ମହାନ୍ କଳାକାରଙ୍କ ବଂଶଜ ହୋଇ ବି ସେ ନିଜ ପାଇଁ ନିଜେ ତିଆରି କରିଥିଲେ ନିଜର ମାଇଲ ଖୁଣ୍ଟ । ଏକଦା ସିଏ ଥିଲେ ଭାରତର ଅଶୀ ଦଶକର ସିଂହଭାଗ ତରୁଣୀଙ୍କ ମନର ନାୟକ । ସ୍ୱପ୍ନର ରାଜକୁମାର । ୧୯୭୦ର 'ମେରା ନାମ୍ ଜୋକର' ଫିଲ୍ମରେ ଶିଶୁ କଳାକାର ଜରିଆରେ ବଲିଉଡରେ ପାଦ ଥାପିଥିବା ଋଷି କପୁର ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଲେ । 

fallback

'ବବି' ସିନେମାର ସେଇ କଅଁଳିଆ, ଅଳ୍ପ ବୟସ୍କ ତରୁଣ ହିରୋର ମୁହଁରେ ଡାଏଲଗ୍ ସମସ୍ତଙ୍କୁ ଆକର୍ଷିତ କରିଥିଲା । ମେ ସାୟର୍ ତୋ ନହିଁ ଗୀତ ଆଜି ବି ଶୁଣିଲେ କଲେଜ ସମୟର ପ୍ରେମ କାହାଣୀ ମନ ପରଦାରେ ଚହଲି ଉଠେ ।  ଦର୍ଦ-ଏ-ଦିଲ୍, ଦର୍ଦ-ଏ-ଜିଗର ଗୀତ ଶୁଣିଲେ ଆଜି ବି ତରୁଣ କି ତରୁଣୀ ହୃଦୟରେ ବସନ୍ତର ମୃଦୁ ପବନ ଆଉଁଷି ଦେଇଯାଏ । ସେହି ସବୁ ଗୀତକୁ ଟିଭି ପରଦାରେ ଯିଏ, ଜୀବନ୍ତ କରିଥିଲେ, ସେ ହେଉଛନ୍ତି ଋଷି କପୁର ଓରଫ୍ ଚିଣ୍ଟୁ । ୨୦୧୮ ମସିହାରେ ତାଙ୍କର ଏକ ଫିଲ୍ମ ଆସିଥିଲା 'ମୁଲ୍କ' । ମୁରାଦ ଅଲ୍ଲୀ ମହମ୍ମଦ ଚରିତ୍ରରେ ଅଭିନୟ କରିଥିବା ଋଷିଙ୍କ ଅଭିନୟ ଥିଲା ବେଶ୍ ଦମଦାର ।

୨୦୧୩ରେ ଏକ ଫିଲ୍ମ ଆସିଥିଲା 'ଡି-ଡେ' । ଇରଫାନ୍ ଖାନଙ୍କ ମୃତ୍ୟୁର ଦୁଇ ଦିନ ପୂର୍ବେ ଏହି ଫିଲ୍ମଟି ଦେଖିଥିଲି । ଏଥିରେ ଉଭୟ ଋଷି କପୁର ଓ ଇରଫାନ୍ ଖାନ୍ ଅଛନ୍ତି । ଗୋଲ୍ଡମ୍ୟାନ୍ ଭୂମିକାରେ ଋଷି କପୁର ଅଭିନୟ କରିଛନ୍ତି । ସେହିପରି ପାକିସ୍ତାନରେ ଦୀର୍ଘବର୍ଷ ଧରି ରହୁଥିବା ଜଣେ ଭାରତୀୟ ଏଜେଣ୍ଟ ୱଲି ଖାନ୍ ଭୂମିକାରେ ଇରଫାନ୍ ଖାନ୍ ଅଭିନୟ କରିଛନ୍ତି । ଦୁହିଁଙ୍କ ଅଭିନୟ ଏହି ଫିଲ୍ମରେ ବେଶ୍ ଚମତ୍କାର । ଋଷି କପୁରଙ୍କ ସେଥିରେ କେତେକ ମନଛୁଆଁ ଡାଏଲଗ ଅଛି, 'ଟ୍ରିଗର୍ ଖିଁଚ୍, ମାମଲା ମତ୍ ଖିଁଚ୍, ଖିଁଚ୍ ଗୟା ନା ତୋ ବହୁତ୍ ତଖଲିଫ୍ ଦୁଁଗା'। ସେହିପରି ଇରଫାନ୍ ଖାନଙ୍କ ଏକ ଡାଏଲଗ୍ ଅଛି 'ଗଲତିୟାଁ ଭି ରିସ୍ତୋଁ କି ତରହ୍ ହୋତି ହୈ, କରନୀ ନହିଁ ପଡ଼ତି, ହୋ ଜାତୀ ହୈ' । କିନ୍ତୁ, ଆଜି ଏହି ଦୁଇ କଳାକାର ଆଉ ନାହାନ୍ତି ।

ସିର୍ଫ୍ ଇନସାନ୍ ଗଲତ୍ ନହିଁ ହୋତା, ୱକତ୍ ଭି ଗଲତ୍ ହୋ ସକତା ହୈ । ପ୍ରକୃତରେ ଆଜି ସମୟ ହିଁ ଧୋକା ଦେଇଛି । ଏଭଳି ଦୁଇ ଜଣ ବଳିଷ୍ଠ କଳାକାର ଆଜି ଆମ ଗହଣରୁ ବିଦାୟ ନେଇଛନ୍ତି । ଆଗପଛ ହୋଇ ଚବିଶ ଘଣ୍ଟା ଭିତରେ ଦୁହିଜଣ ଯାକ ବାସ୍ତବ ଦୁନିଆରୁ ବିଦାୟ ନେଇଛନ୍ତି। ନା ଆମ ପାଖରେ ଆଜି ଗଭୀର ଆଖି ଥିବା ସେଇ ଇରଫାନ୍ ଖାନ୍ ଅଛନ୍ତି ନା ଅଶୀ ଦଶକର ଚକୋଲେଟ୍ ବୟ ଋଷି କପୁର । 'କଳା' ଓ 'କଳାକାର' କେବେ ମରେନା । ସେହିପରି ଋଷି କପୁର ଓ ଇରଫାନ୍ ଖାନ୍ ମଧ୍ୟ ଚିର ଅମର । ତାଙ୍କର ଜୀବନ୍ତ ଅଭିନୟ ପାଇଁ, ଅକୁଣ୍ଠ ଲୋକପ୍ରିୟତା ପାଇଁ ତଥା ଲୋକଙ୍କ ଭଲପାଇବା ପାଇଁ । କିନ୍ତୁ, ମନବା କେମିତି ବୁଝିବ ? ସତରେ କେମିତି ଭରିବ ଏତେ ବଡ଼ କ୍ଷତ ? କାରଣ ଦୁହେଁ ହେଉଛନ୍ତି ଆଜୀବନ ଅତୁଳନୀୟ ।