ଗାଦିନସୀନ 'ମରାଠା ମାନୁଷ'ଙ୍କ ଦାୟାଦ
Advertisement

ଗାଦିନସୀନ 'ମରାଠା ମାନୁଷ'ଙ୍କ ଦାୟାଦ

ମହାରାଷ୍ଟ୍ରରେ ଆରମ୍ଭ ହେଲା ଉଦ୍ଧବ ଯୁଗ

ସୌଜନ୍ୟ: ସୋସିଆଲ ମିଡିଆ

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ଆଜିଠୁ ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି ଉଦ୍ଧବ ଠାକରେଙ୍କ ଶାସନ । ରାଜ୍ୟର ୨୯ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି ଉଦ୍ଧବ । ଉଦ୍ଧବ ଠାକରେ ବର୍ତ୍ତମାନ ଶିବସେନାର ମୁଖ୍ୟ ଥିବାବେଳେ ପାର୍ଟି ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଏବଂ ମୀନାତାଇ ଠାକରେଙ୍କର ସେ ହେଉଛନ୍ତି ପୁଅ । କେଇ ଦଶନ୍ଧି ଧରି ମହାରାଷ୍ଟ୍ର ଚାଷୀମାନଙ୍କ ପାଇଁ ସେ କାମ କରି ଆସୁଛନ୍ତି । ଶିବସେନା ମୁଖପତ୍ର ତଥ ଦୈନିକ ମରାଠି ଖବରକାଗଜ ସାମନାର ସେ ହେଉଛନ୍ତି ମୁଖ୍ୟ ସମ୍ପାଦକ । ୨୭ ଜୁଲାଇ ୧୯୬୦ରେ ମୁମ୍ବାଇରେ ହୋଇଥିଲା ଉଦ୍ଧବ ଠାକରେଙ୍କ ଜନ୍ମ । ଜେଜେ ସ୍କୁଲ ଅଫ ଆର୍ଟ୍ସରୁ ଡିଗ୍ରୀଧାରୀ ଉଦ୍ଧବ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣେ ପ୍ରଫେସନାଲ ଫଟୋଗ୍ରାଫର ଥିଲେ ।

୨୦୦୨ ବୃହନ୍ ମୁମ୍ବାଇ ମୁନିସିପାଲ କର୍ପୋରେସନ ନିର୍ବାଚନ ସମୟରେ ଶିବସେନା ତାଙ୍କୁ ଦଳର ଭାର ଅର୍ପଣ କରିଥିଲା । ନିଜ ଦକ୍ଷ ନେତୃତ୍ୱର ପରାକାଷ୍ଠା ଦେଖାଇ ଏଥିରେ ଉଦ୍ଧବ ଦଳକୁ ସଫଳତା ଆଣି ଦେଇଥିଲେ । ଏହି ସଫଳତା ତାଙ୍କୁ ୨୦୦୩ରେ ଦଳର କାର୍ଯ୍ୟକାରୀ ସଭାପତି ପଦରେ ବସାଇ ଦେଇଥିଲା । ଏହାପରେ  ୨୦୦୪ରେ ବାଲାସାହେବ ଠାକରେ ତାଙ୍କୁ ପରବର୍ତ୍ତୀ ଦଳୀୟ ମୁଖ୍ୟ ଘୋଷଣା କରିଦେଲେ ।

ବ୍ୟକ୍ତିଗତ ଜୀବନରେ ସେ ରଶ୍ମି ଠାକରେଙ୍କୁ ବିବାହ କରିଛନ୍ତି । ତାଙ୍କର ଅଛନ୍ତି ଦୁଇପୁଅ, ଆଦିତ୍ୟ ଏବଂ ତେଜସ୍ । ଆଦିତ୍ୟ ଠାକରେ ଦଳର ଯୁବସେନା ଅଧ୍ୟକ୍ଷ ଥିବାବେଳେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାର ସେ ଜଣେ ବିଧାୟକ ।

fallback

ଉଦ୍ଧବଙ୍କ ଫଟୋ ବୁକ୍ 'ମହାରାଷ୍ଟ୍ର ଦେଶ' ୨୦୧୦ରେ ପ୍ରକାଶ ପାଇ ବେଶ୍ ଆଦୃତ ହୋଇଥିଲା । ଏହାପରେ ୨୦୧୧ରେ ଗ୍ରାମୀଣ ମହାରାଷ୍ଟ୍ରକୁ ପ୍ରତିଫଳିତ କରିଥିଲା ତାଙ୍କ ବହି 'ପାହାବ ଭିତ୍ତଲ' ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ପାକଳ ବୟସରେ ରାଜନୀତିକୁ ଆସିଥିଲେ ମଧ୍ୟ ଏହି ସ୍ୱଳ୍ପ ସମୟ ମଧ୍ୟରେ ଉଦ୍ଧବ ଠାକରେ ଦଳର ମଙ୍ଗ ସମ୍ଭାଳିବାରେ ବେଶ୍ ସଫଳ ରହିଛନ୍ତି । ସୋସିଆଲ ୱର୍କରେ ତାଙ୍କ ଦଳ ଶିବସେନା ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ କରିବାରେ ସଫଳ ହୋଇଛି । ବର୍ଷାଦିନେ ମୁମ୍ବାଇ ରାଜରାସ୍ତାରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଖାଲସବୁ  ସମତଳ କରିବାରେ ଉଦ୍ଧବଙ୍କର ହିଁ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ମୁମ୍ବାଇରେ ବିଗିଡ଼ି ଯାଇଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାରିବାରେ ବି ରହିଛି ଉଦ୍ଧବଙ୍କ ଭୂମିକା । ମୁମ୍ବାଇରେ ସେ ବହୁ ହସ୍ପିଟାଲ ପ୍ରତିଷ୍ଠା କରିବାରେ ସକ୍ରିୟ ଭୂମିକା ନିଭାଇଛନ୍ତି । 
ଶିବସେନା ଉଦ୍ଧବଙ୍କ ଛବି ଆଧାରରେ ୨୦୦୨ ବିଏମସି ନିର୍ବାଚନରେ ସଫଳ ହୋଇଥିଲା । ଏହାପରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ଶିବସେନା ଉଦ୍ଧବଙ୍କ ନେତୃତ୍ୱରେ ସଫଳତା ହାସଲ କରିଛି । ଗତ ୫ ବର୍ଷ ଧରି ଦଳ ମହାରାଷ୍ଟ୍ର ବିଧାନସଭାରେ ବିଜେପି ସହ ଯୁଗ୍ମ ଭାବରେ ସରକାରରେ ରହିଥିଲା । ଉଦ୍ଧବଙ୍କ ନେତୃତ୍ୱରେ ହିଁ ଶିବସେନା ମହାରାଷ୍ଟ୍ରରେ ଜିଲ୍ଲା ପରିଷଦ ଏବଂ ଅନ୍ୟ ସ୍ଥାନୀୟ ନିର୍ବାଚନରେ ସଫଳତା ହାସଲ କରିଛି । ବିଶେଷ କରି ୨୦୦୭ରେ ବିଦର୍ଭ ଅଞ୍ଚଳର ଚାଷୀମାନଙ୍କ କୃଷିଋଣ ଛାଡ଼ କରାଇବାରେ ଉଦ୍ଧବଙ୍କ ଭୂମିକାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ମହାରାଷ୍ଟ୍ରର କୃଷକ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଉଦ୍ଧବ ସେମାନଙ୍କ ପାଇଁ ତ୍ରାଣକର୍ତ୍ତା ସାଜି ଉଭା ହୋଇଥିଲେ । ଆଉ ଏହା ହିଁ ତାଙ୍କୁ ମରାଠା ଜନମାନସର ସମ୍ରାଟ ଭାବରେ ପରିଚିତ କରାଇଦେଲା । ଉଦ୍ଧବ ମହାରାଷ୍ଟ୍ରବାସୀଙ୍କୁ ଏହା ହୃଦୟଙ୍ଗମ କରାଇବାରେ ସକ୍ଷମ ହେଲେ ଯେ, ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ କେହି ଜଣେ ଗଭୀର ଭାବରେ ଚିନ୍ତା କରୁଛି... ଯାହାର ନାଁ ହେଉଛି ଉଦ୍ଧବ ଠାକରେ ।  ଆଜି ମହାରାଷ୍ଟ୍ର ଉଦ୍ଧବ ଠାକରେଙ୍କ ରୂପରେ ଏପରି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ପାଉଛି, ଯିଏ ଏକାଧାରରେ ଜଣେ କବି, ଲେଖକ, ବୁଦ୍ଧିଜୀବୀ,ଫଟୋଗ୍ରାଫର, ଏବଂ ଜନନେତା । ଦେଶର ରାଜନୈତିକ ପଟ୍ଟ ପରିବର୍ତ୍ତନ ଦିଗରେ କାଲି ଯଦି କିଛି ନୂଆ ରାହା ଦେଖାଯାଏ, ତେବେ ଉଦ୍ଧବ ହେଉଛନ୍ତି ତା'ର ମାର୍ଗଦ୍ରଷ୍ଟା ।