କେନ୍ଦ୍ରମନ୍ତ୍ରୀଙ୍କ ଭବିଷ୍ୟବାଣୀ: ମହାରାଷ୍ଟ୍ରରେ ହେବ 'ଭୂକମ୍ପ'
Advertisement

କେନ୍ଦ୍ରମନ୍ତ୍ରୀଙ୍କ ଭବିଷ୍ୟବାଣୀ: ମହାରାଷ୍ଟ୍ରରେ ହେବ 'ଭୂକମ୍ପ'

ମୌକା ଦେଖି ଛକା ମାରିବ ବିଜେପି

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭବିଷ୍ୟବାଣୀ । ମହାରାଷ୍ଟ୍ରରେ ହୋଇପାରେ ଭୂକମ୍ପ । ଏବେ ବି ବାକି ଅଛି 'ମହା' ନାଟକ ! ଏବେ ରାଜ୍ୟରେ ମହା ବିକାଶ ଅଘାଡି ମେଣ୍ଟ ସରକାର ଚାଲିଛି । ମାତ୍ର ଏହି ସରକାର କେତେବେଳେ ବି ଭାଙ୍ଗିଯାଇପାରେ । ମୌକା ଦେଖି ଛକା ମାରିବା ଚକ୍କରରେ ବିଜେପି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଭବିଷ୍ୟବାଣୀ ଏପରି କିଛି ହିଁ କହୁଛି । 

ଅଠାୱାଲେ କହିଛନ୍ତି, ''ମହାରାଷ୍ଟ୍ରରେ କିଛି ଗୋଟିଏ ଭୂକମ୍ପ ହେବାକୁ ଯାଉଛି । ପୂର୍ବରୁ ଦୁଇଥର ଭୂକମ୍ପ ହୋଇଥିଲା । ପ୍ରଥମ ଭୂକମ୍ପ ଦେବେନ୍ଦ୍ର ଫଡନାଫିସ ଏବଂ ଅଜିତ ପାୱାର କରିଥିଲେ । ଦ୍ୱିତୀୟ ଭୂକମ୍ପ କରିଥିଲେ ଉଦ୍ଧବ ଠାକରେ । ଆଉ ଏବେ କିପରି ଭୂକମ୍ପ ହେବ, ତାହା ଆମେ ଦେଖିବା । ହେଲେ ଭୂକମ୍ପ ତ ହେବ ହିଁ ହେବ ।''

ଅଠାୱାଲେଙ୍କ ଏହି ବୟାନରୁ ସ୍ପଷ୍ଟ ବାରି ହେଉଛି,  ସେ କ'ଣ କହିବାକୁ ଚାହୁଁଛନ୍ତି । ରାତି ପାହିଲେ ସରକାର ଗଠନ ପାଇଁ ଦାବି କରିଥାନ୍ତେ ଏନସିପି, କଂଗ୍ରେସ ଓ ଶିବସେନା । ମାତ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର । ଏହାକୁ ପ୍ରଥମ ଭୂକମ୍ପ ଭାବରେ ଅବିହିତ କରିଛନ୍ତି ଅଠାୱାଲେ । ସେହିପରି ଏନସିପି ଓ କଂଗ୍ରେସକୁ ସାଙ୍ଗରେ ଘେନି ସରକାର ଗଢିବା ଶିବସେନା ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ମାତ୍ର ଏହା କରି ଦେଖାଇଥିଲେ ଉଦ୍ଧବ । ଏବେ ସେ ମହା ମୁଖ୍ୟମନ୍ତ୍ରୀ । ଏହାକୁ ଦ୍ୱିତୀୟ ଭୂକମ୍ପ ବୋଲି ଅଠାୱାଲେ ଇଙ୍ଗିତ କରିଥିବା କୁହାଯାଉଛି । 

ତେବେ ଅଠାୱାଲେଙ୍କ ତୃତୀୟ ଭୂକମ୍ପ ଆହୁରି ଚମକାଇଲା ପରି । ଯାହା ଅନୁମାନ କରାଯାଉଛି, ଖୁବଶୀଘ୍ର ମହା ବିକାଶ ଅଘାଡି ସରକାର ଭାଙ୍ଗିବା ଆଡକୁ ଇଙ୍ଗିତ କରିଛନ୍ତି ସେ । କାହିଁକିନା ଫୁଲ୍ ଟସ୍ ବଲକୁ ଅପେକ୍ଷା କରିଛି ବିଜେପି । ମେଣ୍ଟ ଭିତରେ ଟିକିଏ ଦୁର୍ବଳତା ଦେଖିଲେ, ଦଳ ଖେଳିବ ମାଷ୍ଟରଷ୍ଟୋକ । ଆଉ ଏହାରି ଭିତରେ ଅଠାୱାଲେଙ୍କ ଏହି ବୟାନ ମହା ରାଜନୀତିକୁ ଆହୁରି ସରଗରମ କରିଦେଇଛି । 

ଆହୁରି ପଢନ୍ତୁ; ଉଦ୍ଧବ ଦେବେ ଆଉ ଏକ ପରୀକ୍ଷା !