ଜୀବନ ଓ ଜୀବିକା ବିପତ୍ତି ବେଳେ ଟିକସ ବୋଝ କାହିଁକି ?
Advertisement
Article Detail0/zeeodisha/odisha677524

ଜୀବନ ଓ ଜୀବିକା ବିପତ୍ତି ବେଳେ ଟିକସ ବୋଝ କାହିଁକି ?

ବର୍ତ୍ତମାନ ସାରା ବିଶ୍ୱ କୋରୋନା ପାଇଁ ଚିନ୍ତିତ ଅଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛି, ମୃତ୍ୟୁ ଅନୁପାତ ସେହି ହିସାବରେ ବଢ଼ୁ ନ ଥିଲେ ବି ଧୀରେଧୀରେ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ଜୀବିକା ଯାଉଛି, ଜୀବନ ବି ଯାଇଛି। କେତେକ ସଂସ୍ଥା ଦରମା କମ୍ କରି ଦେଇଥିବାବେଳେ ଆଉ କେତେକ ସଂସ୍ଥା ୫୦ ପ୍ରତିଶତ କର୍ମଚା

ଜୀବନ ଓ ଜୀବିକା ବିପତ୍ତି ବେଳେ ଟିକସ ବୋଝ କାହିଁକି ?

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱ କୋରୋନା ପାଇଁ ଚିନ୍ତିତ ଅଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛି, ମୃତ୍ୟୁ ଅନୁପାତ ସେହି ହିସାବରେ ବଢ଼ୁ ନ ଥିଲେ ବି ଧୀରେଧୀରେ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ଜୀବିକା ଯାଉଛି, ଜୀବନ ବି ଯାଇଛି। କେତେକ ସଂସ୍ଥା ଦରମା କମ୍ କରି ଦେଇଥିବାବେଳେ ଆଉ କେତେକ ସଂସ୍ଥା ୫୦ ପ୍ରତିଶତ କର୍ମଚାରୀରେ କାମ ଚଳାଉଛନ୍ତି । ଛୋଟଛୋଟ କମ୍ପାନି ଗୁଡ଼ିକ ତ ବନ୍ଦ ହୋଇ ପଡ଼ିଛି । ଦେଶ ବା ରାଜ୍ୟ ଅର୍ଥନୀତିରେ ଭୂମିକା ତୁଲାଉଥିବା ପ୍ରତିଟି ସ୍ତର ଏବେ ପ୍ରଭାବିତ ହୋଇଛି ।  ଲୋକମାନେ ଘରୁ ବାହାରୁ ନାହାନ୍ତି ।  ଅବଶ୍ୟ ଧୀରେଧୀରେ କୋହଳ ହେଉଛି ।  ମାତ୍ର, ଲକଡାଉନ ପାଇଁ ସବୁ କିଛି ବନ୍ଦ ହୋଇ ପଡ଼ିଛି ।  ରାସ୍ତାରେ ଭିଡ଼ ଜମୁନି, ଭିଡ଼ ନ ଜମିଲେ ଗାଡ଼ିର ଖାଦ୍ୟ ଆବଶ୍ୟକ ପଡ଼ୁନି । ଆଉ ଆବଶ୍ୟକ ପଡ଼ୁ ନ ଥିବାରୁ ଆମେ ପେଟ୍ରୋଲ କିମ୍ୱା ଡିଜେଲ କିଣି ପାରୁନେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ହେବା ଫଳରେ ବିଭିନ୍ନ ଦେଶରେ ମଧ୍ୟ ପେଟ୍ରୋଲ କିମ୍ୱା ଡିଜେଲ ଦର ହ୍ରାସ ହେବା ସ୍ୱାଭାବିକ ।  ଅନ୍ୟପଟେ ପୂର୍ବରୁ ବୁଡ଼ି ରହିଥିବା ଦେଶର ଅର୍ଥନୀତି କୋରୋନା ପରେ ଆହୁରି ସାଙ୍ଘାତିକ ସ୍ଥିତି ହେବ । ନିକଟରେ କେନ୍ଦ୍ର ସରକାର ଜିଡିପି ହ୍ରାସ ପାଇ ୧.୫ରୁ ୧.୭ ରହିବା ନେଇ ପୂର୍ବାନୁମାନ କରିଛନ୍ତି ।  କିନ୍ତୁ କେତେକ ବିଶେଷଜ୍ଞ ଏବଂ ବେସରକାରୀ ସଂସ୍ଥା କୋରୋନା ପରେ ଦେଶର ଜିଡିପି ୧ ତଳକୁ ଖସିବା ନେଇ ଆକଳନ କରିଛନ୍ତି ।  ତେଣୁ, କାହା ଭବିଷ୍ୟବାଣୀ ସତ ହେଉଛି, ତାହା ତ ସମୟ ହିଁ କହିବ ।

 
ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାର ମାତ୍ରାଧିକ ଶୁଳ୍କ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ବୃଦ୍ଧି କରିଛନ୍ତି ।  ଅବଶ୍ୟ ଏହା ବୃଦ୍ଧି ହେବା ଫଳରେ ସାଧାରଣ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି । ଏହା ସରକାର କହିଛନ୍ତି ।  ମୌଳିକ ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ରୋଡ୍ ସେସ୍ ଆଦି ବାବଦକୁ ସରକାର ପେଟ୍ରୋଲରେ ପୂର୍ବରୁ ୨୨ ଟଙ୍କା ୯୮ ପଇସା ଲିଟର ପିଛା ନେଉଥିଲେ ।  ଏବେ ଦଶ ଟଙ୍କା ବଢ଼ିବା ପରେ ସରକାର ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୮ ପଇସା ନେବେ। ତେଲ କମ୍ପାନି ଗୁଡ଼ିକ ଏହି ସବୁ ଗରଳକୁ ନିଜେ ନୀଳକଣ୍ଠ ସାଜି ନିଜେ ପିଇ ଦେଇଛନ୍ତି । ତେଣୁ, ଜନ ସାଧାରଣ ଏଥିପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ । ଏଭଳି ଆଶ୍ୱାସନା ସରକାର ଦେଇଛନ୍ତି ।  ଅନ୍ତର୍ଜାତୀୟ ବଜାରରେ ତୈଳଦର ପାଣି ଭଳି ବ୍ୟବହାର ହେଉଥିବାବେଳେ ଆମ ଦେଶରେ ଏହାର ମୂଲ୍ୟ ବଢ଼ି ବଢ଼ି ହିଁ ଚାଲିଛି ।  ହଁ, ଏବେ ସିନା ଲୋକମାନେ ଲକଡାଉନରେ ଅଛନ୍ତି, କିନ୍ତୁ ଯେତେବେଳେ କୋରୋନା ଭୂତାଣୁ ଚାଲିଯିବ, ତା'ପରେ ତ ଲୋକମାନେ ବାହାରକୁ ବାହାରିବେ ନା ! ସେହି ସମୟରେ ଅର୍ଥନୀତି ବୃଦ୍ଧି କରିବା ନାଁରେ ଏହାକୁ ହିଁ ସରକାର ମୋହରା ବନାଇବେ, ଏଥିରେ ସନ୍ଦେହ ନାହିଁ । ଏବେ ତ ଲୋକମାନେ ପ୍ଲାକାର୍ଡ ଧରି ଆନ୍ଦୋଳନ କରି ପାରିବେ ନାହିଁ ।  ତେଣୁ, ଏହା ହିଁ ହେଉଛି ପ୍ରକୃଷ୍ଟ ସମୟ, ଶୁଳ୍କ ବୃଦ୍ଧି ନାଁରେ ନିଜ ମୈଦାନ ସଫା ରଖିଦେଲେ ଗଲା । ଯେଉଁ ଶୁଳ୍କ ଏବେ କମ୍ପାନି ଗୁଡ଼ିକ ନିଜ ମୁଣ୍ଡକୁ ନେଉଛନ୍ତି, ପରବର୍ତ୍ତୀ ସମୟରେ ସେମାନେ କ'ଣ ଲୋକଙ୍କ ଉପରେ ସେହି ବୋଝ ଅନ୍ୟ ବାହାନାରେ ଲଦି ଦେବେ ନାହିଁ ?
fallback
 
ପେଟ୍ରୋଲ ଓ ଡିଜେଲରେ ବୃଦ୍ଧି ପାଇଥିବା ଅତିରିକ୍ତ ଉତ୍ପାଦ ଶୁଳ୍କ ରାଜ୍ୟ ସରକାରଙ୍କୁ ମିଳିବ ନାହିଁ। ଏହାର ଫାଇଦା କେବଳ କେନ୍ଦ୍ର ସରକାର ହିଁ ପାଇବେ। କାରଣ, କେନ୍ଦ୍ର ସରକାର ଯେତେବେଳେ ଟିକସ ବୃଦ୍ଧି କରୁଛନ୍ତି, ସେତେବେଳେ ସେସ୍ ଓ ଆଡିସିନାଲ ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରୁଛନ୍ତି। ଯାହା ସରକାରଙ୍କ ଡିଭୋଲ୍ୟୁସନ ଫଣ୍ଡକୁ ଯାଏ ନାହିଁ । ତେଣୁ, ରାଜ୍ୟ ସରକାରଙ୍କ  ଏଥିରେ କ୍ଷତି ହୋଇଥାଏ ଏବଂ କେନ୍ଦ୍ର ସରକାର ସିଧାସଳଖ ଲାଭ ପାଇଥାନ୍ତି । ସରକାର ଯେତେବେଳେ ସିଧାସଳଖ ଅତିରିକ୍ତ ଶୁଳ୍କ ବୃଦ୍ଧି କରିଥାନ୍ତି, ସେତେବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅଧା ଅଧା ଭାଗ ପାଇଥାନ୍ତି । କିନ୍ତୁ, ଏଥର କେନ୍ଦ୍ର ସରକାର ଯେଉଁ ଗେମ୍ ଖେଳିଛନ୍ତି, ସେଥିରେ ରାଜ୍ୟ ସରକାରଙ୍କ କୌଣସି ଲାଭ ହେବ ନାହିଁ।  
 
ଅଶୋଧିକ ତୈଳ ଦର ଓ ବଜାର ତୈଳ ଦର ମଧ୍ୟରେ ରହିଥିବା ପାର୍ଥକ୍ୟ ମୂଲ୍ୟର ଫାଇଦା କେନ୍ଦ୍ର ସରକାର ଉଠାଇଛନ୍ତି। ଫଳରେ ସିଧା ସଳଖ ଭାବେ ସ୍ୱତନ୍ତ୍ର ଅତିରିକ୍ତ କର ଓ ପରିବହନ କର ଲଗାଇ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୧୩ ଟଙ୍କା ଅଧିକ ଟିକସ ନେବା ପାଇଁ ଧାର୍ଯ୍ୟ କରିଛନ୍ତି । ପୂର୍ବତନ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁସାରେ, ପେଟ୍ରୋଲିୟମ ଜାତ ଦ୍ରବ୍ୟରେ ବେସିକ ଏକ୍ସାଇଜ ଡ୍ୟୁଟିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଭାଗ ରହିଥିବା ବେଳେ, କେନ୍ଦ୍ର ସରକାର ଏହାକୁ ୪ ଟଙ୍କା ୯୮ ପଇସାରୁ ୨ଟଙ୍କା ୯୮ ପଇସାକୁ ହ୍ରାସ କରି ସାରିଛନ୍ତି । ଏବେ ଏହି ଟିକସରେ କୌଣସି ବୃଦ୍ଧି ହୋଇ ନ ଥିବାରୁ ରାଜ୍ୟ ସରକାରଙ୍କ ଟଙ୍କାଟିଏ ଲାଭ ହେବ ନାହିଁ । ସେହିପରି ସରକାର ରାସ୍ତା ଓ ଭିତ୍ତିଭୂମି ସେସ୍ ବାବଦକୁ ଲିଟର ପିଛା ୮ରୁ ୧୮ ଟଙ୍କା ବୃଦ୍ଧି କରିଛନ୍ତି । ତେଣୁ ରାଜ୍ୟ ସରାକାରଙ୍କୁ କ୍ଷତି ହୋଇଥିବା ରାଜସ୍ୱ ଭରଣା କରିବାକୁ ହେଲେ ଗ୍ରାହକଙ୍କ ଆକ୍ରୋଶର ଶିକାର ହୋଇ ତୈଳ ଦର ବୃଦ୍ଧି କରିବାକୁ ପଡ଼ିବ। ତେଣୁ, ଏହାକୁ ଆମେ ସିଧାସଳଖ ସଂଘୀୟ ବ୍ୟବସ୍ଥା ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋଟେପଟେ କୋରୋନା ଯୋଗୁ ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହୋଇ ପଡ଼ିଥିବାବେଳେ କୋରୋନା ପରେ ଲୋକଙ୍କ ଅବସ୍ଥା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ।