Azam Khan: ସମାଜବାଦୀ ପାର୍ଟି ହାତ ଛାଡି ଧରିପାରନ୍ତି AIMIM ହାତ!
Advertisement
Article Detail0/zeeodisha/odisha833883

Azam Khan: ସମାଜବାଦୀ ପାର୍ଟି ହାତ ଛାଡି ଧରିପାରନ୍ତି AIMIM ହାତ!

ଆଜମ ଖାନ ଏବଂ ଅସାଦୁଦ୍ଦିନ ଓୱେସୀଙ୍କ ମଧ୍ୟରେ ହେବାକୁ ଯାଉଥିବା ରାଜନୈତିକ ଭେଟଘାଟକୁ ନେଇ କ୍ଷମତା ଗଳିରେ ନାନାଦି କଥା ଆଲୋଚନା ହେଉଛି।

Azam Khan: ସମାଜବାଦୀ ପାର୍ଟି  ହାତ ଛାଡି ଧରିପାରନ୍ତି AIMIM ହାତ!

ଲକ୍ଷ୍ନୌ: ଏକଦା ସମାଜବାଦ ପାର୍ଟିର ମୁସଲିମ ଚେହେରା ତଥା ଉତ୍ତର ପ୍ରଦେଶ ରାଜନୀତିରେ ଫାୟାରବ୍ରାଣ୍ଡ ନେତା ଭାବେ ଜଣାଶୁଣା ଆଜମ ଖାନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି। ପ୍ରାୟ ବର୍ଷେ ସମୟ ଧରି ଜେଲରେ ବନ୍ଦ ଥିବା ରାମପୁର ସାଂସଦ ତଥା ଦଳର ଏହି ବରିଷ୍ଠ ନେତାଙ୍କ ସାମ୍ଭବ୍ୟ ରାଜନୈତିକ ପଟ୍ଟପରିବର୍ତ୍ତନ ରାଜ୍ୟ ରାଜନୀତିକୁ ସରଗରମ କରିଛି। 

ଜେଲରେ ବନ୍ଦ ଥିବା ସମାଜବାଦୀ ପାର୍ଟି ନେତାଙ୍କ ମୁକ୍ତିକୁ ନେଇ ଦଳୀୟ ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନୀରବତା ଏହାକୁ ଆହୁରି ଖୋରାକ ଯୋଗାଉଛି। ଏବେ ଚର୍ଚ୍ଚା ହେଉଛି ଆଜମ ଖାନଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ। 

ଏହି ଦୁଇ ହେଭିୱେଟ ରାଜନେତାଙ୍କ ମଧ୍ୟରେ ହେବାକୁ ଯାଉଥିବା ରାଜନୈତିକ ଭେଟଘାଟକୁ ନେଇ କ୍ଷମତା ଗଳିରେ ନାନାଦି କଥା ଆଲୋଚନା ହେଉଛି। ଆଜମ ଖାନଙ୍କୁ ଜେଲରୁ ମୁକ୍ତ କରିବାକୁ ନେଇ ସମାଜବାଦ ପାର୍ଟି ମୁଖିଆ ଯେପରି ଭାବେ ପ୍ରୟାସ କରିବା କଥା ସେ ସେପରି କରୁନଥିବାରୁ ଏହାକୁ ନେଇ ସନ୍ଦେହ ବଢିଯାଇଛି। ଏହା ଦ୍ୱାରା ସମାଜବାଦ ପାର୍ଟିର ତଥାକଥିତ ମୁସଲିମ ସପକ୍ଷବାଦୀ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଲାଣି। 

Also Read: ଆତ୍ମସମର୍ପଣ କଲେ ଆଜମ ଖାନ ଓ ତାଙ୍କ ପରିବାର

 

ଉତ୍ତର ପ୍ରଦେଶରେ ବସବାସ କରୁଥିବା ମୁସଲମାନଙ୍କ ମଧ୍ୟରେ ଏବେ ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତାଙ୍କ ବିରୁଦ୍ଧରେ ରାଜନୈତିକ ବିଦ୍ୱେଷ ରଖି କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଅଖିଳେଶ ଯାଦବଙ୍କ ନିରବତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଏହା ଦ୍ୱାରା ସମାଜବାଦ ପାର୍ଟିର ତଥାକଥିତ ମୁସଲିମ ଉପରୁ ପରଦା ହଟିଯାଇଥିବା ନେଇ ଚର୍ଚ୍ଚା ହେଉଛି। ଦଳର ମୁସଲିମ ଚେହେରା ଭାବେ ଜଣାଶୁଣା ଆଜମ ଖାନ।  

ଅନ୍ୟପଟେ ଉତ୍ତର ପ୍ରଦେଶ ରାଜନୀତିରେ ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନଙ୍କ ଓୱେସୀଙ୍କ ସକ୍ରିୟତା ଏବେ ସମାଜବାଦ ପାର୍ଟି ଲାଗି ସତର୍କ ଘଣ୍ଟି ଭାବେ ଉଭା ହୋଇଛି। ଉତ୍ତର ପ୍ରଦେଶରେ ବାସବାସ କରୁଥିବା ମୁସଲିମ ସମ୍ପ୍ରଦାୟ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣଣ ଭୂମିକା ଗ୍ରହଣ କରିଥାନ୍ତି। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ହେଉଛନ୍ତି ମୁସଲମାନ। ଏହି ରାଜ୍ୟରେ ଏପରି କିଛି ବିଧାନସଭା,ଲୋକସଭା ଆସନ ରହିଛି ଯେଉଁଠି ମୁସଲିମ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି।  

Also Read: ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ

ଉତ୍ତର ପ୍ରଦେଶରେ ମୁସଲିମ ଭୋଟ ବ୍ୟାଙ୍କ ଉପରେ ସମାଜବାଦ ପାର୍ଟିର ଏକ ସୁଦୃଢ ପ୍ରଭାବ ରହିଛି। ଏହାକୁ ହଡପ କରି ନିଜ ସପକ୍ଷକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଦଳୀୟ ସାଙ୍ଗଠନିକ ସ୍ଥିତି ମଜବୁତ କରିବାକୁ ଯୋଜନା କରିଛନ୍ତି ହାଇଦ୍ରାବାଦ ସାଂସଦ ଓୱେସୀ। ପୂର୍ବରୁ ଏପରି ଯୋଜନାକୁ କାର୍ଯ୍ୟକାରୀ କରି ବିହାର ରାଜନୀତିରେ ଆସ୍ଥାନ ଜମାଇବା ସହ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୫ଟି ଆସନ ଅକ୍ତିଆର କରିଛି ଏଆଇଏମଆଇଏମ। 

ଉତ୍ତର ପ୍ରଦେଶ ରାଜନୀତିରେ ଦଳର ସ୍ଥିତି ସୁଦୃଢ କରିବାକୁ ପାଇଁ ମୁସଲିମ ଭୋଟ ହାତେଇବାକୁ ହେଲେ ସମାଜବାଦ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କ ସହ ଲଢିବାକୁ ହେବ। ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆଜମ ଖାନଙ୍କ ଭଳି ଜଣେ ହେଭିୱେଟ ମୁସଲିମ ନେତାଙ୍କ ସାହାରା ନେବାକୁ ପଡିବ। ଏକଥାକୁ ଭଲ ଭାବେ ବୁଝି ସାରିଛନ୍ତି ଏଆଇଏମଆଇଏମ ସୁପ୍ରିମୋ ଓୱେସୀ।  

Also Read: ତରଳୁଛି ସମ୍ପର୍କରେ ଜମିଥିବା ବରଫ; ଅଖିଳେଶଙ୍କ ସହ ଏକାଠି ନିର୍ବାଚନ ଲଢିବାକୁ ଇସାରା ଦେଲେ ଶିବପାଲ

ଏଆଇଏମଆଇଏମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜେଲରେ ବନ୍ଦୀ ଥିବା ଆଜମ ଖାନଙ୍କୁ ସାକ୍ଷାତ କରିବେ ଦଳର ମୁଖିଆ ଓୱେସୀ । ଏନେଇ ତାଙ୍କୁ ଏହି ସାମ୍ଭାବ୍ୟ ସାକ୍ଷାତକାର ବାବଦରେ ଜଣାଇ ଦିଆଯାଇଛି। ହେଲେ ଏହି ସାକ୍ଷାତକାର ସେତେବେଳେ ସମ୍ଭବ ଯେତେବେଳେ ଏନେଇ ସମ୍ମତି ଜଣାଇବେ ଆଜମ ଖାନ।           

ଯଦି ଅସାଦୁଦ୍ଦିନ ଓୱେସୀ ଆଜମ ଖାନଙ୍କୁ ସାକ୍ଷାତ କରିବାରେ ସଫଳ ହୁଅନ୍ତି ତାହେଲେ ଏହା ଅଖିଲେଶ ଯାଦବଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇପାରେ। ମୁସଲିମ ଭୋଟ ବ୍ୟାଙ୍କ ଉପରେ ରହିଥିବା ଦଳୀୟ ପ୍ରଭାବକୁ କାଏମ ରଖିବା ପାଇଁ ରଣନୀତି ଆରମ୍ଭ କରିଦେଲେଣି ସମାଜବାଦ ପାର୍ଟି ମୁଖିଆ। ଏନେଇ ସେ ରାଜ୍ୟ ବିଧାନ ପରିଷଦରେ ବିରୋଧି ଦଳ ନେତା ଦାୟିତ୍ୱ ତୁଲାଉଥିବା ଅହମ୍ମଦ ହସନଙ୍କୁ ପୁନର୍ବାର ଟିକେଟ ଦେଇ ନିଜକୁ ମୁସଲିମ ସପକ୍ଷବାଦୀ ନେତା ଭାବେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଯଦି ଆଜମ ଖାନ ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି ତାହେଲେ ଉତ୍ତର ପ୍ରଦେଶ ରାଜନୀତିରେ ନୂଊ ରାଜନୈତିକ ସମୀକରଣ ଦେଖିବାକୁ ମିଳିପାରେ।