ବିଧାନସଭା ସହ ରାଜ୍ୟସଭା ନିର୍ବାଚନରେ ମଧ୍ୟ ବାଜିମାତ କରିଛି ବିଜେଡି।
Trending Photos
ଭୁବନେଶ୍ୱର: ପ୍ରକାଶ ପାଇଛି ବ୍ରଜରାଜନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲଙ୍କୁ ୬୬ ହଜାର ୧୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠାରେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।
ବ୍ରଜରାଜନଗର ଉପନିର୍ବାଚନ ୨୦୨୨: କେଉଁ ଦଳର ପ୍ରାର୍ଥୀଙ୍କୁ ମିଳିଲା କେତେ ଭୋଟ
ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ମେ ୩୧ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ମୋଟ ୨୭୯ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନରେ ୭୧.୯୦% ପ୍ରତିଶତ ମତଦାନ ହୋଇଥିଲା।
ବିଧାନସଭା ପରେ ରାଜ୍ୟସଭା ନିର୍ବାଚନରେ ମଧ୍ୟ ବାଜିମାତ କରିଛି ବିଜେଡି। ଦଳର ୩ ରାଜ୍ୟସଭା ପ୍ରାର୍ଥୀ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ବିଧିବଦ୍ଧ ଭାବେ ରିଟର୍ଣ୍ଣିଂ ଅଫିସର ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ନିର୍ବାଚନ ବିଜୟ ପ୍ରମାଣ ପତ୍ର ଦେଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓଙ୍କ ସ୍ଥାନରେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସାଭା ପାଇଁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ସସ୍ମିତ ପାତ୍ର କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ରାଜ୍ୟର ୪ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୩ ଆସନରେ ବିଜେଡ଼ି ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।
Also Read: Brajrajnagar By Election 2022: ଆସନ୍ତାକାଲି ହେବ ଭୋଟ ଗଣତି