ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ଗୌରବୋଜ୍ଜଳ ଇତିହାସ
Advertisement
Article Detail0/zeeodisha/odisha1144437

ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ଗୌରବୋଜ୍ଜଳ ଇତିହାସ

ଆଜି (ବୁଧବାର) ଭାରତୀୟ ଜନତା ପାର୍ଟିର ୪୨ତମ ପ୍ରତିଷ୍ଠା ଦିବସ। ଏକଦା ମାତ୍ର ୨ ଜଣ ସାଂସଦରୁ ଯାତ୍ରା ଆରମ୍ଭ କରିଥିବା ଏହି ରାଜନୈତିକ ଦଳ ଆଜି କେବଳ ଦେଶ ନୁହେଁ, ତମାମ ବିଶ୍ୱରେ ନିଜ ବିଜୟର ବୈଜୟନ୍ତୀ ଉଡ଼ାଇ ପାରିଛି। ଆଉ ଏହି ଦଳର ନୀତି ଓ ଆଦର୍ଶ ମଧ୍ୟ ଧୀରେ ଧୀରେ ଦେଶବାସୀଙ୍କ ଦ୍ୱାରା ଗ୍ରହଣୀୟ ହେବାରେ ଲାଗିଛି। ଦଳ ହାସଲ କରୁଥିବା ବର୍ଦ୍ଧିତ ଭୋଟ

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଆଜି (ବୁଧବାର) ଭାରତୀୟ ଜନତା ପାର୍ଟିର ୪୨ତମ ପ୍ରତିଷ୍ଠା ଦିବସ। ଏକଦା ମାତ୍ର ୨ ଜଣ ସାଂସଦରୁ ଯାତ୍ରା ଆରମ୍ଭ କରିଥିବା ଏହି ରାଜନୈତିକ ଦଳ ଆଜି କେବଳ ଦେଶ ନୁହେଁ, ତମାମ ବିଶ୍ୱରେ ନିଜ ବିଜୟର ବୈଜୟନ୍ତୀ ଉଡ଼ାଇ ପାରିଛି। ଆଉ ଏହି ଦଳର ନୀତି ଓ ଆଦର୍ଶ ମଧ୍ୟ ଧୀରେ ଧୀରେ ଦେଶବାସୀଙ୍କ ଦ୍ୱାରା ଗ୍ରହଣୀୟ ହେବାରେ ଲାଗିଛି। ଦଳ ହାସଲ କରୁଥିବା ବର୍ଦ୍ଧିତ ଭୋଟହାର ହିଁ ଏହାର ପ୍ରମାଣ ଦେବାକୁ ଯଥେଷ୍ଟ। 

ଆଜିକୁ ଠିକ୍ ୪୨ ବର୍ଷ ପୂର୍ବେ ୬ ଏପ୍ରିଲ ୧୯୮୦ ମସିହାରେ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ୧୧ ବରିଷ୍ଠ ନେତାଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠିତ ହୋଇଥିଲା। ଦକ୍ଷିଣପନ୍ଥୀ ଭାବରେ ଜଣାଶୁଣା ଏହି ଦଳର ପ୍ରତିଷ୍ଠା ମୁମ୍ବାଇର ସମୁଦ୍ର କୂଳରେ ହୋଇଥିଲା। ସମୁଦ୍ର ଲହଡ଼ିର ମନ୍ଦ୍ର ମଧୁର ଝଙ୍କାର ଭିତରେ ଦଳର ଏହି ପ୍ରତିଷ୍ଠାତାମାନେ ଦେଶର ଭବିଷ୍ୟତ ଖୋଜିଥିଲେ। କଂଗ୍ରେସ ଦଳର ଏକଛତ୍ରବାଦ ବିରୋଧରେ ନୂଆ ଏକ ଶକ୍ତିର ନିଅଁ ପକାଇଥିଲେ। ହୁଏତ ଦେଶର ଭବିଷ୍ୟତ ମାନଙ୍କୁ ସେହି ସମୁଦ୍ର ଦେଖୁଥିଲା।

ଅଟଳ ବିହାରୀ ବାଜପେୟୀ ନବଗଠିତ ଦଳର ପ୍ରତିଷ୍ଠାତା ସଭାପତି ହେଲେ। ତାଙ୍କର ନେତୃତ୍ୱ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଦିଗଦର୍ଶନରେ ଦଳ ୧୯୮୪ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ଲଢ଼ିଥିଲା। ମୋଟ ୨୨୪ ଜଣ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୨ ଜଣ ବିଜୟଲାଭ କରିଥିଲେ। ଏପରିକି ଦଳ ୧୦୦ ଆସନରେ ଅମାନତ ହରାଇଥିଲା। ତଥାପି ଦଳ ହାର ମାନି ନ ଥିଲା। ୧୯୮୯ରେ ଆଡ଼ଭାନୀ ସଭାପତି ହେଲେ। ଦଳର ଦ୍ୱିତୀୟ ନିର୍ବାଚନରେ ବିଜେପି ୨୨୫ ଆସନରେ ପ୍ରାର୍ଥୀ ଦେଲା, ଆଉ ଅପ୍ରତ୍ୟାଶିତ ଭାବରେ ୮୬ଟି ଆସନରେ ବିଜୟଲାଭ କଲା। ଦଳ ସରକାର ଗଠନ କରିବାକୁ ସମର୍ଥ ହେଲାନାହିଁ ସତ, ହେଲେ ବିଜେପିର ବାହ୍ୟ ସମର୍ଥନରେ ବିଶ୍ୱନାଥ ପ୍ରତାପ ସିଂହ ସରକାର ଗଢ଼ିଲେ। ଏହାରି ଭିତରେ ବିଜେପି ପରବର୍ତ୍ତୀ ନିର୍ବାଚନରେ ବଡ଼ ବିଜୟର ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା।

Also Read: ଋଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ଲାଗିଲା ବଡ଼ ଝଟକା! ବଢ଼ିଲା ଏତେ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ

ସମୟର ଏହି କାଳଖଣ୍ଡରେ ରାମ ଜନ୍ମଭୂମି ପ୍ରସଙ୍ଗକୁ ବିଜେପି ଜୋରଦାର ଭାବରେ ଉଠାଇଥିଲା। ଲାଲକୃଷ୍ଣ ଆଡଭାନୀ ରାମ ଜନ୍ମଭୂମି ରଥଯାତ୍ରା ବାହାର କଲେ। ତେବେ ଏହାକୁ ବିହାରରେ ଲାଲୁ ଯାଦବ ଅଟକାଇ ଦେଇଥିଲେ। ଆଉ ପ୍ରତିବାଦ ସ୍ବରୂପ କେନ୍ଦ୍ରର ଭି.ପି. ସିଂହ ସରକାରରୁ ଦଳ ସମର୍ଥନ ପ୍ରତ୍ୟାହାର କଲା। ଏହାପରେ ୧୯୯୧ ସାଧାରଣ ନିର୍ବାଚନ ଆସିଲା। ଦଳ ସର୍ବଭାରତୀୟ ସ୍ତରରେ ୪୬୮ ପ୍ରାର୍ଥୀ ଦେଲା। ସେଥିମଧ୍ୟରୁ ୧୨୦ଟି ଆସନ ଜିତି ଦେଶର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳ ପାଲଟିଗଲା। କଂଗ୍ରେସ ପଛକୁ ଦଳର ଭୋଟ ପ୍ରତିଶତ ମଧ୍ୟ ୨୦.୧୧%କୁ ବୃଦ୍ଧି ପାଇଲା। 

୧୯୯୧ରେ ପି.ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱରେ କଂଗ୍ରେସ ସରକାର ଗଢିଲା ସତ, ମାତ୍ର ଦୁର୍ନୀତି ଚରମ ସୀମାରେ ପହଞ୍ଚିଗଲା ଆଉ ଲୋକେ ତ୍ରାହି ତ୍ରାହି ଡାକିଲେ। ଏହାପରେ ୧୯୯୬ ସାଧାରଣ ନିର୍ବାଚନ ଆସିଲା। ଆଉ ୧୬୧ଟି ଆସନ ଜିଣି କଂଗ୍ରେସକୁ ପଛରେ ପକାଇ ବିଜେପି ଦେଶର ନମ୍ବର ୱାନ୍ ପାର୍ଟି ପାଲଟିଗଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଲେ। ମାତ୍ର ୧୩ ଦିନ ପାଇଁ ତାଙ୍କ ସରକାର ଚାଲିପାରିଲା। ଏହାପରେ କିଛି ଛୋଟ ଦଳ ସମର୍ଥନରେ କଂଗ୍ରେସ ସରକାର ଗଠନ କଲା। ଆଇ.କେ. ଗୁଜରାଲ ଏବଂ ଏଚ୍.ଡି. ଦେବଗୌଡା ପର୍ଯ୍ୟାୟ କ୍ରମେ ପ୍ରଧାନମନ୍ତ୍ରୀ ହେଲେ। ତେବେ ମାତ୍ର ଦେଢ଼ ବର୍ଷରେ ସରକାର ଭାଙ୍ଗିଗଲା। ବିଜେପି ସେତେବେଳକୁ ହୃଦୟଙ୍ଗମ କରି ସାରିଥିଲା ଯେ, କ୍ଷମତାରେ ରହିବାକୁ ହେଲେ ମେଣ୍ଟ ରାଜନୀତି ଜରୁରୀ। 

୧୯୯୮ ସାଧାରଣ ନିର୍ବାଚନରେ ବିଜେପି ୧୮୨ ଆସନ ଜିଣି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଲା। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ବିଜେପି ଦ୍ୱିତୀୟ ଥର ପାଇଁ ୧୩ ମାସ ନିମନ୍ତେ ସରକାର ଗଢିଲା। ତେବେ ଏଆଇଏଡିଏମକେ ସମର୍ଥନ ପ୍ରତ୍ୟାହାର କରିବାରୁ ଦଳ ସଂଖ୍ୟାଗରିଷ୍ଠତା ହରାଇଲା। ଏହାପରେ ହୋଇଥିବା ଆସ୍ଥା ଭୋଟରେ ଯାହା ହେଲା ତାହା ଆଜି ଇତିହାସ। ରୋଗଶଯ୍ୟାରୁ ଉଠି ଓଡ଼ିଆ ସାଂସଦ ଗିରିଧର ଗମାଙ୍ଗ ହ୍ୱିଲ ଚେୟାରରେ ବସି ଫ୍ଲାଇଟରେ ଗଲେ ଆଉ ସରକାର ବିରୋଧରେ ଭୋଟ ଦେଲେ, ମାତ୍ର ଗୋଟିଏ ଭୋଟରେ ବାଜପେୟୀଙ୍କ ସରକାର ଭାଙ୍ଗିଲା।

Also Read:  ଋଷର ବିଚିତ୍ର ରୂପ; ୟୁକ୍ରେନକୁ ଜଖମ ଦେଇ ମଲମ ଲଗାଉଛନ୍ତି ପୁଟିନ

୧୯୯୯ ମସିହାରେ ବିଜେପି ପୁଣି କ୍ଷମତାକୁ ଫେରିଲା।  ୨୦୦୩ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଜିତି ସରକାର ବି ଗଠନ କଲା। ତେବେ ୨୦୦୪ରେ India Shining ଓ Feel Good ସ୍ଲୋଗାନ ଦେଇ ମଧ୍ୟ ମାତ୍ର ୧୩୮ ଆସନରେ ଦଳ ସୀମିତ ହୋଇଗଲା। କଂଗ୍ରେସ ନେତୃତ୍ବରେ ମନମୋହନ ସିଂହ ୟୁପିଏ ସରକାରର ମଙ୍ଗ ଧରିଲେ। ୨୦୦୯ରେ ବାଜପେୟୀ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିଲେ ନାହିଁ। ବାଜପେୟୀଙ୍କ ଅନୁପସ୍ଥିରେ ଆଡଭାନୀ ଦଳର ମଙ୍ଗ ସମ୍ଭାଳିଲେ। ସେତେବେଳେ ମାତ୍ର ୧୧୬ଟି ଆସନ ପାଇ ଦଳ ଲଗାତର ଦ୍ୱିତୀୟ ଥର ପରାଜୟ ବରଣ କଲା।

ଦୁଇ ଦୁଇଥର କ୍ଷମତା ହାତେଇ କଂଗ୍ରେସ ନିଜକୁ ଅପରାଜେୟ ମନେ କରିବାରେ ଲାଗିଲା। ଆଉ ନରେନ୍ଦ୍ର ମୋଦିଙ୍କ ରୂପରେ ୨୦୧୪ରେ ବିଜେପିକୁ ଏକ ପାଶୁପତ ଅସ୍ତ୍ର ମିଳି ଯାଇଥିଲା। ଅପ୍ରତ୍ୟାଶିତ ଭାବରେ ବିଜେପି ୨୮୧ ଆସନ ଜିତିଲା। ୧୯୮୪ ପରଠାରୁ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଲା। ବିଜେପି ଦେଶର ସର୍ବବୃହତ ରାଜନୈତିକ ଦଳ ଭାବରେ ଉଭା ହେଲା। ୨୦୧୪ରେ ଦଳକୁ ୩୧.୩୪% ଭୋଟ ମିଳିଥିଲା। ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସର ଆସନ ସଂଖ୍ୟା ୫୦ ତଳକୁ ଖସିଗଲା। ଆଉ 'ସବକା ସାଥ, ସବକା ବିଶ୍ୱାସ' ନାରା ଦେଇ ବିଜେପି ସରକାର ସାଧାରଣ ଲୋକଙ୍କ ପ୍ରଥମ ପସନ୍ଦ ପାଲଟି ଗଲା।

୨୦୧୯ ନିର୍ବାଚନରେ ମଧ୍ୟ ନାନା ଅପପ୍ରଚାର ଲହରୀକୁ କାଟି ବିଜେପି ଖାଲି ଯେ ନିର୍ବାଚନରେ ବିଜୟୀ ହେଲା, ତାହା ନୁହେଁ ନିଜ ଆସନ ସଂଖ୍ୟା ମଧ୍ୟ ୩୦୩କୁ ବୃଦ୍ଧି କଲା। ଦଳର ଭୋଟ ପ୍ରତିଶତ ୩୭.୭୬%କୁ ବୃଦ୍ଧି ପାଇଲା। ଏଥିସହ ଦଳ କେବଳ ଉତ୍ତର ଭାରତୀୟ ପାର୍ଟି ଭାବରେ ଯେଉଁ ବଦନାମ ମୁଣ୍ଡାଇଥିଲା, ତାହା ମଧ୍ୟ ଦୂର ହେବାରେ ଲାଗିଲା। କଠୋର ହିନ୍ଦୁତ୍ୱବାଦୀ ଦଳର ପରିଚୟକୁ ପଛ କରି ଦଳ 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ' ନୀତି ଆପଣାଇଲା। ଆଜି କେବଳ ଦେଶ ନୁହେଁ, ବିଶ୍ୱର ସର୍ବବୃହତ ଦଳର ମାନ୍ୟତା ପାଇଥିବା ଭାରତୀୟ ଜନତା ପାର୍ଟି ଏହାର ପୂର୍ବ ସ୍ୱରୂପ ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପଦାଙ୍କ ଅନୁସରଣ କରି ଆଗକୁ ବଢୁଛି।