ମଧ୍ୟ ପ୍ରଦେଶ ଉପନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରିଛି ବିଜେପି।
Trending Photos
ଭୋପାଳ: ମଧ୍ୟ ପ୍ରଦେଶର ୨୮ଟି ଆସନରେ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ (MP ByPoll 2020) ଶାସକ ବିଜେପିକୁ ଜବରଦସ୍ତ ସଫଳତା ମିଳିଛି। ହେଲେ ଅନ୍ୟପଟେ ଏହି ନିର୍ବାଚନରେ ବିରୋଧି କଂଗ୍ରେସ (Congress)କୁ ଜୋରଦାର ଝଟକା। ରାଜ୍ୟରେ ସରକାରଙ୍କ ବଞ୍ଚାଇବା ଏବଂ ପୁନର୍ବାର କ୍ଷମତାକୁ ଫେରିବାକୁ ନେଇ କଂଗ୍ରେସ-ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି।
ମଧ୍ୟ ପ୍ରଦେଶର ୨୮ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ଶିବରାଜ ସିଂହ ଚୌହାନ (CM Shivraj Singh)ଙ୍କ ଲାଗି ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।ସରକାର ଗଠନ କରିବା ଲାଗି ଆବଶ୍ୟକୀୟ ବହୁମତ ସଂଖ୍ୟା ହାସଲ କରି ନେଇଛି ବିଜେପି। ଅନ୍ୟପଟେ ସରକାରକୁ ଫେରିବା ଲାଗି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ (Ex CM Kamalnath) ଦେଖିଥିବା ସ୍ୱପ୍ନ ଏବେ ଚୁରମାର ହୋଇଛି।
ସନ୍ଧ୍ୟା ୭ଟା ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ଯେଉଁ ୨୮ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି ସେଥିମଧ୍ୟରୁ ବିଜେପି ୧୨ଟି ଆସନରେ ଜିତି ସାରିଥିବା ବେଳେ ୭ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧି କଂଗ୍ରେସ ଗୋଟିଏରେ ବିଜୟୀ ହୋଇଥିବା ବେଳେ ୮ଟି ଆସନରେ ଆଗରେ ରହିଛି।
ମଧ୍ୟପ୍ରଦେଶ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୩୦। ରାଜ୍ୟର ଦମୋହା ବିଧାନସଭା ଆସନର ବିଧାୟକ ରାହୁଲ ସିଂହଙ୍କ ଇସ୍ତଫା ପରେ ଏବେ ସଦସ୍ୟ ସଂଖ୍ୟା ୨୨୯ ରହିଛି। ବହୁମତ ସାବ୍ୟସ୍ତ କରିବା ଲାଗି ଏବେ ୧୧୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
ଗତ ୨୦୧୮ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୧୪, ବିଜେପିକୁ ୧୦୯, ବିଏସପିକୁ ୨, ସମାଜବାଦ ପାର୍ଟି ୧, ୪ ସ୍ୱାଧିନ ବିଧାୟକ ନିର୍ବାଚିତ ହୋଇଥିଲେ। ଏବେ ରାଜ୍ୟ ବିଧାନସଭାରେ କଂଗ୍ରେସ ନିକଟରେ ୮୭ ବିଧାୟକ ଅଛନ୍ତି। ଅନ୍ୟପଟେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଚୂଡାନ୍ତ ଫଳାଫଳ ଆସିବା ପରେ ଦଳର ସଦସ୍ୟ ସଂଖ୍ୟା ବଢିପାରେ। ଅନ୍ୟପଟେ ଏହି ନିର୍ବାଚନରେ ଜବରଦସ୍ତ ସଫଳତା ପାଇଥିବା ବିଜେପିର ସଦସ୍ୟ ସଂଖ୍ୟା ଏବେ ରାଜ୍ୟ ବିଧାନସଭା ୧୨୧କୁ ବୃଦ୍ଧି ପାଇଛି।