ଶାସନ ଗାଦି ହରାଇବା ପରେ ମଧ୍ୟ ଦଳରେ ଚାଲିଥିବା ଗୋଷ୍ଠୀ ବିବାଦ ଥମିବାର ନାଁ ଧରୁନାହିଁ।
Trending Photos
ଭୋପାଳ: ଗତ ବର୍ଷ ମାର୍ଚ୍ଚ ମାସରେ ଦଳ ଶାସନ ଗାଦି ହରାଇବା ପରେ ମଧ୍ୟ ପ୍ରଦେଶ କଂଗ୍ରେସରେ ଚାଲିଥିବା ଗୋଷ୍ଠୀ ବିବାଦ ଥମିବାର ନାଁ ଧରୁନାହିଁ। ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଦିଆ ଆଉ ପରେ ଏବେ ଅନ୍ୟ ଜଣେ ଦଳୀୟ ନେତା ରାଜ୍ୟ କଂଗ୍ରେସ କମିଟି ସଭାପତି ତଥା ବିରୋଧି ଦଳ ନେତା କମଲନାଥଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଶକ୍ତି ପ୍ରଦର୍ଶନ କରି ନିଜର ତାକତ ଦେଖାଇବାକୁ ଖୋଲାଖୋଲି ଭାବେ ଆହ୍ୱାନ ଦେଇଛନ୍ତି।
ନିକଟ ଅତୀତରେ ରାଜ୍ୟର ଖଣ୍ଡୱା ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଦଳର ହୋଇଥିବା ପରାୟଜକୁ ନେଇ ମଧ୍ୟ ପ୍ରଦେଶ କଂଗ୍ରେସ କମିଟିରେ ଚାଲିଥିବା ଗୋଷ୍ଠୀ ବିବାଦ ଏବେ ତେଜିବାରେ ଲାଗିଛି। ଏହି ନିର୍ବାଚନ ଦଳର ପ୍ରଦର୍ଶନକୁ ନେଇ ମୁହାଁମୁହିଁ ହୋଇଛି ରାଜ୍ୟ କଂଗ୍ରେସ କମିଟି ସଭାପତି ତଥା ବିରୋଧି ଦଳ ନେତା କମଲନାଥ ଏବଂ ଦଳର ବରିଷ୍ଠ ନେତା ତଥା ଦଳର ପୂର୍ବତନ ରାଜ୍ୟ ଶାଖା ସଭାପତି ଅରୁଣ ଯାଦବ।
ଏହି ନିର୍ବାଚନ ସମୟରୁ ଦୁଇ ନେତାଙ୍କ ମଧ୍ୟରେ ରହିଥିବା ବ୍ୟବଧାନ ବର୍ତ୍ତମାନ ଆହୁରି ଗଭୀର ହେବାରେ ଲାଗିଛି। ଉପନିର୍ବାଚନରେ ଦଳର ପରାଜୟ ପରେ କମଲ ନାଥ ଅରୁଣ ଯାଦବଙ୍କ ଗୋଷ୍ଠୀର ନେତାଙ୍କୁ ଦଳୀୟ ସାଙ୍ଗଠନିକ ପଦ ପଦବୀରୁ ହଟାଇ ଦେଇଛନ୍ତି। ଯାହା ପରୋକ୍ଷରେ ଅରୁଣ ଯାଦବଙ୍କ ପାଇଁ ଏକ ଝଟକା ସଦୃଶ୍ୟ ହୋଇଛି। ଏଭଳି ପରିସ୍ଥିତିରେ ଦଳର ରାଜ୍ୟ ନେତୃତ୍ୱ ଉଦ୍ଦେଶ୍ୟରେ ଖୋଲାଖୋଲି ଭାବେ ଆହ୍ୱାନ ଦେଇ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି ଅରୁଣ ଯାଦବ।
Also Read: ଥମୁନି ବିବାଦ; କଂଗ୍ରେସ ନେତା କହିଲେ ୫ ଟଙ୍କାର ମୂଲ୍ୟନଥିବା ଲୋକକୁ ମିଳିଛି ଦଳୀୟ ଟିକେଟ
ରାଜ୍ୟ ଖଲଘାଟ ଟାରେ ଏକ ରାଲି କରିବାକୁ ଘୋଷଣା କରିଛନ୍ତି ସେ। ତାଙ୍କର ଏହି ଘୋଷଣାକୁ ତାଙ୍କର ଶକ୍ତି ପ୍ରଦର୍ଶନ ସହିତ ଯୋଡି଼ ଦେଖାଯାଉଛି। ଖଲଘାଟ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଲି ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କ ଠାରୁ କୌଣସି ଅନୁମତି ନିଆଯାଇ ନାହିଁ କିମ୍ବା ଏପର୍ଯ୍ୟନ୍ତ ଏହାର କୌଣସି ସୂଚନା ଦିଆଯାଇ ନାହିଁ। ଏହି ରାଲି ମାଧ୍ୟମରେ ଅରୁଣ ଯାଦବ ରାଜ୍ୟ ନେତୃତ୍ୱଙ୍କୁ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛନ୍ତି ଯେ ମାଲୱା ନିମାଡ ଅଞ୍ଚଳରେ ସେ ହେଉଛନ୍ତି କଂଗ୍ରେସର ମୁଖ୍ୟ ଚେହେରା ଏବ ତାଙ୍କୁ ଦଳରେ ଅଣଦେଖା କରାଯାଇପାରିବ ନାହିଁ। ଯଦିଓ ରାଲି କେବେ ହେବ ସେ ନୋଇ କୌଣସି ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଅରୁଣ ଯାଦବଙ୍କ ପିତା ତଥା ଭେଟେରାନ କଂଗ୍ରେସ ନେତା ସୁଭାଷ ଯାଦବ ୨୩ ବର୍ଷ ପୂର୍ବେ ନିଜେ ଖଲଘାଟ ଠାରେ ଏକ ରାଲି କରିଥିଲେ ଏବଂ ଦଳର ନେତୃତ୍ୱଙ୍କୁ ତାଙ୍କ ଶକ୍ତି ବାବଦରେ ଅବଗତ କରିଥିଲେ। ଏହା ପରେ ତାଙ୍କୁ ଦିଗବିଜୟ ସିଂହଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା। ଏଭଳି ପରିସ୍ଥିତିରେ ଅରୁଣ ଯାଦବଙ୍କ ରାଲିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।
କଂଗ୍ରେସ ଦଳରେ ଅରୁଣ ଯାଦବଙ୍କୁ ଜଣେ ପଛୁଆ ବର୍ଗର ନେତା ଭାବେ ବିବେଚନା କରାଯାଏ। ଏହି ଜିନିଷ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ମଧ୍ୟପ୍ରଦେଶ ହେଉଛି ପଛୁଆ ବର୍ଗ ଦ୍ୱାରା ପରିଚାଳିତ ଏକ ରାଜ୍ୟ ଏବଂ ଏଠାରେ ୫୨ ପ୍ରତିଶତ ମତଦାତା ହେଉଛନ୍ତି ଭୋଟର ଏହି ବର୍ଗରୁ ଆସିଛନ୍ତି। ଗତ ୨୦୦୦ ମସିହା ପର ଠାରୁ, ବିଜେପି ପକ୍ଷରୁ ଦଳର ଯେଉଁ ୩ ଜଣ ନେତା ଉମା ଭାରତୀ, ବାବୁଲାଲ ଗୌର ଏବଂ ଶିବରାଜ ସିଂହ ଚୌହାନ ପ୍ରମୁଖ ମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି ସେମାନେ ହେଉଛନ୍ତି ସମସ୍ତେ ବର୍ଗର। ଏହି କାରଣରୁ କଂଗ୍ରେସ ଏହି ବର୍ଗରୁ ଆସୁଥିବା ଅରୁଣ ଯାଦବଙ୍କ ଭଳି ଜଣେ ନେତା ଆବଶ୍ୟକ କରୁଛି।
Also Read: ଗଦ୍ଦାର କହିବାକୁ ନେଇ ତାତି ଉଠିଲେ ମହାରାଜା, ରାଜାଙ୍କୁ ଦେଲ ଏପରି ଜବାବ
ଗତ ୨୦୧୩ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଅରୁଣ ଯାଦବ ରାଜ୍ୟ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ସେ ରାଜ୍ୟରେ କ୍ଷମତୀସନ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧିନ ବିଜେପି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିଥିଲେ। ୨୦୧୮ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଗତ ୧୫ ବର୍ଷ ଧରି ଶାସନ କରୁଥିବା ବିଜେପି ସରକାର ବିରୁଦ୍ଧରେ ସରକାର ବିରୋଧି ହାୱା ସୃଷ୍ଟି କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଯାଦବଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ କମଲନାଥଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ନିର୍ବାଚନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିରୁଦ୍ଧରେ ପ୍ରାର୍ଥୀ କରାଯାଇଥିଲେ ମଧ୍ୟ ସେ ପରାସ୍ତ ହୋଇଥିଲେ। ଯାହାର ପ୍ରଭାବ ସ୍ୱରୂପ ଏହି ନିର୍ବାଚନରେ ବାଜିମାତ କରିବା ସହ ଦୀର୍ଘ ୧୫ ବର୍ଷ ପରେ ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସିଥିଲେ ଆଉ ଅନ୍ୟପଟେ ଅରୁଣ ଯାଦବ ଦଳରୁ ଏକ ପ୍ରକାର ଅଲଗା କରି ରଖି ଦିଆଯାଇଥିଲା। ଅର୍ଥାତ କହିବାକୁ ଗଲେ ରାଜ୍ୟରେ କଂଗ୍ରେସ ସରକାର ଗଠିତ ହୋଇଥିଲେ ମଧ୍ୟ ଦଳୀୟ ନେତା ହିସାବରେ ସେ କ୍ଷମତାର ସ୍ୱାଦ ଚାଖି ପାରିନଥିଲେ। ପ୍ରାୟ ଦେଢ ବର୍ଷ କାଳ ଧରି ଶାସନ କରିବା ପରେ ଗତ ବର୍ଷ ମାର୍ଚ୍ଚ ମାସରେ ଗୋଷ୍ଠୀ ବିବାଦ କାରଣରୁ କଂଗ୍ରେସ ସରକାରର ପତନ ହୋଇଥିଲା
ଯେତେବେଳେ ଖଣ୍ଡୱା ଲୋକସଭା ଆସନର ସାଂସଦ ନନ୍ଦକୁମାର ଚୌହାନଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ଏହି ଆସନରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମରେ କଂଗ୍ରେସ ନେତା ଅରୁଣ ଯାଦବ ମଧ୍ୟ ସକ୍ରିୟ ହୋଇଉଠିଥିଲେ। ଏହି ଆସନରୁ ସେ ମାତ୍ର ଗୋଟିଏ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏଠାରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ କଂଗ୍ରସେ ଟିକେଟର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିପାରନ୍ତି। ମାତ୍ର ରାଜ୍ୟ କଂଗ୍ରେସ ସଭାପତି କମଲନାଥ ତାଙ୍କର ଏହ ଦାବିକୁ ଏହା କହି ପ୍ରତ୍ୟାଖ୍ୟାନ କରିଥିଲେ ଯେ ଅରୁଣ ଯାଦଙ୍କବ ପକ୍ଷରୁ ଏନେଇ କୌଣସି ଦାବି ଉପସ୍ଥାପନ କରାଯାଇନାହିଁ ଏବଂ ଦଳ ପକ୍ଷରୁ କରାଯିବାକୁ ଥିବା ସର୍ଭେ ଆଧାରରେ ଟିକେଟ୍ ବଣ୍ଟନ କରାଯିବ।
ଟିକେଟ୍ ମିଳିବା ନେଇ ରାସ୍ତା ସଫାନଥିବା ଜଣାପଡିବା ପରେ ନିଜେ ନିଜ ଆଡୁ ଏହି ଦୌଡରୁ ଓହରି ଯାଇଥିଲେ ଅରୁଣ ଯାଦବ। ଏହା ପରେ କଂଗ୍ରେସ ରାଜନାରାୟଣ ସିଂ ପୁରାନୀଙ୍କୁ ଟିକେଟ ଦେଇଥିଲେ। ହେଲେ ଖଣ୍ଡୱା ଲୋକସଭା ଉପନିର୍ବାଚନରେ ପରାଜୟ ପରେ ଦଳରେ ରହିଥିବା ମତଭେଦ ଏବଂ ଗୋଷ୍ଠୀ ବିବାଦ ଆହୁରି ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥିଲା। ରାଜନାରାୟଣ ସିଂ ପୁରାନି ଅଭିଯୋଗ କରିଛନ୍ତି ଦଳୀୟ ସଙ୍ଗଠନ ସହ ଜଡିତ ଲୋକ ଦଳ ପାଇଁ କାମ କରୁନାହାଁନ୍ତି। ଯେଉଁଥିପାଇଁ ସେ ପରାସ୍ତ ହୋଇଥିଲେ। ତାଙ୍କର ଏହି ଟାର୍ଗେଟ ଅରୁଣ ଯାଦବ ଗୋଷ୍ଠୀ ଉପରେ ଥିଲା।
Also Read: BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି
ଦଳୀୟ ପ୍ରାର୍ଥୀଙ୍କ ପକ୍ଷରୁ ଏଭଳି ଆସିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି କମଲନାଥ ଖଣ୍ଡୱା ଜିଲ୍ଲା କଂଗ୍ରେସ କମିଟି ଦାୟିତ୍ୱରେ ଥିବା ଅନେକ ନେତାଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଥିଲେ। ଯାହାକୁ ନେଇ କମଲନାଥ ଏବଂ ଅରୁଣ ଯାଦବଙ୍କ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଥିଲା। ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଦିଆ ଏବଂ କମଲନାଥଙ୍କ ମଧ୍ୟରେ ସମାନ ଘଟଣା ଘଟିବା କାରଣରୁ ଦୀର୍ଘ ୧୫ ପରେ ମଧ୍ୟ ପ୍ରଦେଶରେ ଆସିଥିବା କଂଗ୍ରେସ ସରକାରର ପତ୍ତନ ହୋଇଥିଲା। ଦଳ ବିରୁଦ୍ଧରେ ଅସନ୍ତୁଷ୍ଟ ହୋଇଉଠିଥିବା ସିନ୍ଦିଆ କଂଗ୍ରେସ ଛାଡି଼ ବିଜେପି ହାତ ଧରିଥିଲେ। ଏଭଳି ପରିସ୍ଥିତିରେ ଅରୁଣ ଯାଦବ, ସିନ୍ଦିଆଙ୍କ ରାସ୍ତ ଅନୁସରଣ କରିବେ ନା ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଅରୁଣ ଯାଦବ ବିଜେପି ହାତ ଧରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି।