କିଏ ହେବେ ଶିକ୍ଷିତଙ୍କ ନେତା? ଆଜି ପୌର ନିର୍ବାଚନ ଭୋଟ ଗଣତି, ଲିଷ୍ଟରେ ନାହିଁ ଦୁଇ ଇଲାକା
Advertisement
Article Detail0/zeeodisha/odisha1134605

କିଏ ହେବେ ଶିକ୍ଷିତଙ୍କ ନେତା? ଆଜି ପୌର ନିର୍ବାଚନ ଭୋଟ ଗଣତି, ଲିଷ୍ଟରେ ନାହିଁ ଦୁଇ ଇଲାକା

ପ୍ରତି ବିଜ୍ଞାପିତ ପରିଷଦର ଭୋଟ ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଲେଖାଏଁ ଟେବୁଲରେ ଭୋଟ ଗଣତି ହେବ। କାଉନସିଲର ଓ କର୍ପୋରେଟରଙ୍କ ପାଇଁ ସମାନ ସଂଖ୍ୟକ ଟେବୁଲର ବ୍ୟବସ୍ଥା ହୋଇଛି। ପ୍ରତି ଭୋଟ ଗଣତି କେନ୍ଦ୍ର ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ପରୀକ୍ଷା ସରିଛି, ଫଳ ବାହାରିବାକୁ ଆଉ କିଛି ସମୟର ଅପେକ୍ଷା। ତା ଭିତରେ ଆରମ୍ଭ ହୋଇଛି ବିଜୟ ନେଇ ଆଶା ଆକାଂକ୍ଷା। ଆଜି (ଶନିବାର) ପୌର ନିର୍ବାଚନ ଫଳାଫଳ ବାହାରିବ। ସକାଳ ୮ଟାରୁ ଭୋଟ ଗଣତି ହେବ। ଶାନ୍ତିଶୃଙ୍ଖଳାରେ ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଦ୍ରକ ଧାମନଗରକୁ ଛାଡ଼ି ୧୦୮ ପୌରାଞ୍ଚଳରେ ଗଣତି ହେବ।

ଆଜି ପୌର ନିର୍ବାଚନ ଭୋଟ ଗଣତି। ସକାଳ ୮ଟାରୁ ରାଜ୍ୟର ୧୦୮ ପୌରଞ୍ଚଳରେ ଭୋଟ ଗଣତି ହେବ। ବିଭ୍ରାଟ ସହ ହିଂସାତ୍ମକ କାର୍ଯ୍ୟ ପାଇଁ ଭୋଟିଂ ହୋଇ ପାରି ନଥିବା ଧାମନଗର ଏନଏସିର ୬ ୱାର୍ଡରେ ପୁନଃ ମତଦାନ ହେବ। ତେବେ ୫୮ଟି ବିଜ୍ଞାପିତ ଅଂଚଳ, ୪୭ ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ହେବ। ୧୮୧୪ଟି ୱାର୍ଡର ଭୋଟ ଗଣତି ହେବାକୁ ଥିବା ବେଳେ ଅନ୍ୟ ୭୩ଟି ୱାର୍ଡରେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିରେ କେବଳ ବିଜେଡିର ୬୯ ଜଣ ପ୍ରାର୍ଥୀ ଅଛନ୍ତି। ପ୍ରଥମ ଥର ପାଇଁ ସିଧାସଳଖ ଭାବେ ନିର୍ବାଚିତ ହେବାକୁ ଥିବା ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ୫୬୯ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି 

Also Read: ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ; କହିଲେ- 'ସାହସ ଅଛି ଯଦି ...'

 

ପ୍ରତି ବିଜ୍ଞାପିତ ପରିଷଦର ଭୋଟ ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଲେଖାଏଁ ଟେବୁଲରେ ଭୋଟ ଗଣତି ହେବ। କାଉନସିଲର ଓ କର୍ପୋରେଟରଙ୍କ ପାଇଁ ସମାନ ସଂଖ୍ୟକ ଟେବୁଲର ବ୍ୟବସ୍ଥା ହୋଇଛି। ପ୍ରତି ଭୋଟ ଗଣତି କେନ୍ଦ୍ର ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଭିଏମ ଗଣତି ପୂର୍ବରୁ ପୋଷ୍ଟଲ ଗଣତି ହେବ। ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା ହେବ। ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା ହେବ। ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। 

ବିଭ୍ରାଟ ସହ ହିଂସାତ୍ମକ କାର୍ଯ୍ୟ ପାଇଁ ଭଦ୍ରକର ଧାମନଗର ଏନଏସିର ୬ ୱାର୍ଡରେ ପୁନଃ ମତଦାନ ହେବ। ଆଜି ଭୋଟ ଗଣତି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଠାରେ ଧାରା ୧୪୪ ଜାରି କରାଯାଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ସକାଳ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ସେହିପରି ହାଇକୋର୍ଟରେ ମାମଲା ଝୁଲିଥିବାରୁ ସମ୍ବଲପୁର ମହାନଗର ନିଗମରେ ଏଥର ମଧ୍ୟ ନିର୍ବାଚନ ହୋଇପାରିନାହିଁ। ୨୦୧୩ ନଭେମ୍ବରରେ ସମ୍ବଲପୁର ସହରକୁ ମହାନଗର ନିଗମର (Municipal Corporation) ମାନ୍ୟତା ମିଳିଥିଲା। ତେବେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମର ପୌର ନିର୍ବାଚନ ହୋଇପାରି ନାହିଁ। ବୁର୍ଲା (Burla) ମତଦାତାଙ୍କ ଅନୁସାରେ, ୱାର୍ଡ ସଂରକ୍ଷଣ ହୋଇନଥିବା ଅଭିଯୋଗ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଉ ଏହି ମାମଲା ଆଜି ପର୍ଯ୍ୟନ୍ତ କୋର୍ଟରେ ଗଡୁଛି। ସେଥିପାଇଁ ମହାନଗର ନିଗମର ଘୋଷଣାର ୭ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ବାଚନ ହୋଇ ପାରିନାହିଁ। 

Also Read: ଭୋଟ ଅପେକ୍ଷାରେ ବିତିଲା ୬ ବର୍ଷ; ହାଇକୋର୍ଟରେ ଝୁଲିଛି SMC ନିର୍ବାଚନ

ଅନ୍ୟପଟେ ନିର୍ବାଚନରେ ବିଜେପି ୩୦ରୁ ୩୫ଟି ପୌର ପରିଷଦ ଦଖଲ କରିବ ବୋଲି ଦଳ କହିଛି। ବିଜେପି ବିଧାୟକ ବିଷ୍ଣୁ ସେଠୀ ଏହି ଅଙ୍କ କଷିଛନ୍ତି। କଂଗ୍ରେସର କହିବା କଥା ଦଳ ୧୭ଟି ପୌର ପରିଷଦ ଦଖଲ କରିବ। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବା ବେଳେ ବିଜେପି ୧୦ ଆସନ ସହ ତୃତୀୟରେ ରହିବ ଏବଂ ଅନ୍ୟ ସବୁ ଶଙ୍ଖ ପାଇବ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ସେପଟେ ଶାସକ ଦଳର କହିବା କଥା, ପଂଚାୟତ ନିର୍ବାଚନ ହେବ ପୌର ନିର୍ବାଚନର ଫଳାଫଳ ପରି। ବିଜେଡି ୯୫ ପ୍ରତିଶତ ଆସନ ହାତେଇବ। ଏପରି କି ଫିଲଡ଼ରେ ବିରୋଧୀ ନଥିଲେ ବୋଲି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ବର୍ଷ ବିଳମ୍ବରେ କୋରୋନା ସଙ୍କଟ ମଧ୍ୟରେ ମାର୍ଚ୍ଚ ୨୪ରେ ରାଜ୍ୟରେ ପୌର ନିର୍ବାଚନ ହୋଇଥିଲା। ୧୮୨୫ଟି ୱାର୍ଡର ୪୩୬୦ ବୁଥରେ (ସମ୍ବଲପୁର ବ୍ୟତୀତ) ଭୋଟର ମତଦାନ କରିଥିଲେ। ଏଥିରେ ପ୍ରାୟ ୬୫ ପ୍ରତିଶତ ଭୋଟର ଅଂଶଗ୍ରହଣ କରିଥିଲେ। ତେବେ ଏହା ଗତ ନିର୍ବାଚନ ତୁଳନାରେ ପ୍ରାୟ ୪ ପ୍ରିତି ବୃଦ୍ଧି ପାଇଥିବା ନିର୍ବାଚନ କମିଶନ କହିଛି। ଏଥର ପୌରାଞ୍ଚଳରେ, ବିଶେଷ କରି ମହାନଗର ନିଗମରେ ଭୋଟ ପ୍ରତିଶତ କମିଛି। କଟକରେ ୬୫ ପ୍ରତିଶତ, ବ୍ରହ୍ମପୁରରେ ୪୭ ପ୍ରତିଶତ ଓ ଭୁବନେଶ୍ୱରରେ ମାତ୍ର ୪୩ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ସୂଚନା ମିଳିଛି।