Omicron ସଂକଟ ମଧ୍ୟରେ ବନ୍ଦ ହୋଇଯିବ କି UP Poll 2022? ଜାଣନ୍ତୁ କେବେ ସ୍ଥଗିତ ହୋଇଥାଏ ନିର୍ବାଚନ
Advertisement

Omicron ସଂକଟ ମଧ୍ୟରେ ବନ୍ଦ ହୋଇଯିବ କି UP Poll 2022? ଜାଣନ୍ତୁ କେବେ ସ୍ଥଗିତ ହୋଇଥାଏ ନିର୍ବାଚନ

ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ କରାଇବାକୁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଭାବେ ସ୍ୱାଧିନ।

Omicron ସଂକଟ ମଧ୍ୟରେ ବନ୍ଦ ହୋଇଯିବ କି UP Poll 2022? ଜାଣନ୍ତୁ କେବେ ସ୍ଥଗିତ ହୋଇଥାଏ ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢୁଥିବା ଓମିକ୍ରନ୍ ସଂକ୍ରମଣ ଜନିତ ମାମଲା ଏବେ ସାରା ଦେଶ ସମେତ ବିଶ୍ୱରେ ଚହଳ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ଏପରି ଧରଣର ୧୪୩୧ ମାମଲା ସାମ୍ନାକୁ ଆସିସାରିଛି। ଏଭଳି ପରିସ୍ଥିତିରେ ବିଶେଷଜ୍ଞ ଏହାକୁ କୋରୋନା ମହମାରୀର ତୃତୀୟ ଲହର ଭାବେ ବିବେଚନା କରୁଛନ୍ତି।

ଚଳିତ ବର୍ଷ ଆରମ୍ଭରେ ଉତ୍ତର ପ୍ରଦେଶ ସମେତ ମୋଟ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହି ସମୟରେ କୋରୋନା ମହମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚନ ଆୟୋଗକୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ ଜଣାଇଛନ୍ତି। ଅନ୍ୟପଟେ ଗତ ଗୁରୁବାର ରାଜଧାନୀ ଲକ୍ଷ୍ନୌ ଠାରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ବୈଠକ କରି ସେମାନଙ୍କ ପରାମର୍ଶ ନେଇଛନ୍ତି  ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା। 

Also Read: Assembly Poll 2022: ନିର୍ବାଚନ ଆୟୋଗ-ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୈଠକ ଶେଷ, ନିଆଗଲା ଏହି ନିଷ୍ପତ୍ତି

ଏହା ସହିତ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାର ଏସପି ଏବଂ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। କୋରୋନା ଗାଇଡ ଲାଇନ୍ସ ପାଳନ କରି ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ କରିବା ଆମର ପ୍ରୟାସ। ସମସ୍ତ ରାଜନୈତିକ ଦଳର ଅଭିଯୋଗ ଶୁଣିବା ଏବଂ ସମାଧାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ। ଉପଯୁକ୍ତ ସମୟରେ ନିର୍ବାଚନ କରିବାକୁ ଦାବି କରିଛନ୍ତି ସମସ୍ତ ରାଜନୈତିକ ଦଳ।

Also Read: ଏଥର ସ୍ୱତନ୍ତ୍ର ହେବ UP ବିଧାନସଭା ନିର୍ବାଚନ; କିପରି ପ୍ରସ୍ତୁତି କରୁଛି ନିର୍ବାଚନ ଆୟୋଗ?

ଚଳିତ ବର୍ଷ ଦେଶର ଯେଉଁ ରାଜ୍ୟର ବିଧାନସଭା ନିର୍ବାଚନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ ନା ନାହିଁ ସେ ନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ। ଗତ ବର୍ଷ କୋରୋନା ମହମାରୀକୁ ନଜରରେ ରଖି ନିର୍ବାଚନ ଆୟୋଗ ଅନେକ ରାଜ୍ୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ। ପ୍ରଶ୍ନ ଉଠୁଛି କେଉଁ ପରିସ୍ଥିତିରେ ସ୍ଥଗିତ ହୋଇଥାଏ ନିର୍ବାଚନ? ଏନେଇ ନିୟମ କ’ଣ ରହିଛି? ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ କରାଇବାକୁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଭାବେ ସ୍ୱାଧିନ। ଏହା ବ୍ୟତୀତ ଜନପ୍ରତିନିଧି ଅଧିନିୟମ ୧୯୫୧ ଧାରା ୫୨, ୫୭ ଏବଂ ୧୫୩ ଅନୁଯାୟୀ ନିର୍ବାଚନ ବାତିଲ କିମ୍ବା ସ୍ଥଗିତ ରଖିବାକୁ ବ୍ୟବସ୍ଥା ରହିଛି। କେବେ ସ୍ଥଗିତ ହୋଇଥାଏ ନିର୍ବାଚନ?

Also Read: UP Poll 2022: ଉପଯୁକ୍ତ ସମୟରେ ନିର୍ବାଚନ କରିବାକୁ ଦାବି ଜଣାଇଲେ ରାଜନୈତିକ ଦଳ

୧.ପ୍ରାର୍ଥୀଙ୍କ ମୃତ୍ୟୁ କ୍ଷେତ୍ରରେ

ଜନପ୍ରତିନିଧି ଅଧିନିୟମ ୧୯୫୧ ଧାରା ୫୨ ଅନୁଯାୟୀ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ଅଧିନରେ, ଯଦି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନର ସକାଳ ୧୧ଟା ସମୟ ପରେ ଯଦି କୌଣସି ପ୍ରାର୍ଥୀ ମୃତ୍ୟୁ ହୁଏ ତାହେଲେ ସେହି ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ସ୍ଥଗିତ ରଖାଯିବ। ହେଲେ ଏଥିପାଇଁ ମଧ୍ୟ କିଛି ନିୟମ ଅଛି। ଯଦି ପ୍ରାର୍ଥୀଙ୍କ ନାମାଙ୍କନ ସଠିକ୍ ଉପାୟରେ ଦାଖଲ କରାଯାଇଥିବ, ନିର୍ବାଚନରୁ ସମ୍ପୃକ୍ତ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିବେ ଏବଂ ଭୋଟ୍ ଆରମ୍ଭ ପୂର୍ବରୁ ପ୍ରାର୍ଥୀଙ୍କ ମୃତ୍ୟୁ ଖବର ନିଶ୍ଚିତ ହୋଇସାରିଥିବ। ମୃତକ ପ୍ରାର୍ଥୀ ଜଣକ ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ହେବା ଆବଶ୍ୟକ। ସ୍ୱୀକୃତିପ୍ରାପ୍ତ ଦଳର ଅର୍ଥ ହେଉଛି ଏକ ରାଜନୈତିକ ଦଳ ଯାହା କୌଣସି ବିଧାନସଭା ଅଥବା ଲୋକସଭା ନିର୍ବାଚନରେ ​​ଅତିକମରେ ୬ ପ୍ରତିଶତ ଭୋଟ ପାଇଥିବା ଆବଶ୍ୟକ।

ଉଦାହରଣ ସ୍ୱରୂପ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ରାଜ୍ୟର ୨୦୦ ସିଟ୍ ମଧ୍ୟରୁ କେବଳ ୧୯୯ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ରାମଗଡ ଆସନରେ ବିଏସପି ପ୍ରାର୍ଥୀଙ୍କ ମତଦାନ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହି ଆସନରେ ନିର୍ବାଚନ ପରେ ଅନୁଷ୍ଠିତ ହୋଇଥିଲା।

୨.ଦଙ୍ଗା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ 
ଜନପ୍ରତିନିଧି ଅଧିନିୟମ ୧୯୫୧ ଧାରା ୫୭ ଅନୁଯାୟୀ ଏହି ବ୍ୟବସ୍ଥା କରାଯାଇଛି। ଯଦି ନିର୍ବାଚନ ଅନୁଷ୍ଠିତ ହେଉଥିବା ଆସନ ଅଥବା ନିର୍ବାଚନମଣ୍ଡଳୀରେ ହିଂସା, ଦଙ୍ଗା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ଘଟଣା ଘଟେ ତାହେଲେ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇପାରିବ। ଏହି ପରିପ୍ରେକ୍ଷୀରେ ମତଦାନ କେନ୍ଦ୍ରର ସ୍ଥାନୀୟ ଅଧ୍ୟକ୍ଷଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇପାରେ। ଯଦି ହିଂସା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ଘଟଣା ବୃହତ ପରିମାଣରେ ଘଟେ ଅର୍ଥାତ୍ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୁଏ ତାହେଲେ ନିର୍ବାଚନ ଆୟୋଗ ଏନେଇ ଆବଶ୍ୟକୀୟ ନିଷ୍ପତ୍ତି ନେଇପାରନ୍ତି। ସାମ୍ପ୍ରତିକ ପରିସ୍ଥିତି ଏକ ବିପର୍ଯ୍ୟୟ ଭଳି। କୋରୋନା ମହମାରୀ ହେତୁ ଜନସମାଗମ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ଅନେକ ନିର୍ବାଚନକୁ ସ୍ଥଗିତ ରଖିଯାଇପାରେ।

ଉଦାହରଣ ସ୍ୱରୂପ ଗତ ୨୦୦୬ ବର୍ଷରେ ସୁପ୍ରିମକୋର୍ଟ ଏପରି ଏକ ମାମଲାରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ମାମଲା କିଶାନ ସିଂ ତୋମର ବନାମ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ରହିଥିଲା। ଏହି ମାମଲାରେ ପ୍ରତିକ୍ରିୟା କୋର୍ଟ କହିଥିଲେ ପ୍ରାକୃତିକ କିମ୍ବା ମାନବ ଦ୍ୱାରା ସୃଷ୍ଟ ଦଙ୍ଗା ଭଳି ବିପର୍ଯ୍ୟୟ ଘଟଣା ଘଟିବା ପରେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖାଯାଇପାରିବ।

୩.ନିର୍ବାଚନରେ ​​ବିଭ୍ରାଟ
ଯଦି ଏକ ମତଦାନ କେନ୍ଦ୍ରରେ ବାଲାଟ୍ ବାକ୍ସ କିମ୍ବା ଭୋଟିଂ ମେସିନ୍ ଟାମ୍ପରିଂ କରାଯାଏ ତାହେଲେ ଭୋଟିଂ ପ୍ରକ୍ରିୟାକୁ ରୋକା ଯାଇପାରିବ। ଆଜିକାଲି ଅଧିକାଂଶ ନିର୍ବାଚନରେ ​​କେବଳ ଇଭିଏମ୍ ବ୍ୟବହାର କରାଯାଏ। ଯଦି ନିର୍ବାଚନ ଆୟୋଗ ଏହା ଅନୁଭବ କରନ୍ତି ଯେଉଁ ଆସନରେ ମତଦାନ ହେବ ସେଠାରେ ସ୍ଥିତି ଭଲ ନାହିଁ କିମ୍ବା ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା ନାହିଁ କିମ୍ବା ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରିବ ନାହିଁ ସେଠାରେ ନିର୍ବାଚନ ବାତିଲ ହୋଇପାରିବ। ଏହି ନିୟମ ଜନପ୍ରତିନିଧି ଅଧିନିୟମ ୧୯୫୧ ଧାରା ୫୮ ଅନୁସାରେ କରାଯାଇଛି।

୪.ଅର୍ଥର ଅପବ୍ୟବହାର କିମ୍ବା ମତାଦାତାଙ୍କୁ ଲାଞ୍ଚ ଦେବା ମାମଲାରେ 
ଯଦି ନିର୍ବାଚନ ଅନୁଷ୍ଠିତ ହେଉଥିବା କୌଣସି ଆସନରେ ଟଙ୍କାର ବ୍ୟାପକ ଅପବ୍ୟବହାର କରାଯାଏ କିମ୍ବା ମତାଦାତାଙ୍କୁ ଲାଞ୍ଚ ଦିଆଯାଏ ତାହେଲେ ସେଭଳି ପରିସ୍ଥିତିରେ ନିର୍ବାଚନକୁ ସ୍ଥଗିତ କିମ୍ବା ବାତିଲ କରାଯାଇପାରେ। ଏହି ବ୍ୟବସ୍ଥା ସମ୍ବିଧାନର ୩୨୪ ଧାରାରେ ରହିଛି।

ଉଦାହରଣ ସ୍ୱରୂପ ଗତ ୨୦୧୯ ଲୋକସଭା ନିର୍ବାଚନରେ ରେ ତାମିଲନାଡୁର ଭେଲୋର ଲୋକସଭା ଆସନ ଏବଂ ୨୦୧୭ ବର୍ଷରେ ରାଜ୍ୟର ରାଧାକ୍ରିଷ୍ଣନଗର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନକୁ ବିପୁଳ ପରିମାଣର ନଗଦ ଅର୍ଥ କାରବାର ପାଇଁ ବାତିଲ କରାଯାଇଥିଲା।

୫.ମତଦାନ କେନ୍ଦ୍ର ଜବରଦଖଲ କ୍ଷେତ୍ରରେ 
ନିର୍ବାଚନ ଅନୁଷ୍ଠିତ ହେଉଥିବା କୌଣସି ନିର୍ବାଚନମଣ୍ଡଳୀରେ ଯଦି ମତଦାନ କେନ୍ଦ୍ରକୁ ଜବରଦଖଲ କରି ନିଆଯାଏ ତାହେଲେ ସେଠାରେ ଏକ ନୂଆ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। ଏଥିପାଇଁ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଆବଶ୍ୟକୀୟ ନିଷ୍ପତ୍ତି ନେଇଥାନ୍ତି। ଘଟଣାସ୍ଥଳରୁ ମିଳିଥିବା ରିପୋର୍ଟ ଆଧାର କରି ଭୋଟ ଗ୍ରହଣ ଲାଗି ସେ ଏକ ନୂଆ ତାରିଖ ଘୋଷଣା କରିପାରିବେ। ଜନପ୍ରତିନିଧି ଅଧିନିୟମ ୧୯୫୧ ଧାରା ୫୮ ଅନୁଯାୟୀ ଏହି ବ୍ୟବସ୍ଥା ରହିଛି।

ଗତ ୧୯୯୧ ମସିହାରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ପାଟନା ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ମତଦାନ କେନ୍ଦ୍ର ଜବରଦଖଲ କାରଣରୁ ବାତିଲ ହୋଇଥିଲା। ଏହି ନିର୍ବାଚନରେ ଲାଲୁ ଯାଦବ ଜନତା ଦଳ ଟିକେଟରେ ଇନ୍ଦର କୁମାର ଗୁଜରାଲଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 

୬.ସୁରକ୍ଷାଗତ କାରଣରୁ
ଯଦି ନିର୍ବାଚନ ଅନୁଷ୍ଠିତ ହେଉଥିବା କୌଣସି ଆସନରେ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ନିର୍ବାଚନ ଆୟୋଗ ଅନୁଭବ କରନ୍ତି ତାହେଲେ ସେଠାରେ ନିର୍ବାଚନକୁ ବାତିଲ କିମ୍ବା ସ୍ଥଗିତ କରା ଯାଇପାରେ। ଗତ ୨୦୧୭ ବର୍ଷରେ ଏଭଳି ମାମଲା ଆସିଥିଲା। ମେହବୁବା ମୁଫତି ଅନନ୍ତନାଗ ଲୋକସଭା ଆସନର ସାଂସଦ ପଦ ଛାଡ଼ି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଏଭଳି ପରିସ୍ଥିତିରେ ଏହି ଲୋକସଭା ଆସନରେ ଉପନିର୍ବାଚନ ଅମୁଷ୍ଠିତ କରାଇବା ପାଇଁ ୭୫୦ କମ୍ପାନୀ ସୁରକ୍ଷା ବାହିନୀ ଆବଶ୍ୟକ କରିଥିଲେ ନିର୍ବାଚନ ଆୟୋଗ। ହେଲେ ସରକାର କେବଳ ୩୦୦ କମ୍ପାନୀ ଦେବାକୁ ରାଜି ହୋଇଥିଲେ। ହେଲେ ପରେ ନିର୍ବାଚନ କମିଶନ ଅନନ୍ତନାଗ ଲୋକସଭା ଆସନରେ ଖରାପ ପରିସ୍ଥିତି ଦର୍ଶାଇ ଉପନିର୍ବାଚନକୁ ବାତିଲ କରିଥିଲେ।