)
ଭୁବନେଶ୍ୱର: ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୨୦ ଦିନ। ଏହାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଛି ଦୁଇ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ। ଭେଟେରାନ୍ ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ମୈଦାନକୁ ଓହ୍ଲାଇଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡିର ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ରଣକ୍ଷେତ୍ରକୁ ପଠାଇଛନ୍ତି। ସେପଟେ ଏବେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱର ଜାଲରେ କଂଗ୍ରେସର ପ୍ରାର୍ଥୀ ଫସି ରହିଛନ୍ତି।
ପିପିଲି ରିଙ୍ଗ୍ ଫାଇଟର (Pipili By poll) ଗୋଟିଏ ପଟେ ଅଭିଜ୍ଞତା, ଅନ୍ୟପଟେ ଅନୁକମ୍ପା। ଏହାରି ଭିତରେ କଂଗ୍ରେସ (Congress) ର ଉପସ୍ଥିତି କ୍ଷୀଣ ହୋଇଛି। ଆଜିସୁଦ୍ଧା ଦେଶର ସର୍ବପୁରାତନ ଦଳ ନିଜ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ସେପଟେ ପିପିଲି ଉପ-ନିର୍ବାଚନ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା ଦେଇଛନ୍ତି। ୩୦ ତାରିଖ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହେବ। ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ, ନିଶିକାନ୍ତ ମିଶ୍ରଙ୍କ ଭିତରୁ ଜଣେ ପ୍ରାର୍ଥୀ ହେବେ। କମିଟି ରିପୋର୍ଟ ଦେଇ ସାରିଛି, AICC ଚୂଡାନ୍ତ କରିବ । କେନ୍ଦ୍ର ଓ ରାଜ୍ୟରୁ ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା କରିଛୁ । ସାରା ଦେଶରେ କଂଗ୍ରେସ ଭୋଟ୍ କମିଛି, ନିର୍ବାଚନ ଜିତିବାକୁ ଲଢିବୁ ବୋଲି PCC ସଭାପତି ନିରଞ୍ଜନ ପଟ୍ଟନାୟକ (Niranjan Patnaik) କହିଛନ୍ତି।
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି BJD ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) ପିପିଲି ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କରିଛନ୍ତି। ପିପିଲି କବଜା କରିବାରେ ବିଜେଡିର ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ (Rudra Pratap Maharathi) ଉପଯୁକ୍ତ ସେନାପତି ହେବେ ବୋଲି ସେ ସ୍ଥିର କରିଛନ୍ତି। ସେଥିପାଇଁ ନବୀନ ଟିକଟ ପାଇଁ ଲବି କରୁଥିବା ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ନାଁ ବଦଳରେ ଆଜି ବିଧିବଦ୍ଧ ଭାବେ ରୁଦ୍ରଙ୍କୁ ବିଜେଡିର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ବାପାଙ୍କ ଆସନରେ ରୁଦ୍ର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ। ଆଉ ଏହା ତାଙ୍କ ପାଇଁ ଗୋଟିଏ ବଡ଼ ଅଗ୍ନିପରୀକ୍ଷା ହେବ।
ପ୍ରଦୀପ ମହାରଥୀ (Pradip Maharathy) ପିପିଲି ଆସନରୁ ଲଗାତାର ବିରୋଧୀଙ୍କୁ ମାତ୍ ଦେଇ ବିଧାନସଭାକୁ ନିର୍ବାଚିତ ହୋଇଆସିଛନ୍ତି। ପ୍ରଦୀପ ରାଜନୀତି ମୈଦାନର ଜଣେ ପୋଖତ ଖେଳାଳି ଥିଲେ। ଏଭଳି ସ୍ଥିତିରେ ବାପାଙ୍କ ବିରୋଧୀଙ୍କୁ ନବାଗତ ରୂଦ୍ର କେମିତି ସାମନା କରିବେ? ଦଳ ତାଙ୍କ ଉପରେ ଯେଉଁ ଭରସା କରି ଟିକଟ ଦେଇଛି, ତାହାକୁ ରୁଦ୍ର କେମିତି ଠିକ୍ ସାବ୍ୟସ୍ତ କରିବେ? ଏହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। କିନ୍ତୁ ପ୍ରାର୍ଥୀ ଘୋଷଣା ପରେ ରୁଦ୍ର ଦଳୀୟ ସୁପ୍ରିମୋଙ୍କୁ ଧନ୍ୟବାଦ ଦେବା ସହ, ସେ ପିପିଲି ମାଟିର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି।
ସେପଟେ BJP ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ (Ashrit Patnaik) ଆଜି ପ୍ରାର୍ଥିପତ୍ର ଦାଖଲ କରିବା ସହ ପ୍ରଚାର ଜୋରଦାର କରିଛନ୍ତି। ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଯାଇ ଆଶ୍ରିତ ପୁରୀ ଏଡିଏମ୍ ଅଫିସ (Puri ADM office) ରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜେପି ତାଙ୍କ ଉପରେ ଭରସା କରି ପୁଣି ପ୍ରାର୍ଥୀ କରିଛି। ଏଥର ସେ ପିପିଲି (Pipili) ଆସନ ଜିତିବେ ଓ ୩୫ ବର୍ଷର କ୍ଷମତାକୁ ହଟେଇବେ। ଏହାସହ ବାକି ୩୫ ମାସର କାର୍ଯ୍ୟକାଳ ଭିତରେ ଜନତାଙ୍କ ପାଇଁ କାମରେ କରି ଦେଖାଇବେ ବୋଲି ଆଶ୍ରିତ କହିଛନ୍ତି।
ଗୋଟିଏ ପଟେ ବିଜେଡିର ନବାଗତ ରୁଦ୍ର ଆଉ ଅନ୍ୟପଟେ ପିପିଲି ଆସନରୁ ଦୁଇ ଦୁଇଥର ନିର୍ବାଚନ ଲଢ଼ିଥିବା ଆଶ୍ରିତ ଅଛନ୍ତି। କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାକଫୁଟରେ ଅଛି। ରୁଦ୍ର ପିପିଲି ଆସନରୁ ବହୁବାର ବିଜୟୀ ପ୍ରଦୀପ ମହାରଥୀଙ୍କ ପୁଅ ଓ ଆଉ ଷ୍ଟ୍ରଙ୍ଗ୍ ଦଳ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ତେଣୁ ଜନତାଙ୍କ ମତ ତାଙ୍କ ସପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ୨୦୧୯ ନିର୍ବାଚନରେ ପ୍ରଦୀପଙ୍କୁ ବିଜେପିର ଆଶ୍ରିତ କଡ଼ା ଟକ୍କର ଦେଇଥିଲେ। ସେ ନିଜ ସପକ୍ଷରେ ୭୦ ହଜାରରୁ ଅଧିକ ଭୋଟ ହାତେଇଥିଲେ। ଏଭଳି ସ୍ଥିତିରେ ଏଥର ପିପିଲି ଫାଇଟରେ ଏହି ଦୁଇଦଳ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ।