President Election 2022: ସଂଖ୍ୟା ବଳ ଆଧାରରେ କାହା ପଲ୍ଲା ଭାରୀ? ଏନଡିଏ ନା ବିରୋଧି
Advertisement
Article Detail0/zeeodisha/odisha1263476

President Election 2022: ସଂଖ୍ୟା ବଳ ଆଧାରରେ କାହା ପଲ୍ଲା ଭାରୀ? ଏନଡିଏ ନା ବିରୋଧି

Presidential Election 2022: ସଂଖ୍ୟାବଳ ଦୃଷ୍ଟିରୁ ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। ଏହି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାୟ ୬୦ ପ୍ରତିଶତରୁ ଅଧିକ ସମର୍ଥନ ମିଳିବା ନେଇ ପୂର୍ବାନୁମାନ କରାଯାଉଛି। 

President Election 2022: ସଂଖ୍ୟା ବଳ ଆଧାରରେ କାହା ପଲ୍ଲା ଭାରୀ? ଏନଡିଏ ନା ବିରୋଧି

Presidential Election 2022: ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଚଳିତ ବର୍ଷ ଜୁଲାଇ ୧୮ ତାରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି ଭୋଟ ଗ୍ରହଣ। ଏହି ନିର୍ବାଚନରେ ପ୍ରାୟ ଦେଶର ପ୍ରାୟ ୪୮୦୦ ସାଂସଦ ଏବଂ ବିଧାୟକ ମତଦାନ କରିଛନ୍ତି। ଏହି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହେଉଛି। ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଭାରତରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କୌଣସି ପ୍ରାର୍ଥୀଙ୍କ ଲାଗି ସଂଖ୍ୟା ବଳ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥାଏ। 

ସଂଖ୍ୟାବଳ ଦୃଷ୍ଟିରୁ ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ଦଳର ସମର୍ଥନ ରହିଛି। ଏହି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାୟ ୬୦ ପ୍ରତିଶତରୁ ଅଧିକ ସମର୍ଥନ ମିଳିବା ନେଇ ପୂର୍ବାନୁମାନ କରାଯାଉଛି। ତାଙ୍କୁ ବିଜେଡି, YSR କଂଗ୍ରେସ, ବିଏସପି, ଏଆଇଏଡିଏମକେ, ଜେଡିଏସ, ଟିଡିପି, ଶିରୋମଣି ଅକାଳୀ ଦଳ, ଶିବସେନା, ଜେଏମଏମ ଆଦି ଦଳର ସମର୍ଥନ ରହିଛି। ମତଦାନ ପରେ ଏନଡିଏ ପ୍ରାର୍ଥୀଙ୍କୁ ମୋଟ ଉପରେ ପ୍ରାୟ ଦୁଇ-ତୃତୀୟାଂଶ ସମର୍ଥନ ମିଳିବା ନେଇ ଆଶା କରାଯାଉଛି। ନାମାଙ୍କନ ଦାଖଲ କରିବା ବେଳେ ତାଙ୍କ ପାଖରେ ପ୍ରାୟ ୫୦ ପ୍ରତିଶତ ଭୋଟ ରହିଥିଲା। 

​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଖରେ ମୋଟ ୧୦ ଲକ୍ଷ ୮୬ ହଜାର ୪୩୧ ଭୋଟ ମଧ୍ୟରୁ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟର ଭୋଟ ରହିଛି। ଏହି ଭୋଟ ମଧ୍ୟରୁ ୩.୦୮ ଲକ୍ଷ ଭୋଟ ଶାସକ ବିଜେପି ଏବଂ ଏହାର ସହଯୋଗୀ ଦଳ ପାଖରେ ରହିଛି। ବିଜେଡ଼ି ପାଖରେ ପ୍ରାୟ ୩୨ ହଜାର ଭୋଟ ରହିଛି। ଦଳ ପାଖରେ ପ୍ରାୟ ୨.୯ ପ୍ରତିଶତ ଭୋଟ ରହିଛି। 

ଅନ୍ୟପଟେ AIADMK ଦଳର ୧୭ ହଜାର ୨୦୦, YSR କଂଗ୍ରେସ ପାର୍ଟିର ୪୪ ହଜାର, ତେଲୁଗୁ ଦେଶମ ପାର୍ଟିର ୬୫୦୦, ଶିବସେନାର ୨୫ ହଜାର, ଜେଡିଏସର ୫୬୦୦ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି। ଗତ ଜୁନ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳାଫଳ ଆସିବା ପରେ ଉପର ବିଜେପି ସାଂସଂଦଙ୍କ ସଂଖ୍ୟା ୯୨ ରହିଛି। ଲୋକସଭାରେ ଦଳର ୩୦୩ ଜଣ ସାଂସଦ ଅଛନ୍ତି। ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଆଦି ୪ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ​​ବିଜେପିର ବିପୁଳ ବିଜୟ ଦଳ ଆହୁରି ମଜବୁତ ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ​​ଉତ୍ତର ପ୍ରଦେଶର ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ଦେଶର ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ ଅଧିକ। ଏହି ରାଜ୍ୟରେ ବିଜେପି କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିଛି।

ଏନଡିଏ ମେଣ୍ଟରେ ବିଜେପି ବିଧାୟକ ତଥା ଏହାର ସହଯୋଗୀଙ୍କ ସଂଖ୍ୟା ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ କମ ରହିଥିଲା। ହେଲେ ବର୍ତ୍ତମାନ ବିଜେପି ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତାହେଲେ ସେ ଦେଶର ରାଷ୍ଟ୍ରମୁଖ୍ୟ ପଦବୀ ଗ୍ରହଣ କରିବାରେ ସ୍ୱାଧୀନତା ପରେ ଜନ୍ମିତ ପ୍ରଥମ ରାଜନେତା ହେବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚକ ମଣ୍ଡଳରେ (Electoral College) ବିଜେପି ପାଖରେ ପ୍ରାୟ ଅଧା ଭୋଟ୍ ମୂଲ୍ୟ ରହିଛି। ଯେଉଁଥିରେ ଦଳୀୟ ବିଧାୟକଙ୍କ ମତ ରହିଛି। ସହଯୋଗୀ ଜେଡିଏସ, ରାଷ୍ଟ୍ରୀୟ ଲୋକ ଜନକ୍ଷେତ୍ର ପାର୍ଟି, ଅପନା ଦଳ ଏବଂ ଉତ୍ତର-ପୂର୍ବ ରାଜ୍ୟର ଅନ୍ୟ କେତେକ ଦଳର ଭୋଟ୍ ଯୋଡିବା ପରେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନ ସଂଖ୍ୟାରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିରୋଧି ୟୁପିଏ ସାଂସଦଙ୍କ ଭୋଟ୍ ୧.୫ ଲକ୍ଷରୁ ଅଧିକ ଏବଂ ରାଜ୍ୟରୁ ଏହାର ବିଧାୟକଙ୍କ ଭୋଟ୍ ସଂଖ୍ୟା ମଧ୍ୟ ସମାନ ହେବ। 

ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ମତଦାନ କରିଥାନ୍ତି। ମାତ୍ର ଦେଶର ସମସ୍ତ ରାଜ୍ୟର ବିଧାୟକଙ୍କ ଭୋଟ ମୂଲ୍ୟ ସମାନ ହୋଇନଥାଏ। ମୋଟ ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ପ୍ରତ୍ୟେକ ବିଧାୟକ ଭୋଟ୍ ମୂଲ୍ୟ ହେଉଛି ୨୦୮। ଅର୍ଥାତ୍ ସେମାନଙ୍କର ମୋଟ ମୂଲ୍ୟ ହେଉଛି ୮୩ ହଜାର ୮୨୪। ସେହିପରି ତାମିଲନାଡୁ ଏବଂ ଝାଡଖଣ୍ଡ ଆଦି ରାଜ୍ୟ ଦ୍ୱୟରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୭୬। ଏହିକ୍ରମରେ ମହାରାଷ୍ଟ୍ରରେ ୧୭୬, ବିହାରରେ ୧୭୩, ଆନ୍ଧ୍ରପ୍ରଦେଶରେ ୧୫୯ ରହିଛି। 

ଆୟତନ ଦୃଷ୍ଟିରୁ ଦେଶର ଛୋଟ ରାଜ୍ୟ ସିକ୍କିମର ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ହେଉଛି ୭। ଏହା ସହିତ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରତ୍ୟେକ ବିଧାୟକ ଭୋଟ ମୂଲ୍ୟ ହେଉଛି ୮।  ଏହି ସଂଖ୍ୟା ନାଗାଲାଣ୍ଡରେ ୯, ମେଘାଳୟରେ ୧୭, ମଣିପୁରରେ ୧୮ ଏବଂ ଗୋଆରେ ୨୦ ରହିଛି।

Also Read: Presidential Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ କେତେ ଭୋଟ?

Also Read: Presidential Election 2022: ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହେଲା ମତଦାନ