ନୂଆଦିଲ୍ଲୀ: ବିହାର ପରେ ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରବେଶ କରିଛ ଏଆଇଏମଆଇଏମ। ଗତବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ସଫଳତା ପାଇବା ପରେ ଏବେ ଉତ୍ତର ପ୍ରଦେଶ ରାଜନୀତିରେ ଉପସ୍ଥିତି ଜମାଇବାକୁ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ।
ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ପ୍ରତିଦ୍ୱନ୍ଦ୍ୱିତା କରିବ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ (All India Majlis-e-Ittehadul Muslimeen) ଏଆଇଏମଆଇଏମ (AIMIM)। ଏନେଇ ସେପ୍ଟମ୍ବର ୭ ତାରିଖ ମଙ୍ଗଳବାର ଠାରୁ ୩ ଦିନିଆ ରାଜ୍ୟ ଗସ୍ତରେ ଆସୁଛନ୍ତି ଦଳୀୟ ସୁପ୍ରିମୋ (AIMIM Supremo) ତଥା ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP) ଅସାଦୁଦ୍ଦିନ ଓୱେସୀ (Asaduddin Owaisi)।
ଏହି ଗସ୍ତ ଅବସରରେ ଆସନ୍ତାକାଲି ଅର୍ଥାତ ସେପ୍ଟମମ୍ବର ୮ ବୁଧବାର ଉତ୍ତର ପ୍ରଦେଶର ସୁଲତାନପୁର ଏବଂ ସେପ୍ଟମମ୍ବର ୮ ଗୁରୁବାର ବାରାବାଙ୍କୀ ଜିଲ୍ଲାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବେ ଏଆଇଏମଆଇଏମ ସୁପ୍ରିମୋ।
ଉତ୍ତର ପ୍ରଦେଶ ଗସ୍ତ ଆରମ୍ଭରୁ ହିଁ ବିବାଦୀୟ ହୋଇପଡିଛନ୍ତି ହାଇଦ୍ରାବାଦ ଲୋକସଭା ସାଂସଦ। ଏହାର କାରଣ ହେଉଛି କିଛି ଦିନ ପୂର୍ବେ ଦଳ ପକ୍ଷରୁ କରାଯାଇଥିବା ଏକ ଚ୍ୱିଟ୍। ଉତ୍ତର ପ୍ରଦେଶ ଗସ୍ତ ପୂର୍ବରୁ ଅଯୋଧ୍ୟା (Ayodhya) ଜିଲ୍ଲାର ନାମକୁ ଏଆଇଏମଆଇଏମ ପକ୍ଷରୁ ଫୈଜାବାଦ (Faizabad) ବୋଲି ଲେଖିବାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଏନେଇ ବିବାଦ ତେଜିବାରୁ ଏହି ଟ୍ୱିଟ୍କୁ ହଟାଇ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।
ଗସ୍ତର ପ୍ରଥମ ଦିନରେ ଅଯୋଧ୍ୟାସ୍ଥିତ ରୂଦୌଲୀ ନାମକ ସ୍ଥାନରେ ଆୟୋଜିତ ହୋଇଥିବା ମୁସଲମାନ, ଦଳିତ, ପଛୁଆବର୍ଗ, ବଞ୍ଚିତ ଶୋଷିତ ବର୍ଗର ଲୋକଙ୍କ ଅଧିକାରକୁ ନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ହାଇଦ୍ରାବାଦ ସାଂସଦ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ ଦଳ ଏହି ବର୍ଗର ଲୋକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ। ଉତ୍ତର ପ୍ରଦେଶର ମୋଟ ୪୦୩ ଆସନ ମଧ୍ୟରୁ ୧୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି।
ଦଳ ଏଥର ଓମପ୍ରକାଶ ରାଜଭରଙ୍କ (Om Prakash Rajbhar) ନେତୃତ୍ୱାଧିନ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party), ବାବୁ ସିଂହ କୁଶୱାହାଙ୍କ (Babu Singh Kushwaha) ନେତୃତ୍ୱାଧିନ ଜନ ଅଧିକାର ପାର୍ଟି (Jan Adhikar Party), ବାବୁ ରାମପାଲଙ୍କ (Babu Rampal) ନେତୃତ୍ୱାଧିନ ରାଷ୍ଟ୍ରୀୟ ଉଦୟ ପାର୍ଟି (Rashtra Uday Party), ପ୍ରେମଚନ୍ଦ୍ର ପ୍ରଜାପତିଙ୍କ ନେତୃତ୍ୱାଧିନ ରାଷ୍ଟ୍ରୀୟ ଉପେକ୍ଷିତ ସମାଜ ପାର୍ଟି (Rashtriya Upekshit Samaj Party), ଅନିଲ ସିଂହ ଚୌହ୍ୱାନଙ୍କ (Anil Singh Chauhan) ନେତୃତ୍ୱାଧିନ ଜନତା କ୍ରାନ୍ତି ପାର୍ଟି (Jan Kranti Party), ରାମକରଣ କଶ୍ୟପଙ୍କ (Ramkaran Kashyap) ନେତୃତ୍ୱାଧିନ ଭାରତୀୟ ବଞ୍ଚିତ ସମାଜ ପାର୍ଟି (Bharatiya Vanchit Samaj Party), ରାମଧାନୀ ବିନ୍ଦଙ୍କ (Ramdhani Bind) ନେତୃତ୍ୱାଧିନ ଭାରତୀୟ ମାନବ ସମାଜ ପାର୍ଟି (Bhartiya Manav Samaj Party) ପ୍ରଭୃତି ଦଳଙ୍କୁ ନେଇ ଗଠିତ ଭାଗୀଦାର ସଙ୍କଳ୍ପ ମୋର୍ଚ୍ଚା (Bhagidari Sankalp Morcha) ମେଣ୍ଟରେ ସାମିଲ ହୋଇଛି। ଏହି ମେଣ୍ଟରେ ସାମିଲ ହେବା ଲାଗି ଭୀମ ଆର୍ମି (Bhim Army) ଏବଂ ଚନ୍ଦ୍ରଶେଖର ଆଜାଦ ରାବଣଙ୍କ (Chandrashekhar Azad Ravan) ନେତୃତ୍ୱାଧିନ ଆଜାଦ ସମାଜ ପାର୍ଟିକୁ (Azad Samaj Party) ନିମନ୍ତ୍ରଣ ମିଳିଛି।