ଅଠରନଳା ସହ ମୁଷା ନଦୀର ଫେରିବ ଚମକ
Advertisement
Article Detail0/zeeodisha/odisha802356

ଅଠରନଳା ସହ ମୁଷା ନଦୀର ଫେରିବ ଚମକ

ଅଠରନଳା ସହ ମୁଷା ନଦୀର ପୁନଃରୁଦ୍ଧାର ସହ ହେବ ସୌନ୍ଦର୍ଯ୍ୟକରଣ।

ଅଠରନଳା ସହ ମୁଷା ନଦୀର ଫେରିବ ଚମକ

ସଞ୍ଜୟ ମହାପାତ୍ର,ପୁରୀ: ଅଠରନଳା (Atharanala) ସହ ମୁଷା ନଦୀର (Musanadi River) ପୁନଃରୁଦ୍ଧାର ସହ ହେବ ସୌନ୍ଦର୍ଯ୍ୟକରଣ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତବର୍ଷ ୮୫ କୋଟି ଟଙ୍କାର ଅନୁଦାନ ମିଳିଥିଲା। ସେଥିରେ ମୁଷା ନଦୀକୁ ମଙ୍ଗଳାନଦୀ ସହ ସଂଯୋଗୀକରଣ କରିବା ସହିତ ଏହି ନଦୀ ପରିବେଶକୁ ବିକଶିତ କରି ରିଭର ଫ୍ରଣ୍ଟ ଟୁରିଜିମ (River Front Tourism) କରାଯିବାର ଯୋଜନା ହୋଇଛି। 

ଅଠରନଳା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛି ଉନ୍ନତିମୁଳକ କାର୍ଯ୍ୟ। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨ ବର୍ଷ ହେଲା ଜାରି ରହିଥିବା ବେଳେ ଜମି ଅଧିଗ୍ରହଣ ଏବେ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ପୁରୀ ଉପଜିଲାପାଳ। ଗତବର୍ଷ ଠାରୁ ଏଯାବତ କାମ ଚାଲିଥିବା ବେଳେ କେବେ ସରିବ ପ୍ରକଳ୍ପ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ।
 
ଶ୍ରୀକ୍ଷେତ୍ର (Srikhetra) ମଧ୍ୟରେ ଏକମାତ୍ର ମଧୁର ଜଳ ପ୍ରବାହିତ ନଦୀ ଭାବେ ମୁଷା ରହିଥିବା ବେଳେ ଏବେ ତାହା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏହା ସହ ନଦୀ ଉପରେ ଅଠରନଳା ପୋଲ ରହିଥିବା ବେଳେ ତାହା ଐତିହ୍ୟ କୀର୍ତ୍ତୀରାଜି (Historical Monuments) ଭାବେ ମାନ୍ୟତା ପାଇଥିବାରୁ ସରଂକ୍ଷଣ ଦାୟିତ୍ୱ ନେଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ-ଏଏସଆଇ (ASI-Archaeological Survey of India) । 

ମହାପ୍ରଭୁଙ୍କ ଦାରୁ ଆସିବା ପାଇଁ ସେତେବେଳର ଗଜପତି ମହାରାଜା ଏହି ଅଠରନଳାକୁ ଶ୍ରୀକ୍ଷେତ୍ରର ପ୍ରବେଶ ଦ୍ୱାର ନିକଟରେ ମୁଷା ନଦୀ ଉପରେ ନିର୍ମାଣ କରିଥିଲେ। ଧିରେ ଧିରେ ଜନବସତି ବଢିବା ପରେ ମୁଷା ନଦୀ ଜରାଜୀର୍ଣ୍ଣ ହୋଇ ପଡିରହିବା ସହ ସହରର ନାଳ ନର୍ଦ୍ଧମା ପାଣିକୁ ସେହି ନଦୀରେ ଛଡାଯିବା ଦ୍ୱାରା ତାହା ପ୍ରଦୂଷିତ ହୋଇଯାଇଛି। ସେପଟେ କିଛି ଜବର ଦଖଲକାରୀ ମଧ୍ୟ ନଦୀ ଭିତରେ ଘର ଆପାର୍ଟମେଣ୍ଟ ନିର୍ମାଣ କରି ଏହାକୁ ନିଜ ଦଖଲକୁ ନେଇ ସାରିଲେଣି। 

ପ୍ରଶାସନିକ ସ୍ତରରେ ଖାଲି ନଦୀକୁ ସଫା କରାଯାଇଥିବା ବେଳେ ଉନ୍ନତିମୁଳକ କାର୍ଯ୍ୟରେ ଏହି ନଦୀ ସଙ୍କୁଚିତ ହୋଇଗଲାଣୀ। କେବେ ସରିବ ଏହି ପ୍ରକଳ୍ପ କାମ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ। ଗତବର୍ଷ କ୍ୟାବିନେଟ ନିଷ୍ପତି ଅନୁସାରେ ଶ୍ରୀକ୍ଷେତ୍ରର ଐତିହ୍ୟ କୀର୍ତ୍ତିରାଜି ବହନ କରୁଥିବା ଅଠରନଳାର ସୌନ୍ଦର୍ଯ୍ୟକରଣ ଏବଂ ମୁଷା ନଦୀର ପୁନଃରୁଦ୍ଧାର ପାଇଁ ୮୫ କୋଟି ଟଙ୍କାର ଅନୁଦାନ ମିଳିଥିଲା। 

Also Read: ପୁଣି ଫେରିଲା ମହାନଦୀ ପ୍ରସଙ୍ଗ; ସରକାରଙ୍କୁ ବିରୋଧିଙ୍କ ପ୍ରଶ୍ନବାଣ

 

ଏନେଇ ଗତବର୍ଷ ଠାରୁ ଆରମ୍ଭ ହୋଇଯାଇଥିଲା ନଦୀ ସଫେଇ ସହ ଖନନ କାର୍ଯ୍ୟ। ସେଥିରେ ମୁଷାନଦୀକୁ ମଙ୍ଗଳାନଦୀ ସହ ସଂଯୋଗୀକରଣ କରାଯିବ ସହ ଏହାର ପରିବେଶକୁ ବିକଶିତ କରି ରିଭର ଫ୍ରଣ୍ଟ ଟୁରିଜିମ କରାଯିବାର ଯୋଜନା ହୋଇଛି। ଏହା ସହିତ ୫ କୋଟି ଖର୍ଚ୍ଚ କରାଯାଇ ଏଏସଆଇ ସହ ଆଲୋଚନା କରି ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ। ସେପଟେ ନିକଟରେ ଏକ ବିଶାଳକାୟ ଗରୁଡ ମୁର୍ତ୍ତୀ ସ୍ଥାପନ କରାଯାଇଥିବା ବେଳେ ସେଠାରେ ଏକ ପାର୍କ ନିର୍ମାଣ କରାଯାଇଛି। 

ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨ ବର୍ଷ ହେଲା ଜାରୀ ରହିଥିବା ବେଳେ ଜମି ଅଧିଗ୍ରହଣ ଏବେ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଉପଜିଲାପାଳ। ଅଠରନଳା ସହ ମୁଷା ନଦୀର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନଦୀ ଭିତରେ ଜବରଦଖଲ ବାଧା ସୃଷ୍ଟି କରିଥିବା ସହ କୋର୍ଟ କଚେରୀ ମାମଲା ମଧ୍ୟ ରହିଛି। ସେପଟେ ଏଯାବତ ମୁଷା ନଦୀକୁ ଖାଲି ଖନନ କାର୍ଯ୍ୟ ଚାଲିଛି। ଏସବୁ ଭିତରେ କେବେ ସରିବ କାର୍ଯ୍ୟ ତାହାକୁ ଅପେକ୍ଷା।