Prathamastami: ଆଜି ପ୍ରଥମାଷ୍ଟମୀ, ପଢ଼ୁଆଁ ହେବେ ବଡ଼ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁଘରୁ ଆସିଛି ଭାର
Advertisement
Article Detail0/zeeodisha/odisha1443410

Prathamastami: ଆଜି ପ୍ରଥମାଷ୍ଟମୀ, ପଢ଼ୁଆଁ ହେବେ ବଡ଼ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁଘରୁ ଆସିଛି ଭାର

Prathamastami: ଆଜି ପ୍ରଥମାଷ୍ଟମୀ । ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀମନ୍ଦିର । ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହେବ । ଆଜି ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗି ଲାଗି କରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ ।

ସୌଜନ୍ୟ : ସୋସିଆଲ ମିଡିଆ

Prathamastami: ଆଜି ପ୍ରଥମାଷ୍ଟମୀ । ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀମନ୍ଦିର । ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହେବ । ଆଜି ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗି ଲାଗି କରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ । ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ବା ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହ ମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା ,ପତିମହାପାତ୍ର, ମୁଦିରସ୍ତ  ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି । ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତତ୍ପରେ ବେଶ ସୁଦୁସୁଆର ଠା କରିବା ପରେ ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି। ଏହି ପୂଜା ଶେଷ ପରେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠି ସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ ।

ସେପଟେ, ମହାପ୍ରଭୁଙ୍କ ପଢୁଆଁ ପାଇଁ ମାମୁଁ ଘରୁ ଶ୍ରୀମନ୍ଦିର ଅଭିମୁଖେ ମଙ୍ଗଳବାର ଆସିଥିଲା ପୋଢୁଆଁ ଭାର । ମାମୁଁଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଏହି ପୋଢୁଆଁ ଭାର ଆସିଛି । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଆସିଛି । ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ୧୫ ତାରିଖ ମଙ୍ଗଳବାର ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାରଯାତ୍ରା ବାହାରିଥିଲା । ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି  ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ , ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।  ପ୍ରତିବର୍ଷ ଶ୍ରୀମନ୍ଦିରକୁ ଶ୍ରୀମାଧବଜିଉଙ୍କ ପକ୍ଷରୁ ପଢ଼ୁଆଁ କରାଯାଇଥାଏ । ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭାର ଆସିଥିଲା ।

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ । ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏହି ଦିନ ବଂଶର ପ୍ରଥମ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।