ଅଘଟଣ ପରେ ଚେତିଲା ପ୍ରଶାସନ; ମହାପ୍ରସାଦ ଲାଗି ପାଇଁ ଜାରି ହେବ SOP
Advertisement
Article Detail0/zeeodisha/odisha910482

ଅଘଟଣ ପରେ ଚେତିଲା ପ୍ରଶାସନ; ମହାପ୍ରସାଦ ଲାଗି ପାଇଁ ଜାରି ହେବ SOP

ଯାତ ଭୋଗ ସମୟରେ ଜଣେ ସୁଆର ସେବକଙ୍କ ଗୋଡଖସି ମୁଣ୍ଡ ଫାଟିଯିବାରୁ ପଡିଥିଲା ଯାହା ଫଳରେ ଯାତଭୋଗ ସହ ୯୦ ହାଣ୍ଡି ଅନ୍ନ ଡାଲି ବେସର ମାରା ହୋଇଯାଇଥିବାରୁ କୋଇଲି ବୈକୁଣ୍ଠ ଠାରେ ପୋତାଯାଇଥିଲା। 

 

ଅଘଟଣ ପରେ ଚେତିଲା ପ୍ରଶାସନ; ମହାପ୍ରସାଦ ଲାଗି ପାଇଁ ଜାରି ହେବ SOP

ପୁରୀ: ଶ୍ରୀମନ୍ଦିରରେ ଭୋଗ ବାଢିବାକୁ ନେଇ ଖୁବଶୀଘ୍ର ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଏସଓପି। ଏହି ଆଧାରରେ ସୁଆର ସେବକ ଭୋଗ ତୋଳିବେ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ। ଗତ ଗୁରୁବାର ରତ୍ନସିଂହାସନ ନିକଟରେ ଭୋଗ ତୋଳା ସମୟରେ ତଳେ ପଡି ଆହତ ହୋଇଥିଲେ ଜଣେ ସେବାୟତ। ଗର୍ଭଗୃହରେ ରକ୍ତ ଛିଟା ପଡିବାରୁ ଯାତ ଭୋଗ ସହ ୯୦ ହାଣ୍ଡି ମହାପ୍ରସାଦ ପୋତା ଯାଇଥିଲା। 

ଏହି ବିଭ୍ରାଟକୁ ନେଇ ଚାରିଘଣ୍ଟା ନିତି ବିଳମ୍ବ ଏବଂ ସୁଆର ସେବକଙ୍କ ଅନଧିକାର ପ୍ରବେଶକୁ ନେଇ ସୁଆର ମହାସୁଆର ନିଯୋଗକୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration)। ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିଯୋଗ ସମ୍ପାଦକ।

ଗତ ଗୁରୁବାର ଶ୍ରୀମନ୍ଦିର ଗର୍ଭଗୃହରେ ଘଟିଥିଲା ଅଘଟଣ। ଯାତ ଭୋଗ ସମୟରେ ଜଣେ ସୁଆର ସେବକଙ୍କ ଗୋଡଖସି ମୁଣ୍ଡ ଫାଟିଯିବାରୁ ପଡିଥିଲା ରକ୍ତଛିଟା। ଯାହାକୁ ନେଇ ମହାପ୍ରଭୁଙ୍କ ପାହାଡ ଉଠା ମହାସ୍ନାନ ନୀତି କରାଯିବାରୁ ଚନ୍ଦନଯାତ୍ରା ନୀତି ୪ଘଣ୍ଟା ବିଳମ୍ବ ହୋଇଥିଲା। ଯାହା ଫଳରେ ଯାତଭୋଗ ସହ ୯୦ ହାଣ୍ଡି ଅନ୍ନ ଡାଲି ବେସର ମାରା ହୋଇଯାଇଥିବାରୁ କୋଇଲି ବୈକୁଣ୍ଠ (Koili Baikuntha) ଠାରେ ପୋତାଯାଇଥିଲା। 

Also Read: Rathyatra 2021: କୋଭିଡ ଗାଇଡଲାଇନ ପାଳନ କରି ହେଉଛି ରଥ ନିର୍ମାଣ

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଜାରି ହୋଇଛି ନୋଟିସ। କେଉଁ କାରଣରୁ ଏଭଳି ଅଘଟଣର ସୂତ୍ରପାତ ହେଲା ତାହାର ତଦନ୍ତ କରାଯାଉଛି ବୋଲି ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି। ସେପଟେ ଶ୍ରୀମନ୍ଦିରରେ ଦିନକୁ ୪ ଥର କୋଠଭୋଗ ଲାଗି ହେଉଥିବା ବେଳେ ଯାତ ଭୋଗ ପ୍ରସ୍ତୁତ କରିଥାଏ ଶ୍ରୀମନ୍ଦିର ପ୍ରଶାସନ। ସକାଳ ଧୂପରେ କୋଠଭୋଗ ଲାଗି କରାଯାଉଥିବା ବେଳେ ମଧ୍ଯାନ୍ନ ଧୂପ ଏବଂ ସନ୍ଧ୍ଯା ଧୂପରେ ଯାତଭୋଗ ଲାଗି କରାଯାଇଥାଏ। 

କେବଳ ଚନ୍ଦନଯାତ୍ରା ସମୟରେ ମହାପ୍ରଭୁଙ୍କ ଯାତଭୋଗ ହେଉଥିବା ବେଳେ ସେଥିରେ ବିଭିନ୍ନ ପ୍ରକାର ପିଠା ସହ ଶୁଖିଲା ଭୋଗ ଲାଗି ହେବାର ବ୍ଯବସ୍ଥା ରହିଛି। ହେଲେ କିଛି ସୁଆର ସେବକ ଅର୍ଥ ଲାଳସାରେ ମହାପ୍ରଭୁଙ୍କ ନିକଟରେ ବରାଦି ଡାଲି ବେସର ଆଦି ଭୋଗ ଲାଗି କରୁଥିବା ଅଭିଯୋଗ ହୋଇଛି। ଏହି ଯାତଭୋଗରେ ଅନଧିକାର ପ୍ରବେଶ କରି ବରାଦି ଅଭଡା ଲାଗି କରିବା ସମୟରେ ଘଟିଥିଲା ଅଘଟଣ। ଏନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ ନିଯୋଗ ନିକଟରେ ପହଞ୍ଚିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ।

Also Read: ଚାଲିଛି ଚନ୍ଦନଯାତ୍ରା ପ୍ରସ୍ତୁତି; ମହାପ୍ରଭୁଙ୍କ ଜଳକ୍ରୀଡା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

କେବଳ ଯାତ ଭୋଗ ନୁହେଁ ମଧ୍ଯାନ୍ନ ଧୂପରେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ଡାଲି ବେସର ଆଦି ଲାଗି ହେଉଥିବା ଅଭିଯୋଗ ହେଉଛି। ଏହି ନିୟମ ବହିର୍ଭୂତ କାର୍ଯ୍ୟ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଅନେକ ସମୟରେ ପ୍ରଭାବିତ ହେଉଛି। ଏହି ସମୟରେ ଅନ୍ନଭୋଗ ଶ୍ରୀମନ୍ଦିର ପରମ୍ପରା ବିରୋଧି ହୋଇଥିବାରୁ ଡାଲି ବେସର ଆଦି ଲାଗି କରି ଆଇନର ଅପବ୍ୟବହାର କରୁଛନ୍ତି। କେବଳ ଭୋଗ ମଣ୍ଡପ ବେଳେ ଅଭଡା ଲାଗି ପାଇଁ ନିୟମ ରହିଥିବା ବେଳେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଛି। 

ଭୋଗ ବଢାକୁ ସୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP)। ଯାତଭୋଗରେ ଡାଲି ବେସର ଆଦି ଭୋଗକୁ ବନ୍ଦ କରାଯିବ। ସକାଳ ଧୂପ, ମଧ୍ଯାନ୍ନ ଧୂପ, ସନ୍ଧ୍ୟା ଧୂପରେ କେବଳ ଯାତ ଭୋଗ ଛଡା ଅନ୍ଯ କୌଣସି ଭୋଗ ଲାଗି ପାରିବ ନାହିଁ ବୋଲି ରହିଥିବା ସ୍ପଷ୍ଟ ନିର୍ଦ୍ଦେଶନାମାକୁ କଡାକଡି ପାଳନ କରାଯିବ। ଏନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

Also Read: ଛତିଷା ନିଯୋଗ ବୈଠକ ଅନୁଷ୍ଠିତ; ଏଥର କଟକଣା ଭିତ୍ତିରେ ପାଳିତ ହେବ ପର୍ବ

ଶ୍ରୀମନ୍ଦିର ସଂସ୍କାର (Srimandir Reformation) ନେଇ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ଥାବ। ଏ ପର୍ଯ୍ୟନ୍ତ ତାହା କାର୍ଯ୍ଯକାରୀ କରିବାରେ ପ୍ରଶାସନ ବିଫଳ ହୋଇଥିବା ବେଳେ ସେବାୟତଙ୍କ ମନମାନି ନୀତି ବିଭ୍ରାଟକୁ ଖୋରାକ ଯୋଗାଇଛି।