ଖାଉଟିଙ୍କୁ ମହଙ୍ଗା ମାଡ଼; ଖାଇବା ତେଲ ଦର ୨୦ ଟଙ୍କା ବଢ଼ିଲା
Advertisement
Article Detail0/zeeodisha/odisha2432047

ଖାଉଟିଙ୍କୁ ମହଙ୍ଗା ମାଡ଼; ଖାଇବା ତେଲ ଦର ୨୦ ଟଙ୍କା ବଢ଼ିଲା

Oil price hiked: କେନ୍ଦ୍ର ସରକାର ୧୩ ତାରିଖରେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଲଗାଇବା ସହିତ ତାହାକୁ ୧୪ ତାରିଖରୁ ଲାଗୁ ନେଇ ନି‌ର୍ଦ୍ଦେଶନାମା ଜାରି କରିଥିଲେ। 

ଖାଉଟିଙ୍କୁ ମହଙ୍ଗା ମାଡ଼; ଖାଇବା ତେଲ ଦର ୨୦ ଟଙ୍କା ବଢ଼ିଲା

ଭୁବନେଶ୍ଵର: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦାମ ଦିନକୁ ଦିନ ବୃଦ୍ଧି ପାଇଛି। ବିଶେଷ କରି ଖାଉଟି ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍କ ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଛନ୍ତି। ଆମଦାନି ଶୁଳ୍କ ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିଛି। ଶୁଳ୍କ ବୃଦ୍ଧି ଫଳରେ ଭୁବନେଶ୍ବରର ଖୁଚୁରା ବଜାରରେ ବିଭିନ୍ନ ପ୍ରକାର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି। ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। 

ସେହିଭଳି ରିଫାଇନ୍‌ ଖାଇବା ତେଲର ପ୍ରଭାବୀ ଆମଦାନି ଶୁଳ୍କ ୧୩.୭୫ ପ୍ରତିଶତ ପରିବର୍ତ୍ତେ ୩୫.୭୫ ପ୍ରତିଶତକୁ ବଢ଼ିଯାଇଛି। ଦେଶରେ ତୈଳବୀଜ ଚାଷୀଙ୍କୁ ଲାଭ ପହଞ୍ଚାଇବା ପାଇଁ ସରକାର ଏହା କରିଛନ୍ତି ବୋଲି ସଫେଇ ଦେଇଥିଲେ ମଧ୍ୟ ଦେଶ ଭିତରେ ତୁରନ୍ତ ତେଲ ଦର ମହଙ୍ଗା ହୋଇଯାଇଛି। 

ସେହିଭଳି ବିଭିନ୍ନ ପ୍ରକାର ରିଫାଇନ ତେଲ ପୂର୍ବରୁ ଲିଟର ପିଛା ୧୦୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚଦାମ୍‌ରେ ବିକ୍ରି ହେଉଛି। କେନ୍ଦ୍ର ସରକାର ୧୩ ତାରିଖରେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଲଗାଇବା ସହିତ ତାହାକୁ ୧୪ ତାରିଖରୁ ଲାଗୁ ନେଇ ନି‌ର୍ଦ୍ଦେଶନାମା ଜାରି କରିଥିଲେ। ଏହାଦ୍ବାରା ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୫.୫ ପ୍ରତିଶତ ପରିବର୍ତ୍ତେ ୨୭.୫ ପ୍ରତିଶତକୁ ବଢ଼ିଯାଇଛି। 

ପୂର୍ବରୁ ମହଜୁଦ ଥିବା ତେଲ ଦରକୁ ମଧ୍ୟ ସେମାନେ ବଢ଼ାଇ ଦେଇଛନ୍ତି। ‌ଭୁବନେଶ୍ବରର ପାଇକାରୀ ବଜାରରେ ପୂର୍ବରୁ ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେଉଥିବା ସୋରିଷ ତେଲ ଦାମ୍‌ ଏବେ ୧୫୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ୧୧୦ରୁ ୧୧୧ ଟଙ୍କାରେ ବିକ୍ରି ହେଉଥିବା ସମୟରେ ଆଜି ଏହା ୧୨୨ ଟଙ୍କାରେ ବିକ୍ରି ହୋଇଛି। ପାମୋଲିନ ତେଲ ଦର ୯୦ରୁ ୯୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ଏହା ପାଇକାରୀ ବଜାରରେ ୧୦୭ ଟଙ୍କାରେ ବିକ୍ରି ହେଉଛି। ପାଇକାରୀ ବଜାରରେ ଦର ବଢ଼ିବା ପରେ ଖୁଚୁରା ବଜାରରେ ଏହାର ପ୍ରଭାବ ପଡ଼ିଛି। ଖୁଚୁରା ବ୍ୟବସାୟୀମାନେ ଲଗାମହୀନ ହୋଇ ମନଇଚ୍ଛା ଲାଭ ରଖିବା ସହିତ ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି।