)
ଭୁବନେଶ୍ୱର: ଗୋରଖପୁରରୁ ହଟିଆ ଚାଲୁଥିବା ଏକ୍ସପ୍ରେସ ଟ୍ରେନ୍ ଯାତ୍ରା ଏଣିକି ସମ୍ବଲପୁର ଯାଏଁ ସମ୍ପ୍ରସାରିତ ହେବ। ସମ୍ବଲପୁରଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
ଆଜି ସକାଳେ ସମ୍ବଲପୁର ଗସ୍ତ କରି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହାସହ ସମ୍ବଲପୁର ରେଳ ଷ୍ଟେସନକୁ ନୀରିକ୍ଷଣ କରି ସମ୍ପୃକ୍ତ ଷ୍ଟେସନର ନବୀକରଣ ନେଇ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି, ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମ୍ପ୍ରସାରଣ ଦ୍ୱାରା ସମ୍ବଲପୁର, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ରେଳଷ୍ଟସନ୍ର ପୁନର୍ବିକାଶ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ ବୋଲି ସେ କହିଛନ୍ତି। ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ପ୍ରାୟ 370 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଷ୍ଟେସନ ମାଧ୍ୟମରେ ସହରର ଉଭୟ ପାର୍ଶ୍ୱ ସଂଯୋଗ ହୋଇପାରିବ ଏବଂ ସମସ୍ତ ଆଧୁନିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।