Election Results 2024: ନିର୍ବାଚନ ଫଳାଫଳ ଘୋଷଣାକୁ ନେଇ ପୁଲିସର ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା
Advertisement
Article Detail0/zeeodisha/odisha2275832

Election Results 2024: ନିର୍ବାଚନ ଫଳାଫଳ ଘୋଷଣାକୁ ନେଇ ପୁଲିସର ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା

ଏଥିସହ ଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛି। ଏଥିନିମନ୍ତେ ତ୍ରିସ୍ତରୀୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବଭଳି ପ୍ରାର୍ଥୀମାନେ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଅଧିକାରୀ ମାନେ ଆଶାବ୍ୟକ୍ତ କରିଥିଲେ।

Election Results 2024: ନିର୍ବାଚନ ଫଳାଫଳ ଘୋଷଣାକୁ ନେଇ ପୁଲିସର ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା

Election Results 2024: ଭୁବନେଶ୍ବର: ଆସନ୍ତାକାଲି ଭୋଟ ଗଣତି। ନିର୍ବାଚନ ଫଳାଫଳ ଘୋଷଣା ବେଳେ ଆଇନଶୃଙ୍ଖଳା ସ୍ଥିତି ନେଇ ଓଡ଼ିଶା ପୁଲିସ ପ୍ରସ୍ତୁତି  କରିଛି। ଏନେଇ ସଜାଗ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ନିିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ନିର୍ବାଚନ ଫଳାଫଳ ଘୋଷଣା ପରେ ହେବାକୁ ଥିବା ଶୋଭାଯାତ୍ରା କିମ୍ବା ସାଧାରଣ ଯାତ୍ରା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ କରାଯାଇଛି। 

ଫଳା ଫଳ ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ସବୁ ଷ୍ଟ୍ରଙ୍ଗରୁମ୍। ଷ୍ଟ୍ରଙ୍ଗରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ। 
ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ୍ଣ କ୍ୟାମ୍ପସ୍। ଏଥିପାଇଁ ଉଭୟ ସିଏପିଏଫ୍ ଓ ଷ୍ଟେଟ୍ ଆର୍ମଡ଼ ପୁଲିସ ସହ କମିଶନରେଟ୍ ପୁଲିସ ଷ୍ଟ୍ରଙ୍ଗରୁମ୍ ଦାୟିତ୍ୱରେ ରହିଛନ୍ତି। କିଛି ବି ଅଘଟଣ ଘଟିବା ପୂର୍ବରୁ ସେମାନେ କଡ଼ା ଜବାବ ଦେବେ ବୋଲି କୁହାଯାଇଛି। 

ସେପଟେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ। ଜୁନ୍ ୬ ପର୍ଯ୍ୟନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ ସିଏପିଏଫ୍। ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ ସିଏପିଏଫ୍ ମୁତୟନ ନିଷ୍ପତ୍ତି ନିଆଯାଇଛି। 

ସେହିପରି ବିଜୟୀ ପ୍ରାର୍ଥୀ ଓ ପ୍ରତିପକ୍ଷ ଯେପରି ମୁହାଁମୁହିଁ ନ ହୁଅନ୍ତି ସେଥିପାଇଁ ଶୋଭାଯାତ୍ରା ବା ସଭା ପାଇଁ ସ୍ୱତନ୍ତ୍ର ରୁଟ୍ ଓ ସ୍ଥାନ ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚାଲିଛି। ଶୋଭାଯାତ୍ରା ଓ ସଭାସ୍ଥଳରେ ସ୍ୱତନ୍ତ୍ର ବାହିନୀ ଜଗି ରହିବେ ବୋଲି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଫଳାଫଳ ଜଣାପଡ଼ିବା ପରେ କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପର୍ଯ୍ୟାପ୍ତ ଦଙ୍ଗା ମୁକାବିଲା ସାମଗ୍ରୀ ଓ ପାଣିମାଡ଼ କରୁଥିବା ଗାଡ଼ି ଉପରେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ। 

ଅନ୍ୟପଟେ ଭୋଟଗଣନା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରଯାଇଛି। ମୁଖ୍ୟତଃ ଭୁବନେଶ୍ଵର ଲୋକସଭାର ଖୋର୍ଦ୍ଧା ଜିଲ୍ଲା ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ପାଇଁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୋଟ ଗଣତି ପ୍ରକ୍ରିୟା ଓ ଏ ସଂକ୍ରାନ୍ତୀୟ ସମସ୍ତ ନୀତି ନୀୟମ, ବିଭିନ୍ନ ପ୍ରାର୍ଥୀମାନଙ୍କ ପ୍ରତିନିଧି ନିଯୁକ୍ତି ଏବଂ ଗଣନା କାର୍ଯ୍ୟରେ ସହଯୋଗ ଲୋଡ଼ିବା ନେଇ ବୈଠକ ସରିଛି।  

ବୈଠକରେ କୁହାଯାଇଛି ଯେ, ଆସନ୍ତା ୪ ତାରିଖ ସକାଳ ୮ରୁ ଭୋଟ ଗଣନା କାର୍ଯ୍ୟ ଆରମ୍ଭ କରାଯିବ। ପ୍ରାରମ୍ଭିକ ଭାବେ ପୋଷ୍ଟାଲ ବାଲଟ୍ ଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏଥିସହ ଇଭିଏମ୍ ମାଧ୍ୟମରେ ନିଆଯାଇଥିବା ଭୋଟ ମଧ୍ୟ ଗଣନା ହେବ। ଏଥିପାଇଁ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ବିଧାନସଭା କ୍ଷେତ୍ର ନିମନ୍ତେ ପ୍ରତ୍ୟକ ୧୨ଟି କାଉଣ୍ଟିଂ ଟେବଲ ଓ  ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ୧୪ଟି କାଉଣ୍ଟିଂ ଟେବଲ ବ୍ୟବସ୍ଥା କରାଯାଇଛି। ସେହିଭଳି ସମ୍ପୃକ୍ତ ଲୋକସଭା କ୍ଷେତ୍ରର ଇଭିଏମ ଭୋଟ ଗଣନା ନିମନ୍ତେ ୧୪ଟି ଟେବଲ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟେବଲ ପାଇଁ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ ଇଭିଏମ ନେବା ଆଣିବାରେ ସହଯୋଗ କରିବା ପାଇଁ ଜଣେ ସହାୟକ ନିଯୁକ୍ତ ରହିବେ। 

ଏଥିସହ ଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛି। ଏଥିନିମନ୍ତେ ତ୍ରିସ୍ତରୀୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବଭଳି ପ୍ରାର୍ଥୀମାନେ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଅଧିକାରୀ ମାନେ ଆଶାବ୍ୟକ୍ତ କରିଥିଲେ।