ଅର୍ପଣ ଚାଉଳ ନେଇ ସରକାରଙ୍କୁ ପଠାଗଲା ୩ଟି ପ୍ରସ୍ତାବ
Advertisement
Article Detail0/zeeodisha/odisha2392494

ଅର୍ପଣ ଚାଉଳ ନେଇ ସରକାରଙ୍କୁ ପଠାଗଲା ୩ଟି ପ୍ରସ୍ତାବ

ଯଦି ଏହି ଚାଉଳ ଭଲ ଥିବ ତେବେ ଠାକୁରଙ୍କ ଭୋଗରେ ଲାଗିବ, ନଚେତ୍‌ ଏହା କୌଣସି କାମରେ ଲାଗି ପାରିବନି ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । 

ଅର୍ପଣ ଚାଉଳ ନେଇ ସରକାରଙ୍କୁ ପଠାଗଲା ୩ଟି ପ୍ରସ୍ତାବ

ପୁରୀ: ଥମିବାକୁ ନାଁ ଧରୁନି ମହାପ୍ରଭୁଙ୍କ ଅର୍ପଣ ଚାଉଳ ବିବାଦ। କଣ୍ଟା ଭଳି ଏହା ତଣ୍ଟିରେ ଲାଗିଛି। ଅର୍ପଣ ରଥ ଜରିଆରେ ସାରା ରାଜ୍ୟରୁ ସଂଗୃହୀତ ଏହି ଚାଉଳ ୮ ମାସ ଧରି ପଡ଼ି ରହିବା ପରେ ପାଣି ଖାଇ ନଷ୍ଟ ହୋଇ ଯାଇଛି। କିଛି ବସ୍ତା ଚାଉଳରେ ପୋକ ଲାଗି ନଷ୍ଟ ହୋଇଥିବା ସମୟରେ ଆଉ କିଛି ବସ୍ତା ପାଣି ସଂସ୍ପର୍ଶରେ ଆସି ବିଣ୍ଡା ହୋଇଗଲାଣି । ଗଚ୍ଛିତ ଥିବା ଚାଉଳରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି । ସୁଆର ମହାସୁଆର ନିଯୋଗକୁ ଯେଉଁ ଚାଉଳ ଦିଆଯାଇଥିଲା, ସେହି ଚାଉଳ ଶ୍ରୀମନ୍ଦିର ଉତ୍ତର , ପୂର୍ବ ଓ ଦକ୍ଷିଣଦ୍ବାରରେ ମାସ ମାସ ପଡ଼ି ରହିବା ଫଳରେ ଏଭଳି ସ୍ଥିତି ସୃଷ୍ଟି ହେଲାଣି। ଏହାକୁ ସ୍ବଚକ୍ଷୁରେ ଦେଖିବା ପରେ ଭକ୍ତ ଓ ସେବାୟତ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବ ସରକାର ଥିବା ସମୟରେ ମହାପ୍ରଭୁଙ୍କ ପାଇଁ ଯେଉଁଭଳି ଭିକ ମଗେଇଲେ ଏହା ତାହାର ପରିଣାମ ବୋଲି କିଛି ଭକ୍ତ ଅଭିଯୋଗ କରିଛନ୍ତି । ଏହି ଅର୍ପଣ ଚାଉଳ ସହ ଭକ୍ତଙ୍କ ଭକ୍ତିଭାବ ଜଡ଼ିତ ରହିଛି। ଭକ୍ତଙ୍କ ଭାବାବେଗଭ ସହ ଯେଉଁମାନେ ଏଭଳି ଖେଳ ଖେଳିଛନ୍ତି, ତାଙ୍କୁ ମହାପ୍ରଭୁ କେବେ ବି କ୍ଷମା ଦେବେନି ବୋଲି ଭକ୍ତ କହିଛନ୍ତି । ଅର୍ପଣ ଚାଉଳ ନଷ୍ଟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମଧ୍ୟ ଦାବି ହୋଇଛି।

ସେପଟେ ଏତେ ପରିମାଣର ଅର୍ପଣ ଚାଉଳ ନଷ୍ଟ ହୋଇଯିବା ଜଣାପଡ଼ିବା ପରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନାକ୍ରମେ ଗଚ୍ଛିତ ଥିବା ଚାଉଳକୁ ପ୍ରୋସେସିଂ ପାଇଁ ଗୋପାଳପୁର ସ୍ଥିତ ଚାଉଳ ମିଲ୍‌କୁ ପଠାଇଛି ସୁଆର ମହାସୁଆର ନିଯୋଗ। ଏକ ଟ୍ରକ୍‌ ଭର୍ତ୍ତି ଚାଉଳ ମିଲ୍‌କୁ ପଠାଯାଇଥିବା ଜଣାପଡିଛି । ଯଦି ଏହି ଚାଉଳ ଭଲ ଥିବ ତେବେ ଠାକୁରଙ୍କ ଭୋଗରେ ଲାଗିବ, ନଚେତ୍‌ ଏହା କୌଣସି କାମରେ ଲାଗି ପାରିବନି ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । 

ଗତ ପରିଚାଳନା କମିଟି ବୈଠକରେ ଅର୍ପଣ ଚାଉଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଅର୍ପଣ ଚାଉଳ ସମସ୍ଯା ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଥିଲା ଏହି ଘଟଣା ସହ ସଂଶ୍ଳିଷ୍ଟ ନିଯୋଗ ମାନଙ୍କ ସହ ଆଲୋଚନା କରି ଏହା ସମାଧାନ କରିବାକୁ ପରିଚାଳନା କମିଟି ଦାୟିତ୍ୱ ଦେଇଛନ୍ତି। ସେପଟେ ମୁଖ୍ୟ ପ୍ରଶାସକ ଓ ଉପମୁଖ୍ଯ ପ୍ରଶାସକ ସୁଆରମହାସୁଆର ସହ ଆଲୋଚନା କରି ରାଜ୍ୟ ସରକାରଙ୍କୁ ତିନୋଟି ପ୍ରସ୍ତାବ ପଠାଇଛନ୍ତି। ସରକାର ଯେଉଁ ପ୍ରସ୍ତାବକୁ ଗ୍ରହଣ କରିବେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଂକର ସ୍ୱାଇଁ ।

Also Read- PM Kisan Yojana: କେବେ ମିଳିବ ପିଏମ କିସାନର ୧୮ତମ କିସ୍ତି? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

Also Read- Saturn Transit 2024: ଶନିଙ୍କ ଶୁଭ ପ୍ରଭାବ, ୮୫ ଦିନ ପର୍ଯ୍ୟନ୍ତ ଏହି ରାଶିକୁ ଲାଭ