Top 10 News Today: ଟ୍ରକ ନୁହେଁ ଟ୍ରେନରେ ଆସିବ ଆଳୁ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2389751

Top 10 News Today: ଟ୍ରକ ନୁହେଁ ଟ୍ରେନରେ ଆସିବ ଆଳୁ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Today: ଟ୍ରକ ନୁହେଁ ଟ୍ରେନରେ ଆସିବ ଆଳୁ ଓ ଅନ୍ୟାନ୍ୟ ଖବର

Top 10 News Today:

01- କୋଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତକାଲି ପରି ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଛି । ପୀଡିତାଙ୍କୁ ନ୍ୟାୟ ପ୍ରଦାନ ସହ ହସ୍ପିଟାଲର୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଦାବି ସହ ଆନ୍ଦୋଳନ କରୁଛନ୍ତି ଦେଶର ପିଜି, ୟୁଜି ଓ ରେସିଡେଣ୍ଟ ଡାକ୍ତର । ଫଳରେ ୨ଦିନ ହେବ ରୋଗୀ ସେବା ବ୍ୟାପକ ପ୍ରଭାବିତ ହେଉଛି । ଭୁବନେଶ୍ୱର AIIMS, ବ୍ରହ୍ମପୁର MKCG ସମେତ ରାଜ୍ୟର ବିଭିନ୍ନ ହସ୍ପିଟାଲର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ବାଲେଶ୍ୱରରେ ମଧ୍ୟ ଏନେଇ ପ୍ରତିବାଦ କରାଯିବା ସହ ଏକ ବିରାଟ ରାଲି କରାଯାଇଛି। 

02-  କାନପୁର-ଝାନସୀ ରେଳ ଦୁର୍ଘଟଣା ପରେ ଟ୍ରାକ୍ ପୁନରୁଦ୍ଧାର କରାଯାଇ ଠିକ୍ ହୋଇଛି । ଗତକାଲି ସାବରମତି ଏକ୍ସପ୍ରେସର ୨୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରାକ୍ ପ୍ରଭାବିତ ହେବା କାରଣରୁ ସେହି ରୁଟ୍ ରେ ରେଳ ଚଳାଚଳ ବନ୍ଦ ରହିଥିଲା । ଟ୍ରାକ୍ ମରାମତି କାର୍ଯ୍ୟ ଶେଷ ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି ।

03- କାଲିଠୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । କାଲି ପଇତା ଲାଗି ନୀତି ବନ୍ଦ ପରଠୁ ପୂଜାପଣ୍ଡା ଏବଂ ବଡୁ ନିଯୋଗ ମଧ୍ୟରେ ବିବାଦ ହେବା କାରଣରୁ ନୀତିକାନ୍ତି ପ୍ରଭାବିତ ହୋଇଛି । ମନ୍ଦିରକୁ ଆସୁଥିବ ଭକ୍ତମାନେ ମଧ୍ୟ ଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯଥାଶୀଘ୍ର ବିବାଦର ସମାଧାନ କରାଯାଇ ନୀତିକାନ୍ତି ଆରମ୍ଭ କରିବା ପାଇଁ ଭକ୍ତମାନେ ଦାବି କରିଛନ୍ତି ।

04- ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ । ବଜ୍ରପାତ ଜନିତ କ୍ଷୟକ୍ଷତିକୁ ରୋକିବା ପାଇଁ ସରକାରୀ ସ୍ତରରେ ଏକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ୨୦ଲକ୍ଷ ତାଳ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 

05- ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ହେବା ଏବଂ ଦେଶ ବିଦେଶ ସହ ଲିଙ୍କ୍ ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇଛି ପୋଲିସ । ରାଜୁକୁ ଅଧିକ ପଚରା ଉଚରା ସହ ତଥ୍ୟ ହାସଲ କରିବା ପାଇଁ ୫ ଦିନିଆରେ ଅଣାଯାଇଛି । ଘଟଣାରେ ଡିସିପି ପ୍ରତୀକ ସିଂହ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଯେ, କଟକରେ ସିମ୍‌ ବକ୍ସ ସେଟ୍‌ ଅପ୍ ରହିଥିବା ଜଣାପଡିଛି ।  ଆବଶ୍ୟକ ହେଲେ ଘଟଣାରେ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନିଆଯାଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି ।

06-  ରାଜ୍ୟରେ ଆଳୁ ଅଭାବ ଦୂର କରିବାକୁ ସରକାର ଏକ ବଡ଼ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି । ଟ୍ରେନ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି ଏବଂ ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

07- କଂଗ୍ରେସ ଉପରେ ବର୍ଷିଲେ ତାରା ବାହୀନୀପତି। ଦଳରେ ଅଣଦେଖା ପରେ ଦଳରେ ବିଭାଜନ ସୃଷ୍ଟି ହେଉଛି। କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ, ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି। ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି। ଏଥିପାଇଁ ଲୋକ କେବେ କ୍ଷମା ଦେବେନି ବୋଲି ତାରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏବେ କଂଗ୍ରେସରେ ଗୋଡ଼ ଟଣାଟଣି ଚାଲିଛି। କାହା ସହ କାହାର ମତ ଠିକ ରହୁନି। କଂଗ୍ରେସ ଗାନ୍ଧୀ ପରିବାର ଯାହା ନିଷ୍ପତି ନେବେ ତାକୁ ମାନିବାକୁ ପଡିବ। ଏବେର ନୀତି ଦେଖି କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି। ସମସ୍ତଙ୍କୁ ଏକଜୁଟ ହେବା ଦରକାର ବୋଲି କହିଛନ୍ତି ତାରା। ବିଜେଡି, କଂଗ୍ରେସ ଭଳି ତାଙ୍କ ଦଳ ମଧ୍ୟ ତାଙ୍କୁ ବିରୋଧ କରୁଛି। 

08- ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟିକସ ହେରଫେର ଅଭିଯୋଗରେ ତାଙ୍କ ଘରେ ରେଡ୍ କରାଯାଇଥିଲା। ଜଣେ ଡିଲର୍‌ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ପ୍ରାୟ ୫.୮୫ ଲକ୍ଷ ରାଜସ୍ବ ହେରଫେର କରିଥିବା ଜଣାପଡ଼ିବାରୁ ଭିଜିଲାନ୍ସ ଏକ ଟିମ୍ ବିନୟଙ୍କ ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି କରିଥିଲା।

09-  ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମାଗଣାରେ ମିଳିବ ଅବଢ଼ା। ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ମାଗଣା ପ୍ରସାଦ ବଣ୍ଟନ ପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି। ଏନେଇ ଆଇନ ମନ୍ତ୍ରୀ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି। ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଭଳି ଅଧାରୁ ବନ୍ଦ ନହୁଏ ସେ ଦିଗରେ ଆନୁସଙ୍ଗିକ ବ୍ୟବସ୍ଥା ମାନ ପ୍ରସ୍ତୁତ ହେଉଛି।

10- ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ। ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ରହିଥିବା ବେଳେ ୧୯ ତାରିଖ ବେଳକୁ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଉ ଏହାର ପ୍ରଭାବରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଆଜି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ଓ ୧୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। 

Also Read- September Rashifal Dhanu: ସେପ୍ଟେମ୍ୱର ମାସରେ ଏହି ରାଶିକୁ ମିଳିବ ଧନ, ମାନ ସହ ସବୁ ସୁଖ