Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2337837

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହରାଇଲା ଏନ୍‍ଡିଏ, ରଥ ଉପରେ ଦର୍ଶନ ଦେବେ ମହାବାହୁ

1.ବିଳମ୍ବିତ ସନ୍ଧ୍ୟାରେ ସିଂହଦ୍ୱାର ସମ୍ମୁଖରେ ୩ ରଥ ପହଞ୍ଚିଛି। ଆଜି ରଥ ଉପରେ ଦଶମୀ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୬ଟାରୁ ଏହି ନୀତି ଆରମ୍ଭ ହୋଇଛି। ରଥ ଉପରେ ମଙ୍ଗଳ ଆଳତୀ ସହ ମଇଲମ, ତଡ଼ପଲାଗି, ଅବକାଶ,ପ୍ରଭୃତି ନୀତି ରଥ ଉପରେ ହେବ। ରାତି ସାଢ଼େ ୯ଟାରେ ବଡ଼ି ସିଂହାର ବେଶ ହୋଇ ୧୧ଟାରେ ପହୁଡ଼ ହେବ ବୋଲି ଶ୍ରୀମନ୍ଦିର ପକ୍ଷରୁ ପୂର୍ବରୁ ନୀତି ନିର୍ଦ୍ଧାରଣ କରାଯାଇଛି। ଆଜି ଭକ୍ତମାନେ ତିନି ଠାକୁରଙ୍କୁ ରଥ ଉପରେ ଦେଖିବାର ସୁଯୋଗ ପାଇବେ। 

2.ଅଣ ସେବାୟତଙ୍କୁ ରଥଉପରୁ ତଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଇନ ଅନୁସାରେ ଯେଉଁମାନେ ରଥ ଉପରେ ରହିବା କଥା ସେମାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବ ସୂଚନା ଦିଆଯାଇଥିଲା। ଏହା ସତ୍ତ୍ୱେ କିଛି ଅଣ ସେବାୟତ ବାଶଭୂଷାରେ ସେବକଙ୍କ ଭଳି ସଜ୍ଜିତ ହୋଇ ରଥ ଉପରେ ଚଢ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ।

 
3.ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ମାଡ଼ ମରା ଅଭିଯୋଗ ଆଣିଥିବା ଆହତ ଏଏସ୍‍ଓଙ୍କ ଦଣ୍ଡ ଭୋଗିବାକୁ ପଡ଼ିଛି। ଦୀର୍ଘ ବର୍ଷ ହେଲା ସେ ଯେଉଁ ପଦବୀରେ ରହି ରାଜଭବନରେ ସେବା ଯୋଗାଉଥିଲେ ତାଙ୍କୁ ସେଠାରୁ ବଦଳି କରାଯାଇ ଗୃହ ବିଭାଗକୁ ଅଣାଯାଇଛି। ୭ ତାରିଖ ଦିନ ସଚିବାଳୟ ଏଏସ୍‍ଓ ପାହ୍ୟାର ଏହି କର୍ମଚାରୀଙ୍କୁ ଲଳିତ କୁମାର ମାଡ଼ ମାରି ମୁହଁ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟପାଳ ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ତାଙ୍କ ପତ୍ନୀଙ୍କୁ ଡାକି କହିଥିଲେ। 

4.କେନ୍ଦ୍ରରେ କ୍ଷମତାସୀନ ଏନ୍‍ଡିଏ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହରାଇଛି। ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏନ୍‍ଡିଏର ସଦସ୍ୟଙ୍କ ସଂଖ୍ୟା ୧୦୧ ହୋଇଛି। ୨୪୫ ସଦସ୍ୟ ବିଶିଷ୍ଠ ରାଜ୍ୟସଭାରେ ଏବେ ୨୨୫ ଜଣ ସଦସ୍ୟ କାର୍ଯ୍ୟରତ ରହିଛନ୍ତି। ସଂଖ୍ୟା ଗରିଷ୍ଠତା ଲାଗି ୧୧୩ ସଦସ୍ୟଙ୍କ ଆବଶ୍ୟକତା ରହିଛି। ଅନ୍ୟ ୭ ମନୋନୀତ ଏବଂ ୧ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ପରେ ରାଜ୍ୟସଭାରେ ଏନ୍‍ଡିଏର ସଦସ୍ୟ ସଂଖ୍ୟା ୧୦୯ ହେଉଥିଲେ ମଧ୍ୟ ଏବେ ୪ ଜଣଙ୍କ ଅଭାବ ରହିବ। ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ସରକାରଙ୍କୁ ସମସ୍ୟାରେ ପକାଇପାରେ। କିନ୍ତୁ ବଜେଟ ପରିଚାଳନା ଲାଗି କୌଣସି ନୀତିଗତ ଅସୁବିଧା ହେବ ନାହିଁ। ଯେଉଁ  ୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଚି ସେମାନେ  ହେଲେ, ରାକେଶ ସିହ୍ନା, ସୋନାଲ ମାନ ସିଂହ, ରାମ ସକଲ ଏବଂ ମହେଶ ଜେଠମାଲାନୀ।

5.ଆଗାମୀ ୬ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡେଲ ଆଣ୍ଟି ରେବିଜ୍ କ୍ଲିନିକ୍ ବା କୁକୁର କାମୁଡ଼ା ଚିକିତ୍ସା କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ରେବିଜ୍‍ ବା କୁକୁର କାମୁଡ଼ା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇଥିବାରୁ  ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ଡଗ୍ ମିଡିଏଟେଡ୍ ରେବିସ୍ ଏଲିମିନେସନ୍ (ଏନ୍ଏପିଆରଇ) ପାଇଁ ନ୍ୟାସନାଲ୍ ଆକ୍ସନ୍ ପ୍ଲାନ୍ ଆରମ୍ଭ କରିଛନ୍ତି। ଏହିକ୍ରମରେ ଏପରି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ଆଶା କରାଯାଇଛି।

6.ଅନିଶ୍ଚିତତା ଭିତରେ ରହିଛି ବିଶ୍ୱର ପ୍ରଥମ କଳା ବାଘ ସଫାରି।  ଓଡ଼ିଶାର ଶିମିଳିପାଳରେ ହେବାକୁ ନେଇ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ ଅନୁଧ୍ୟାନ କରିଥିଲେ ମଧ୍ୟ ଅନୁମୋଦନ ମିଳିପାରି ନାହିଁ। ଏ ଭିତରେ ପ୍ରାୟ ଏକ ମାସ ସମୟ ବିତିଥିବାରୁ ଏବେ ଆଶଙ୍କା ବି ସୃଷ୍ଟି ହୋଇଛି।  

7.ଭତ୍ତା ପାଇବା ପାଇଁ ନକଲି ପ୍ରମାଣପତ୍ର ଦେଇଥିବା ଜଣାପଡ଼ିବା ପରେ ବାଲିକୁଦା ବ୍ଲକ ପ୍ରଶାସନକୁ ୧୩ ଜଣ ହିତାଧିକାରୀ ପାଇଥିବା ଭତ୍ତା ଫେରାଇ ଦେଇଛନ୍ତି। ଏହାସହ ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।  ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ସନ୍ଦେହ କରି ଡାଟା ଏଣ୍ଟ୍ରି ଅପରେଟର କାର୍ତ୍ତିକ ବିଶ୍ୱାଳ ଓ ଇଚ୍ଛାପୁର ପଞ୍ଚାୟତର ବଦଳି ସହ କାର୍ଯ୍ୟନିର୍ବାହୀ ଅଧିକାରୀ ସହଦେବ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଡିଓ ବିକାଶ କୁମାର ମହାନ୍ତି।

8.କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ରାଜନଗର ତହସିଲ ଅନ୍ତର୍ଗତ ବାଙ୍କୁଆଳା ଓ ଦୁର୍ଗାପ୍ରସାଦ ଗ୍ରାମର ୫୦ରୁ ଅଧିକ ପରିବାର ଓ ୬ ଜଣ ହୋଟେଲ ମାଲିକଙ୍କୁ ଉଚ୍ଛେଦ ଆଶଙ୍କା ଦେଖାଦେଇଛି। ସରକାରୀ ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ରାଜସ୍ୱ ବିଭାଗ ବାସିନ୍ଦା ଓ ବ୍ୟବସାୟୀଙ୍କୁ ଉଚ୍ଛେଦ ନୋଟିସ୍ ଜାରି କରିଛି।

9.ଗତ କିଛିଦିନ ହେଲା ଓଡ଼ିଆ ଯୁବ ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କୁ ‘ଷ୍ଟାର୍ଟ ଅପ୍‍ ଓଡ଼ିଶାରେ  ଅବହେଳା ପ୍ରଦାନ କରୁଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷଙ୍କ ଆର୍ଥିକ କ୍ଷମତା ଉପରେ କଟକଣା ଲଗାଇ ଯାଇଛି।  ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର କିମ୍ବା ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶନାମା/ସର୍କୁଲାର/ଗାଇଡଲାଇନ୍/ବିଜ୍ଞପ୍ତିକୁ ବିଚାରକୁ ନ ନେଇ ସରକାର ଷ୍ଟାର୍ଟଅପ୍ ଓଡ଼ିଶାକୁ ଆର୍ଥିକ କ୍ଷମତା ଅନୁସରଣ କରି ଏହାର ସୁଚାରୁରୂପେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

10.ଆଇପିଏସ୍‍ ଅଧିକାରୀଙ୍କୁ ଓଏସ୍‍ଡି ଭାବେ ନିଯୁକ୍ତି ଦେବାରେ ନବୀନ ସରକାରଙ୍କ ସହ ପ୍ରତିଯୋଗୀତା କରିଛନ୍ତି ବର୍ତ୍ତମାନର ମୋହନ ମାଝି ସରକାର। ଏହାଦ୍ୱାରା ଏବେ ୫ ବରିଷ୍ଠ ଆଇପିଏସ୍‍ ବିନା କୌଣସି ନିର୍ଦ୍ଧାରିତ ଦାୟିତ୍ୱରେ ଗୃହ ବିଭାଗରେ ଓଏସ୍‍ଡି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହି ତାଲିକାରେ ସଦ୍ୟ ଭାବେ ସାମିଲ୍‍ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଅଧିକାରୀ ଡିଏସ୍‍ କୁଟ୍ଟେ ଏବଂ ଦିଲ୍ଲୀରେ ଅବସ୍ଥାପିତ ଥିବା ଓଡ଼ିଶା ଆବାସିକ କମିଶନର ରବି କାନ୍ତ। ପୂର୍ବରୁ ମୋହନ ମାଝି ସରକାର ଆଶୀଷ ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାନ ପଦକ୍ଷେପ ନେଇଥିଲେ। ସେହିପରି ନବୀନ ସରକାର ମଧ୍ୟ ରିତୁ ଅରୋରା ଏବଂ ଏସ୍‍ଏମ୍‍ ନରଓ୍ୱାଣେଙ୍କୁ ଗୃହ ବିଭାଗର ଓଏସ୍‍ଡି ଦାୟିତ୍ୱ ଦେଇଥିଲେ।