Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2139810

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

Bangladeshi Entered Srimandira: 
ଶ୍ରୀମନ୍ଦିରର ସମସ୍ତ ପ୍ରକାର ସୁରକ୍ଷା ବଳୟ ଭେଦ କରି ୬ ଜଣ ବାଂଲାଦେଶୀ ଆଜି ସିଂହଦ୍ବାର ଦେଇ ଗର୍ଭଗୃହରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ ସେମାନେ ପଲିଥିନ୍‌ରେ ମହାପ୍ରସାଦ ମଧ୍ୟ କିଣିଛନ୍ତି।ସେବାୟତମାନଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ତିନି ଜଣ ମୁସ୍‌ଲିମ୍‌ ବ୍ୟକ୍ତି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରୁଥିଲେ। ସେମାନଙ୍କ ବେଶଭୁଷା ଦେଖି ସନ୍ଦେହ ହେବାରୁ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା କରିବାରେ ସେମାନେ ବାଂଲାଦେଶରୁ ଆସି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ମାନିଥିଲେ। ତାଙ୍କ ସହ ଆସିଥିବା ଅନ୍ୟ ୫ ଜଣ ମୁସ୍‌ଲିମ୍‌ ଓ ଜଣେ ହିନ୍ଦୁ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ଦେଇଥିଲେ। 

Mo Bus Accident: 
ରାଜଧାନୀରେ ପୁଣିଥରେ ମୋ ବସ ଦୁର୍ଘଟଣା ଗ୍ରସ୍ତ । ରାସ୍ତା ଉପରେ ପଛପଟୁ ଅଟୋକୁ ଧକ୍କା ଦେଲା ମୋ ବସ୍ । ଯାହା ଫଳରେ ଅଟୋଟି ତିନି ଗଡ଼ା ଦେଇ ଓଲଟିପଡିଥିଲା। ତେବେ ସେହି ଅଟୋରେ ଥିବା ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଲିଙ୍ଗରାଜ ଥାନା ଗ୍ୟାରେଜ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ତୁରନ୍ତ ପାଖ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣା ପରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଉଥିବା ବେଳେ ରାସ୍ତା ଉପରେ ଓହ୍ଲାଇ ଦେବେନି ବୋଲି ଦାବି କରି ଉତ୍ତେଜନା କରିଥିଲେ ସ୍ଥାନୀୟ ଲୋକ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Prime Minister Chandikhol Visit:
ରାତି ପାହିଲେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। ଆସନ୍ତାକାଲି ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ ମୋଦି । ଭୁବନେଶ୍ୱର ଏୟାରପୋର୍ଟରୁ ଚଣ୍ଡିଖୋଲ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ପୂରା ଅଞ୍ଚଳକୁ ବ୍ଲାକ୍ କାଟାଗୋରୀ ଜୋନରେ ରଖାଯିବ । ଓଡ଼ିଶାରେ ପହଞ୍ଚି ସୁରକ୍ଷାର ଯାଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏସପିଜି । ୫ ତାରିଖ ଅର୍ଥାତ୍ ଆସନ୍ତା କାଲି ତେଲେଙ୍ଗାନାରୁ କାର୍ଯ୍ୟକ୍ରମ ସାରି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Raju Das And Telkoi MLA Premananda Will Join BJP Today:
ପାଖେଇ ଆସୁଛି ୨୦୨୪ ନିର୍ବାଚନ। ସେହିପରି ଯେତେ ଜଲଦି ନିର୍ବାଚନ ଆସୁଛି ଠିକ ସେମିତି ଦଳବଦଳ ପ୍ରକ୍ରିୟା ବି ଜାରି ରହିଛି। ରାଜନୈତିକ ନେତାଙ୍କ ଦଳବଦଳ ପ୍ରକ୍ରିୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ । ଗତ ଅକ୍ଟୋବର ମାସରୁ ଦଳର ସଭାପତି ଓ ସଂଗଠନ ସମ୍ପାଦକଙ୍କୁ ଇ-ମେଲରେ ଇସ୍ତଫାପତ୍ର ପଠାଇଥିଲେ ପ୍ରେମାନନ୍ଦ ନାୟକ । ହେଲେ କେହି ତାଙ୍କ ସହ ଆଲୋଚନା ନକରିବାରୁ ବିଧାନସଭା ବଜେଟ ଅଧିବେଶନ ସମୟରେ ଦେଇଥିଲେ ଇସ୍ତଫା ।

Today Weather Update: 
ତାତିରେ ଫୁଟୁଛି ସାରା ଓଡ଼ିଶା । ୮ ଦିନ ପରେ ପୁଣି ଉପରମୁହାଁ ହୋଇଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଛି । ସେପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରୀ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିଛି । ସୂଚନା ଅନୁଯାୟୀ, ସୋମବାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଖାସ୍ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ । ସେହପରି ୮ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁରରେ ସାମାନ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

Memu Train: 
ପୂରଣ ହେବ ଦୀର୍ଘ ଦିନର ଆଶା । ଘଟିବ ବହୁ ପ୍ରତୀକ୍ଷାର ଅନ୍ତ । ଜିଲ୍ଲା ଦେଇ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍ । ଫଳରେ ଉପକୃତ ହେବେ ଯାତ୍ରୀଠାରୁ ବ୍ୟବସାୟୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ହରିଦାସପୁର ଓ କେନ୍ଦୁଝର ମଧ୍ୟରେ ଗଡ଼ିବ ମେମୁ ଟ୍ରେନ୍ । ସୂଚନା ଅନୁଯାୟୀ, ଚଳିତ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ତିଖୋଲ କାର୍ଯ୍ୟକ୍ରମରେ ମେମୁ ଟ୍ରେନର ଉଦ୍ଦଘାଟନ କରିବେ ବୋଲି ଖୋର୍ଦ୍ଧା ରେଳବାଇ ଉପଖଣ୍ତ ରେଳବାଇ ମ୍ୟାନେଜର  ଏଚ. ଏସ୍. ବାଜୱା ସୂଚନା ଦେଇଛନ୍ତି । ଏନେଇ ଏକ ଟିମ୍ ସହ  ବାଜୱା ରେଳପଥର ନିରାପତ୍ତା ଯାଞ୍ଚ କରିଛନ୍ତି ।ଏନେଇ ସେ କହିଛନ୍ତି, ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ପାରାଦୀପ ହରିଦାସପୁର ରେଳପଥରେ ମେମୁ ଟ୍ରେନ୍ କୁ ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ଆଇନଗତ ଭାବେ ରେଳବାଇ କମିଶନଙ୍କ ଅନୁମତି ଜରୁରୀ । 

Prime Minister Campaign: 
ନିର୍ବାଚନ ଯେତେ ପାଖେଇ ଆସୁଛି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ଉପରେ ସେତେ ଜୋର ଦେଉଛନ୍ତି । ଏହି କ୍ରମରେ ଆଗାମୀ ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୧୨ଟି ରାଜ୍ୟରେ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି । ଏହି କ୍ରମରେ ମାର୍ଚ୍ଚ ୪ ରୁ ୬ ତାରିଖ ମଧ୍ୟରେ ୫ଟି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ୫ ରାଜ୍ୟ ମଧ୍ୟରେ ରହିଛି ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବେ ମୋଦି। ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ୧୯ ହଜାର ୬ଶହ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବେ ।

Pakistan Disaster:
ପାକିସ୍ତାନରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷାଯୋଗୁଁ ଅଚାନକ ଆସିଥିବା ବନ୍ୟାରେ ୨୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବାସଗୃହ ଭାସିଯାଇଛି। ବର୍ଷା ବିତ୍ପାତ ଯୋଗୁଁ ୫୦ରୁ ଅଧିକ ନିଖୋଜ ଅଛନ୍ତି। ଆଫଗାନିସ୍ତାନ ସୀମାର ଖାଇବର ପଖତୁନଖ୍ବାରେ ସର୍ବାଧିକ ୨୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ୩୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି ୧ ଲକ୍ଷ ୮୪ ହଜାର ଲୋକ ବାସହରା ହୋଇଛନ୍ତି। ଦକ୍ଷିଣ ସିନ୍ଧ, ବେଲୁଚିସ୍ତାନ, ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ଆଦି ଅଞ୍ଚଳରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରିବେଶ ପରିବର୍ତନ ଜନିତ ଦୁର୍ଦ୍ଦଶା ଓ ସହାୟତା ପାଇଁ ମିଳିତ ଜାତିସଂଘକୁ ଅନୁରୋଧ କରାଯାଇଛି। 

Bhojpuri Singer Pawan Singh: 
ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପଶ୍ଚିମବଂଗର ଆସନସୋଲ ଆସନରୁ ଭୋଜପୁରୀ ଗାୟକ ତଥା ଅଭିନେତା ପୱନ ସିଂହଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ପୱନ ଆଜି ଆସନସୋଲରୁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି। ଫଳରେ ଏହି ଆସନକୁ ନେଇ ବିଜେପିର ଅଡ଼ୁଆ ବଢ଼ିଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉଦ୍ଦେଶ୍ୟରେ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ କେତେକ କାରଣରୁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ। ପୱନଙ୍କ ଏଭଳି ଆଭିମୁଖ୍ୟ ପଛରେ ଟିଏମ୍‌ସିର ଚାପ ରହିଥିବା କେତେକ ମହଲ ଦାବି କରୁଛନ୍ତି।

Robin Minz Injured Before IPL 2024:
ମହାସମର ଆରମ୍ଭ ହେବା ନେଇ ଆଉ କିଛି ଦିନ ବାକି ରହିଥିବା ବେଳେ ଆହତ ହୋଇଛନ୍ତି ଆଇପିଏଲ ଖେଳିବାକୁ ଥିବା ପ୍ରଥମ ଆଦିବାସୀ ଖେଳାଳି ରବିନ ମିଞ୍ଜ । ଖବର ଅନୁଯାୟୀ, ରବିନ ନିଜ ସୁପର ବାଇକ କାୱାସାକିରେ ଯାଉଥିବା ସମୟରେ ଆଉ ଏକ ବାଇକ ସହ ତାଙ୍କର ମୁହାଁମୁହଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରବିନ୍ ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟପଟେ ବାଇକଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ରବିନ ମିଞ୍ଜ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତାଙ୍କୁ ଡାକ୍ତରୀ ଦଳର ନିରୀକ୍ଷଣରେ ରଖାଯାଇଛି ।