Odisha Election Results 2024: କାହିଁକି ହାରିଲା ବିଜେଡି? ୫ କାରଣ ଯାହା ଆପଣ ଜାଣିବାକୁ ଚାହାଁନ୍ତି
Advertisement
Article Detail0/zeeodisha/odisha2279372

Odisha Election Results 2024: କାହିଁକି ହାରିଲା ବିଜେଡି? ୫ କାରଣ ଯାହା ଆପଣ ଜାଣିବାକୁ ଚାହାଁନ୍ତି

Odisha Election Results 2024: ଗତ ୨୪ ବର୍ଷ ହେଲା ରାଜ୍ୟକୁ ଶାସନ କରୁଥିବା ବିଜେଡିକୁ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଓଡ଼ିଶାର ଭୋଟର। ଏହା ପଛରେ କାରଣ କ’ଣ?

 

Odisha Election Results 2024

ଭୁବନେଶ୍ୱର: ଗତ ୨୪ ବର୍ଷ ହେଲା ରାଜ୍ୟକୁ ଶାସନ କରୁଥିବା ବିଜେଡିକୁ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଓଡ଼ିଶାର ଭୋଟର। ଏପରିକି ଏକ ଗଠନମୂଳକ ବିରୋଧୀ ଦଳ ଭାବେ ଭୂମିକା ନିର୍ବାହ କରି ରାଜ୍ୟର ବିକାଶ କାର୍ଯ୍ୟରେ ସହାୟକ ହେବାକୁ ଅବସ୍ଥାପିତ କରିଛନ୍ତି। ତେବେ ନିରନ୍ତର ଭାବେ ଆତ୍ମବିଶ୍ୱାସ ଥିବା ବିଜେଡି କାହିଁକି ପରାଜୟ ମୁହଁ ଦେଖିବାକୁ ଯାଉଛି। ଏହା ପଛରେ କାରଣ କ’ଣ? ଆସନ୍ତୁ ନଜର ପକାଇବା ୫ କାରଣ ଉପରେ: 

1.    ପାଣ୍ଡିଆନଙ୍କ ଦ୍ୱାରା ସଭା ହଡ଼ପ: ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ୫ଟି ଅଧ୍ୟକ୍ଷ ତଥା ପୂର୍ବତନ ସଚିବ ଭି କେ ପାଣ୍ଡିଆନ୍‍ ଯେଉଁ ପ୍ରକାରେ କବଳିତ କରିଥିଲେ, ତାହା ହୁଏତ ଦଳର ଦୁର୍ବଳତାକୁ ଲୋକଙ୍କଠାରୁ ଛୁପେଇବା ଲାଗି ଉଦ୍ଦିଷ୍ଟ ହୋଇଥାଇପାରେ କିନ୍ତୁ ଭୋଟର ତାହାକୁ ସମର୍ଥନ କରିଲେ ନାହିଁ। ଏପରିକି ପ୍ରଚାର ମଞ୍ଚ ଉପରେ ନେତାଙ୍କୁ ସୁଯୋଗ ନଦିଆଯିବା, କେବଳ ପାଣ୍ଡିଆନ୍‍ ଖଣ୍ଡି ଓଡ଼ିଆରେ ଭାଷଣ ଦେବାକୁ ଲୋକେ ସମର୍ଥନ କରିପାରିଲେ ନାହିଁ। 

2.     ଅତି ଆତ୍ମବିଶ୍ୱାସ: ବିଜେଡିର ନିର୍ବାଚନ ରଣନୀତିରେ ଅତ୍ୟନ୍ତ ଆତ୍ମବିଶ୍ୱାସ ଲୋକେ ଦେଖିବାକୁ ପାଇଥିଲେ। ଯେଉଁସବୁ ଲୋକହିତକର ଯୋଜନା ଘୋଷଣା କରାଗଲା ସେ ସବୁ ଲୋକଙ୍କୁ ପ୍ରଭାବିତ କରିପାରିଲା ନାହିଁ। ଏସମସ୍ତ ଯୋଜନା ନିର୍ବାଚନ ପ୍ରେରିତ ବୋଲି ଲୋକ ସ୍ପଷ୍ଟ ଜାଣିବାକୁ ପାଇଲେ।  ଅପରପକ୍ଷେ ନେତା କେହି ଆଗକୁ ନଆସିବାରୁ ଏହାକୁ ଗ୍ରହଣ କରିଲେନି ଜନତା। ଏହି ଅତି ଆତ୍ମବିଶ୍ୱାସ ବିଜେଡିକୁ ଶାସକ ଗୋଷ୍ଠୀରୁ ବିରୋଧୀ ଦଳକୁ ନେଇ ଆସିଲା। 

3.    ପ୍ରଚାର ମଞ୍ଚ ବନାମ ଇଭେଣ୍ଟ ମ୍ୟାନେଜମେଣ୍ଟ: ନିର୍ବାଚନ ପରିପେକ୍ଷୀରେ ବିଜେଡି ଯେଉଁ ମଞ୍ଚ ସବୁ ବାନ୍ଧିଥିଲା, ସବୁଥିରେ ନେତାଙ୍କୁ ଉପେକ୍ଷା କରାଯାଇଥିଲା। ମଞ୍ଚରେ ସ୍ୱାଗତଠାରୁ ଆରମ୍ଭ କରି ବକ୍ତା ଯାଏ ବାହାରୁ ଆମଦାନୀ ହୋଇଥିଲେ। ସେଥିରେ ନେତା କେହି ନଥିଲେ। ସ୍ୱାଗତ କରୁଥିଲେ କଳାକାର, ଭାଷଣ ଦେଉଥିଲେ ପାଣ୍ଡିଆନ କିନ୍ତୁ ବିଜେପିର ମଞ୍ଚ ଓଲଟା ଥିଲା। ସମ୍ପୂର୍ଣ୍ଣ ରାଜନୀତିକ ମଞ୍ଚରେ ପ୍ରଚାର ଚାଲିଥିଲା। ଷ୍ଟାର କ୍ୟାମ୍ପେନର ବାହାରୁ ଆସୁଥିଲେ ବି ସେମାନେ ନେତା ଥିଲେ। ସ୍ୱଗତ କରିବାକୁ ସ୍ଥାନୀୟ ନେତା ଥିଲେ ଆଉ ମଞ୍ଚ ଉପରେ ସ୍ଥାନୀୟ ଓ ଜାତୀୟ ନେତାଙ୍କ ଭିଡ଼ ଥିଲା। ଯାହା ଗଣତନ୍ତ୍ରକୁ ସ୍ପଷ୍ଟ କରୁଥିଲା। 

4.   ଶ୍ରୀମନ୍ଦିର ପ୍ରସଙ୍ଗ: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରସଙ୍ଗ ଯଦିଓ ପୁରୀରେ ବିଧାନସଭା ନିର୍ବାଚନକୁ ବିଜେପି ସପକ୍ଷରେ ଆଣିପାରି ନଥିଲା କିନ୍ତୁ ସାରା ରାଜ୍ୟରେ ପ୍ରଭାବ ପକାଇଥିଲା। ଚାରିଦ୍ୱାର ଖୋଲିବା ଏବଂ ରତ୍ନ ଭଣ୍ଡାରକୁ ଖୋଲିବା ଲାଗି ଯେଉଁ ପ୍ରତିଜ୍ଞା ବିଜେପି କରିଲା ତାହା ସାରା ଓଡ଼ିଶାର ଲୋକଙ୍କୁ ଛୁଇଁଥିଲା। ଲୋକେ ଏ ପ୍ରସଙ୍ଗରେ ବିଜେଡିର ଯୁକ୍ତିକୁ ସମର୍ଥନ କରିଲେ ନାହିଁ। 

5.    ଓଡ଼ିଆ ଭାଷା ଓ ଅସ୍ମିତା: ଶେଷରେ ସବୁଠାରୁ ଅଧିକ ପ୍ରଭାବ ପକାଇଥିଲା ଓଡ଼ିଆ ଭାଷା, ଐତିହ୍ୟ, ଗୌରବ ଏବଂ ଅସ୍ମିତାର କଥା। ଯେଉଁକଥା ୨୫ ବର୍ଷ ହେଲା ରାଜନୀତିରୁ ଉଭେଇ ଯାଇଥିଲା ତାହା ହିଁ ପ୍ରସଙ୍ଗ କରିଲା ବିଜେପି। ଲୋକଙ୍କ ନାଡ଼ିକୁ ଚିହ୍ନି ଶେଷ ମୁହୂର୍ତ୍ତରେ ଓଡ଼ିଆ ଅସ୍ମିତାକୁ ଆୟୁଧ କରିବା ବିଜେପିକୁ ଅଧିକ ସମର୍ଥନ ଦେଲା ଆଉ ଶେଷରେ ବିଜୟ ଆଣିଲା। 

ଏ ବିଜୟ ପୁଣି ଝୁଲା ସରକାର ପାଇଁ ନୁହେଁ। କୌଣସି ଏକ୍ଜିଟ୍‍ ପୋଲ୍‍ ଆକଳନ କରିପାରି ନଥିବା ବିଜୟ ଓଡ଼ିଶାବାସୀ ବିଜେପିକୁ ଦେଇଥିବା ସ୍ପଷ୍ଟ ହେଉଛି। ଆଉ କିଛି ଘଣ୍ଟା ପରେ ସଂଖ୍ୟା ଗଣିତ ସ୍ଥିର କରିବ ରାଜ୍ୟରେ ଏକ ସ୍ଥିର ସରକାର ସହ ରାଜ୍ୟବାସୀଙ୍କ ପ୍ରସଙ୍ଗକୁ ସାକାର କରିବା ଲାଗି ବିଜେପିକୁ ଆସନ୍ତା ୫ ବର୍ଷ ଦେବ। ଆଉ ଯଦି ଏହି ପାଞ୍ଚ ବର୍ଷରେ ଦେଇଥିବା ପ୍ରତିଶୃତି ପୂରଣ ନହେବ ତା’ହେଲେ ପୁଣି ନିୟନ୍ତ୍ରଣ ଚାବିକାଠିକୁ ଜନତା ମୋଡ଼ିବେ ୨୦୨୯ରେ।