ସାତତାଳ ପାଣିରେ ନିଶାଫରୁଆ !
Advertisement
Article Detail0/zeeodisha/odisha999376

ସାତତାଳ ପାଣିରେ ନିଶାଫରୁଆ !

ପୁଅ ଜୀବନକୁ ଉପଭୋଗ କରୁ । ନିଶା କରୁ, ଡ୍ରଗ୍ସ ନେଉ, ମଦ ପିଉ କି ସେକ୍ସ କରୁ ତାଙ୍କର କୌଣସି ଆପତ୍ତି ନାହିଁ । ତିନି କିମ୍ବା ଚାରି ବର୍ଷ ବୟସରୁ ଯୋଡ଼େ ତିନିଟା ଝିଅଙ୍କ ସହ ଆଫେୟାର୍ସ କରୁ । ସତରେ, ଶାହରୁଖଙ୍କର ଏହି ତାଲିବାନୀ ଚିନ୍ତାଧାରା ଆଗରେ ସେତେବେଳେ ଖୋଦ୍ ଆଙ୍କର ସିମି ଗ୍ରେୱାଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଡିଜାଇନ୍ ଫଟୋ

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ଗତ ୧୯୯୭ ମସିହାରେ ଏକ ସାକ୍ଷାତକାର ଅବସରରେ ବଲିଉଡର କିଙ୍ଗ ଖାନ୍ (ସତରେ ? କିଏ ଦେଲା ଏ ଉପାଧି ?) ଶାହରୁଖ, ଏକ ସାକ୍ଷାତକାର ଦେଇଥିଲେ ସିମି ଗ୍ରେୱାଲଙ୍କୁ । କହିଥିଲେ, ସେ ତାଙ୍କ ପୁଅକୁ ଦେବେ ଅଖଣ୍ଡ ସ୍ୱାଧୀନତା । ନିଜ ଯୁବାବସ୍ଥାରେ ଯାହା କରି ପାରିନାହାନ୍ତି, ସେ ଚାହିଁବେ, ତାଙ୍କ ପୁଅ ତାହା ଭରପୂର କରୁ । ଜୀବନକୁ ଉପଭୋଗ କରୁ । ନିଶା କରୁ, ଡ୍ରଗ୍ସ ନେଉ, ମଦ ପିଉ କି ସେକ୍ସ କରୁ ତାଙ୍କର କୌଣସି ଆପତ୍ତି ନାହିଁ । ତିନି କିମ୍ବା ଚାରି ବର୍ଷ ବୟସରୁ ଯୋଡ଼େ ତିନିଟା ଝିଅଙ୍କ ସହ ଆଫେୟାର୍ସ କରୁ । ସତରେ, ଶାହରୁଖଙ୍କର ଏହି ତାଲିବାନୀ ଚିନ୍ତାଧାରା ଆଗରେ ସେତେବେଳେ ଖୋଦ୍ ଆଙ୍କର ସିମି ଗ୍ରେୱାଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅବଶ୍ୟ ସେତେବେଳେ ତାଙ୍କ ପୁଅ ଆର୍ୟନ ଥିଲା ଖୁବ୍ ଛୋଟ । ତେବେ ପିତାଙ୍କର ସେହି ଉକ୍ତି ଯେ ପରବର୍ତ୍ତୀ ସମୟରେ ତା' ମନରେ ରେଖାପାତ କରି ନ ଥିବ, ଏପରି ବି ନୁହେଁ । କାରଣ ଆଜି ବି ତାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ଅଛି । ଆଉ ଆର୍ୟନର ଗିରଫ ପରେ ତ ତାହା ଖୁବ ଜୋରରେ ଭାଇରାଲ ହେଉଛି । ସତରେ ଯାହାର ପିତା ଏପରି କଥା କହି ପାରନ୍ତି, ସେହି ପୁଅ ଜୀବନରେ ଆଉ କେମିତି ସଂସ୍କାର ପାଇଥା'ନ୍ତା ! ଅତଏବେ ଶନିବାର ରାତିରେ ଯାହା ହେଲା, ତାହା ହଠାତ୍ ହୋଇନାହିଁ । ଏପରି ହେବାନେଇ ବହୁ ପୂର୍ବରୁ ହିଁ ଅନୁମାନ କରାଯାଉଥିଲା । ସମ୍ଭବତଃ ସେହି ୧୯୯୭ ମସିହାରୁ ।

ରବିବାର ଆର୍ୟନ ଖାନ (Aryan Khan) , ନୁପୂର ସାରିକା, ଇସମିତ ସିଂହ, ମହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ମୁନମୁନ ଧମେଚା ଆଉ ଅରବାଜ ଖାନ ମର୍ଚ୍ଚାଣ୍ଟ ଏହି ୮ ଜଣଙ୍କୁ ଅଟକ ରଖି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB) ଜେରା କରୁଥିଲ। ଘଟଣାସ୍ଥଳରୁ ନିଷିଦ୍ଧ ଡ୍ରଗ୍ସର ନିଶା କରୁଥିବା ଅବସ୍ଥାରେ ଏନସିବି  ସେମାନଙ୍କୁ 'ରଙ୍ଗେ ହାତ୍' ଧରିଥିଲା। ଖସିଯିବାର ଉପାୟ ବି ନ ଥିଲା । ଯେତେବେଳେ ମୁମ୍ବାଇ ଉପକୂଳର ମଝି ଦରିଆରେ ଜାହାଜରେ ରେଭ୍ ପାର୍ଟି (Rave Party) ଚାଲିଥିଲା, କିଏ ଜାଣିଥିଲା ବଲିଉଡର ଏହି ଭିଭିଆଇପିମାନଙ୍କ ସନ୍ତାନଙ୍କ ଉପରେ ବିଜୁଳି ପଡ଼ିବାକୁ ଯାଉଛି ବୋଲି ? ଓଡ଼ିଆପୁଅ ତଥା ଏନସିବି-ଡିଜି ଏସ୍. ଏନ୍. ପ୍ରଧାନ ବର୍ଣ୍ଣନା କରିଛନ୍ତି, କିପରି ପକ୍କା ପ୍ରମାଣ ପାଇବା ପରେ ଯାଇ, ତାଙ୍କ ଟିମ୍ ଗୋପନରେ ଉକ୍ତ କ୍ରୁଜ୍ ଜାହାଜରେ ନିଜ ଅଭିଯାନ ଆରମ୍ଭ କରିଥିଲା । ଫିଲ୍ମି କୂଳନନ୍ଦନମାନଙ୍କୁ ଏନସିବି ପୂରା ଫିଲ୍ମି ଷ୍ଟାଇଲରେ ହିଁ ଟ୍ରାପ୍ କରିଥିଲା । 

Also Read: ଶାହାରୁଖ ଖାନଙ୍କ ପୁଅଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ NCB ହେପାଜତକୁ ପଠାଇଲେ କୋର୍ଟ  

ବିଶେଷ ସୂତ୍ରରୁ ଖବର ପାଇ ଏନସିବି ପୂରା ଗୋପନରେ ନିଜ ଅଭିଯାନ ଆରମ୍ଭ କରିଥିଲା । ଜୋନାଲ୍ ହେଡ୍ ସମୀର ୱାଙ୍ଖେଡ଼େ ଏହି ଅଭିଯାନର ନେତୃତ୍ୱ ନେଇଥିଲେ। ଶନିବାର ସନ୍ଧ୍ୟାରେ ଗୋଆ ଯାଉଥିବା କ୍ରୁଜ୍ ଜାହାଜରେ ଛଦ୍ମବେଶରେ ଏନସିବିର ଏହି ଟିମ୍ ଚଢ଼ିଥିଲେ । ଯେଉଁଠାରେ ଟିମକୁ ଠିକ୍ ନିଶାର୍ଦ୍ଧରେ ରେଭ ପାର୍ଟିର ସୁରାକ୍ ମିଳିଥିଲା । ଆଉ ଶାହରୁଖ ତନୟ ଆର୍ୟନ ଏହାର ପୁରୋଧା ବୋଲି ଜାଣିବା ପରେ ଏନସିବି ଟିମ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ମାତ୍ର ଯେଉଁ ଯୁବକ ନିଜ ତିନି ଚାରି ବର୍ଷ ବୟସରୁ ବାପଠାରୁ ଉପଭୋଗ କରିଛି ନିରଙ୍କୁଶ ସ୍ୱାଧୀନତା, ସିଏ ବିଗିଡ଼ିବା ଥିଲା ନିହାତି ସ୍ୱାଭାବିକ । ଖାସ କରି ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ପରଠାରୁ ବଲିଉଡର ଏକ ନଗ୍ନ ଚିତ୍ର ବାବଦରେ ଦୁନିଆ ଜାଣିଥିଲା । ବାହାରକୁ ଚକ୍ ଚକ୍ ଦେଖା ଯାଉଥିବା ଏହି ମାୟାନଗରୀ ମାୟାର ଚିତ୍ର ଓ ଚରିତ୍ର ଯେ ଅତି ମାତ୍ରାରେ ପୈଶାଚିକ, ସେ କଥା ଜାଣି ପାରିଥିଲା ଏ ଦୁନିଆରେ ବଞ୍ଚୁଥିବା ଲୋକଙ୍କ ବାହାରର ଦୁନିଆ ।

ପୂର୍ବ ଯୋଜନା ମୁତାବକ, ସମୀର ୱାଙ୍ଖେଡ଼େ (Sameer Wankhede) ନିଜ ପୂରା ଟିମକୁ ହାଇ ଆଲର୍ଟ କରି ଦେଇଥିଲେ । ଆଉ କ୍ରୁଜର ଅଠରଶହ ଯାତ୍ରୀଙ୍କ ମଧ୍ୟରେ ନିଜ ପରିଚୟ ଛପାଇ ସେହି ସମୟକୁ ଅପେକ୍ଷା କରି ରହିଥିଲେ ପୂରା ଟିମ୍। ଯେତେବେଳେ ରାତିର ଅନ୍ଧାରରେ ନିଜ ଭଦ୍ର ଖୋଳପାରୁ ବାହାରକୁ ବାହାରିବେ ସେହି ଭିଭିଆଇପି ଗେଣ୍ଡାମାନେ, ଯେଉଁମାନଙ୍କ ପାଖକୁ ଦିନର ଆଲୁଅରେ ପହଞ୍ଚିପାରେନି ଗଣମାଧ୍ୟମର ପ୍ରଶ୍ନ । ଆଉ ସେହି ସମୟ ଆସିଲା ମଧ୍ୟ । ପୂର୍ବ ଯୋଜନା ମୁତାବକ ରେଭ୍ ପାର୍ଟି ଆରମ୍ଭ ହୋଇଗଲା । ପାର୍ଟିରେ ଉନ୍ମତ୍ତ ହୋଇଉଠିଲେ ଉପସ୍ଥିତି ଯୁବକ ଯୁବତୀ । ଉଡ଼ିଲା ନିଷିଦ୍ଧ ଡ୍ରଗ୍ସର ଧୂମ୍ । ଆଉ ଠିକ୍ ସେତିକି ବେଳେ ଅଚାନକ ଚଢ଼ାଉ କରିଥିଲେ ୱାଙ୍ଖେଡ଼େଙ୍କ ଟିମ୍ । ଜାଲରେ ପଡ଼ିଥିଲେ ବହୁ ବଡ଼ ବଡ଼ ମାଛ । ଚାଲିଲା ଘମାସାନ୍ ଜେରା । ସେମାନେ ନିଜ ଅପରାଧ ସ୍ୱୀକାର ବି କଲେ । 

Also Read: ଶାହରୁଖଙ୍କ ସ୍ୱପ୍ନ ପୁରା କଲେ ଆର୍ୟନ! ୨୩ ବର୍ଷ ତଳେ ଏମିତି ଧମକ ଦେଇଥିଲେ ସୁପରଷ୍ଟାର

ଶାହରୁଖ (Shah Rukh Khan) ନନ୍ଦନ ଆର୍ୟନ ତ ନିଷିଦ୍ଧ ଡ୍ରଗ୍ସ ବ୍ୟବହାର, ସଂରକ୍ଷଣ ଓ ବିକ୍ରି କରିବା ଭଳି ସଂଗୀନ ଅପରାଧକୁ ସ୍ୱୀକାର କଲେ । ଚାଲାକି କରି ନିଜ ଚଷମା ଖୋଳ ଭିତରେ ଡ୍ରଗ୍ସ ରଖିଥିଲେ । ହେଲେ ଏନସିବି ନଜରରୁ ବର୍ତ୍ତି ପାରି ନ ଥିଲେ । କୁହାଯାଉଛି, ପାର୍ଟିର କଳେବର ଥିଲା ଆହୁରି ବଡ଼ । ମାତ୍ର ଏନସିବି ଅଧିକାରୀମାନଙ୍କୁ ଚକମା ଦେଇ ରେଭ୍ ପାର୍ଟି କରୁଥିବା ପ୍ରାୟ ୨୦ରୁ ଅଧିକ ଯୁବକ ଯୁବତୀ ଧାଇଁ ପଳାଇଥିଲେ । କହିବା ବାହୁଲ୍ୟ ୧୮ ଶହ ଯାତ୍ରୀଙ୍କ ଭିତରେ ଥରେ ମିଶିଯିବା ପରେ ସେମାନଙ୍କୁ ଖୋଜି ବାହାର କରିବା ମୁସ୍କିଲ ବ୍ୟାପାର ଥିଲା । ମାତ୍ର ଉପରୋକ୍ତ ୮ ଜଣ ନିଶାରେ ଏତେ ଚୁର୍ ହୋଇ ପଡ଼ିଥିଲେ ଯେ, ସେମାନଙ୍କୁ ଏନସିବି ଅତି ସହଜରେ ଟ୍ରାପ୍ କରିଥିଲା । କୁହାଯାଉଛି, ଏହି ନିଷିଦ୍ଧ ରେଭ୍ ପାର୍ଟି ପଛରେ ଦିଲ୍ଲୀର ଏକ କମ୍ପାନୀ ପ୍ରଯୋଜକ ଥିଲା ।

ତେବେ ସମୁଦ୍ର ମଝିରେ ନିଶାର୍ଦ୍ଧର ଏହି ଚଢ଼ାଉ ସାତ ଘଣ୍ଟା ଧରି ଚାଲିଥିଲା । ଏଥିରେ ଏନସିବି ଟିମକୁ ୪ ପ୍ରକାରର ଡ୍ରଗ୍ସ ମିଳିଥିଲା । ସେଥିରେ ସାମିଲ ଥିଲା ଏମଡିଏମଏ, ମେଫେଡ୍ରୋନ, କୋକେନ ଏବଂ ହାସିସ ପରି ନିଷିଦ୍ଧ ଡ୍ରଗ୍ସ । ଏହାପରେ ରବିବାର ସେମାନଙ୍କୁ ଜେରା କରାଯାଇଥିଲା । ସେଥିରେ ଆର୍ୟନ, ମୁନମୁନ ଆଉ ଅରବାଜଙ୍କୁ ଏନସିବି ଗିରଫ କରିଛି । ମେଡିକାଲ ଯାଞ୍ଚ ପରେ ସେମାନଙ୍କୁ ଦିନିକିଆ ରିମାଣ୍ଡରେ ମଧ୍ୟ ନିଆଯାଇଛି ।

ବଲିଉଡରେ ଡ୍ରଗ୍ସ ଲିଙ୍କ୍ କିଛି ନୂଆ ନୁହେଁ । ୨୦୧୭ରେ ଦୀପିକା ପାଦୁକୋନଙ୍କ ସମ୍ପୃକ୍ତିର ଭାଣ୍ଡାଫୋଡ୍ ହେଉ (ନହେଲେ ସେ ଡ୍ରଗ୍ସ ସମ୍ପର୍କରେ କଥା ଉଠାଇ କ'ଣ ପ୍ରେମ ଚାଟିଂ କରୁଥିଲେ !), କିମ୍ବା ସୈଫ ଅଲ୍ଲୀ ଖାନଙ୍କ ସୁପୁତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରଗ୍ସ ନେବା, ନହେଲେ ପଞ୍ଜାବୀ ସୁନ୍ଦରୀ ରାକୁଲପ୍ରୀତ ସିଂହଙ୍କ ସମ୍ପୃକ୍ତି, ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କୁ ଜେରା ଏ ସମସ୍ତ ଅବକ୍ଷୟମୁଖୀ ଏକ ଏକ ପରିବାରର ସଂସ୍କାରକୁ ସୂଚାଉଛି । ଏମାନଙ୍କ ପୂର୍ବରୁ ବି ଅନେକ ବଲିଉଡ୍ ଷ୍ଟାରଙ୍କୁ ନିଶାରେ ତା'ର କରାଳ ଆଁରେ ଗିଳି ସାରିଛି । ସେମାନଙ୍କ ଭିତରୁ ସବୁଠାରୁ ବଡ଼ ନାଁଟି ହେଉଛି ସଞ୍ଜୟ ଦତ୍ତ । ତେବେ ଆମେ ଭାରତୀୟମାନେ ଏଡ଼େ ଭେରେସା ଯେ, ତାଙ୍କ ନିଶାଖୋର ଓ ନାରୀଲୋଭୀ ଚରିତ୍ର ସମ୍ବଳିତ ଜୀବନୀକୁ ନେଇ ନିର୍ମିତ ସିନେମାକୁ ବି ଦେଖି ଦେଖି ସୁପର ହିଟ୍ କରିଦେଲୁ । ସଞ୍ଜୟଙ୍କ ପିତା ସୁନୀଲ ଦତ୍ତ ତାଙ୍କୁ ଜବରଦସ୍ତ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ । ହେଲେ ସେଠାରୁ ସେ ଲୁଚି ପଳାଇଥିଲେ । ଏହାପରେ ସେ ଆମେରିକାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ ।

Also Read: ରିଲିଜ୍ ହେଲା ସୁନିଲ୍ କୁମାରଙ୍କ 'ISHQ KI BARSAATEIN'

ଏଇ ଗତ ପ୍ରାୟ ଦୁଇବର୍ଷ ତଳେ ୨୦୧୯ରେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ପାର୍ଟି କଥା ଆପଣଙ୍କର ମନେଥିବ । ପାର୍ଟିରେ ବିକି କୌଶଲ, ଦୀପିକା ପାଦୁକୋନ, ରଣବୀର କପୁର, ମଲାଇକା ଅରୋରା, ଅର୍ଜୁନ କପୁର, ବରୁଣ ଧୱନ, ଆୟାନ ମୁଖର୍ଜୀ ଏବଂ ଜୋୟା ଅଖତରଙ୍କ ଭଳି ବଲିଉଡ୍ ଷ୍ଟାର ସାମିଲ ଥିଲେ । ସମସ୍ତଙ୍କ ଭିଡିଓ ଭାଇରାଲ୍ ହୋଇଥିଲା । ସମ୍ଭବତଃ ସେହିମାନଙ୍କ ମଧ୍ୟରୁ କେହି ଜଣେ ନିଶାରେ ଚୁର୍ ହେବାପରେ ହିତାହିତ ଜ୍ଞାନ ଭୁଲି ନିଜ ନିଜ ଚେହେରାକୁ ଶୁଟିଂ କରି ପକାଇଥିଲା । ଆଉ ସେଇଥିପାଇଁ ତ ସେମାନଙ୍କ ଅସଲ ଚେହେରା ଦୁନିଆ ଆଗରେ ଉଜାଗର ହୋଇଥିଲା । ଏ ସମସ୍ତେ ପାର୍ଟିରେ କୋକେନ ନେଉଥିବା ଦେଖାଯାଇଥିଲା । ସେମାନଙ୍କ ଭିଡିଓ ଦେଖିଲେ ସେମାନେ ନିଶାରେ ଚୁର୍ ଅଛନ୍ତି ବୋଲି  ସ୍ପଷ୍ଟ ଜଣା ପଡୁଥିଲା ।

ବଲିଉଡରେ ନିଶା କଥା କହି ବସିଲେ ସରିବନି । ଏକଥା ସମସ୍ତେ ଜାଣନ୍ତି । ତଥାପି ନଜର ଅନ୍ଦାଜ କରିଦିଅନ୍ତି । କାରଣ ସେମାନେ ଜାଣନ୍ତି, ଇଏ ଆରମ୍ଭ ନୁହେଁ । ପୁଣି ଇଏ ଶେଷ ବି ନୁହେଁ । ନିଶା ସମୁଦ୍ରର ଇଏ ହେଉଛି କରାଳ ଭଉଁରୀ । ତା'ର ଆଦି ନାହିଁ କି ଅନ୍ତ । ତା'ରି ଭିତରେ ପଡ଼ି ସେମାନେ ଘଣ୍ଟି ହେଉଛନ୍ତି ଯାହା । କଥାରେ ଅଛି, ଯିଏ ଯେତେ ସହଜରେ ଅର୍ଥ ଉପାର୍ଜନ କରେ, ସେ ସେତେ ଶୀଘ୍ର ତାକୁ ଖର୍ଚ୍ଚ କରିବାର ବାଟ ବି ଖୋଜିବୁଲେ । ନିଜ ଯୋଗ୍ୟତାଠାରୁ ଅଧିକ ଅର୍ଥର ଅଧିକାରୀ ବଲିଉଡର ତଥାକଥିତ ସୁପର ଆଉ ମେଗା ଷ୍ଟାରମାନେ । ଦେଶର ଫିଲ୍ମପାଗଳ ଦର୍ଶକଙ୍କୁ ଭକୁଆ ବନେଇ ସେମାନଙ୍କ ପକେଟ ଝାଡ଼ି ବିନା ପରିଶ୍ରମରେ ଏମାନେ କୋଟିପତି ହୋଇଛନ୍ତି । କେବଳ ରୂପ ବିକି, ହସ ବିକି, ଆଉ ରଙ୍ଗଢଙ୍ଗ ବିକି । ତେଣୁ ସହଜଲବ୍ଧ ଅର୍ଥକୁ ସିଧାସଳଖ ବାଟରେ ଖର୍ଚ୍ଚ କରିବାକୁ ବି ଓର୍ ଉଣ୍ଡିବୁଲନ୍ତି । ଆଉ ତା'ର ସବୁଠୁ ସର୍ଟକର୍ଟ ବାଟ ହେଉଛି 'ସୁରା ଓ ସାକି' । ନଚେତ୍ ଏମାନେ କ'ଣ ଏଡ଼େ ଧନୀ । ଲକ୍ଷ ଲକ୍ଷ କୋଟି ଟଙ୍କାର ମାଲିକ ଅମ୍ବାନୀ ପରିବାର ତ' କାହିଁ ଏପରି କ୍ରୁଜରେ ରେଭ୍ ପାର୍ଟି କରି ଉଲୁକୁମତା ହେଉ ନାହାନ୍ତି । ସେମାନଙ୍କର କ'ଣ ଟଙ୍କା ନାହିଁ ? ଚାହିଁଲେ ପରା ସେମାନଙ୍କ ମାତାପିତା ଏପରି ଗଣ୍ଡା ଗଣ୍ଡା କ୍ରୁଜ୍ କିଣି ତାଙ୍କ ପାଦତଳେ ଲୋଟାଇ ଦେବେ ! ତେବେ କଥାରେ ଅଛି 'ରାଜା ପୁଅ ରାଜା ଆଉ ଭାଟପୁଅ ସବୁବେଳେ ଭାଟ ।' ତେଣୁ ଏ ଭାଟପୁଅମାନଙ୍କର ଔକାତ ହିଁ ସେଇଆ । ଆଉ ତାଙ୍କର ଉପଯୁକ୍ତ ସ୍ଥାନ ହେଉଛି ଜେଲର ସେହି କାଳକୋଠରୀ । ଯାହା ସାମ୍ନାରେ ଏବେ ଚକ୍କର କାଟୁଛନ୍ତି ଗୌରୀ ଖାନ୍ । ପୁଅକୁ ବାହାରକୁ ଆଣିବାକୁ ।