ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି
Advertisement

ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି

ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଆସିଥିବା କୋଟି କୋଟି ଟଙ୍କାକୁ ନେଇ ଏବେ ସସ୍ପେନ୍ସ ବଢିବାରେ ଲାଗିଛି।

ଫାଇଲ ଫଟୋ

ଭୁବନେଶ୍ବର: ଦଳରୁ ବହିଷ୍କାର ହେବା ପରେ ଖୋଲିବାରେ ଲାଗିଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଅସଲ ଚେହେରା। ତାଙ୍କ ଭାବି ଜ୍ବାଇଁ ଆକାଶଙ୍କ ଆକାଉଣ୍ଟରେ ପ୍ରକୃତରେ ୮ କୋଟି ଥିଲେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଦୃଢତାର ସହିତ କହିଥିଲେ। ହେଲେ ଭିଜିଲାନ୍ସ ଆକାଶଙ୍କ ଆକାଉଣ୍ଟର ଖୁଲାସା କରିସାରିଛି। ଏପଟେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଆସିଥିବା କୋଟି କୋଟି ଟଙ୍କାକୁ ନେଇ ଏବେ ସସ୍ପେନ୍ସ ବଢିବାରେ ଲାଗିଛି। 

ତଦନ୍ତ ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ (Pradip Panigrahi) ଙ୍କ ଏକ ଆକାଉଣ୍ଟ ଭିଜିଲାନ୍ସ  (Odisha Vigilance) ହାତରେ ଲାଗିଛି। ଯେଉଁଠି ଗତ ଅଗଷ୍ଟ ମାସରୁ ବର୍ତ୍ତମାନ ଯାଏ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍ ହୋଇଛି। ତେବେ ଏଥିରେ କେବଳ କିଛି ହାତ ଗଣତି ବ୍ୟକ୍ତି ଓ ସଂସ୍ଥା ଟଙ୍କା ଜମାକରିଥିବା ଜଣାପଡିଛି।  ବିଧାୟକ (BJD MLA) ଙ୍କ ଆକାଉଣ୍ଟ ନମ୍ବର ୨୦୩୬୦୧୫୦୧୯୪୮ରୁ ଆକାଶ ପାଠକ (Akash Pathak) ଙ୍କ ଆକାଉଣ୍ଟକୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି। ତେବେ ଏତେ ପରିମାଣର ଟଙ୍କା କେମିତି ଟ୍ରାଞ୍ଜାକସନ ହେଲା ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠୁଛି।

Also Read: ପ୍ରଦୀପ ପାଣିଗ୍ରାହୀଙ୍କ କଳା ସାମ୍ରାଜ୍ୟ ଉପରୁ ହଟୁଛି ପରଦା !

ପ୍ରଦୀପଙ୍କୁ ଟଙ୍କା ପଠାଇଥିବା ଲୋକମାନେ ହେଲେ ରବୀନ୍ଦ୍ର ସାହୁ, ସୂର୍ଯ୍ୟ ଫିଲିଂ ଷ୍ଟେସନ୍, ଗୁରୁମୂର୍ତ୍ତି ଅଏଲ କମ୍ପାନୀ, କମ୍ଭୁପାଣି ସାହୁ। କେବଳ ରବୀନ୍ଦ୍ର ସାହୁ ଗତ ୪ ମାସ ଭିତରେ ପ୍ରଦୀପଙ୍କ ଆକାଉଣ୍ଟରରେ ପ୍ରାୟ ୭୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି। ସେହିଭଳି ସୂର୍ଯ୍ୟ ଫିଲିଂ ଷ୍ଟେସନ ୪୦ ଲକ୍ଷ, ଗୁରୁମୂର୍ତ୍ତି ଅଏଲ କମ୍ପାନୀ ୪୦ ଲକ୍ଷ, କମ୍ଭୁପାଣି ସାହୁ ପ୍ରାୟ ୨୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି। ଏପରି କି ଆକାଶ ପାଠକ ମଧ୍ୟ ଏହି ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଆକାଉଣ୍ଟ ଡିଟେଲ୍ସରୁ ଜଣାପଡିଛି। 

ଏହାବ୍ୟତୀତ ଏହି ଆକାଉଣ୍ଟରେ ହେମନ୍ତ ରଥ, ସରୋଜ ମିଶ୍ର, ପ୍ରସନ୍ନ ଲେଙ୍କା ଆଦି  ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକାଉଣ୍ଟରେ ଗତ ସେପ୍ଟେମ୍ବର ୩ ତାରିଖରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ୨ ଲକ୍ଷ ୫୦ହଜାର ଟଙ୍କା ଡିପୋଜିଟ୍ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, କିଏ ଏହି ରବୀନ୍ଦ୍ର ସାହୁ? କାହାର ଏହି ସୂର୍ଯ୍ୟ ଫିଲିଂ ଷ୍ଟେସନ୍? କିଏ ସେ କମ୍ଭୁପାଣି ସାହୁ? ଗୁରୁମୂର୍ତ୍ତି ଅଏଲ କମ୍ପାନୀ କାହାର? ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା କାହିଁକି? ଭାବୀ ଶ୍ୱଶୂର ଅର୍ଥ ଯୋଗାଡ଼ କରି ଭାବୀ ଜାମାତାଙ୍କୁ ଦେଉଥିଲେ ଆଉ ସେହି ଅର୍ଥରେ ଭାବୀ ଜାମାତା ଦୁଇ ପରିବାରଙ୍କୁ ଧରି ଅୟସ କରୁଥିଲେ କି?

Also Read: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

 

ସୋସିଆଲ୍ ମିଡିଆରେ ଏବେ ପ୍ରଦୀପଙ୍କ ଏହି ଆକାଉଣ୍ଟ ଡିଟେଲସ ଘୁରିବୁଲୁଛି। ଯାହା ଦବଙ୍ଗ ବିଧାୟକଙ୍କ ମୁଖା ଖୋଲିବା ସହ ତାଙ୍କ ପାଇଁ ସାଧାରଣରେ ଶହ ଶହ ପ୍ରଶ୍ନ ଉଠିବାରେ ଲାଗିଛି। ଆକାଉଣ୍ଟ ଡିଟେଲ୍ସରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦିନକରେ ପ୍ରଦୀପଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଛି। ତେବେ ସରକାରଙ୍କ କୋଠର କଟକଣା ସତ୍ତ୍ୱେ ଏତେ ଟଙ୍କାର ବ୍ୟାଙ୍କରେ କେମିତି ଭର୍ତ୍ତି ହୋଇଛି ତାହା ତଦନ୍ତରୁ ଜଣାପଡିବ। ପ୍ରଦୀପ ତାଙ୍କ ଆୟକର ରିଟର୍ଣ୍ଣସ (ITR) ରେ ବାର୍ଷିକ ୧୦ ଲକ୍ଷ ଟଙ୍କା ଦେଖାଇଥିଲେ। କିନ୍ତୁ ଗତ ୬ ମାସରେ ତାଙ୍କ ଆକାଉଣ୍ଟରେ ପ୍ରାୟ ୨ କୋଟି  ୬୪ ଲକ୍ଷ ଟଙ୍କା ଡିପୋଜିଟ ହୋଇଛି। ତେବେ ସେ ଆୟକରକୁ ଠକୁଥିବା ନେଇ ବି ଚର୍ଚ୍ଚା ଚାଲିଛି।

ସେପଟେ ଗୁରୁବାର ବ୍ରହ୍ମପୁର (Berhampur) ରେ SIT ଟିମର ତଦନ୍ତ ପଞ୍ଚମ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୩ଟି ବ୍ଯାଙ୍କରୁ ଅଭୟ ପାଠକ (Abhaya Pathak) ଓ ତାଙ୍କ ପୁଅ ସମେତ ସମ୍ପର୍କିୟଙ୍କ ୬ଟି ଆକାଉଣ୍ଟ୍ ଓ ୨ଟି ବୀମା କମ୍ପାନୀରୁ ୬ଟି ପଲିସି ଠାବ ହୋଇଛି। ତେବେ ସେଥିରେ କେତେ ପରିମାଣର ଜମା ରାଶି ରହିଛି ତାକୁ ନେଇ ଅନୁସନ୍ଧାନ ଜାରି ରହିଛି। ବର୍ତ୍ତମାନ ବ୍ଯାଙ୍କ ଓ ବୀମା କମ୍ପାନୀକୁ ନେଇ ଛାନବିନ ଚାଲିଥିବା ଅତିରିକ୍ତ ଏସପି ସାନ୍ତନୁ ପାଢୀ ସୁଚନା ଦେଇଛନ୍ତି।