ବଢୁଛି କୋରାନା ସଂକ୍ରମଣ ମାମଲା, ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
Advertisement

ବଢୁଛି କୋରାନା ସଂକ୍ରମଣ ମାମଲା, ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କୋଭିଡ୍୧୯ କଟକଣାର ଖୋଲା ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଥିଲା।

ବଢୁଛି କୋରାନା ସଂକ୍ରମଣ ମାମଲା, ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ବ୍ରହ୍ମପୁର: କୋଭିଡ୍୧୯ କଟକଣା ଭିତରେ ଗଞ୍ଜାମ ଜିଲ୍ଲାରେ ପାଳିତ ହେଲା ଓଡିଆ ନବବର୍ଷ ସହ ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ରୀତିନୀତି ପରମ୍ପରା ମୁତାବକ ମେରୁ ଯାତ୍ରାକୁ ମଧ୍ୟ ରାତ୍ରି ସମୟରେ ବିଭିନ୍ନ ସ୍ଥାନରେ କରାଯାଇଥିଲା। 

କୋରୋନା ମୁକାବିଲା ପାଇଁ ଜିଲ୍ଲା ପକ୍ଷରୁ ଜାରି ହୋଇଥିବା କଟକଣା ସତ୍ବେ ପୋଲିସ ଉପସ୍ଥିତରେ ମଧ୍ୟ ଅନେକ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା। ପୂର୍ବ ବର୍ଷ ଭଳି ଏଥର ଫିକା ପଡିଲା ମହାବିଷୁବ ସଂକ୍ରାନ୍ତି। ଚଳିତ ବର୍ଷ ହୋଇ ପାରିନାହିଁ ଭକ୍ତ ଭଗବାନଙ୍କ ମିଳନ। କଟକଣା ଭିତରେ ସମାପନ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ପରମ୍ପରାର ଉଦଯାପନ ଉତ୍ସବ ତଥା ମେରୁ ଯାତ୍ରା। ପଣା ସଂକ୍ରାନ୍ତିରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ପଣା ବଣ୍ଟନ। 

Also Read: ଗଞ୍ଜାମରେ ନୂଆ କୋରୋନା କଟକଣା: ୭ ଦିନ ଧର୍ମାନୁଷ୍ଠାନ-ପର୍ଯ୍ୟଟନସ୍ଥଳୀ ବନ୍ଦ, ହେବନି ମେରୁ ଯାତ୍ରା

ନିଡାମ୍ବରରେ ଚଳିତ ବର୍ଷ ଗାଁ ଗାଁରେ ଭକ୍ତିମୟ ପରିବେଶରେ ପାଳିତ ହୋଇଛି ମହାବିଷୁବ ସଂକ୍ରାନ୍ତି। ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ୭ ଦିନ ଲାଗି ବନ୍ଦ ରହିଥିବା ସତ୍ତ୍ୱେ ମନ୍ଦିର ଫାଟକ ସମ୍ମୁଖରେ ଠାକୁରଙ୍କୁ ନିଜର ଗୁହାରୀ ଜଣାଇଛନ୍ତି  ଭକ୍ତ।  କୋରୋନା ମହାମାରୀ ଠାରୁ ଜଗତକୁ ଉଦ୍ଧାର କରିବା ଲାଗି ଅନେକ ଭକ୍ତ ଠାକୁରଙ୍କ ନିକଟରେ ଗୁହାରୀ ଜଣାଇବା ସହ ଓଡିଆ ନବବର୍ଷରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି।

ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କୋଭିଡ୍୧୯ କଟକଣାର ଖୋଲା ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ପ୍ରଶାସନର ଉପସ୍ଥିତ ସତ୍ବେ କୁଲାଡ ଠାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ କୋରୋନା ସଂକ୍ରମଣକୁ ହାତ ଠାରି ଡାକିବା ଭଳି ମନେ ହୋଇଥିଲା। ତଥାପି ଭିଡ ନିୟନ୍ତ୍ରଣ କରିବା ବଦଳରେ ପୋଲିସର ନୀରବତା ଏବେ ଅନେକ ପ୍ରଶ୍ନ ଉଠାଇଛି। 

Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ

ଗଞ୍ଜାମ ଜିଲ୍ଲାରେ ବୁଧବାର ୭୦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଲଗାତାର ୨ ଦିନ ଧରି ଏପରି ସଂଖ୍ୟାଧିକ ସଂକ୍ରମିତ ଚିହ୍ନଟ ହେବା ନଜରକୁ ଆସୁଥିବା ବେଳେ ନିଜ ସୁରକ୍ଷା ଏବେ ନିଜେ ହିଁ ବହନ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ବୁଦ୍ଧିଜୀବୀ।

ଜିଲ୍ଲା ପ୍ରଶାସନର କୋଭିଡ୍ କଟକଣା ସତ୍ବେ ଜିଲ୍ଲାର ମନ୍ଦିରରେ ଅହେତୁକ ଭିଡ ଆଗାମୀ ଦିନରେ ବିପଦକୁ ଟାଣି ଆଣିବା ଭଳି ମନେ ହେଉଥିବା ବେଳେ କରୋନା ସଂକ୍ରମଣ ଜନିତ ମାମଲାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ କ'ଣ ପଦକ୍ଷେପ ନିଆଯିବ ତାହା ଉପରେ ରହିବ ସମସ୍ତଙ୍କ ନଜର।