ଦଳ ପଙ୍କରେ ଭର୍ତ୍ତି ହେଇରହିଛି ପୋଖରୀ; ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
Advertisement
Article Detail0/zeeodisha/odisha931281

ଦଳ ପଙ୍କରେ ଭର୍ତ୍ତି ହେଇରହିଛି ପୋଖରୀ; ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ବିଏମସି  ପକ୍ଷରୁ କୁଆଡେ ୫ ବର୍ଷରେ ୯ଟି ପୋଖରୀର ୧୩ ଥର ଉନ୍ନତି କରଣରେ ଖର୍ଚ୍ଚ କରାଯାଇଛି ମୋଟ ୮ କୋଟି ୨୭ ଲକ୍ଷ ୩୮୩ ଟଙ୍କା। 

ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ସହରରେ ରହିଥିବା ପୋଖରୀର ପୁନଃରୁଦ୍ଧାର ସହ ଏହାର ସୌନ୍ଦର୍ଯ୍ଯକରଣ କରିବା ଲାଗି ଅନେକ ଯୋଜନା ହାତକୁ ନେଉଛନ୍ତି ରାଜ୍ୟ ସରକାର। ଏନେଇ ସରକାରୀ ରାଜକୋଷରୁ ପୋଖରୀ ଉନ୍ନତିକରଣ ନାଁରେ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। ହେଲେ ଏହି ପୋଖରୀ କେତେ ଦୂର ବ୍ଯବହାର ଉପଯୋଗୀ ହୋଇପାରୁଛି ତାହାର ବାସ୍ତବତାକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ବାରି ହୋଇପଡୁଛି। 

ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିବା ତଥ୍ଯରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ବେଳେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ସ୍ବଚ୍ଛତା ଉପରକୁ ମଧ୍ୟ ଆଙ୍ଗୁଳି ଉଠିଛି। ଏଭଳି ପରିସ୍ଥିତିରେ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରାହଣ କରିବା ଲାଗି ସାଧାରଣରେ ଦାବି ହୋଇଛି।   

Also Read: ମନ୍ଥର ଗତିରେ ଚାଲିଛି ବ୍ରହ୍ମପୁର ଷ୍ଟାଡିୟମ ପୁନଃରୁଦ୍ଧାର କାର୍ଯ୍ୟ

କୁଢ କୁଢ ଅଳିଆ ଆବର୍ଜନାରେ ପୋତି ହୋଇରହିଛି ରେଶନ ନଗରୀ ବ୍ରହ୍ମପୁରରେ (Slik City Berhampur) ରହିଥିବା ବିଭିନ୍ନ ଜଳାଶୟ (Reservoir)। ପୋଖରୀ ପାଣିକୁ (Pond Water) ଯେମିତି ଚାଦର ଭଳି ଢାଙ୍କି ରଖିଛି ଦଳ ପଙ୍କ। ଏଭଳି ଅବସ୍ଥା ମଧ୍ୟରେ ରହିଛି ସହରର ମଧ୍ୟ ଭାଗରେ ଅବସ୍ଥିତ ରହିଥିବା ବିଜିପୁର ବନ୍ଧ। ଏହି ପୋଖରୀକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ପୁନଃରୁଦ୍ଧାର ନାମରେ କିଭଳି ଚାଲିଛି ହରିଲୁଟ। ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିବା ତଥ୍ୟରୁ ଜଣାପଡିଛି ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଚର୍ତୁଃପାର୍ଶ୍ବରେ ତାରବାଡ ଲଗାଯିବା ସହ ବିଗତ ୫ ବର୍ଷ ମଧ୍ୟରେ ୩ ଥର ପୋଖରୀର ପୁନଃରୁଦ୍ଧାର କାମ କରାଯାଇଛି। 

ଏନେଇ ସରକାରୀ ତହବିଲରୁ ୨୦୧୫-୧୬ ବର୍ଷରେ ୮ ଲକ୍ଷ ୧୧ ହାଜର ୭୫୯, ୨୦୧୮-୧୯ ବର୍ଷରେ ଏହାର ଉନ୍ନତି ପାଇଁ ୨୧ ଲକ୍ଷ ୯୨ ହଜାର ୨୦୪, ୨୦୨୦-୨୧ ବର୍ଷରେ ପୋଖରୀ ସୌନ୍ଦର୍ଯ୍ଯକରଣ କାମ (Pond Beautification Work) ପାଇଁ ୫୬ ଲକ୍ଷ ୭୯ ହଜାର ୮୫୪ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ପୋଖରୀର ଉନ୍ନତିକରଣ କାର୍ଯ୍ୟ ପାଇଁ ୫ ବର୍ଷ ମଧ୍ୟରେ ୮୬ ଲକ୍ଷ ୮୩ ହଜାର ୮୦୮ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏହାର ବାସ୍ତବତା ଏବେ ସାମ୍ନାକୁ ଆସିଛି। 

Also Read: ସହରର ସୌନ୍ଦର୍ଯ୍ୟ ବଢାଇବ ରାମଲିଙ୍ଗମ ପୋଖରୀ, ଜାରି ରହିଛି ଆଧୁନୀକିକରଣ କାର୍ଯ୍ୟ

ପୋଖରୀ ଉନ୍ନତିକରଣ କାର୍ଯ୍ୟ ଲାଗି ନିୟୋଜିତ ହୋଇଥିବା ଠିକା ସଂସ୍ଥା ଏବଂ ବ୍ରହ୍ମପୁର ମହାନଗର ନିଗମ (Berhmapur Municipal Coroporation) ବିଏମସିର (BMC) କିଛି ଅଧିକାରୀଙ୍କ ମିଳିତ ମଧୁଚନ୍ଦ୍ରିକାରେ ଏହି ଅର୍ଥକୁ ଚଳୁ କରାଯାଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ଏହାର ତଦନ୍ତ କରି ଦୃଢ କାାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଫେରାଦ ହୋଇଛି ମଜଦୂର ସଂଘ। 

ଦୁର୍ନୀତି ଭିତରେ ସହରର ଖାଲି ବିଜିପୁର ପୋଖରୀ ହେଉଛି ଭାତହାଣ୍ଡିରୁ ଗୋଟିଏ ଭାତ ଭଳି ଉଦାହରଣ। ବିଏମସି  ପକ୍ଷରୁ କୁଆଡେ ୫ ବର୍ଷରେ ୯ଟି ପୋଖରୀର ୧୩ ଥର ଉନ୍ନତି କରଣରେ ଖର୍ଚ୍ଚ କରାଯାଇଛି ମୋଟ ୮ କୋଟି ୨୭ ଲକ୍ଷ ୩୮୩ ଟଙ୍କା। ହେଲେ ଏହି ୧୦ଟି ପୋଖରୀ ମଧ୍ୟରୁ ସହରର ବିଭିନ୍ନ ପୋଖରୀ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ଯାହାକୁ ବ୍ୟବହାର କରିବା ଉପଯୋଗୀ ନୁହେଁ। ଏଥିରୁ ଦୁର୍ନୀତିର ଗନ୍ଧ ବାରିହେବା ସ୍ୱାଭାବିକ। 

Also Read: କାମ କରୁନି କଟକଣା; ରେଶମ ନଗରୀରେ ବଢିଚାଲିଛି ପଲିଥିନ ବ୍ୟବହାର

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାରଙ୍କ ୱାଟର ବଡିଜ୍ ଯୋଜନା (Water Bodies Scheme) ମାଧ୍ୟମରେ ଗତ ୨୦୦୭ ମସିହାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୧୪ ବର୍ଷ ଧରି ପୋଖରୀ ଉନ୍ନତି କରଣ ପାଇଁ ୧୪ କୋଟି ୯୯ ଲକ୍ଷ ୩୦ ହଜାର ଟଙ୍କା ଗ୍ରହଣ କରିଛି ବିଏମସି। ଏହି ସହରରେ ରହିଥିବା ୪୦ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ହେଲେ ସହରରେ ରହିଥିବା ଚାଳିଶି ପୋଖରୀ ମଧ୍ୟରୁ ଚାରୋଟି ପୋଖରୀ ଭଲ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବ୍ରହ୍ମପୁର ବାସିନ୍ଦା। ଏନେଇ ତଦନ୍ତ କରାଯିବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ଭିଜିଲାନ୍ସ ଏସପି।