ରେଳ ଷ୍ଟେସନ, ବିମାନ ବନ୍ଦର ଓ ବ୍ୟାଙ୍କରେ ପଜିଟିଭ୍ ଚିହ୍ନଟ ହେବା ପରେ BMC ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେପଟେ ଦିନ ବେଳା କର୍ଫ୍ୟୁ ଲାଗାଇବା ନେଇ ସରକାର ବିଚାର କରୁଥିବା ବାଚସ୍ପତି କହିଛନ୍ତି।
Trending Photos
ଭୁବନେଶ୍ବର : ରାଜ୍ୟରେ ପୁଣି ଆତଙ୍କ ଖେଳାଇଛି ମହାମାରୀ କୋରୋନା। କ୍ରମାଗତ ଭାବେ ରେକର୍ଡ ସଂଖ୍ୟକ ରୋଗୀ ସାମ୍ନାକୁ ଆସୁଛନ୍ତି। ଗତ ୨୪ ଘଣ୍ଟାରେ ୪୭୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ଏବଂ ଖୋର୍ଦ୍ଧା ଜିଲ୍ଲାରୁ କୋରୋନା ଜଣେ ମହିଳାଙ୍କ ମୁଣ୍ଡ ନେଇଛି। ସେପଟେ ରାଜ୍ୟ ରାଜଧାନୀରରେ ମଧ୍ୟ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରେଳ ଷ୍ଟେସନ, ବିମାନ ବନ୍ଦର ଓ ବ୍ୟାଙ୍କରେ ପଜିଟିଭ୍ ଚିହ୍ନଟ ହେବା ପରେ BMC ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେପଟେ ଦିନ ବେଳା କର୍ଫ୍ୟୁ ଲାଗାଇବା ନେଇ ସରକାର ବିଚାର କରୁଥିବା ବାଚସ୍ପତି କହିଛନ୍ତି।
ଭୁବନେଶ୍ବର (Bhubaneswar) ୟୁନିଟ ୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ମୁଖ୍ୟ ଶାଖାରେ ୭ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏହାର ପ୍ରଥମ ଓ ଦ୍ବିତୀୟ ମହଲାକୁ BMC ପକ୍ଷରୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି। ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଥିବା ବେଳେ ସମସ୍ତ ପଜିଟିଭଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆସନ୍ତା ୬ ତାରିଖରେ ଅନ୍ୟ କର୍ମଚାରୀ, ଅଧିକାରୀ ଓ ହାଉସକିପିଂ ଷ୍ଟାଫଙ୍କର RTPCR ଟେଷ୍ଟ ହେବ ବୋଲି କୁହାଯାଇଛି।
Also Read: Coronavirus: ବିପଦରେ ସୀମାନ୍ତ ଜିଲ୍ଲା, ଆଗକୁ ସଂକ୍ରମଣ ନେବ ବିକଟାଳ ରୂପ
ସେପଟେ ଭୁବନେଶ୍ୱର ରେଳଷ୍ଟେସନ (Bhubaneswar Railway Station) ରୁ ଦୁଇଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ (Covid Hospital) କୁ ସ୍ଥାନାନ୍ତର କରାଯାଇ କଂଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ବାହାର କରାଯାଉଛି। ସେହିପରି ଭୁବନେଶ୍ୱର ବିମାନ ବନ୍ଦର (Airport) ରୁ ପୁଣି ୧୦ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବିଏମସି ଆଶିଷ୍ଟାଣ୍ଟ କମିଶନର ଲିଲନ ପ୍ରଦାସ ସାହୁ କହିଛନ୍ତି।
କୋରୋନା ସଂକ୍ରମଣ (Coronavirus) ବୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ଫଳରେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ (Day Curfew) ଲାଗୁ ହେବା ନେଇ ସରକାର ଚିନ୍ତା କରୁଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର (Surya Narayan Patra) କହିଛନ୍ତି। ତେବେ ରାଜ୍ୟରେ କୋରୋନା ଦ୍ୱିତୀୟ ଷ୍ଟ୍ରେନ୍ (Second Strain) ଆସିଥିବାରୁ ସମସ୍ତେ ସଚେତନ ହେବା ସହ କୋଭିଡ ନିୟମ ମାନିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି।
Also Read: ଆସନ୍ତାକାଲି ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ SRC
ବର୍ତ୍ତମାନ ୭ ହଜାରରୁ ଅଧିକ ପ୍ରଜାତିର କୋରୋନା ମ୍ୟୁଟେଣ୍ଟ ଥିବା ବେଳେ ରାଜ୍ୟରେ ଡବଲ ମ୍ୟୁଟେଣ୍ଟ ଘାତକ ହେବାରେ ଲାଗିଛି। ଫଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ବେଗରେ ବୃଦ୍ଧି ପାଉଛି। ଏହାସହ ଆଗକୁ ଭ୍ୟାକସିନର ପ୍ରଭାବ ଷ୍ଟ୍ରେନ ଉପରେ ସେତିକି ପ୍ରଭାବ ପକାଇବା ନାହିଁ ଯେଭଳି କୋରୋନା ଭାଇରସ ଉପରେ ପକାଉଥିଲା। ଏଭଳି କିଛି ତଥ୍ୟ ବିଶେଷଜ୍ଞ ଦେବା ପରେ ଏବେ ରାଜ୍ୟରେ ବୃଦ୍ଧି ପାଉଥିବା କରୋନାର ଦ୍ବିତୀୟ ଲହରୀକୁ ରୋକିବା ସରକାରଙ୍କ ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି।
ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଦିନରେ ଲୋକଙ୍କ ଗହଳି ରହୁଛି। ସେଥିପାଇଁ ରାତିରେ ନାଇଟ କର୍ଫ୍ୟୁ କରିବା ଯୁକ୍ତିଯୁକ୍ତ ହେଉନାହିଁ। କୋରୋନା ସହ ମୁକାବିଲା କରିବା ପାଇଁ ପୂର୍ବ ଭଳି କଟକଣା କରିବା ଜରୁରୀ ହୋଇପଡିଛି। ସମୟ ଗଡିବା ସହ କୋରୋନାର ନୂଆ ଭାରିଆଣ୍ଟ ଅଧିକ ଶକ୍ତିଶାଳୀ ହେଲେ ଆଗକୁ ପରିସ୍ଥିତି ଆହୁରି ଭୟାବହ ହେବ ଓ ତା ପରେ ଏହାକୁ ରୋକିବା ସବୁଠାରୁ ବଡ ଅସବିଧା ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।