EXCLUSIVE: ବିଫଳ ବ୍ୟାଘ୍ର ପ୍ରକଳ୍ପରୁ ସମୀକ୍ଷା କରିବେ କି ସରକାର ?
Advertisement
Article Detail0/zeeodisha/odisha870676

EXCLUSIVE: ବିଫଳ ବ୍ୟାଘ୍ର ପ୍ରକଳ୍ପରୁ ସମୀକ୍ଷା କରିବେ କି ସରକାର ?

ଏନକ୍ଲୋଜରରେ ରହି ରହି ବାଘୁଣୀ ଅଳସୁଆ ହେବା ସହ ଶିକାର କରିବା ଭୁଲି ସାରିଛି। ଏବେ ବାଘୁଣୀ ତା' ବାପା ଘରକୁ ଫେରିଯିବ। ଏଥିପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚିଛନ୍ତି। ସୁନ୍ଦରୀକୁ ପୁଣି ଥରେ ସେମାନେ ନେଇଯିବେ। 

 

EXCLUSIVE: ବିଫଳ ବ୍ୟାଘ୍ର ପ୍ରକଳ୍ପରୁ ସମୀକ୍ଷା କରିବେ କି ସରକାର ?

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ରାଜ୍ୟରେ ବାଘ ବଂଶ ବୃଦ୍ଧି ନେଇ ୨୦୧୭ ମସିହାରେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ଅନୁମତି ଦେଇଥିଲା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ। ଏହାପରେ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଗୋଟିଏ ବାଘ ଓ ବାଘୁଣୀ ଅଣାଯାଇଥିଲା। ୨୦୧୮ ମସିହା ଜୁନ ୨୭ ତାରିଖରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଅଭୟାରଣ୍ୟ ବାଘୁଣୀ ସୁନ୍ଦରୀକୁ ଧରି ସାତକୋଶିଆ ଏନକ୍ଲୋଜରେରେ ରଖାଯାଇଥିଲା। ଏହାପରେ ୨୦୧୮ ମସିହା ଅଗଷ୍ଟ  ୧୭ରେ ଏନକ୍ଲୋଜରରୁ ସୁନ୍ଦରୀକୁ ଜଙ୍ଗଲକୁ ଛାଡ଼ି ଦିଆଯାଇଥିଲା। ମାତ୍ର, ସ୍ଥାନୀୟ ଲୋକଙ୍କୁ ସୁନ୍ଦରୀ ଆକ୍ରମଣ କରିବା ନେଇ ଅଭିଯୋଗ ହେବା ସହ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରିଥିଲେ। ପରେ ପୁଣିଥରେ ଏନକ୍ଲୋଜର ଭିତରକୁ ଆସିଥିବା ବାଘୁଣୀ ସୁନ୍ଦରୀ ରାଇଗୋଡା ଏନକ୍ଲୋଜରରେ ବନ୍ଦୀ ଜୀବନ କାଟୁଥିଲା। ଏପରିକି ଏନକ୍ଲୋଜରରେ ରହି ରହି ବାଘୁଣୀ ଅଳସୁଆ ହେବା ସହ ଶିକାର କରିବା ଭୁଲି ସାରିଛି। ଏବେ ବାଘୁଣୀ ତା' ବାପା ଘରକୁ ଫେରିଯିବ। ଏଥିପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚିଛନ୍ତି। (Tigress Sundari) ସୁନ୍ଦରୀକୁ ପୁଣି ଥରେ ସେମାନେ ନେଇଯିବେ। ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟରେ ବ୍ୟାଘ୍ର ବଂଶ କେମିତି ବୃଦ୍ଧି ହେବ ? ବନବିଭାଗର ଅପାରଗତା ଯୋଗୁ ସୁନ୍ଦରୀ ପ୍ରକଳ୍ପ ଫେଲ୍ ମାରିଛି। ଏପରିସ୍ଥଳେ ରାଜ୍ୟ ସରକାର ସୁନାବେଡ଼ା ପ୍ରକଳ୍ପକୁ କେମିତି ବଞ୍ଚାଇବେ ?

ନୂଆପଡ଼ା ଜିଲ୍ଲା ସୁନାବେଡ଼ା (Sunbabeda Sanctuary) ଅଭୟାରଣ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ନେଇ ରାଜ୍ୟ ସରକାର ୨୦୦୫ ମସିହାରେ ଯୋଜନା କରିଥିଲେ। ଏନଟିଏସ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ସୁନାବେଡ଼ାରେ ବ୍ୟାଘ୍ର ପ୍ରକଳ୍ପ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ତେବେ ୬ଶହ ବର୍ଗ କିଲୋମିଟରରୁ ୯୫୬.୧୭ ବର୍ଗ କିଲୋମିଟର ବୃଦ୍ଧି କରାଯାଇ ଛତିଶଗଡ଼ ଓ ଓଡ଼ିଶାର ପଶ୍ଚିମ ଭାଗରେ ସୀମା ବର୍ଦ୍ଧିତ କରାଯାଇଛି। ଏହାସହ ଦକ୍ଷିଣରେ ପାଟଧାରା ବ୍ଲକ୍ ପର୍ଯ୍ୟନ୍ତ ଏହା ବ୍ୟାପୀ ରହିଛି। ୨୦୦୪ ମସିହା ବାଘ ଗଣନା ଅନୁସାରେ ଏଠାରେ ୩୬ଟି ବାଘ ରଖିବାକୁ ସ୍ଥିର କରାଯାଇଥିଲା। ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ସୁନାବେଡ଼ା ସହ ପାଖାପାଖି ସନ୍ନିହିତ ଅଛି।  ତେବେ ଜିଲ୍ଲାରେ ମାଓବାଦୀଙ୍କ ଉପଦ୍ରବ ବଢ଼ିବା, ଜଣେ ଫରେଷ୍ଟରକୁ ମାଓବାଦୀ ହତ୍ୟା କରିବା ଫଳରେ ଏହାକୁ ବନ୍ଦ କରି ଦିଆ ଯାଇଥିଲା। ଏବେ ସୁନାବେଡ଼ାର ପରିସୀମା ବୃଦ୍ଧି ପାଇଛି। ଏହି ଜଙ୍ଗଲରେ ପ୍ରଚୁର ଗୟଳ, ନୀଳ ଗାଈ, ଜଙ୍ଗଲୀ କୁକୁର, ଏପରିକି ବାଘ ଥିବା ମଧ୍ୟ ସୂଚନା ରହିଛି। ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଏବେ ସେଠାରେ ବନ୍ୟପ୍ରାଣୀ ସଂଖ୍ୟା ଲୋପ ପାଇବାକୁ ବସିଛି। ତେଣୁ, ଏଠାରେ ବାଘ ବଂଶ ବୃଦ୍ଧି କରିବାକୁ ହେଲେ ସରକାରଙ୍କୁ ପ୍ରଥମେ ବନ୍ୟପ୍ରାଣୀ ଶିକାର ରୋକିବାକୁ ହେବ। ଏହାସହ ବିଶେଷଜ୍ଞଙ୍କ ସହ ଆଲୋଚନା କରି ବାଘ ବଂଶ କେମିତି ବୃଦ୍ଧି ପାଇବ, ସେ ଦିଗରେ ବିଚାର କରିବାକୁ ହେବ। କାରଣ, ଉପଯୁକ୍ତ ଯୋଜନା, ବିଶେଷଜ୍ଞଙ୍କ ମତାମତ ଓ ବାଘ-ଜଂଗଲର ପ୍ରବୃତ୍ତିକୁ ଷ୍ଟଡି କରିବାରେ ତ୍ରୁଟି ରହିଥବା କାରଣରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ (Tiger Reserve)  ଫେଲ ମାରିଛି। ବିଶେଷଜ୍ଞଙ୍କ କହିବାନୁସାରେ, ବାଘ ନିଜ ପରିବେଶ ପରିବର୍ତ୍ତନ କଲେ, ତାହାର ସ୍ବଭାବରେ ପରିବର୍ତ୍ତନ ଆସେ ଓ ଉପଯୁକ୍ତ ବୟସର ବାଘ ଆଣି ତାକୁ ସେହି ଅନୁପାତରେ ପରିବେଶ ଓ ଖାଦ୍ୟ ଯୋଗାଇବା ନିହାତି ଜରୁରୀ। ସବୁଠୁ ଜରୁରୀ ହେଉଛି ପ୍ରଚୁର ଖାଦ୍ୟ, ସୁରକ୍ଷିତ ବାସସ୍ଥାନ ଓ ସାଥୀ ସହ ବୁଝାମଣା। ତେବେ ଯାଇ ବାଘ ବଂଶ ବୃଦ୍ଧି ହୋଇପାରିବ।

Also Read: ରାଜ୍ୟରେ ବଢୁଛି କୋରୋନା ମାମଲା: ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା ଏହି ନିୟମ...

ସାରା ବିଶ୍ୱର ୭୦ ପ୍ରତିଶତ ବାଘ କେବଳ ଭାରତରେ ଅଛନ୍ତି। ୧୯୭୩ ମସିହାରେ ଆମ ଦେଶରେ ମାତ୍ର ୯ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଥିଲା। କିନ୍ତୁ ଏବେ ସାରାଦେଶରେ ୫୦ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଅଛି। ଗତବର୍ଷ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସର ପୂର୍ବ ସନ୍ଧ୍ୟାରେ ଏକ ରିପୋର୍ଟ ପ୍ରକାଶ କରି କେନ୍ଦ୍ର ସରକାର ଏଭଳି ସୂଚନା ଦେଇଥିଲେ। ସେହିପରି ଦେଶରେ ଏବେ ବାଘ ସଂଖ୍ୟା ୨୯୬୭। ୨୦୧୪ରେ ଦେଶରେ ବାଘ ସଂଖ୍ୟା ଥିଲା ୨୨୨୬। ଗତବର୍ଷର ଗଣନା ଅନୁସାରେ, ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ଟି ବାଘ ଅଛନ୍ତି। ସେହିପରି କର୍ଣ୍ଣାଟକରେ ୫୨୪ଟି ଓ ଉତ୍ତରାଖଣ୍ଡରେ ୪୪୨ଟି ବାଘ ଅଛନ୍ତି। ଛତିଶଗଡ଼ ଏବଂ ମିଜୋରାମରେ ବାଘ ସଂଖ୍ୟା ହ୍ରାସ ପାଇଥିବା ବେଳେ ଓଡ଼ିଶାରେ ବାଘ ସଂଖ୍ୟା ଅପରିବର୍ତ୍ତିତ ରହିଛି। ୨୦୧୫ରେ ଏନଟିସି (NTCA) ଏ ଦେଇଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ବାଘ ସଂଖ୍ୟା ୨୮। ଦେଶରେ ତ ବାଘ ସଂଖ୍ୟା ବଢ଼ିଛି, କିନ୍ତୁ ଓଡ଼ିଶାରେ ଏହି ସଂଖ୍ୟା ଅପରିବର୍ତ୍ତିତ ରହିଛି। କଥା ହେଉଛି, ବ୍ୟାଘ୍ର ଗଣନା କେତେ ସାଧୁତା ଅବଲମ୍ବନ କରି ଓ ସଚ୍ଚୋଟ ଉପାୟରେ ହେଉଛି । କାରଣ ଗ୍ରାଉଣ୍ଡ ଜିରୋରେ ବାଘଙ୍କୁ ଗଣୁଥିବା ତଳିଆ ସ୍ତରର ବନ କର୍ମଚାରୀଙ୍କ ନିରପେକ୍ଷତା ମଧ୍ୟ ବାଘଙ୍କ ପ୍ରକୃତ ସଂଖ୍ୟା ଦର୍ଶାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ । ଓଡ଼ିଶା ତଥା ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳରେ ପ୍ରଥମେ ପଗ୍ ମାର୍କ (Pog mark) ପଦ୍ଧତିରେ ବାଘ ଗଣନା ହେଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସାଟେଲାଇଟ୍ ଫଟୋଚିତ୍ର ଆଧାରରେ ହୋକୁ ଲାଗିଲା ବ୍ୟାଘ୍ର ଗଣନା। ତେବେ ଏଥିରେ ମିଳୁଥିବା ତଥ୍ୟ ତ୍ରୁଟିଶୂନ୍ୟ ହେଉ ନ ଥିବା ବେଳେ ବାଘଙ୍କ ସଂଖ୍ୟାରେ ମଧ୍ୟ ଅନେକ ଫରକ୍ ଦେଖାଦେଲା। କାରଣ, ସାଟେଲାଇଟ୍ ଫଟୋଚିତ୍ରରେ ଜଙ୍ଗଲର ଗୋଟିଏ ସ୍ଥାନରେ ଦେଖାଦେଇଥିବା ବାଘଟିଏ ଯେ, ଜଙ୍ଗଲର ଅନ୍ୟ ଏକ ସ୍ଥାନରେ ଦେଖାଦେବ ନାହିଁ, ତା'ର କିଛି ଗ୍ୟାରେଣ୍ଟି ନାହିଁ। ଆଉ ଭିନ୍ନ ଭିନ୍ନ ସ୍ଥାନରେ ଦେଖା ଦେଉଥିବା ସେହି ଗୋଟିଏ ବାଘକୁ ସାଟେଲାଇଟ୍ ଯେତେଥର ଚିହ୍ନଟ କରିବ, ସେତିକିଟି ବାଘ ବୋଲି ଗଣିବ। ତେଣୁ ଏ ପଦ୍ଧତି ମଧ୍ୟ ତ୍ରୁଟିଶୂନ୍ୟ ନୁହେଁ। ଫଳରେ ପୁଣିଥରେ ବ୍ୟାଘ୍ରଗଣନା (Tiger Census) ପାଇଁ ସେହି ସେହି ପୁରୁଣା ପଦ୍ଧତିକୁ ଆପଣା ଯାଉଛି। ଏକଥାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ପୂର୍ବତନ ଡିଏଫଓ କମଳ ପୁରୋହିତ। ତେଣୁ ବାସ୍ତବରେ ଦେଶର ବିଭିନ୍ନ ବ୍ୟାଘ୍ର ପ୍ରକଳ୍ପ ବା ରାଜ୍ୟ ପକ୍ଷରୁ ଜାରି ହୋଇଥିବା ବାଘଙ୍କ ସଂଖ୍ୟା ଓ ଜଙ୍ଗଲରେ ଥିବା ବାଘଙ୍କ ସଂଖ୍ୟା ଯେ ଏକା ହେବ, ସେକଥା କେହି ଜୋର ଦେଇ କହିପାରିବେ ନାହିଁ। କିନ୍ତୁ ତାକୁ ଚ୍ୟାଲେଞ୍ଜ କରିବ କିଏ ? ଇଏ ଏକ ବଡ଼ ପ୍ରଶ୍ନ ।

Also Read:  ତିନି ଥର ଫେଲ ହେଲା Landing, ଏକ ଘଣ୍ଟା ଧରି ବିମାନରେ ପଡ଼ିଗଲା କାନ୍ଦ ବୋବାଳି

ସେହିପରି ସାତକୋଶିଆ (Satkosia) ରେ ବାଘୁଣୀ ସୁନ୍ଦରୀ ପ୍ରକଳ୍ପ ଫେଲ୍ ମାରିବା ନେଇ ସେ କହିଛନ୍ତି, ଏଥିପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ। କୋରୋନା ପାଇଁ ନନ୍ଦନକାନନରେ ବାଘ ସଫାରୀ ବନ୍ଦ ଅଛି। ତେଣୁ, ବାଘ ସଫାରୀରେ ସୁନ୍ଦରୀକୁ ରଖି ବାଘ ବଂଶ ବୃଦ୍ଧି ନେଇ ରାଜ୍ୟ ସରକାର ଚିନ୍ତା କରିବାର ଆବଶ୍ୟକତା ଥିଲା। କିନ୍ତୁ, ତାହା ହେଲା ନାହିଁ। ସେହିପରି ସୁନାବେଡ଼ାରେ ବାଘ ବଂଶ ବୃଦ୍ଧି ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବାନୁସାରେ, ସେଠାରେ ପୂର୍ବରୁ ଅଧିକାରୀ ପଠାଇ ସମୀକ୍ଷା କରାଯାଇଛି। ଗୋଟିଏ କି ଦୁଇଟି ବାଘ ଥିବାବେଳେ ୨୧ଟି ବାଘ ଥିବା ଦର୍ଶାଯାଇଥିଲା, ଯାହା ପୂରା ପୂରି ମିଛ। ସେହିପରି ସରକାର ବାଘ ବଂଶ ବୃଦ୍ଧି କରିବାକୁ ହେଲେ ପ୍ରଥମେ ଜଙ୍ଗଲୀ ଜୀବଜନ୍ତୁଙ୍କ ଶିକାରକୁ ସମ୍ପର୍ଣ୍ଣ ଭାବେ ରୋକିବା ନିହାତି ଜରୁରୀ।

Also Read:  କଣ କଲୁରେ କଳିଯୁଗର ପୁଅ ?

ପୂର୍ବତନ ଡିଏଫଓ ସୁରେଶ ମିଶ୍ରଙ୍କ କହିବାନୁସାରେ, ବାଘ ବଂଶ ବୃଦ୍ଧି କରିବାକୁ ହେଲେ ପ୍ରଥମେ ଜଙ୍ଗଲ ସୁରକ୍ଷା କରିବାକୁ ପଡ଼ିବ। ଜଙ୍ଗଲ ଅଞ୍ଚଳରେ ଥିବା ଗାଁ ଗୁଡ଼ିକରେ ଲୋକମାନେ ଚାଷ ଜମି ବୃଦ୍ଧି କରିବାକୁ ଜଙ୍ଗଲ ନଷ୍ଟ କରୁଛନ୍ତି। ଫଳରେ ଜଙ୍ଗଲ ସଂଖ୍ୟା ହ୍ରାସ ପାଉଛି। ସେହିପରି ଜଙ୍ଗଲ (Jungle) ରେ ନିଆଁ ଲାଗିବା, ଜନ୍ତୁ ଶିକାର ଆଦି ବାଘ ବଂଶ ବୃଦ୍ଧି ନ ହେବାର ଅନ୍ୟତମ ପ୍ରମୁଖ କାରଣ। ସେହିପରି ଲୋକମାନେ ଜଙ୍ଗଲରେ ଗୋରୁ ଛାଡ଼ିଥା'ନ୍ତି। ଫଳରେ ହରିଣ, ବାରହା ଖାଉଥିବା ଖାଦ୍ୟକୁ ଗୋରୁ ଖାଇଥା'ନ୍ତି। ଯାହା ଫଳରେ ଜଙ୍ଗଲର ଶୃଙ୍ଖଳା ନଷ୍ଟ ହେଉଛି। ତେଣୁ, ବାଘଙ୍କ ସଂଖ୍ୟା ବୃଦ୍ଧି କରିବାକୁ ହେଲେ ଜନବସତି ସ୍ଥାନାନ୍ତର କରିବାକୁ ପଡ଼ିବ। ଏସବୁ କାରଣରୁ ସାତକୋଶିଆରେ ସୁନ୍ଦରୀ ପ୍ରକଳ୍ପ ଫେଲ ମାରିଛି।

Also Read: ସୋସିଆଲ ମିଡିଆ ପାଇଁ ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ

ଅନ୍ୟପଟେ ବାଘ ଶିକାର ଯୋଗୁ ମଧ୍ୟ ବାଘ ବଂଶ (Tiger) ହ୍ରାସ ପାଉଛି। ଭାରତରେ ବାଘ ଶିକାର ସବୁଠାରୁ ଚିନ୍ତାଜନକ ବିଷୟ। ୨୦୧୪ରେ ୮୧ଟି ବାଘଙ୍କ ଶିକାର ହୋଇଥିବାବେଳେ ୨୦୧୫ରେ ୨୫ ଓ ୨୦୧୬  ଏପ୍ରିଲ ସୁଦ୍ଧା ୨୮ଟି ବାଘ ଶିକାର କରାଯାଇଛି। ଏଭଳି ତଥ୍ୟ ଲଗାତାର ଭାବେ ସରକାରୀ ସ୍ତରରେ ଚିନ୍ତା ବଢ଼ାଇଛି। ବାଘଙ୍କ ବାସସ୍ଥଳୀ ସଂକୁଚିତ ହେବା ମଧ୍ୟ ସଂଖ୍ୟା କମିବା ପଛର ଗୋଟିଏ ପ୍ରମୁଖ କାରଣ। ସହର ବୃଦ୍ଧି  ଓ ଜଙ୍ଗଲ ନଷ୍ଟ ହେବା ଯୋଗୁ ବାଘଙ୍କ ବାସସ୍ଥଳୀ ପାଖାପାଖି ୯୩ ପ୍ରତିଶତ କମିଛି। ପ୍ରତିଦିନ ଦେଶରେ ୩୩୩ ଏକର ଜଙ୍ଗଲ କମୁଛି। କିଛି ବାଘ ଛୋଟ ଜଙ୍ଗଲରେ ରହିବାକୁ ସକ୍ଷମ ଥିଲେ ମଧ୍ୟ ଶିକାରୀଙ୍କ ପ୍ରାଦୁର୍ଭାବ ଏମାନଙ୍କ ସଂଖ୍ୟାକୁ ଲଗାତାର କମାଇ ଚାଲିଛି। ବର୍ତ୍ତମାନ ଦିନରେ ମଧ୍ୟ ସମସ୍ତଙ୍କ ପାଇଁ କେବଳ ଚିଡ଼ିଆଖାନାରେ ହିଁ ଦକ୍ଳନ ନିମନ୍ତେ ବାଘ ଉପଲବ୍ଧ ହେଉଛନ୍ତି । ତେବେ କାହିଁ ଏମିତି ନ ହେଉ, ଆଗାମୀ ପିଢ଼ି ପାଇଁ ବାଘ କେବଳ ପଢ଼ାବହିର ଏକ ଫଟୋଚିତ୍ର ହୋଇ ରହି ନ ଯାଉ ।