ଇନ୍ଦିରା-ଓଡ଼ିଶା-ସ୍ମୃତି
Advertisement

ଇନ୍ଦିରା-ଓଡ଼ିଶା-ସ୍ମୃତି

ମୃତ୍ୟୁ ପୂର୍ବରୁ ଓଡ଼ିଶାରେ ଦେଇଥିଲେ ଶେଷ ଭାଷଣ

file photo

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର:  ଇନ୍ଦିରା ଗାନ୍ଧି । ଭାରତର ଆଇରନ ଲେଡି । ପିଲା ଦିନରୁ ରାଜନୈତିକ ପରିବେଶରେ ବଢ଼ିଥିବା ଇନ୍ଦିରା ଭାରତର ପ୍ରଧାନମନ୍ତ୍ରୀ ହେବା ସହ ବିଶ୍ୱର ଜଣେ ସବୁଠୁ ଚିହ୍ନା ଚେହେରା । ଭାରତ ରାଜନୀତିରେ ତାଙ୍କର ଯେତିକି ଅବଦାନ ଥିଲା, ଓଡ଼ିଶା ରାଜନୀତିରେ ମଧ୍ୟ ସେ ସେତିକି ସଂଶ୍ଲିଷ୍ଟ ଥିଲେ । ୧୯୬୭ ମସିହା ଫେବ୍ରୁଆରୀ ୮ ତାରିଖ । ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ନିର୍ବାଚନୀ ପ୍ରଚାର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓଡ଼ିଶା ଆସିଥିଲେ । ସେତେବେଳକୁ ଓଡ଼ିଶାରେ କଂଗ୍ରେସ ବିରୋଧୀ ହାୱା ପ୍ରବଳ ବେଗରେ ବହୁଥିଲା । ଇନ୍ଦିରାଙ୍କ ନିର୍ବାଚନୀ ସଭା ଭୁବନେଶ୍ୱର ପରେଡ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ପରେଡ୍ ପଡ଼ିଆଟି ବର୍ତ୍ତମାନ ଇନ୍ଦିରା ଗାନ୍ଧି ପାର୍କ ନାଁରେ ଜଣାଶୁଣା । ଇନ୍ଦିରା ଗାନ୍ଧିଙ୍କ ସହ ସଭା ମଞ୍ଚରେ ଥାନ୍ତି ବିଜୁ ପଟ୍ଟନାୟକ, ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣୀ ପାଣିଗ୍ରାହୀ ଓ ବିଧାନସଭା କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରିୟ ମହାନ୍ତି । ଇନ୍ଦିରା ଭାଷଣ ଆରମ୍ଭ କଲାବେଳକୁ ହଠାତ୍ କେତେକ ଯୁବକ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇଥିଲେ ଏବଂ ମଞ୍ଚ ଉପରକୁ ଢେଲାମାଡ଼ କରିଥିଲେ । ତଥାପି ଇନ୍ଦିରା ଭାଷଣ ବନ୍ଦ କରି ନଥିଲେ । ମୋତେ ଭାଷଣ ଦେବାରୁ ଆପଣମାନେ ନିବୃତ୍ତ କରିପାରିବେ ନାହିଁ ବୋଲି ଇନ୍ଦିରା ବାରମ୍ୱାର କହୁଥାନ୍ତି । ଶେଷରେ ଢେଲା ମାଡ଼ରେ ଇନ୍ଦିରାଙ୍କ ନାକ ଫାଟି ଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ରାଜଭବନକୁ ନିଆଯାଇଥିଲା ଏବଂ ତାଙ୍କର ଚିକିତ୍ସା କରାଯାଇଥିଲା ।

ସେହିପରି ଅନ୍ୟ ଏକ ଘଟଣା ଥିଲା ବେଶ୍ ଦୁଃଖଦ ଓ ହୃଦୟ ବିଦାରକ । ଅପରେସନ ବ୍ଲୁ ଷ୍ଟାର୍ ପରେ ପଞ୍ଜାବରେ ଉଗ୍ରବାଦୀମାନେ ଇନ୍ଦିରାଙ୍କୁ ହତ୍ୟା କରିବାର ନାନା ଯୋଜନା କରୁଥିଲେ । ୧୯୮୪ ମସିହା ଅକ୍ଟୋବର ୩୦ ତାରିଖ । ଇନ୍ଦିରା ଗାନ୍ଧି ଦେଇଥିଲେ ତାଙ୍କ ଜୀବନର ଶେଷ ଭାଷଣ । 'ମୋର ଚିନ୍ତା ନାହିଁ, ଯେ ମୁଁ ଜୀବିତ ରହିବି ନା ରହିବିନି...ଦେଶର ସେବା କରୁଥିବାବେଳେ ଯଦି ମୋର ପ୍ରାଣ ଚାଲିଯାଏ, ନିଜକୁ ଗର୍ବ ଅନୁଭବ କରିବି, ମୋର ପ୍ରତିଟି ରକ୍ତ ବିନ୍ଦୁ ଦେଶର ସମୃଦ୍ଧି ଓ ପ୍ରଗତି ପାଇଁ ଶକ୍ତି ଯୋଗାଇବ..ମୋର ଆଶା ଅଛି, ଦେଶର ଯୁବଗୋଷ୍ଠୀ ଓ ମହିଳା ମାନେ ଏ ବିଷୟରେ ଆଜି ହିଁ ଭାବନ୍ତୁ' । ଏହି ଭାଷଣ ସେତେବେଳେ ଚାରିଆଡ଼େ ଦୋହଲାଇ ଦେଇଥିଲା । ଏହା ଥିଲା ଆଇରନ ଲେଡିଙ୍କ ଶେଷ ଭାଷଣ ।



ସେହିଦିନ ଦିଲ୍ଲୀରେ ଆଉ ଏକ ଘଟଣା ଘଟିଥିଲା । ସ୍କୁଲ ଗଲାବେଳେ ଇନ୍ଦିରାଙ୍କ ନାତି ଓ ନାତୁଣୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାହାର କିଛି ବିଶେଷ କ୍ଷତି ହୋଇ ନଥିଲା । କିନ୍ତୁ ଇନ୍ଦିରାଙ୍କୁ ତୁରନ୍ତ ଏ ବିଷୟରେ ଅବଗତ କରାଯାଇ ନଥିଲା । ସନ୍ଧ୍ୟାରେ ଭୁବନେଶ୍ୱରରୁ ଫେରିବା ପରେ ତାଙ୍କୁ ଏ ବିଷୟରେ କୁହାଯାଇଥିଲା । ରାତିସାରା ଇନ୍ଦିରା ସେମାନଙ୍କ ପାଖରେ ବସି କାନ୍ଦୁଥିଲେ । ଏକଥା ତାଙ୍କର ପ୍ରମୁଖ ସଚିବ ପିସି ଆଲେକଜାଣ୍ଡର ଦେଖିଥିବାର ଇନ୍ଦିରାଙ୍କ ବାୟୋଗ୍ରାଫିରେ ଲେଖାଯାଇଛି । ତେବେ ଭୁବନେଶ୍ୱରରେ ପିନ୍ଧି ଯାଇଥିବା ଶାଢ଼ୀକୁ ବି ଇନ୍ଦିରା ବଦଳାଇ ନଥିଲେ ଏବଂ ସେହି ନାଲି ଶାଢ଼ୀକୁ ପିନ୍ଧି ସାରା ରାତି କାନ୍ଦୁଥିଲେ । ସେହି ଦିନଠାରୁ ହିଁ ଇନ୍ଦିରାଙ୍କ ମନରେ ଏକ ଅଜଣା ଭୟ ଖେଳି ଯାଇଥିଲା ।



ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୯୮୪ ମସିହା ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରରେ ଥିଲା ଇନ୍ଦିରାଙ୍କ ଶେଷ ଭାଷଣ । ସେଦିନ ଭାଷଣ ଦେବା ପରେ ଇନ୍ଦିରା ଦିଲ୍ଲୀ ତ ଫେରି ଯାଇଥିଲେ । କିନ୍ତୁ ପରଦିନ ସ୍ତବ୍ଧ ହୋଇଗଲା ସାରା ଦେଶ । ଗଗନ, ପବନ ବି ମୌନ ବ୍ରତ ଧାରଣ କରିଥିଲେ । ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ଇନ୍ଦିରାଙ୍କ ନିଜ ଅଙ୍ଗରକ୍ଷୀ ତାଙ୍କୁ ଗୁଳି କରିଥିଲେ । ଏହା ପରେ ଇନ୍ଦିରାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବନ୍ଧୁକ ମୁନରେ କିମ୍ୱା ହିଂସାରେ ଶାନ୍ତିର ଆଶା କରିବା ହିଁ ନିରର୍ଥକ । ଏକଥା ସେତେବେଳେ ବି ସତ୍ୟ ଥିଲା, ଆଉ ଆଜି ବି ।



(ବି.ଦ୍ର: ଏହି ଆଲେଖ୍ୟର କେତେକ ତଥ୍ୟ ଓଡ଼ିଶା ରାଜନୀତିର ଇତିହାସ ଏବଂ ପୁପୁଲ ଜୟକରଙ୍କ ଇନ୍ଦିରା ଗାନ୍ଧି ବାୟୋଗ୍ରାଫିରୁ ସଂଗ୍ରହ କରାଯାଇଛି )