କୋଟିଆରେ ନିଖୋଜ ୨୦ ବର୍ଷର ବିକାଶ, ଖୋଜିବାକୁ ଯିବେ ରାଜ୍ୟ ମୁଖିଆ
Advertisement

କୋଟିଆରେ ନିଖୋଜ ୨୦ ବର୍ଷର ବିକାଶ, ଖୋଜିବାକୁ ଯିବେ ରାଜ୍ୟ ମୁଖିଆ

ସ୍ୱାଧୀନତାକୁ ୭୩ ଓ ନବୀନ ଶାସନକୁ ୨୦ ବର୍ଷ ବିତିଯାଇଛି। କିନ୍ତୁ ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ଏହି ଗାଁରେ ନିଖୋଜ ହୋଇଯାଇଛି ବିକାଶ। ଆଉ ସେହି ବିକାଶକୁ ଖୋଜିବାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କୋଟିଆ (kotia) ଯିବେ।

 କୋଟିଆରେ ନିଖୋଜ ୨୦ ବର୍ଷର ବିକାଶ, ଖୋଜିବାକୁ ଯିବେ ରାଜ୍ୟ ମୁଖିଆ

ଭୁବନେଶ୍ୱର: କୋଟିଆ, ରାଜ୍ୟ ରାଜନୀତିରେ ଚହଳ ଖେଳାଇ ଦେଇଥିବା ଗୋଟିଏ ଗାଁର ନାଁ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର (Koraput) ଏକ ଛୋଟିଆ ପଞ୍ଚାୟତ ହେଉଛି କୋଟିଆ (Kotia)। ବିଗତ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଗାଁ ଗଣମାଧ୍ୟମର ଶୀର୍ଷକ ଓ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଏକ ବଜ୍ରାସ୍ତ୍ର ପାଲଟିଛି। ସ୍ୱାଧୀନତାକୁ ୭୩ ଓ ନବୀନ ଶାସନକୁ ୨୦ ବର୍ଷ ବିତିଯାଇଛି। କିନ୍ତୁ ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ଏହି ଗାଁରେ ନିଖୋଜ ହୋଇଯାଇଛି ବିକାଶ। ଆଉ ସେହି ବିକାଶକୁ ଖୋଜିବାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କୋଟିଆ (kotia) ଯିବେ।

ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା କୋରାପୁଟର (Koraput) ପଟାଙ୍ଗୀ ବ୍ଲକରେ (Pottangi Block) ଏକ ଛୋଟିଆ ପଞ୍ଚାୟତ ହେଉଛି କୋଟିଆ (Kotia)। ଦୀର୍ଘ ଦିନ ଧରି ଏହି ପଞ୍ଚାୟତର ଅନେକ ଗାଁକୁ ନେଇ ଓଡିଶା (Odisha) ଓ ଆନ୍ଧ୍ର ପ୍ରଦେଶ (Andhrapradesh) ମଧ୍ୟରେ ବିବାଦ ଲାଗିରହିଛି। କେତେବେଳେ ଆନ୍ଧ୍ର ସରକାର (AP Government) ଓଡିଶାର ଅନେକ ଗାଁରେ ଭତ୍ତା ବାଣ୍ଟୁଛି, କେତେବେଳେ ରାସ୍ତାଘାଟ ତିଆରି କରୁଛି, ତ କେତେବେଳେ ଓଡିଶାର ସୀମାନ୍ତବାସୀଙ୍କ ପାଇଁ ଉନ୍ନୟନମୂଳକ ଯୋଜନା ତିଆରି କରୁଛି। ଆଉ ସ୍ୱାଧୀନ ଭାରତରେ ବିକାଶର ରୂପ ଦେଖିନଥିବା ନିରୀହ ଆଦିବାସୀ ଯିଏ ଯାହା ଦେଲା ତାକୁ ଆପଣାଇ ନେଉଛନ୍ତି। ଓଡିଶା ସରକାର (Odisha Government) ହେଉ କିମ୍ବା ଆନ୍ଧ୍ର ସେଥିରେ ତାଙ୍କର କୌଣସି ଫରକ ପଡୁନାହିଁ।

Also Read: ବିଶ୍ୱସ୍ତରୀୟ ସରକାରଙ୍କ ବେଆଇନ ଆବିଷ୍କାର!

ସେପଟେ କୋଟିଆକୁ (Kotia) ଓଡିଶାର ଅଂଶ ସତ, କିନ୍ତୁ ଲୋକେ ନବୀନ ସରକାରଙ୍କ ଅପେକ୍ଷା ପଡୋଶୀ ଆନ୍ଧ୍ର ସରକାରଙ୍କୁ ଅଧିକ ପସନ୍ଦ କରନ୍ତି। ଆଉ ଏହାର କାରଣ ହେଉଛି, ଲୋକାଭିମୂଖୀ ଯୋଜନା ଓ କିଛି ପାଇବାର ଲୋଭ। ରାଜ୍ୟରେ ନବୀନ ପଟ୍ଟନାୟକ (Naveen Patnaik) ସରକାର କ୍ଷମତାକୁ ଆସି ୨୦ ବର୍ଷ ବିତିଗଲାଣି। ତଥାପି ୧୯୯୦ ପୂର୍ବରୁ କୋଟିଆ (Kotia) ଯେଭଳି ଥିଲା ସେହିଭଳି ହିଁ ଅଛି। ଲୋକଙ୍କ ଜୀବନ ଶୈଳୀରେ କିଛିଟା ପରିବର୍ତ୍ତନା ଆସିଛି ସତ କିନ୍ତୁ ଏବେ ବି ସେମାନେ ସରକାରୀ ଯୋଜନାଠୁ ବହୁତ ଦୂରରେ। ସେଥିପାଇଁ କୋଟିଆବାସୀ ଓଡିଶା ସରକାରଙ୍କ (Odisha Government) ଉପରେ ଭରଷା ତୁଟାଇଲେଣି। ଯାହାର ଉଦାହରଣ କୋରାପୁଟ (Koraput) ଜିଲ୍ଲାପାଳ ମଧୂସୁଦନ ମିଶ୍ରଙ୍କ (Madhusudan Mishra) ବଦଳିରୁ ସ୍ପଷ୍ଟ ଜଣା ପଡୁଛି।

ଏବେ ଓଡିଶା ସୀମାନ୍ତ (Odisha) କୋଟିଆ ପଞ୍ଚାୟତର (Kotia Panchayat) ୩ଟି ଗ୍ରାମର ନାଁ ପରିବର୍ତ୍ତନ କରି ଆନ୍ଧ୍ର ସେଠାରେ ପଞ୍ଚାୟତ ନିର୍ବାଚନ କରୁଛି। ଆସନ୍ତା ୧୩ ଓ ୧୭ ତାରିଖରେ ସେଠାରେ ଭୋଟ ପଡିବ। ଏଥିପାଇଁ ସେହି ୩ଟି ଗ୍ରାମର ପ୍ରାୟ ୧୫ ଜଣ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିଛନ୍ତି। ଆଉ ଏହି ଖବର ପ୍ରକାଶ ପାଇବା ପରେ ସରକାର ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ବୋଧେ କୋରାପୁଟ ଜିଲ୍ଲାପାଳ ମଧୂସୁଦନ ମିଶ୍ରଙ୍କୁ ରାଜ୍ୟ ଜଙ୍ଗଲ ବିଭାଗକୁ ବଦଳି କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ କୋଟିଆବାସୀଙ୍କ ପାଇଁ ଶୁକ୍ରବାର ୧୮ କୋଟି ଟଙ୍କାର ଏକ ଲଲିପପ୍ ଧରାଇଛନ୍ତି। 

Also Read: Nescoର ୫୧ ପ୍ରତିଶତ ଅଂଶଧନ କିଣିଲା ଟାଟା ପାଓ୍ୱାର

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ (Chief Minister) ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ (VK Pandian) ସଂଯୋଜନାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କୋଟିଆବାସୀଙ୍କୁ (Kotia) ଓଡିଶାମୁଖୀ କରିବାକୁ ଚେଷ୍ଚା କରିଛନ୍ତି। ସେ କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଅନଲାଇନ ଉଦଘାଟନ କରିଥିବା ବେଳେ ଓଡିଶା ସରକାରଙ୍କ ସହ କୋଟିଆବାସୀଙ୍କୁ ଯୋଡିବା ପାଇଁ ୫ କୋଟିର ଏକ ହାଇ ଲେଭଲ ସେତୁର ଭିତିପସ୍ତର ସ୍ଥାପନ କରିଛନ୍ତି। 

ତେବେ କୋଟିଆ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ଏହା ପ୍ରଥମ ଥର ନୁହେଁ। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କୋଟିଆ (Kotia) ପାଇଁ ୧୫୦ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଟଙ୍କାରେ ରାସ୍ତାଘାଟ ଠାରୁ ଆରମ୍ଭ କରି ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲୋଷ୍ଟେର ସହ ପ୍ରାୟ ୨୧ଟି ଉନ୍ନୟନ ମୂଳକ କାମ ଚାଲୁଛି। ଏପରି କି କୋଟିଆରେ ଏକ ଥାନା ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ଦୁର୍ଗମ ଅଞ୍ଚଳର ଏହି ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଜୁ ଗାଁ ଗାଡିର ଶୁଭାରମ୍ଭ ମଧ୍ୟ କରିଥିଲେ। କିନ୍ତୁ ସେଗୁଡ଼ିକ କେତେ ଦୂର କାର୍ଯ୍ୟକ୍ଷମ ହୋଇଛି ତାହାକୁ ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀ ନବୀନ ନିଜେ କୋଟିଆ ଯାଇ ତଦାରଖ କରିବେ ଓ ବିକାଶ ପାଇଁ ବ୍ୟାକୁଳଥିବା ଆଦିବାସୀଙ୍କ କଥା ଶୁଣିବେ।

Also Read: କଟକ-ପୁରୀ ବାଇପାସ୍ ରାସ୍ତାରୁ ହଟିଲା ଅନ୍ଧାର

ଯଦି ରାଜ୍ୟ ସରକାର କୋଟିଆକୁ ବଞ୍ଚାଇବା ପ୍ରୟାସରେ ବିଫଳ ହୁଅନ୍ତି ତେବେ ନା କେବଳ ଓଡିଶାର ମାନସମ୍ମାନ ଓ ଏକ ଭୁଖଣ୍ଡ ଯିବ, ତା ସହ ଅମୂଲ୍ୟ ଖଣିଜ ସମ୍ପଦ ମଧ୍ୟ ଆନ୍ଧ୍ରକୁ ଯିବ। ବୋଧ ହୁଏ ସେଥି ପାଇଁ ଆନ୍ଧ୍ର ପ୍ରଦେଶ କଟିଆ ଉପରେ ଲୋଲୁପ ଦୃଷ୍ଟି ପକାଇଛି। ପାହାଡ ପର୍ବତ ଘେରା କୋଟିଆ ପଞ୍ଚାୟତରେ ଭରପୁର ଖଣିଜ ସମ୍ପଦ ଅଛି। ପାହାଡ ଗର୍ଭରେ ସୁନା ଓ ବକସାଇଟ୍ ଥିବା ଅନୁମାନ କରାଯାଉଛି।