ଅଟକାଇବାରୁ ଗାଡ଼ି ମଡାଇଦେଲେ, ଜୀବନ ହରାଇଲେ ୨ ପୋଲିସ ଅଧିକାରୀ
Advertisement

ଅଟକାଇବାରୁ ଗାଡ଼ି ମଡାଇଦେଲେ, ଜୀବନ ହରାଇଲେ ୨ ପୋଲିସ ଅଧିକାରୀ

Cop crushed to death: ଜଣେ ଖଣି ମାଫିଆ ଓ ଆଉ ଜଣେ ପିକଅପ ଡ୍ରାଇଭରର ଆକ୍ରାଶର ଶିକାର ହୋଇଛନ୍ତି ଦେଶର ଦୁଇଜଣ ପୋଲିସ କର୍ମଚାରୀ । ଆକ୍ରୋଶର ମୂଲ୍ୟରେ ସେମାନେ ନିଜ ଜୀବନ ହରାଇଛନ୍ତି ।

 

ସୌ: ସୋସିଆଲ ମିଡିଆ

Cop crushed to death: ବେଆଇନ କାମ ଅଟକାଇବାକୁ ଯାଇ ଦେଶର ଦୁଇ ପୋଲିସ ଅଧିକାରୀଙ୍କ ଜୀବନ ଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ହରିଆଣା ଓ ଝାଡ଼ଖଣ୍ଡରେ । ଉଭୟ କ୍ଷେତ୍ରରେ ପୋଲିସ ଅଧିକାରୀ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ବେଆଇନ କାମ କରୁଥିବା ଲୋକ ଯେ କିଛି ବି ସୀମା ସରହଦ ପାର କରିପାରନ୍ତି ଏଥିରୁ ସ୍ପଷ୍ଟ ହୋଇଛି । ଖଣି ମାଫିଆ ଓ ଆଉ ଜଣେ ପିକଅପ ଡ୍ରାଇଭରର ଆକ୍ରାଶର ଶିକାର ହୋଇଛନ୍ତି ଉଭୟ ପୋଲିସ କର୍ମଚାରୀ । ଆକ୍ରୋଶର ମୂଲ୍ୟରେ ସେମାନେ ନିଜ ଜୀବନ ହରାଇଛନ୍ତି ।

ଗତକାଲି ହରିଆଣାର ନୁହର ଆରାବଳୀ ପର୍ବତରେ ବେଆଇନ୍ ଖନନ ଏବଂ ପଥର ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇ । ଘଟଣାସ୍ଥଳରେ ପହଞ୍ଚିବା ସହ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇ ବେଆଇନ୍ ପଥର ଚାଲାଣ କରୁଥିବା ମାଫିଆଙ୍କୁ ବିରୋଧ କରିଥିଲେ । ଏପରିକି ସାହସର ସହ ଗାଡ଼ି ଆଗକୁ ଆସି ଡ୍ରାଇଭରକୁ ରୋକିବାକୁ କହିଥିଲେ । ହେଲେ ରୋକିବା ବଦଳରେ ସୁରେନ୍ଦ୍ରଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିଲା ଡ୍ରାଇଭର । ଘଟଣା ସ୍ଥଳରେ ହିଁ  ଡିଏସପି ବିଷ୍ଣୋଇଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ପରେ ପଥର ଗାଡ଼ି ଧରି ଚମ୍ପଟ ମାରିଥିଲେ ମାଫିଆ । ଦୁର୍ଘଟଣା ଘଟାଇଥିବା ଡମ୍ପରରେ ତିନିରୁ ଚାରି ଜଣ ଥିବା ପୋଲିସ କହିଛି ।
ଡିଏସପି ସରପ୍ରାଇଜ୍ ଯାଞ୍ଚ ପାଇଁ ଯାଇଥିବାବେଳେ ତାଙ୍କ ପାଖରେ ପର୍ଯ୍ୟାପ୍ତ ଫୋର୍ସ ନଥିବା ହରିୟାଣା ଦକ୍ଷିଣ ରେଞ୍ଜ୍ ଆଇଜି କହିଛନ୍ତି ।

ଘଟଣା ପରେ ଡମ୍ପରର ହେଲପରକୁ ପୋଲିସ ଗିରଫ କରିଥିବା ବେଳେ ଗାଡ଼ି ମଡାଇଥିବା ଡ୍ରାଇଭର ଫେରାର ଅଛି । ହରିୟାଣା ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ମୃତ ଡିଏସପିଙ୍କ ପରିବାରକୁ ହରିଆଣା ସରକାର ୧କୋଟି ଟଙ୍କାର ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି । ସେପଟେ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।

କେବଳ ଏତିକି ନୁହେଁ ହରିୟାଣା ପରେ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ରାଞ୍ଚିର ତୁପୁଦନା ଅଞ୍ଚଳରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଗାଡ଼ି ମଡ଼ାଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଇନ୍ସପେକ୍ଟରଙ୍କ ନାମ ସନ୍ଧ୍ୟା ଟପ୍ନୋ ହୋଇଥିବା ସୂଚନା । ଗତକାଲି ରାତିରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଯାଞ୍ଚ କରୁଥିବା ବେଳେ ମହିଳା ଇନ୍ସପେକ୍ଟର ପିକଅପ୍ ଭ୍ୟାନ୍ ଅଟକାଇବାକୁ ସଙ୍କେତ ଦେଇଥିଲେ । କିନ୍ତୁ ଡ୍ରାଇଭର ନଅଟକାଇ ମହିଳା ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ମଡ଼ାଇଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ଏଥିସହିତ ଗାଡ଼ି ସହ ଖସି ପଳାଇଥିବା ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ପରେ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।

ଏହା ବି ପଢ଼ନ୍ତୁ: Kallakurichi Student Death: ଛାତ୍ରୀଙ୍କ ମୃତ୍ୟୁ ଘଟଣାର CB-CID କରୁଛି ଯାଞ୍ଚ, ଜାଣନ୍ତୁ ପୂରା ମାମଲା