ସାବାଡ଼ ହେଉଛନ୍ତି ସାଇବର ଅପରାଧୀ, ୧୦ ଦିନରେ ୪ ଗିରଫ
Advertisement

ସାବାଡ଼ ହେଉଛନ୍ତି ସାଇବର ଅପରାଧୀ, ୧୦ ଦିନରେ ୪ ଗିରଫ

ବର୍ତ୍ତମାନ ସାଇବର କ୍ରାଇମ (Cyber Crime) ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେବେ ସାଇବର କ୍ରାଇମ ବିରୁଦ୍ଧରେ ସମ୍ୱଲପୁର ପୋଲିସ ଏବେ ଆରମ୍ଭ କରିଛି ସ୍ୱତନ୍ତ୍ର ଡ୍ରାଇଭ।

ଡିଜାଇନ୍ ଫଟୋ

ସମ୍ବଲପୁର: ପୋଲିସ ହାତରୁ ଆଉ ବଞ୍ଚିପାରିବେନି ସାଇବର ଲୁଟେରା! ସାଇବର ଅପରାଧୀଙ୍କୁ ଧରିବା ପାଇଁ ଜିଲ୍ଲା ପୋଲିସର ସ୍ବତନ୍ତ୍ର ରଣନୀତି ଆପଣାଇଛି। ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ହେଉଥିବା ସାଇବର ଅପରାଧୀଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ତ୍ୱରିତ ପଦକ୍ଷେପ ନେଉଛି ବୋଲି ରବିବାର ସମ୍ବଲପୁର ଏସପି ବାତୁଲ ଗଙ୍ଗାଧର ଦୃଢ଼ତାର ସହ କହିଛନ୍ତି। 

ବର୍ତ୍ତମାନ ସାଇବର କ୍ରାଇମ (Cyber Crime) ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେବେ ସାଇବର କ୍ରାଇମ ବିରୁଦ୍ଧରେ ସମ୍ୱଲପୁର ପୋଲିସ ଏବେ ଆରମ୍ଭ କରିଛି ସ୍ୱତନ୍ତ୍ର ଡ୍ରାଇଭ। ଗତ ୧୦ ଦିନ ଭିତରେ ମହିଳାଙ୍କ ବିରୁଦ୍ଧରେ ସାଇବର ଅପରାଧ କରିଥିବା ୪ ଜଣକୁ ସମ୍ବଲପୁର ସାଇବର ପୋଲିସ ଗିରଫ କରିଛି। ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ସାଇବର କ୍ରାଇମ କରୁଥିବା ଅପରାଧୀଙ୍କୁ କୌଣସି ପ୍ରକାରେ ଛଡାଯିବନି ବୋଲି ସମ୍ବଲପୁର ଏସପି କହିଛନ୍ତି। 

Also Read: ପାର୍ବଣରେ ଅସାମାଜିକଙ୍କୁ ସାବାଡ଼ କରୁଛି ସମ୍ବଲପୁର ପୋଲିସ

ଗତ ୧୭ ତାରିଖରେ ସମ୍ବଲପୁର (Sambalpur) ଜିଲ୍ଲା ପରମାନପୁରର ଝସକେତନ ସାହୁ କଲେଜର ଅର୍ଥନୀତି ଅଧ୍ୟାପକ ପରେଶ ଭୋଇଙ୍କ ନକଲି ମେଲ ଆଇଡ଼ି ତିଆରି କରି କଲେଜ ଅଧ୍ୟାପିକାଙ୍କୁ ମେଲ ପଠାଇଥିବା ସମ୍ବଲପୁର ପୋଲିସରେ ଅଭିଯୋଗ ହୋଇଥିଲା। ଏହା ପରେ ଗତ ୨୧ ତାରିଖରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳର ଜଣେ ୟୁଟ୍ୟୁବର ଲକ୍ଷେଶ୍ୱର ମଲ୍ଲିକଙ୍କୁ ସମ୍ବଲପୁର ସାଇବର ପୋଲିସ ଗିରଫ କରିଥିଲା। ସେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲରେ ଜଣେ ଅଙ୍ଗନବାଡି କର୍ମୀଙ୍କ ସମ୍ମାନହାନୀ କରୁଥିବା ଭିଡିଓ ଅପଲୋଡ଼ କରିଥିଲେ। 

ଏହାପରେ ଗତ ୨୩ ତାରିଖରେ ବରଗଡ଼ (Bargarh) ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଯୁଗୀପାଲି ଗାଁର କ୍ଷୀରସିନ୍ଧୁ ପ୍ରଧାନଙ୍କୁ ସାଇବର ପୋଲିସ ଗିରଫ କରିଥିଲା। ଅଭିଯୁକ୍ତ କ୍ଷୀରସିନ୍ଧୁ ସମ୍ବଲପୁର ଜିଲ୍ଲାର ଧମା ଥାନା ଅନ୍ତର୍ଗତ ବଦୁଆପାଲି ଗାଁର ଜଣେ ମହିଳା ନାଆରେ ଫେକ ଫେସବୁକ ଆଇଡ଼ି ତିଆରି କରି ଅଶ୍ଳୀଳ ଫଟୋ ଅପଲୋଡ଼ କରିଥିଲେ। ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ଉପରଝାର ଗାଁର ଆଶିଷ କୁମାର ମହାପାତ୍ରଙ୍କୁ ଗିରଫ କରାଯାଇଛି। 

Also Read: ପୂଜା ପାଇଁ ଡାକିନେଇ ଯୁବକକୁ ହତ୍ୟା ଅଭିଯୋଗ

ଅଭିଯୁକ୍ତ ଆଶିଷ ସମ୍ବଲପୁର ମୁଦୀପଡା ଅଞ୍ଚଳର ଜଣେ ମହିଳାଙ୍କୁ ଭିଡିଓ କଲ କରି ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ହଇରାଣ କରୁଥିଲା। ସେ ଚାଲାକି କରି ଇଣ୍ଟରନ୍ୟାସନାଲ କୋଡ଼ ଜରିଆରେ ଇଣ୍ଟରନେଟ କଲ କରି ମହିଳାଙ୍କୁ ହଇରାଣ କରୁଥିବାର ଅଭିଯୋଗ ହୋଇଥିଲା। ଏଭଳି ଭାବେ ବର୍ତ୍ତମାନ ସାଇବର ପୋଲିସ ଗତ ୧୦ ଦିନରେ ୪ ସାଇବର ଅପରାଧୀଙ୍କୁ ଗିରଫ କରିଛି।