ଆନ୍ଧ୍ର-ଓଡିଶା ସୀମା ବିବାଦ; ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି
Advertisement

ଆନ୍ଧ୍ର-ଓଡିଶା ସୀମା ବିବାଦ; ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ ଆନ୍ଧ୍ର ମନ୍ତ୍ରୀ।

 

ଆନ୍ଧ୍ର-ଓଡିଶା ସୀମା ବିବାଦ; ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

ଗଜପତି: ଗତକାଲି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଗୁଣ୍ଡାରାଜ ଦେଖାଇବା ସହ ଶକ୍ତି ପ୍ରଦର୍ଶନ କରିଥିଲେ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ମନ୍ତ୍ରୀ ଡ଼ଃ.ଆପାଲା ରାଜୁ। ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ସୀମାନ୍ତ ମାଣିକପାଟଣା ଗ୍ରାମରେ ଡେରା ପକାଇ ବସିଛନ୍ତି ଆନ୍ଧ୍ର ପ୍ରଦେଶର ପ୍ରଶାସନିକ ଅଧିକାରୀ ଆଉ ପୋଲିସ। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ସହସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ମନ୍ତ୍ରୀଙ୍କ ଏପରି ଆଚରଣକୁ ଦୃଢ ଭାବରେ ନିନ୍ଦା କରାଯିବା ସହ ଏନେଇ ସରକାରୀ ସ୍ତରରେ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କୁ ଗିରଫ ଧମକ, ମାଣିକପାଟଣା ଅଙ୍ଗନବାଡି କେନ୍ଦ୍ରକୁ ଭାଙ୍ଗିବା ଧମକରୁ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀଙ୍କ ଦାୟିତ୍ୱ ହୀନତାର ପରିଚୟ ମିଳୁଛି। ଜଣେ ଲୋକ ପ୍ରତିନିଧି ଭାବରେ ସେ ସଂଯମତା ରକ୍ଷା କରିବା ପରିବର୍ତ୍ତେ ସେ ଯେଉଁଭଳି ଭାବେ ଗଜପତି ଜିଲ୍ଲାର ମାଣିକପାଟଣା ଗ୍ରାମରେ ଅଶାଳୀନ ଆଚରଣ ପ୍ରଦର୍ଶନ କଲେ ତାହା ସଂଘୀୟ ବିଧି ବ୍ୟବସ୍ଥା ଉପରେ କୁଠାରଘାତ କରିଛି। ଏଭଳି ପରିସ୍ଥିତିରେ କେବଳ ଯେ ଆନ୍ଧ୍ର-ଓଡିଶା ସୀମା ବିବାଦ ଆହୁରି ଘନେଇବାର ସମ୍ଭାବନା ବଢିବାରେ ଲାଗିଛି। ଆନ୍ଧ୍ର ମନ୍ତ୍ରୀଙ୍କ ଏଭଳି ଆଚାରଣ ବିରୁଦ୍ଧରେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି। 

ଅନ୍ୟ ପକ୍ଷେ ପଞ୍ଚାୟତ ଗଠନ ହେବାର ପାଖାପାଖି ୬୦ ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ୩୦୦୦ ଜନବସତି ରହିଥିବା ମାଣିକପାଟଣା ଗ୍ରାମକୁ ଯୋଗାଯୋଗ କରିବା ପାଇଁ ଓଡିଶା ପଟରୁ ରାସ୍ତା ଖଣ୍ଡେ ନିର୍ମାଣ କରି ପାରିନାହାଁନ୍ତି ରାଜ୍ୟ ସରକାର। ଯାହା ଫଳରେ ବାଧ୍ୟ ହୋଇ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ପଞ୍ଚାୟତବାସୀ ଯାହାର ଫାଇଦା ନେବାକୁ ଚେଷ୍ଟା କରୁଛି ଆନ୍ଧ୍ର ପ୍ରଦେଶ।

Also Read: ସୀମାରେ ଧସେଇ ପଶିଲେ ଆନ୍ଧ୍ର ମନ୍ତ୍ରୀ; ଅଙ୍ଗନବାଡିରେ ଅଣ୍ଡା ବାଣ୍ଟି ପିଲାଙ୍କୁ ପଢାଇଲେ ପାଠ

ଆଉ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯିବା ସହ ହତ୍ୟା ଧମକ ଦିଆଯାଉଛି। ନିଜ ଗାଁ ମାଟି ପ୍ରତି ମମତା ରହିଥିଲେ ମଧ୍ୟ ବାଧ୍ୟ ହୋଇ ଚୁପ ରହୁଛନ୍ତି ପଞ୍ଚାୟତବାସୀ। ନିଜ ସମସ୍ୟା ବାବଦରେ ବାରମ୍ବାର ଗୁହାରୀ କରବା ପରେ ମଧ୍ୟ ଓଡିଶା ସରକାର ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ଯାହାର ପରିଣାମ ଏବେ ଦେଖିବାକୁ ମିଳୁଛି। 

ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅଧିନସ୍ଥ ୭ରୁ ଅଧିକ ଗ୍ରାମକୁ ଦଖଲ କରିବା ପାଇଁ ଆନ୍ଧ୍ର ସରକାର ମସୁଧା କରୁଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ସେଠାରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ କଳେବଳେ କୌଶଳେ ନିଜ ରାଜ୍ୟରେ ସାମିଲ କରାଇବେ ନିମନ୍ତେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଆସୁଛି। ଅନେକ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ ସ୍ଥାନୀୟ ଜନସାଧାରଣଙ୍କ ସହ ସେଠାକାର କରି ଉଭୟ ପ୍ରଶାସନ ମୁହାଁମୁହିଁ ହେବାର ନଜିର ରହିଛି। ରାସ୍ତାଘାଟ, ଜଳ, ଜମିକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ ପାଇଁ ବିଭିନ୍ନ ମହଲରେ ଅଭିଯୋଗ  ହେବା ସହ ଆନ୍ଦୋଳନ ମଧ୍ୟ ହୋଇସାରିଛି।

ଏବେ ମଧ୍ୟ ସମୟ ରହିଛି। ଓଡ଼ିଶା ସରକାର ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉଦ୍ୟମ ନକଲେ ସେମାନଙ୍କ ଦ୍ୱାରା କରାଯାଉଥିବା ହୀନ ଉଦ୍ୟମରେ ଆନ୍ଧ୍ର ପ୍ରଦେଶ ସରକାର ସଫଳ ହେବ ବୋଲି କହିଛନ୍ତି ସ୍ଥାନୀୟ ଜନପ୍ରତିନିଧି। ଆନ୍ଧ୍ର ସରକାର କିଛି ଗ୍ରାମବାସୀ ଅଥବା ସେଠାକାର ଲୋକଙ୍କୁ ହାତେଇବା ପାଇଁ ମସୁଧା କରୁଛି। ଯଦି ଏପରି ଘଟଣାକୁ ହାଲକା ଭାବେ ନେଇ ଯଦି ଓଡି଼ଶା ସରକାର ଚୁପ ବସିବେ ତାହେଲେ ସୀମାନ୍ତ ଅଞ୍ଚଳରେ ଅଶାନ୍ତି ଲାଗି ରହିବା ସହ ଆନ୍ଧ୍ର ପ୍ରଦେଶ ମହେନ୍ଦ୍ରଗିରିକୁ ଦଖଲ କରିବା ପାଇଁ ଯେଉଁ ପ୍ରୟାସ କରୁଛି ତାହା ସଫଳ ହେବ। ଉଭୟ ରାଜ୍ୟ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଉଥିବା ବେଳେ ଓଡି଼ଶା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ନଜର।