ବିକାଶର କଳାପଟାରେ କଳାହାଣ୍ଡିର ଅଦୃଶ୍ୟ ଛବି; ଲୋକଙ୍କ ଶୋଷ ମେଣ୍ଟାଉଛି ଝର ପାଣି, ପ୍ରତିଦିନ ନଦୀପଠାରେ ସଙ୍ଘର୍ଷ କରୁଛନ୍ତି 'ମାତୃଶକ୍ତି'
Advertisement
Article Detail0/zeeodisha/odisha1181839

ବିକାଶର କଳାପଟାରେ କଳାହାଣ୍ଡିର ଅଦୃଶ୍ୟ ଛବି; ଲୋକଙ୍କ ଶୋଷ ମେଣ୍ଟାଉଛି ଝର ପାଣି, ପ୍ରତିଦିନ ନଦୀପଠାରେ ସଙ୍ଘର୍ଷ କରୁଛନ୍ତି 'ମାତୃଶକ୍ତି'

ଦୀର୍ଘ ବର୍ଷ ହେଲା ଥୁଆମୂଳ ରାମପୁର (T Rampur) ଓ ଲାଞ୍ଜିଗଡ଼ ବ୍ଲକର ଆଦିବାସୀମାନେ ବୋହି ଯାଉଥିବା ନାଳପାଣି ଓ ଛୋଟ ଛୋଟ ଝରଣା ପାଣିକୁ ଆଶ୍ରା କରି ଚଳି ଆସୁଛନ୍ତି। ଏବେ ବି ଅନେକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ରାଜ୍ୟ ସରକାର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ପିଇବା ପାଣି (Water Crisis) ସୁନିଶ୍ଚିତ କରି ପାରିନାହାନ୍ତି। 

ଡିଜାଇନ୍ ଫଟୋ

କଳାହାଣ୍ଡି: ଭୂତଳ ଓ ଭୂପୃଷ୍ଠ ଜଳ ଉତ୍ସ ସବୁ ଧୀରେ ଧୀରେ ଖସିବାରେ ଲାଗିଛି I କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ବେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାଣି ଟୋପେ ମିଳିବା କଷ୍ଟକର ହୋଇପଡୁଛି। ତେଲ ଓ ହାତୀ ନଦୀ ହିଁ ଲୋକଙ୍କ ପାନୀୟ ଜଳ ପାଇଁ ବଡ଼ ଭରସା ହୋଇଥିବା ବେଳେ ଏବେ ଏହି ଦୁଇ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଏପ୍ରେଲ ମାସ ଆରମ୍ଭରୁ କୂଅ, ନଳକୂପଗୁଡ଼ିକରେ ଜଳ ଅତି ଗଭୀରକୁ ଚାଲିଗଲାଣି। ଅନ୍ୟ ଜଳ ଉତ୍ସ ସବୁ ଧୀରେ ଧୀରେ ଶୁଖି ଯାଉଛି। ଏହି ଜିଲ୍ଲାରେ ଯେତେ ପାନୀୟ ଜଳ ପ୍ରକଳ୍ପ ଅଛି, ସେଥୁରୁ ଅର୍ଦ୍ଧାଧିକ ଅଧାପନ୍ତରିଆ ହୋଇ ପଡିଛି। ବର୍ଷ ବର୍ଷ ଧରି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳବାସୀ ନଦୀପଠାରେ ଝର ଖୋଳି ପିଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି। 

ଦୀର୍ଘ ବର୍ଷ ହେଲା ଥୁଆମୂଳ ରାମପୁର (T Rampur) ଓ ଲାଞ୍ଜିଗଡ଼ ବ୍ଲକର ଆଦିବାସୀମାନେ ବୋହି ଯାଉଥିବା ନାଳପାଣି ଓ ଛୋଟ ଛୋଟ ଝରଣା ପାଣିକୁ ଆଶ୍ରା କରି ଚଳି ଆସୁଛନ୍ତି। ଏବେ ବି ଅନେକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ରାଜ୍ୟ ସରକାର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ପିଇବା ପାଣି (Water Crisis) ସୁନିଶ୍ଚିତ କରି ପାରିନାହାନ୍ତି। କଳାହାଣ୍ଡି ଜିଲ୍ଲାରେ ବସୁଧା ଯୋଜନା (Vasudha Yojana) ରେ ଜଳଯୋଗାଣ ପାଇଁ ୨୦୬୨ ରାଜସ୍ବ ଗ୍ରାମକୁ ଚିହ୍ନଟ କରାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୩୪୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିଛି। ଅନ୍ୟ ୧୭୧୭ ରାଜସ୍ୱ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିନାହିଁ। 

Also Read: Cyclone Asani Updates: ପଡୋଶୀ ଘରେ ପିଟିହେଲା 'ଅସାନି', ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଜିଲ୍ଲା ଅଧୀକ୍ଷଣ ଯନ୍ତ୍ରୀ ଅଜୟ କୁମାର ମିଶ୍ର କହିଛନ୍ତି ଯେ, ବସୁଧା ଯୋଜନାରେ ୫୨୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। କଳାହାଣ୍ଡି ଜିଲ୍ଲା (Kalahandi) ର ୧୩ ବ୍ଲକରେ ୧୯୬୫୧ ନଳକୂଅ ଅଛି। କିନ୍ତୁ ପ୍ରତି ମାସ ସେଥିରୁ ୩୦ରୁ ୪୦ ନଳକୂଅ ଅଚଳ ହୋଇପଡୁଥିବାରୁ ସେଗୁଡ଼ିକର ମରାମତି ପାଇଁ ନିୟମିତ ଭାବେ ଏକ ଭ୍ରାମ୍ୟମାଣ ଗାଡ଼ିରେ ୪ ଜଣ କର୍ମଚାରୀ ଗାଁ ଗାଁ ବୁଲୁଛଛନ୍ତି। ଆସନ୍ତା ୨୦୨୪ ମଧ୍ୟରେ କଳାହାଣ୍ଡି ଜିଲାରେ ପିଇବା ପାଣି (Drinking Water) ର ଅଭାବ ରହିବ ନାହିଁ। ସେତେବେଳେ ସୁଦ୍ଧା ପ୍ରାୟତଃ ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସାରିଥିବ। 

fallback

ଏହା ବ୍ୟତୀତ ଜିଲ୍ଲାରେ ୭୪୮ଟି ସାନିଟାରୀ କୂଅ ଅଛି। ତାହା ମଧ୍ୟ କୌଣସି ନା କୌଣସି ତୃଟି ଯୋଗୁଁ କେତେକ ଯାଗାରେ ପିଇବା ପାଣିର ଆବଶ୍ୟକତାକୁ ପୂରଣ କରି ପାରୁନଥିବା ଜଣାପଡ଼ିଛି। ଥୁଆମୂଳ ରାମପୁର ବ୍ଲକରେ ଝରଣା ପାଣିକୁ ପରିଚାଳନା କରାଯାଇ ଜନସାଧାରଣଙ୍କ ପିଇବା ପାଣିର ଆବଶ୍ୟକତାକୁ ପୂରଣ କରାଯାଉଛି ବୋଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କହୁଛି। କିନ୍ତୁ ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ ମଦନପୁର ରାମପୁର ବ୍ଲକର ଦୁର୍ଗମ ଇଲାକାରେ ପାନୀୟ ଜଳ ସାତ ସପନ ପାଲଟିଛି। ବସୁଧା ଯୋଜନାରେ ଯେଉଁ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ତାହା କେବେ ସଂପୂର୍ଣ୍ଣ ହେବ ଜଣା ପଡୁନାହିଁ। ଲାଞ୍ଜି ପଞ୍ଚାୟତରେ ମୁଖାନାଳରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବାର ନାଁ ଧରୁନାହିଁ । ସେହିପରି ଥୁଆମୂଳ ରାମପୁର ବ୍ଲକର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଲାଗି ରହିଛି। 

Also Read: ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ଜୀବନ

ଥୁଆମୂଳ ରାମପୁର ବ୍ଲକ ନାଗାବଳୀ ନଦୀ (Nagavali River) ର ଉତ୍ପତ୍ତି ସ୍ଥଳ ହୋଇଥିଲେ ମଧ୍ୟ ଏଠାରେ ପାନୀୟ ଜଳର ଉତ୍କଟ ଅଭାବ ଲକ୍ଷ୍ୟ କରାଯାଉଛି। ତେଲ ଓ ହାତୀ ନଦୀ ଜଳସ୍ତର କମିଗଲେ ଗ୍ରାମାଞ୍ଚଳ କାହିଁକି, ସହରାଞ୍ଚଳରେ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ବର୍ଷତମାମ ମରାମତି, ରକ୍ଷଣାବେକ୍ଷଣ ଓ ବିଦ୍ୟୁତ୍ ସଂଯୋଗ ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାଟି ତଳେ ପଡୁଥିବା ପାଇପ ଗୁଡ଼ିକଠାରୁ ଆରମ୍ଭ କରି ଯନ୍ତ୍ରପାତି ସବୁ ନିମ୍ନମାନର ହୋଇଥିବାରୁ ପ୍ରକଳ୍ପଗୁଡ଼ିକର ସ୍ଥାୟିତ୍ୱ ପ୍ରତି ଭରସା ରହୁନାହିଁ। କଳାହାଣ୍ଡି ଜିଲ୍ଲାରେ ନୂଆ ପ୍ରକଳ୍ପ କାମ କିଛି ନଥିବା ବେଳେ ପୁରୁଣା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ କରିବାକୁ ବିଭାଗ ନାକେଦମ୍ ହୋଇପଡ଼ୁଥିବା ଜଣେ ଅଧିକାରୀ କହିଛନ୍ତି। 

କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ଥାଇ ମଧ୍ୟ ପାନୀୟ ଜଳ ପାଇଁ ଭାଲେଣି ପଡ଼ିଲାଣି। ଏପ୍ରିଲରୁ ଜଳସଙ୍କଟ ଆରମ୍ଭ ହୋଇଥିବା ବେଳେ ମେ ମାସ ବେଳକୁ ତାହା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ସେପଟେ ଜିଲ୍ଲାର ସମସ୍ତ ବ୍ଲକରେ ବର୍ତ୍ତମାନର ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରିଛି। ଯେଉଁ ଅଞ୍ଚଳରେ ନଳକୂପ ବ୍ୟବସ୍ଥା ନାହିଁ ସେହି ଅଞ୍ଚଳ ଗୁଡିକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଥିବା ନେଇ କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ଗଭାଲି ପରାଗ ପ୍ରକାଶ କରିଛନ୍ତି।