)
Chandipura Virus: ଦେଶ ଦୀର୍ଘ ଅଢେଇ ବର୍ଷ ର ଲଢେଇ ପରେ କୋରୋନା ପରି ଏକ ମାରାତ୍ମକ ଭାଇରସରୁ ମୁକୁଳିଥିଲା ହେଲେ, ଏବେ ଏକ ନୂଆ ଭୂତାଣୁ ଧିରେ ଧିରେ ଆତଙ୍କ ସୃଷ୍ଟି କରିଛି। ଗୁଜରାଟର ସାବରକଣ୍ଠ ଓ ଅରବଲ୍ଲୀ ଜିଲ୍ଲାରେ 'ଚାନ୍ଦିପୁରା' ନାମକ ଏକ ଭାଇରାସ ଆତଙ୍କ ଖେଳାଇଛି। ଏହାକୁ ରହସ୍ୟମୟ ଭୂତାଣୁ ବୋଲି କୁହାଯାଉଛି। ଏହି କାରଣରୁ ୨ ଦିନ ମଧ୍ୟରେ ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସାବରକଣ୍ଠ ସିଭିଲ ହସ୍ପିଟାଲରେ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ ସୂଚନା ପ୍ରଦାନ କରାଯାଇଛି। ବର୍ତ୍ତମାନ ପିଲାଙ୍କ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଛି। ଆଜି ନମୁନାର ଫଳାଫଳ ଆସିବ ବୋଲି ଆଶା କରାଯାଉଛି।
ଡାକ୍ତରଙ୍କ କହିବା ଅନୁଯାୟୀ, 'ଚାନ୍ଦିପୁରା' ଭାଇରସ (Chandipura Virus) ରେ ସଂକ୍ରମିତ ଶିଶୁଙ୍କ ମସ୍ତିଷ୍କ ଫୁଲିବା ସମେତ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଉଛି। ସଂକ୍ରମିତ ଶିଶୁଙ୍କ ପରିବାରର ନମୁନା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଉଛି। ହିମ୍ମତନଗର ସିଭିଲ ହସ୍ପିଟାଲରେ ମୋଟ ୬ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସାବରକଣ୍ଠର ଖେଡ଼ବ୍ରହମାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେହିପରି ଅରୱାଲି ଜିଲ୍ଲାର ଭିଲୋଦାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ନମୁନା ପରୀକ୍ଷା ପାଇଁ ପୁଣେର ଏକ ପରୀକ୍ଷାଗାରକୁ ପଠାଯାଇଛି।
ଆଜି ଆସିବ ନମୁନା ରିପୋର୍ଟ
ଆଜି ଅର୍ଥାତ୍ ସୋମବାର ନମୁନାର(Test Report) ରିପୋର୍ଟ ଆସିବ। ଏହି ଭୂତାଣୁକୁ ନେଇ ସକ୍ରିୟ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏହି ଭୂତାଣୁ ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ଏକ ବୈଠକ ବସିପାରେ ବୋଲି ଦାବି କରାଯାଉଛି । ଏହି ବୈଠକରେ ଟେଷ୍ଟିଂ ସମେତ ଅନ୍ୟାନ୍ୟ ଯୋଜନା ସ୍ଥିର କରାଯିବ। ସାବରକଣ୍ଠ ଜିଲ୍ଲାରେ ଚାନ୍ଦିପୁରା ଭୂତାଣୁ ଭୟଙ୍କର ରୂପ ଧାରଣ କରିଛି। ହିମ୍ମତନଗର ସିଭିଲରେ ସନ୍ଦେହଜନକ ଚାନ୍ଦିପୁରା ଭୂତାଣୁ ଯୋଗୁଁ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାରୁ ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ମୋଡକୁ ଆସିଛି। ଯେଉଁ ଅଞ୍ଚଳରେ ଏଭଳି ମାମଲା ସାମ୍ନାକୁ ଆସିଛି ସେଠାରେ ସର୍ଭେଲାନ୍ସ କରାଯାଉଛି। ଏହି ଔଷଧ ସିଞ୍ଚନ କରାଯାଉଛି।
ଚିକିତ୍ସାଧୀନ ଅଛନ୍ତି ଦୁଇ ଶିଶୁ
ଉଦୟପୁରର ବାଲେଚା ଗ୍ରାମର ୪ ବର୍ଷର ହିମାଂଶୁ ଖରାଡି, ଖେଡବ୍ରହ୍ମା ତାଲୁକାର କୋଡରିଆ ଗାଁର ୫ ବର୍ଷର ଗଣେଶ କୁମାର ଶୈଲେଶଭାଇ ପରଗି, ଆରାବଲ୍ଲୀର ଖାନପୁର ଗ୍ରାମର ଦୁଇ ବର୍ଷର କ୍ରୁନାଲ ଶୈଲେଶ ଏହି ଭାଇରସ ରେ ମୃତ୍ୟୁବରଣ କରିଥିବା କୁହାଯାଉଛି। ଭିଲୋଦା ତାଲୁକାର କିଞ୍ଜଲବେନ୍ ନିନାମା ନାମକ ଜଣେ ୬ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁର କାରଣ ଏହି ଭୂତାଣୁ ବୋଲି କୁହାଯାଉଛି। ଏବେ ପିପଲିଆ ଓ ଉଦୟପୁରର ଦୁଇ ଜଣ ଶିଶୁ ହିମ୍ମତନଗର ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଶିଶୁଙ୍କ ନମୁନା ହିମ୍ମତନଗର ସିଭିଲ ହସ୍ପିଟାଲ ପକ୍ଷରୁ ପୁଣେ ପଠାଯାଇଛି।