ଉତ୍ତରପ୍ରଦେଶରେ ସିଏଏ ହିଂସା, ସୁରକ୍ଷାକର୍ମୀଙ୍କୁ ପଥରମାଡ଼
Advertisement

ଉତ୍ତରପ୍ରଦେଶରେ ସିଏଏ ହିଂସା, ସୁରକ୍ଷାକର୍ମୀଙ୍କୁ ପଥରମାଡ଼

ଉତ୍ତର ପ୍ରଦେଶରେ ବଢୁଛି ସିଏଏ ହିଂସା. ରାଜ୍ୟର ଗୋରଖପୁର, ମଥୁରା, ମଉ, ବରେଲୀ, ଆଗ୍ରା ସହିତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଏହି ହିଂସା ବ୍ୟାପକ ରୂପ ନେଇଛି. ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ପଥରମାଡ଼ କରିଥିବା ଦେଖିବାକୁ ମିଳିଛି. ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଇଣ୍ଟରନେଟକୁ ବନ୍ଦ କରିଦିଆଯାଇଥିବା ବେଳେ ସମଗ୍ର ରାଜ୍ୟରେ ଆସନ୍ତା ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି. 

ଉତ୍ତରପ୍ରଦେଶରେ ସିଏଏ ହିଂସା, ସୁରକ୍ଷାକର୍ମୀଙ୍କୁ ପଥରମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବଢୁଛି ସିଏଏ ହିଂସା. ରାଜ୍ୟର ଗୋରଖପୁର, ମଥୁରା, ମଉ, ବରେଲୀ, ଆଗ୍ରା ସହିତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଏହି ହିଂସା ବ୍ୟାପକ ରୂପ ନେଇଛି. ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ପଥରମାଡ଼ କରିଥିବା ଦେଖିବାକୁ ମିଳିଛି. ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଇଣ୍ଟରନେଟକୁ ବନ୍ଦ କରିଦିଆଯାଇଥିବା ବେଳେ ସମଗ୍ର ରାଜ୍ୟରେ ଆସନ୍ତା ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି. 

ଗୋରଖପୁରର କୋତବାଲୀ ଅଞ୍ଚଳରେ ପ୍ରଦର୍ଶନାକାରୀମାନେ ପୋଲିସ  ଉପରକୁ ପଥର ମାଡ଼ କରିଥିଲେ. ଫଳରେ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି. ସେପଟେ ଲକ୍ଷ୍ନୌରେ ମଧ୍ୟ ହିଂସା ଗୁରୁତର ରୂପ ନେଇଛି. ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ବେଳେ ଏଥିରେ ଜଣକର ମୃତ୍ୟୁ ମଧ୍ୟ ହୋଇଛି. ସେହିଭଳି ଅନୁରୂପ ଘଟଣା ଦେଖିବାକୁ ମିଳିଛି ବହରାଇଚରେ. ବହରାଇଚରେ ପୋଲିସ ଉପରକୁ ଆନ୍ଦୋଳନକାରୀମାନେ ମଧ୍ୟ ପଥର ମାଡ଼ କରିଛନ୍ତି. ପ୍ରତ୍ୟୁତ୍ତରରେ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା. 

ହାପୁଡ଼ ସହରରେ ହିଂସା ମଧ୍ୟ ବେଶ ଉଗ୍ର ରୂପ ଗ୍ରହଣ କରିଛି. ହାପୁଡ଼ରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀମାନେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରିଥିଲେ. ସେଠାରେ ନିୟୋଜିତ ଥିବା ପୋଲିସଙ୍କ ଉପରକୁ ଆନ୍ଦୋଳନକାରୀମାନେ ପଥର ମାଡ଼ କରିଥିଲେ.  

ସେହିପରି ବାରାଣାସୀରେ ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି. ଏହି ସତର୍କ ସୂଚନାରେ ପ୍ରଶାସନ କହିଛି ଯେ, ମୁସଲମାନ ଭାଇମାନେ ମସଜିଦ ଗୁଡ଼ିକରେ ଧାର୍ମିକ ଭାବନାକୁ ନେଇ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଧ୍ୟାନ ଦେବେ. ନମାଜ ସମୟରେ କେହି ବି ଏଭଳି ଆଲୋଚନା ନ କରନ୍ତୁ ଯାହା ପରିସ୍ଥିତି ବିଗାଡ଼ିବାରେ ଖୋରାକ ଯୋଗାଇବ. ନମାଜ ପାଠ ପରେ ଯେପରି ମୁସଲମାନ ଭାଇ ମାନେ ଘରକୁ ଶାନ୍ତିଶୃଙ୍ଖଳା ସହିତ ଫେରିବାକୁ ଜିଲ୍ଲା ପ୍ରଶାସନ କହିଛି. କେହି ମଧ୍ୟ ନମାଜ ପାଠ ପରେ କେହି ବି ରାସ୍ତା, ଗଳି କିମ୍ବା ଛକ ମାନଙ୍କରେ ଛିଡ଼ା ହୋଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ କରିବାକୁ ଅନୁରୋଧ କରିଛି ପ୍ରଶାସନ. 

ସେହିଭଳି ପ୍ରୟାଗରାଜରେ ଆନ୍ଦୋଳନକୁ ନେଇ ପ୍ରାୟ ହାଜରେରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି. ଏହି ମାମଲା ମଧ୍ୟରେ 20 ଜଣ ନମାଜ ପାଠ କରୁଥିବା ମୁସଲମାନ ଭାଇଙ୍କ ନାମ ରହିଥିବା ବେଳେ 1120 ଜଣ ଅଜଣା ଲୋକଙ୍କ ନାମ ରହିଛି. ଧାରା 144କୁ ଉଲ୍ଲଂଘନ କରି ଏହି ଆନ୍ଦୋଳନ କରୁଥିବା ନେଇ ପୋଲିସ ଏହି ମାମଲା ରୁଜୁ କରିଥିବା ଜଣାପଡ଼ିଛି. 

ଏହା ସହିତ ପୋଲିସ ରୁଜୁ କରିଥିବା ମାମଲା ମଧ୍ୟରେ 120 ଜଣ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ନାମ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି. 800 ଅଜଣା ଲୋକଙ୍କ ବିରୋଧରେ ସିଭିଲ ଲାଇନ ଥାନା ପୋଲିସ ମାମଲା ରୁଜୁ କରିଛି. କୋତାବାଲୀ ଥାନା 200 ଅଜଣା ଲୋକଙ୍କ ନାମ ବିରୋଧରେ ମାମଲା ରୁଜୁ କରାଯାଇଛି. ସେହିପରି 176 ଜଣଙ୍କୁ ଅଟକ ରଖି ପରେ ପୋଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି. 

ସେହିଭଳି ଗାଜିଆବାଦ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି. ଗୁରୁବାର ରାତି 10 ଟାରୁ ଆରମ୍ଭ କରି ଶୁକ୍ରବାର ରାତି 10 ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି. ଆଗ୍ରାରେ ଗୁରୁବାର ରାତି 12ଟାରୁ ଶୁକ୍ରବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି. ବରେଲିରେ ମଧ୍ୟ 19 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି.