କୋଇଲା ସଂକଟ: ବାତିଲ ହେବ ୧୧୦୦ ଟ୍ରେନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
Advertisement
Article Detail0/zeeodisha/odisha1174968

କୋଇଲା ସଂକଟ: ବାତିଲ ହେବ ୧୧୦୦ ଟ୍ରେନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ବର୍ତ୍ତମାନ ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ବିଦ୍ୟୁତ୍ ଉତ୍ପାଦନ କାରଖାନା କୋଇଲା ସଙ୍କଟ ସହ ସଂଘର୍ଷ କରୁଛି।

କୋଇଲା ସଂକଟ: ବାତିଲ ହେବ ୧୧୦୦ ଟ୍ରେନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କୋଇଲା ସଂକଟ କାରଣରୁ ଆଗାମୀ ୨୦ ଦିନ ମଧ୍ୟରେ ପ୍ରାୟ ୧୧୦୦ ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ। ଏହି ପଦକ୍ଷେପ କାରଣରୁ ରେଳଯାତ୍ରୀଙ୍କ ଲାଗି ସମସ୍ୟା ବଢିଯାଇଛି। ବର୍ତ୍ତମାନ ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ବିଦ୍ୟୁତ୍ ଉତ୍ପାଦନ କାରଖାନା କୋଇଲା ସଙ୍କଟ ସହ ସଂଘର୍ଷ କରୁଛି। ଏହାର ମୁକାବିଲା କରିବା ସହ କୋଇଲା ଯୋଗାଣ ପାଇଁ ୧୫% ଅତିରିକ୍ତ କୋଇଲା ପରିବହନ କରୁଛି ରେଳବାଇ। 

ଏହାକୁ ନଜରରେ ରଖି  ଆସନ୍ତା ୨୦ ଦିନରେ ପ୍ରାୟ ୧୧୦୦ ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ। ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ଉଭୟ ମେଲ୍ ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନ୍ ଅନ୍ତର୍ଭୂକ୍ତ ରହିଛି। ଏହି କ୍ରମରେ ପ୍ରାୟ ୫୦୦ ଏକ୍ସପ୍ରେସ ଟ୍ରେନ ଏବଂ ୫୮୦ ଯାତ୍ରୀବାହୀ ଟ୍ରେନ ବାତିଲ କରାଯାଇଛି।

ପ୍ରାୟ ୧୧୦୦ ବାତିଲ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି  ବିଦ୍ୟୁତ ଉତ୍ପାଦନ କାରଖାନାକୁ କୋଇଲା ଯୋଗାଣ କରୁଥିବା ମାଲଗାଡ଼ି ଚଳାଚଳକୁ ସହଜ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ କୋଇଲା ଆବଶ୍ୟକ ସମୟରେ ପହଞ୍ଚି ପାରିବ। ଏହା ପୂର୍ବରୁ ଆଗାମୀ ୬୭୦ ପାସେଞ୍ଜର ଟ୍ରେନ ବାତିଲ କରାଯାଇଥିଲା। କାରଣ  କୋଇଲା ପରିବହନ କରୁଥିବା ରେଳଗାଡି ଚଳାଚଳକୁ ବଢାଯାଇ ପାରିବ। ମାତ୍ର ଏହା ଦ୍ୱାରା ଛତିଶଗଡ଼, ମଧ୍ୟ ପ୍ରଦେଶ, ଓଡ଼ିଶା, ଝାଡଖଣ୍ଡ ପ୍ରଭୃତି ରାଜ୍ୟରକ ରେଳଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।  

ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଝାଡ଼ଖଣ୍ଡ, ଛତିଶଗଡ଼, ଓଡିଶା ସମେତ ଅନ୍ୟ କେତେକ ରାଜ୍ୟରେ କୋଇଲା ସଂକଟ କାରଣରୁ ବିଦ୍ୟୁତ ସମସ୍ୟା ଉପୁଜିଛି। ଏପରିକି କେତେକ ରାଜ୍ୟରେ ବିଜୁଳି କାଟ ମଧ୍ୟ କରାଯାଉଛି। ଯାହା ଫଳରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ନା କରିବାକୁ ପଡୁଛି।  

ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହୋଇଛି। ଯାହା ଫଳରେ ଅପ୍ରେଲ ମାସରୁ ବିଜୁଳି ଚାହିଦା ବଢିଯିବା ସହ କୋଇଲା ବ୍ୟବହାର ମଧ୍ୟ ବଢିଛି। ବର୍ତ୍ତମାନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ମାତ୍ର କିଛି ଦିନ ପାଇଁ କୋଇଲା ଉପଲବ୍ଧ ରହିଛି। ଯେଉଁ କାରଣରୁ ଦେଶରେ ବିଦ୍ୟୁତ୍ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ଯାଇ ପ୍ରୟାସ ଆରମ୍ଭ କରିଛି ଭାରତୀୟ ରେଳବାଇ। ଦେଶରେ ହେଉଥିବା କୋଇଲା ପରିବହନର ଅଧିକାଂଶ କାର୍ଯ୍ୟ ରେଳବାଇ କରିଥାଏ।

ଏନେଇ ପ୍ରତିକ୍ରିୟା ରଖି ରେଲୱେ ବୋର୍ଡ ଅଧ୍ୟକ୍ଷ ବି.କେ ତ୍ରିପାଠୀ କହିଛନ୍ତି ଗତ ବର୍ଷରୁ କୋଇଲା ଚାହିଦା ଏବଂ ଏହାର ବ୍ୟବହାରରେ ୨୦% ବୃଦ୍ଧି ହୋଇଛି। ଗତ ବର୍ଷ ଅପ୍ରେଲ ତୁଳନାରେ ଚଳିତ ୧୫% ଅଧିକ କୋଇଲା ପରିବହନ କରାଯାଇଛି। ଗତ ବର୍ଷ ତୁଳନାରେ କୋଇଲା ଚାହିଦା ଏବଂ ବ୍ୟବହାର ବଢିଯାଇଛି। ଏହାକୁ ନଜରରେ ରଖି ଭାରତୀୟ ରେଳବାଇ ଅଧିକ ମାତ୍ରାରେ କୋଇଲା ପରିବହନ କରୁଛି। କୋଇଲା  ପରବହନକୁ ସୁଗମ କରିବା ପାଇଁ ମେଲ ଏବଂ ଏକ୍ସପ୍ରେସ ଟ୍ରେନ ତୁଳନାରେ କୋଇଲା ବୋଝେଇ ରେଳଗାଡ଼ିକୁ ପ୍ରାଥମିକତା ଦିଆଯାଉଛି।   

ଦେଶର କୋଇଲା ସଂକଟ ସୃଷ୍ଟି ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ। ଏନେଇ ପ୍ରତିକ୍ରିୟା ରଖି ସେ କହିଥିଲେ ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ କୋଇଲା ଆମଦାନୀ ପ୍ରଭାବିତ ହୋଇଛି। କୋଇଲା କମ୍ପାନୀକୁ ଦେୟ ପ୍ରଦାନ ନକରିବା ଏବଂ ଝାଡଖଣ୍ଡରେ ଧର୍ମଘଟ କାରଣରୁ କୋଇଲା ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି। 

Also Read: ବନ୍ଦେ ଭାରତ ଟ୍ରେନ ଉପରେ ବ୍ରେକ ଲଗାଇଲା ୟୁକ୍ରେନ