1. ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଏକକ ନିର୍ବାଚନ ବିଧେୟକ ତଥା ‘ଏକ ଦେଶ-ଏକ ନିର୍ବାଚନ’ ବିଧେୟକକୁ ଉପସ୍ଥାପନ କରିବେ। ପ୍ରଥମାର୍ଦ୍ଧରେ ଏହି ବିଧେୟକ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି। ଉପସ୍ଥାପନ ହେବା ପରେ ବିଧେୟକକୁ ଅଧିକ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ ଏକ ପ୍ରସ୍ତାବ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ୱାଲ ଆଣିବେ। ଏହା ପାରିତ ହେଲେ ଯୁଗ୍ମ କମିଟିକୁ ଏହି ବିଧେୟକ ପଠାଯିବ।
2. ଗୃହରେ ନିଜର ସଂଖ୍ୟାକୁ ସ୍ଥିର ରଖିବା ତଥା ସମସ୍ତ ସଦସ୍ୟଙ୍କ ଉପସ୍ଥିତିକୁ ରକ୍ଷା କରିବା ଲାଗି ଶାକସ ଦଳ ଓ ମେଣ୍ଟ ଦଳମାନଙ୍କ ପକ୍ଷରୁ ସେମାନଙ୍କ ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି। ୧୦ ବର୍ଷ ପରେ ଅର୍ଥାତ୍ ୨୦୩୪ରେ ଯାଇ ଏହି ବିଧେୟକର ଫଳାଫଳକୁ ଦେଶବାସୀ ଉପଲବ୍ଧ କରିବେ। କାରଣ ଏ ବିଧେୟକ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ଲାଗି ଏହି ସମୟ ଲାଗିବା ସ୍ୱଭାବିକ।
3. ସଂସଦୀୟ ଯୁଗ୍ମକମିଟି ସାଧାରଣତଃ ରାଜ୍ୟ, ଦେଶବାସୀ ଓ ବିଭନ୍ନ ସଂଗଠନ ମାନଙ୍କ ମଧ୍ୟରେ ଏହି ବିଧେୟକ ବାବଦରେ ସଚେତନତା ତଥା ମତାମତ ସୃଷ୍ଟି କରିବାରେ ସହାୟକ ହେବ। ସେମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବ।
4. ଏହି ବିଧେୟକରେ ଦୁଇଟି ଅଂଶ ରହିଛି। ଗୋଟିଏ ହେଉଛି ବିଧାନସଭା ଏବଂ ଲୋକସଭାର ନିର୍ବାଚନ ଗୋଟିଏ ସମୟରେ କରାଇବା। ଦ୍ୱିତୀୟ ବିଧେୟକରେ ରାଜ୍ୟଗୁଡ଼ିକରେ ହେଉଥିବା ପଞ୍ଚାୟତ ନିର୍ବାଚନ ଓ ମ୍ୟୁନିସିପାଲିଟି ନିର୍ବାଚନକୁ ମଧ୍ୟ ଏକ ସମୟରେ କରିବା ପାଇଁ ଉଦ୍ଦିଷ୍ଟ। ଉଭୟ ବିଧେୟକ ଲାଗି ସମ୍ବିଧାନ ସଂଶୋଧନ ଆବଶ୍ୟକ।
5. ପ୍ରଥମ ବିଧେୟକ ଲାଗି ଲୋକସଭା ଓ ରାଜ୍ୟସଭାର ଅନୁମତି ଆବଶ୍ୟକ ହେଉଥିବା ବେଳେ ରଜ୍ୟଗୁଡ଼ିକରେ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଲାଗି ଦୁଇ ତୃତୀୟଂଶ ରାଜ୍ୟରେ ସହମତି ଆବଶ୍ୟକ।
6. ଏହି ବିଧେୟକ ପାରିତ ହେବା ପରେ ୨୦୨୯ ପରେ ଯେଉଁ ରାଜ୍ୟର ନିର୍ବାଚନ ହେବ ତାହାର କାର୍ଯ୍ୟକାଳ ୨୦୩୪ରେ ଶେଷ ହେବ। ଅର୍ଥାତ୍ ଯଦି ୨୦୩୧ରେ କୌଣସି ରାଜ୍ୟରେ ନିର୍ବାଚନ ହୁଏ ତାହା ସମ୍ପୂର୍ଣ୍ଣ ୫ ବର୍ଷ ଶାସନ କରିବ ନାହିଁ। ଅର୍ଥାତ୍ ୨୦୩୪ରୁ ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ ହେବ। ଏହା ଦେଶର ବିଂଶତମ ଲୋକସଭା ନିର୍ବାଚନ ହେବ।
7. ବିଧେୟକର ଅନୁଶୀଳନ ତଥା ଅଧିକ ମତାମତ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଯୁଗ୍ମ ସଂସଦୀୟ କମିଟି ପ୍ରଥମେ ୯୦ ଦିନ ପାଇଁ ଗଠନ ହେବ। ଏହା ଚାହିଁଲେ ଅଧିକ ଦିନ ନେଇପାରିବେ।
8. ବିଧେୟକର ବ୍ୟବସ୍ଥା ଅନୁସାରେ ଯଦି ୫ ବର୍ଷ ପୂର୍ବରୁ କୌଣସି ବିଧାନସଭା ଭଙ୍ଗ ହୁଏ ତେବେ ସେଥିଲାଗି ମଧ୍ୟବର୍ତ୍ତୀ ନିର୍ବାଚନ ହେବ। ଅର୍ଥାତ୍ ପୂର୍ବ ବିଧାନସଭାର କାର୍ଯ୍ୟକାଳ ଶେଷ ଯାଏ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବରଚନରେ ନିର୍ବାଚିତ ବିଧାୟକ କାର୍ଯ୍ୟ କରିବେ।
9. ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨, ୨୦୨୩ରେ ଏଥିଲାଗି ଏକ କମିଟି ଗଠନ କରାଯାଇଥିଲା। ଯାହା ୧୪ ମାର୍ଚ୍ଚ ୨୦୨୪ରେ ଅର୍ଥାତ୍ ୧୯୧ ଦିନର ଗବେଷଣା ପରେ ଏକ ୧୮୬୨୬ ପୃଷ୍ଠା ସମ୍ବଳିତ ରିପୋର୍ଟକୁ ରାଷ୍ଟ୍ରପତିଙ୍କୁ ଅର୍ପଣ କରିଥିଲେ। ଏଡି ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି।
10. କମିଟିର ପରାମର୍ଶ ସମୟରେ ଦେଶର ୪୭ଟି ରାଜନୀତିକ ଦଳ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ସେଥିରୁ ୩୨ଟି ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ସାର୍ବଜନୀନ ନୋଟିସ ବଳରେ ୨୧ହଜାର ୫୫୮ ଜଣ ନାଗରିକ, ଅନୁଷ୍ଠାନ ସେମାନଙ୍କ ମତ ପ୍ରଦାନ କରିଥିଲା। ସେଥିରୁ ୮୦ ପ୍ରତିଶତ ବିଧେୟକକୁ ସମର୍ଥନ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।